ରାଜନୀତିରେ ବାବୁ ବାବୁଆଣୀ: ଏମାନେ ସ୍କାଉଣ୍ଡ୍ରାଲ୍‌ ନା ବ୍ୟବସାୟୀ

1
30
advt
< a href= "#">

ବିଶ୍ଵପ୍ରିୟ କାନୁନଗୋ

advt

 

ଲେଖକ ଜଣେ ଆଇନଜୀବୀ ତଥା ମାନବାଧିକାର କର୍ମୀ ଭାବେ ପ୍ରତିଷ୍ଠିତ। ଏହି ଆଲେଖ୍ୟ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ଓ ମନ୍ତବ୍ୟ ଉପରେ ଆଧାରିତ।

ରାଜନୀତିର ଛାତ୍ର ଭାବେ ଯେତେବେଳେ କ୍ଲାସ୍‌ରୁମ୍‌ରେ ପଲିଟିକ୍ସ ଓ ପଲିକାଲ୍‌ ସାଇନ୍ସ ବାବଦରେ ତର୍କ ବିତର୍କ ଚାଲୁଥିଲା, ସେତେବେଳେ ଗୋଟିଏ ଯୁକ୍ତି ସବୁବେଳେ ଉପସ୍ଥାପନ ହେଉଥିଲା; ତାହା ହେଲା: politics is last resort of scoundrels. ଅର୍ଥାତ୍‌ ରାଜନୀତି ହେଉଛି ଦୁଷ୍ଟ ଲୋକମାନଙ୍କ ଶେଷ ଠିକଣା। ବିଶ୍ଵବିଦ୍ୟାଳୟରେ ଯେଉଁମାନେ ରାଜନୀତି ବିଜ୍ଞାନ ବା ଇଂରାଜୀ ସାହିତ୍ୟ ପଢ଼ିଥିବେ ସେମାନେ ନିଶ୍ଚିତ ଭାବେ ଜର୍ଜ ବର୍ନାଡ୍‌ ଶ’ଙ୍କ ଏହି ଉକ୍ତିକୁ ମନେ ରଖିଥିବେ। ଆଉ ସାଧାରଣ ଲୋକେ ତ ଏହାକୁ ସବୁଦିନେ ହେଜୁଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। 

କ୍ଲାସ୍‌ରୁମ୍‌ ବାହାରେ ଫିଲ୍ମ କଥା। ସେତେବେଳେ କାଁ ଭାଁ ଫିଲ୍ମ ରିଲିଜ୍‌ ହୁଏ, ଆଉ ଯେଉଁ ଓଡ଼ିଆ ଫିଲ୍ମଟି ରିଲିଜ୍‌ ହୁଏ ତାହା ହୃଦୟସ୍ପର୍ଶୀ ହୋଇଥାଏ। ହଲ୍‌ରେ ନହେଲେ ବି ଭିସିଆର୍‌ ଭଡ଼ାରେ ଆଣି ସାହି ମଝିରେ ଭିଡିଓ ଚଲାଇ ଦେଖିବା ଓ ରାତି ରାତି ଅନିଦ୍ରା ହେବାର ସଉକ ଏବେ ବିଲୁପ୍ତ। କିନ୍ତୁ ସେ ମଜ୍ଜା ଯିଏ ନେଇଛି ତାହା କ’ଣ ଭୁଲି ହେବ!

ପ୍ରଶାନ୍ତ ନନ୍ଦଙ୍କ ନିର୍ଦ୍ଦେଶନାରେ ସେତେବେଳେ ‘ଜଗାବଳିଆ’ ଫିଲ୍ମ ରିଲିଜ୍‌ ହୋଇଥିଲା। ଜୟୀରାମ ସାମଲ୍‌ ସ୍କ୍ରିନ୍‌ ଉପରେ ଗୋଟିଏ  ଗୀତ ଚା’ କପ୍‌ଟେ ଧରି ଗାଉଥିଲେ: ‘ପାନ ଗୁଆ ଖଇର ଗୁଆ କାତି.. ଭଲ ବ୍ୟବସାୟ ରାଜନୀତି’। ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପଣ୍ଡା, ମହାଶ୍ଵେତା ପ୍ରଭୃତି ସେଥିରେ ଅଭିନୟ କରିଥିଲେ। ଗୀତ ଲେଖିଥିଲେ ସ୍ଵରୂପ ନାୟକ ଆଉ ତାକୁ ସଙ୍ଗୀତରେ ସଜାଇଥିଲେ ଶାନ୍ତନୁ ମହାପାତ୍ର। 

ଆଜିକା ପିଢ଼ି ସେ ଫିଲ୍ମ ଦେଖିନଥିବେ। କିନ୍ତୁ  ଏ ଗୀତଟି କାଳଜୟୀ। ଆଉ ଏବେ ବି ତାହାର ପ୍ରାସଙ୍ଗିକତା ରହିଛି। ନୂଆ ପିଢ଼ିରୁ ଅନେକ ସେ ଗୀତ ନିଶ୍ଚେ ଶୁଣିଥିବେ, ଯଦି ନଶୁଣିଛନ୍ତି ତେବେ ୟୁଟ୍ୟୁବ୍‌ରୁ ଶୁଣିବାକୁ ଅନୁରୋଧ। କାରଣ ଏବେକାର ପରିସ୍ଥିତିରେ ରାଜନୀତି ପ୍ରତି ଯେମିତି ବ୍ୟବସାୟୀ, ଆଇଏଏସ୍‌, ଆଇପିଏସ୍‌ ଧାଡ଼ି ବାନ୍ଧି ଠିଆ ହେଉଛନ୍ତି ତାହାକୁ ଦେଖିଲେ ସେ ଗୀତଟି ଆପେ ମନକୁ ବାହାରି ଆସିବା ସ୍ଵଭାବିକ, ନୁହେଁ କି?

ବିଶେଷକରି ଯେତେବେଳେ ପ୍ରଶାସନିକ ଅଧିକାରୀମାନେ ଲାଭଜନକ ସଂସ୍ଥା ବା ଚାକିରି ଛାଡ଼ି ରାଜନୀତି ଆଡ଼କୁ ମୁହାଁଇଛନ୍ତି  ଏବଂ ‘ଜଗନ୍ନାଥଙ୍କ ରଥ’କୁ ଟାଣିବା ପାଇଁ ପ୍ରତୀକାତ୍ମକ ଡାକରା ଦେଉଛନ୍ତି ସେତେବେଳେ ଏହି ଗୀତର ପ୍ରତିଟି ଛନ୍ଦ ବେଶ୍‌ ମଧୁର ଲାଗିବା ଯଥାର୍ଥ। ଏଠି ଆମେ ପ୍ରଶାସକ ତଥା ପୂର୍ବତନ ଗ୍ରାମ ଉନ୍ନୟନ ମନ୍ତ୍ରାଳୟର ଯୁଗ୍ମ ସଚିବ  ଅପରାଜିତା ଷଡ଼ଙ୍ଗୀଙ୍କ କଥାକୁ ଉପସ୍ଥାପନ କରିବାକୁ ଯାଉଛୁ। 

୧୯୯୪ ମସିହାରେ ଚାକିରିକୁ ଆସିଥିବା ଏହି ଅଧିକାରୀ ଜଣକ ୨୪ ବର୍ଷ ଚାକିରି ପରେ ଭାରତ ସରକାରଙ୍କ ଏକ ପ୍ରତିଶ୍ରୁତି ସମ୍ପନ୍ନ ପଦବୀକୁ ଛାଡ଼ି  ରାଜନୀତିକୁ ମୁହାଁଇବେ ବୋଲି ଚର୍ଚ୍ଚା ହେଉଛି । ଏମିତିକି ସେ ଟ୍ବିଟରରେ ଚାକିରି ଛାଡ଼ିଥିବା କଥାକୁ ସ୍ପଷ୍ଟ କରିଛନ୍ତି। ସେ ଯେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାହା ବି କେହି କେହି କହି ବୁଲିଲେଣି। ଅବଶ୍ୟ ଏହା ସତ ଯେ, ଏହି ସୋଶାଲ୍‌ ମିଡିଆ ତିଳକୁ ତାଳ କରିବାରେ ସିଦ୍ଧହସ୍ତ।

କିନ୍ତୁ ଏହି ପରିପ୍ରେକ୍ଷୀରେ ଏକ ପ୍ରଶ୍ନ ଉଠିବା ସ୍ଵଭାବିକ ଯେ, ସତରେ କ’ଣ ରାଜନୀତି ଏକ ଭଲ ବ୍ୟବସାୟ? ନା ଏହି ବିଜ୍ଞ ପାଠ ପଢ଼ୁଆ ଲୋକମାନେ ଦୁଷ୍ଟ ହେବାକୁ ଆଜିକାଲି ଭଲ ପାଉଛନ୍ତି?

ଏ ଭିତରେ ଉଭୟ କଂଗ୍ରେସ, ବିଜେଡି ଓ ବିଜେପି ଓଡ଼ିଶା ପ୍ରଶାସନରେ ଥିବା ଲୋକପ୍ରିୟ ସରକାରୀ ଅଫିସରଙ୍କୁ ବଶୀଭୂତ କରିବାକୁ ଲାଗିଛନ୍ତି। କେତେବେଳେ ପରାମର୍ଶଦାତା ଭାବେ ତ କେତେବେଳେ ବୁଦ୍ଧିଜୀବୀ ଭାବରେ। ଦେଶ ପ୍ରଶାସନରେ ସବୁବେଳେ ରାଜନେତାଙ୍କୁ ପରାମର୍ଶ ଦେଉଥିବା ଏହି (ବିଜ୍ଞ) ବ୍ୟକ୍ତିମାନେ ରାଜନୀତିକ ଦଳଗୁଡ଼ିକୁ ମଧ୍ୟ ଉଚିତ ପରାମର୍ଶ ଦେବେ ବୋଲି ଦଳୀୟ ନେତାମାନେ ଆଶା କରିଛନ୍ତି।

କିନ୍ତୁ ବିଗତ ଦିନମାନଙ୍କରେ ଡ. ଅମର ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ଖାରବେଳ ସ୍ଵାଇଁ, ଅନାଦି ସାହୁ ପ୍ରମୁଖ ରାଜ୍ୟ ରାଜନୀତିରେ ସିଧାସଳଖ ଅଂଶୀଦାର ହୋଇଥିବା ପ୍ରମାଣ ରହିଛି। ଏପରିକି ସେମାନଙ୍କ ମଧ୍ୟରୁ ରାଜ୍ୟ ରାଜନୀତିରେ ପ୍ରତ୍ୟକ୍ଷ ନିର୍ବାଚନ ଲଢ଼ିଛନ୍ତି। 

ଆମେ ତ ଏ ଲୋକମାନଙ୍କୁ ଦୁଷ୍ଟ ବା ସ୍କାଉଣ୍ଡ୍ରାଲ ବୋଲି କହିପାରିବା ନାହିଁ। ଯଦିଓ ବର୍ନାଡ୍‌ ଶ’ ଏକଥା କହିଛନ୍ତି। କିନ୍ତୁ ରାଜନୀତି ଯେ ସରକାରୀ ଚାକିରିଠୁ ଅଧିକ ଆକର୍ଷଣୀୟ ତାହା କହିପାରିବା। ଅର୍ଥାତ୍‌ ୟା ଭିତରେ ନିଶ୍ଚିତ ଭାବେ ରାଜନୀତି ଏକ ଭଲ ବ୍ୟବସାୟ ହୋଇପାରିଛି। ଯେଉଁମାନେ ଆମକୁ ଏହା ସ୍କାଉଣ୍ଡ୍ରାଲ୍‌ଙ୍କ ଜାଗା ବୋଲି କହିଥିଲେ ସେମାନେ ଏହା ଅନୁଭବ କରିସାରିଛନ୍ତି। 

ପୁଣି ଯେଉଁ ଅଧିକାରୀମାନେ ପ୍ରତିଶ୍ରୁତିପନ୍ନ ଚାକିରିରେ ରହି ଦଳୀୟ ରାଜନୀତିଠୁ ଦୂରେଇ ଲୋକଙ୍କ ସେବା କରିବାର ପଣ ନେଇଥିଲେ ସେମାନେ ରାଜନୀତିକୁ ଆସିବା ପରେ ଏହି ପ୍ରଶ୍ନକୁ ଆସୁଛି ଯେ, ଚାକିରିରେ ଥିବା ବେଳେ କ’ଣ ନିରପେକ୍ଷ ସେବା ଯୋଗାଉଥିଲେ?

ଭିପି ମେନନଙ୍କ କଥା

ଦେଶର ସ୍ଵାର୍ଥ କଥା କହିଲେ ଦଳ, ଜାତି, ଅଞ୍ଚଳ ପ୍ରଭୃତି ଚୂଲିକୁ ଚାଲିଯାଏ। ଏତିକିବେଳେ ସାମ୍ନାକୁ ଆସେ ସାମୁହିକ ସ୍ଵାର୍ଥ କଥା। ଏହା ନିରପେକ୍ଷ, ସ୍ଵଚ୍ଛ ପ୍ରଶାସନ ଓ  ବିକାଶମୂଳକ ପରାମର୍ଶ ଭାବେ ବିବେଚନା କରାଯାଏ। ସେଥିଲାଗି ପୂର୍ବତନ ପ୍ରଶାସନିକ ଅଧିକାରୀ ଭିପି ମେନନ୍‌ ସବୁବେଳେ ରାଜନେତା ଓ ଅମଲାତନ୍ତ୍ରକୁ ସମାନ୍ତରାଳ ଭାବେ ଗତି କରିବା ବିଷୟ ଉପରେ ଗୁରୁତ୍ଵାରୋପ କରିଥିଲେ। ସେ ଦେଶରେ ଏକ ପ୍ରଶାସନିକ କ୍ୟାଡର ସୃଷ୍ଟି ପାଇଁ ଗୁରୁତ୍ଵ ଦେବା ସହ ତାହାକୁ ନେଇ ଅନ୍ୟ ବିଜ୍ଞ ନେତାମାନଙ୍କ ସହ ଆଲୋଚନା କରିଥିଲେ। ସେଥିପାଇଁ ଭାରତ ବର୍ଷରେ ଆଜି ନିର୍ବାଚିତ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କ ଭିତରେ କ୍ଷମତା ବିଭାଜନ ହୋଇପାରିଛି। ଯଦିଓ ନିର୍ବାଚିତ ପ୍ରତିନିଧି ସବୁ କିଛି ନିଷ୍ପତ୍ତି ନେବାକୁ ସମ୍ବିଧାନ କହୁଛି କିନ୍ତୁ ଏହାର କାର୍ଯ୍ୟକାରୀତା ନେଇ ଅଫିସରଙ୍କ ଭୁମିକା  ଯଥେଷ୍ଟ ରହିପାରୁଛି। 

ଭିପି ମେନନ୍‌ ଜଣେ ବିଚକ୍ଷଣ ପ୍ରଶାସକ ଥିଲେ। ରେଳବାଇରେ କୁଲିକାମରୁ ଜୀବନ ଆରମ୍ଭ କରିଥିବା ମେନନ ପରବର୍ତ୍ତୀ ସମୟରେ ଭାରତର ସମ୍ବିଧାନ ପ୍ରସ୍ତୁତିରେ ଜଣେ ପ୍ରଚ୍ଛଦପଟ କର୍ଣ୍ଣଧାର ଥିଲେ। ପରାଧୀନ ଭାରତର ତିନିଜଣ ଭାଇସରାୟଙ୍କ ସମୟରେ ସେ ସାମ୍ବିଧାନିକ ପରାମର୍ଶଦାତା ଭାବେ କାର୍ଯ୍ୟ କରିଥିଲେ। ଏହାଛଡ଼ା ସ୍ଵାଧୀନ ଭାରତରେ ରାଜନୀତିକ ସଂସ୍କାର ଓ ସାମ୍ବିଧାନିକ ବ୍ୟବସ୍ଥା ସୃଷ୍ଟି ପାଇଁ ଚିନ୍ତିତ ଥିଲେ। ଭାରତର ବିଭାଜନ ଏବଂ ଏକତ୍ରୀକରଣରେ ଏକ ଗୁରୁତ୍ଵପୂର୍ଣ ଭୂମିକା ନେଇଥିଲେ। 

ପ୍ରଶାସନିକ ଦୃଷ୍ଟିକୋଣରୁ ତାଙ୍କ ଦକ୍ଷତା ଉଲ୍ଲେଖନୀୟ। ଦେଶ ପ୍ରୀତି ଏବଂ ନିରପେକ୍ଷ ପ୍ରଶାସନିକ ଭୁମିକାରେ ତାଙ୍କୁ କେହି କେବେ ଆଙ୍ଗୁଳି ଦେଖାଇ ନାହାନ୍ତି। ଏଠାରେ ଭିପି ମେନନ୍‌ଙ୍କ କଥାକୁ ଉଲ୍ଲେଖ କରିବାର କାରଣ ହେଉଛି ସେ ମଧ୍ୟ ରାଜନୀତିରେ ଯୋଗ ଦେଇଥିଲେ। ସି ରାଜଗୋପାଳାଚାରୀଙ୍କ ଦ୍ଵାରା ତିଆରି ହୋଇଥିବା ସ୍ଵତନ୍ତ୍ର ପାର୍ଟିର ସେ ସଦସ୍ୟ ବି ଥିଲେ।  କିନ୍ତୁ ତାହା ଅବସର ନେବାର ଅନେକ ଦିନ ପରେ। ଏହି ସମୟ ତାଙ୍କୁ କୌଣସି ଭାବେ ପ୍ରଶ୍ନ ବାଣ ଭିତରକୁ ଆଣି ନଥିଲା।

କୁଲିଂ ସମୟ

ଏହିକ୍ରମରେ ଆବଶ୍ୟକ ପଡ଼ୁଛି ଏକ କୁଲିଂ ପିରିୟଡ଼ର । ଏହାର ଅର୍ଥ କୌଣସି ପ୍ରଶାସନିକ ଅଧିକାରୀ ରାଜନୀତିରେ ସିଧାସଳଖ ଚାକିରି ଛାଡ଼ି ଯୋଗ ଦେବାର ସୁଯୋଗ ଉଚ୍ଛେଦ ହେଉ। ଚାକରିରୁ ଆସି ରାଜନୀତିରେ ଯୋଗ ଦେବା କିଛି ବାରଣ ବିଷୟ ନୁହେଁ, କିନ୍ତୁ ସିଧାସଳଖ ଯୋଗଦେବା ଦ୍ଵାରା ସମ୍ପୃକ୍ତ ବ୍ୟକ୍ତିର ରାଜନୀତିକ ଦଳକୁ ଆପ୍ୟାୟିତ କରିବା, ରାଜନୀତିକ ଦଳ ପ୍ରତି ଢଳିବା ଆଦି ଲକ୍ଷଣ ସୃଷ୍ଟି ହେବା ସ୍ଵଭାବିକ। ସେ ବ୍ୟକ୍ତି ଯଦି କୌଣସି ଭଲ କାମ କେବେ କରିଥିବ ତେବେ ତାହାକୁ ମଧ୍ୟ ପରବର୍ତ୍ତୀ ସମୟରେ ରାଜନୀତିକ ଦୃଷ୍ଟିକୋଣରେ ଦେଖାଯିବ। ଏସବୁଥିରୁ ଉପରକୁ ଉଠିବା ନିହାତି ଜରୁରୀ।

advt
< a href= "#">