ଅନଲାଇନ୍ ସଂସ୍ଥା ‘ପିଣ୍ଟେରେଷ୍ଟ’ ବିକ୍ରି କରୁଛି ମହାପ୍ରସାଦ : ସେବାୟତ ମହଲରେ ନିନ୍ଦା, ଦିଆଯିବ ଏତଲା
ପୁରୀ, (ଓଡିଶା ଟାଇମ୍) :ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଉନି ପଦକ୍ଷେପ । ଅନଲାଇନରେ ମହାପ୍ରସାଦ ବିକ୍ରି କରୁଛନ୍ତି ଗୋଟେ ପରେ ଗୋଟେ ସଂସ୍ଥା । କିଏ ନିର୍ମାଲ୍ୟ ତ ଆଉ କିଏ ବିକ୍ରି କରୁଛି ମହାପ୍ରଭୁଙ୍କ ଦୁର୍ମୁଲ୍ୟ ମହାପ୍ରସାଦ । ଆଜି ପୁଣି ଏମିତି ଏକ ଘଟଣା ଆସିଛି ସାମ୍ନାକୁ ।
ପିଣ୍ଟେରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣା ପଡିଛି । ଏହାକୁ ନେଇ ସେବାୟତ ମହଲରେ ପୁଣି ନିନ୍ଦା କରାଯାଇ ଥିବାବେଳେ ସମ୍ପୃକ୍ତ ସଂସ୍ଥା ବିରୁଦ୍ଧରେ ଏତଲା ଦେବା ପାଇଁ ଯୋଜନା କରାଯାଉଥିବା ଜଣାପଡିଛି । ପୂର୍ବରୁ ମଧ୍ୟ ଏଭଳି ଅନେକ ଉଦାହରଣ ଦେଖିବାକୁ ମିଳିଛି ।
ପୂର୍ବରୁ ମଧ୍ୟ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ନିକଟ ଅତୀତରେ ଆମାଜନ ସଂସ୍ଥା ଅନଲାଇନରେ ନିର୍ମାଲ୍ୟ ବିକ୍ରି କରୁଥିବା ନେଇ ଅଭିଯୋଗ ଆସିଥିଲା । ଏହାପରେ ଶ୍ରୀମନ୍ଦିର ସେବାୟତ ଶମ୍ଭୁନାଥ ଖୁଣ୍ଟିଆ, ସୁଆର ମହାସୁଆର ନିଯୋଗ, ପୁରୀ ଜିଲ୍ଲା ଅଧିବକ୍ତା ସଂଘ ଏବଂ ପରେ ଶ୍ରୀମନ୍ଦିର ପ୍ରଶାସନ ଆମାଜନ ନାଁରେ ସିଂହଦ୍ବାର ଥାନାରେ ଏତଲା ଦାଏର କରିଥିଲେ ।