ରାଜସ୍ଥାନର ୧୧ ଜିଲ୍ଲାରେ ୧୪୪ ଧାରା ଜାରି, ୫ରୁ ଅଧିକ ଲୋକ ହୋଇପାରିବେନି ଏକାଠି

ରାଜସ୍ଥାନ, (ଓଡିଶା ଟାଇମ୍) :କରୋନା ମହାମାରୀର ବ୍ୟାପକ ସଂକ୍ରମଣକୁ ଦେଖି ରାଜସ୍ଥାନ ସରକାର ୧୧ ଜିଲ୍ଲାର ମୁଖ୍ୟାଳୟର ସର୍ବସାଧାରଣ ସ୍ଥାନଗୁଡିକରେ ୧୪୪ ଧାରା ଜାରି କରିଛନ୍ତି । ଏହାସହ ୫ଜଣରୁ ଅଧିକ ଲୋକ ଏକତ୍ରିତ ହେବା ଉପରେ ମଧ୍ୟ ରୋକ୍ ଲଗାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଅଶେୋକ ଗେହଲଟଙ୍କ ଅଧ୍ୟକ୍ଷତାରେ ଶନିବାର ରାତିରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । କରୋନା ସଂକ୍ରମଣର ଗମ୍ଭୀର ସ୍ଥିତିକୁ ଦୃଷ୍ଟିରେ ରଖି ଜୟପୁର, ଯୋଧପୁର, କୋଟା, ଅଜମେର, ଅଲଓ୍ବର, ଭିଲଓ୍ବାଡା, ବିକାନେର, ଉଦୟପୁର, ସିକର, ପାଲି ଏବଂ ନାଗୌର ଜିଲ୍ଲା ମୁଖ୍ୟାଳୟ ଥିବା ସହରର ସର୍ବସାଧାରଣ ସ୍ଥାନରେ ୧୪୪ ଧାରା ଜାରି କରାଯିବା ସହ ୫ ଜଣ ଏକାଠି ହେବାକୁ ବାରଣ କରାଯାଇଛି ।

ସର୍ବସାଧାରଣ ସ୍ଥାନଗୁଡିକରେ ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ବଜାୟ ରଖିବା ଅନିର୍ବାଜ୍ୟ ହେବ । ଏ ସମ୍ବନ୍ଧରେ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିବେ । ସାରା ରାଜ୍ୟରେ କୌଣସି ସାମାଜିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଳବତ୍ତର ରଖିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି । କେବଳ ଅନ୍ତିମ ସଂସ୍କାରରେ ୨୦ ଏବଂ ବିବାହ ଉତ୍ସବରେ ୫୦ ଜଣ ଲୋକ ପୂର୍ବଭଳି ସାମିଲ ହୋଇପାରିବେ । ମାତ୍ର ଏଥିପାଇଁ ସ୍ଥାନୀୟ ଉପଖଣ୍ଡ ଅଧିକାରୀଙ୍କୁ ପୂର୍ବରୁ ସୂଚନା ପ୍ରଦାନ କରିବାକୁ ପଡିବ ।

Leave a Reply

Your email address will not be published.