ଆଜିଠୁ ସେବାୟତଙ୍କ କୋଭିଡ଼ ଟେଷ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜିଠୁ ସେବାୟତଙ୍କ କୋଭିଡ ଟେଷ୍ଟ । ଆଜି ଏବଂ କାଲି ଦଇତାପତି ସେବାୟତଙ୍କ କରୋନା ଟେଷ୍ଟ ହେବ । ୨୯ ଓ ୩୦ ତାରିଖରେ ଗରାବଡୁ ସେବାୟତଙ୍କ କୋଭିଡ ଟେଷ୍ଟ ହେବ ବୋଲି ନିଷ୍ପତ୍ତି କରିଛି ପ୍ରଶାସନ । ଦଇତାପତି ନିଯୋଗ ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ୧୫୦ ଦଇତାପତି ସେବାୟତଙ୍କ ତାଲିକା ଦିଆଯାଇଛି । ସେମାନଙ୍କ ମଧ୍ୟରୁ ଆଜି ୭୫ ଜଣଙ୍କର ଏବଂ କାଲି ୭୫ ଜଣ ସେବାୟତଙ୍କ ଟେଷ୍ଟ କରାଯିବ ।

ସ୍ନାନଯାତ୍ରା ପାଇଁ ଏବେ ଚାଲିଛି ପ୍ରସ୍ତୁତି । ଏଥିପାଇଁ ସୀମିତ ସଂଖ୍ୟକ ସେବାୟତ ସେବାନୀତି ପାଇଁ ନିଷ୍ପତି ହୋଇଥିବାରୁ ବିଭିନ୍ନ ନିଯୋଗ କାଣ୍ଟଛାଣ୍ଟ କରି ସେବାୟତ ତାଲିକା ଦାଖଲ କରିଛନ୍ତି । କରୋନା ଗାଇଡଲାଇନ୍ ଅନୁୟାୟୀ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଆୟୋଜନ ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ସ୍ନାନଯାତ୍ରାରେ ସୀମିତ ସଂଖ୍ୟକ ସେବାୟତ ଭାଗନେବେ। ଦଇତାପତି ନିଯୋଗ ପକ୍ଷରୁ ୧୫୦ ଜଣ ସେବାୟତ ଯୋଗଦେବା ନେଇ ପୂର୍ବରୁ ସ୍ପଷ୍ଟ କରାଯାଇଥିବା ବେଳେ ଗତକାଲି ଖୁଣ୍ଟିଆ ନିଯୋଗ ପକ୍ଷରୁ ୧୦ ଜଣ ସେବକଙ୍କ ନାଁ ପ୍ରଶାସନକୁ ଦିଆଯାଇଛି। ଅନ୍ୟପଟେ ରଥକାମ ମଧ୍ୟ ଦ୍ରୁତଗତିରେ ଆଗେଇ ଚାଲିଛି । ୩ ରଥର ୪୨ ଟି ଚକ ସଂପୂର୍ଣ୍ଣ ହୋଇଥିବା ବେଳେ ଏବେ ଦଣ୍ଡା ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ବିଶ୍ବକର୍ମା। ପ୍ରତ୍ୟେକ ରଥର ୭ ଟି ଲେଖାଏଁ ଦଣ୍ଡା ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେହିପରି ରୂପକାର ସେବାୟତ ମାନେ ସିଂହ ବରାଳ ସହ ନାଟ ଗୋଡ଼ର ଖୋଦେଇ କାର୍ଯ୍ୟ କରୁଛନ୍ତି।

Leave a Reply

Your email address will not be published.