ବିଲାୱାଲଙ୍କ ସହ ହାତ ନ ମିଳାଇ ପାକିସ୍ତାନକୁ ଜବାବ ଦେଲା ଭାରତ
ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ)ର ଦୁଇଟି ନୂଆ ଫଟୋ ସାମ୍ନାକୁ ଆସିଛି । ଗୋଟିଏ ଫଟୋରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ, ଦ୍ୱିତୀୟ ଫଟୋରେ ଚୀନର ବୈଦେଶିକ ମନ୍ତ୍ରୀ କିନ୍ ଗ୍ୟାଙ୍ଗଦେଖିବାକୁ ମିଳିଛି । ଏବେ ଆପଣ କହିବେ ଏଥିରେ କ’ଣ ରହିଛି ଖାସ । ତେବେ ଅପେକ୍ଷା କରନ୍ତୁ, ପ୍ରଥମ ଫଟୋରେ ବିଲାୱଲ ଜଣେ ଭାରତୀୟ ଅଧିକାରୀଙ୍କ ସହ ଠିଆ ହୋଇଛନ୍ତି । କିନ୍ତୁ ଦୁହେଁ ହାତ ମିଳାଉଥିବାର କୌଣସି ଚିତ୍ର ନାହିଁ । ଦ୍ୱିତୀୟ ଫଟୋରେ ଭାରତୀୟ ଅଧିକାରୀମାନେ ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ ହାତ ମିଳାଉଥିବାର ଦେଖିବାକୁ ମିଳିଛି ।
ବିଲାୱଲଙ୍କୁ ଶକ୍ତି ଦେଖାଇଲା ଭାରତ
ବାସ୍ତବରେ ଏସସିଓ ବୈଠକ ପୂର୍ବରୁ ହିଁ ଭାରତ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଥିଲା । ପାକିସ୍ତାନ ଏସସିଓର ଏକ ଅଂଶ ହୋଇଥିବାରୁ ବିଲାୱାଲ ଭାରତ ଆସିଛନ୍ତି କିନ୍ତୁ ଏପର୍ଯ୍ୟନ୍ତ ତାଙ୍କ ପାଖରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କରିବାର କୌଣସି କାର୍ଯ୍ୟକ୍ରମ ନାହିଁ । ବିଲାୱଲଙ୍କୁ ଭାରତୀୟ କୂଟନୀତିଜ୍ଞ ଜେପି ସିଂହ (ପାକିସ୍ତାନ-ଆଫଗାନିସ୍ତାନ-ଇରାନ ଡେସ୍କର ଯୁଗ୍ମ ସଚିବ) ସ୍ୱାଗତ କରିଥିଲେ । କିନ୍ତୁ ଦୁହିଁଙ୍କ ମଧ୍ୟରେ ହାତ ମିଳାଇବାର କୌଣସି ଚିତ୍ର ନାହିଁ । ବାସ୍ତବରେ ଏହି ଫଟୋ ଜରିଆରେ ଭାରତ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛି । ଆତଙ୍କବାଦ ଏବଂ ଆଲୋଚନା ଏକାସାଙ୍ଗରେ ହୋଇପାରିବ ନାହିଁ ବୋଲି ଭାରତ ବର୍ଷ ବର୍ଷ ଧରି କହି ଆସୁଛି। ଏହି ଫଟୋ ଜରିଆରେ ପାକିସ୍ତାନକୁ ଏହି ବାର୍ତ୍ତା ଦିଆଯାଇଛି ।
ପାକିସ୍ତାନକୁ ମିଳିଛି କଡ଼ା ବାର୍ତ୍ତା
ନିଜ ମାଟିରୁ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଇଛି ଭାରତ । ବୈଠକ ପୂର୍ବରୁ ମଧ୍ୟ ଭାରତ କହିଥିଲା ଯେ ଆତଙ୍କବାଦ ଏବଂ କଥାବାର୍ତ୍ତା ଏକାଠି ହୋଇପାରିବ ନାହିଁ । ବିଲାୱାଲଙ୍କ ସହ ହାତ ମିଳାଇବାକୁ କୂଟନୀତିଜ୍ଞ ଜେପି ସିଂହ ମନା କରିବାକୁ ଏହି ଦୃଷ୍ଟିକୋଣରୁ ଦେଖିବାକୁ ମିଳୁଛି ।
ଚୀନ୍ ବୈଦେଶିକ ମନ୍ତ୍ରୀଙ୍କ ସହ କର ମର୍ଦ୍ଦନ
ଦ୍ୱିତୀୟ ଫଟୋରେ ଭାରତୀୟ କୂଟନୀତିଜ୍ଞମାନେ ଚୀନ୍ ବୈଦେଶିକ ମନ୍ତ୍ରୀ ଗ୍ୟାଙ୍ଗ୍ଙ୍କ ସହ ହାତ ମିଳାଉଥିବାର ଦେଖିବାକୁ ମିଳିଛି । ତେବେ ରୋଚକ କଥା ହେଉଛି ଭାରତ ଓ ଚୀନମଧ୍ୟରେ ସମ୍ପର୍କ ଏପର୍ଯ୍ୟନ୍ତ ଭଲ ନାହିଁ । ଏଲଏସିକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଲାଗି ରହିଛି ।