ଦୁର୍ନୀତି ଚାପରେ ଚେପା

0
483
advertisement

ଭୁବନେଶ୍ୱର,(ଓଟି): ବିଜେଡିରୁ ବହିଷ୍କୃତ ବିଧାୟକ ଡ଼ା. ଦାମୋଦର ରାଉତଙ୍କ ଦୁର୍ନୀତି ଅଭିଯୋଗ ଏବେ ବିଧାନସଭାରେ ପ୍ରତିଦିନ ପ୍ରତିଧ୍ୱନିତ ହେବାରେ ଲାଗିଛି। ଏହି ଦୁର୍ନୀତି ଅଭିଯୋଗରେ ବିଭାଗୀୟ ମନ୍ତ୍ରୀମାନଙ୍କ ପରିବର୍ତ୍ତେ ଖୋଦ‍୍‌ ମୁୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାର୍ଗେଟରେ ରହୁଛନ୍ତି। କାରଣ ଦଳର ବରିଷ୍ଠ ବିଧାୟକ ଦାମଙ୍କୁ ଦଳରୁ ବିଦା କରିବା ପରେ ଦୁର୍ନୀତି ଅଭିଯୋଗରେ ସନ୍ଦେହ ଘେରକୁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟାଣି ହୋଇଆସିଛନ୍ତି।

ରାଜ୍ୟରେ ସରକାରୀ କଳ ଓ ଦଳର ଦୁର୍ନୀତି ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦଳର ଦୃଷ୍ଟିକୋଣ ସ୍ପଷ୍ଟ କରିଦେଇଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଡ଼ା. ଦାମୋଦର ରାଉତ ଉଠାଇଥିବା ଅଭିଯୋଗର ତଦନ୍ତ ନକରି ମୁଖ୍ୟମନ୍ତ୍ରୀ ଏହାକୁ କିଭଳି ଅଗ୍ରାହ୍ୟ କଲେ ବୋଲି ନିରଞ୍ଜନ ପ୍ରଶ୍ନ କରଛନ୍ତି। ଏହା ପରେ ବି କଂଗ୍ରେସ ଏପର୍ଯ୍ୟନ୍ତ ଏହି ଦୁର୍ନୀତି ଅଭିଯୋଗକୁ ନେଇ ରାସ୍ତା ଉପରକୁ ଆସିନାହିଁ। ମାତ୍ର ବିଧାନସଭାରେ ଏହାକୁ ସହଜରେ କଂଗ୍ରେସ ଛାଡିବ ନାହିଁ ବୋଲି ଅଟକଳ କରାଯାଉଛି।

ଅପରପକ୍ଷରେ ଭାରତୀୟ ଜନତାପାର୍ଟି ବିଧାୟକ ନା. ରାଉତଙ୍କ ଅଭିଯୋଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସିଧା ଟାର୍ଗେଟ କରିଛି। ଦଳ ମୁଖ୍ୟମନ୍ତ୍ରୀଙ୍କୁ ଦୁର୍ନୀତିଖୋରଙ୍କ ସର୍ଦ୍ଦାର ବୋଲି ଅଭିହିତ କରିସାରିଛି। ରବିବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁର୍ନୀତି ପ୍ରସଙ୍ଗରେ ନବୀନଙ୍କୁ କଡ଼ା ସମାଲୋଚନା କରିସାରିଛନ୍ତି। ସେ କହିଥିଲେ ଦୁର୍ନୀତିକୁ ନେଇ ମୁଖ୍ୟମନ୍ତ୍ରୀ କେବେ ବି ସିରିୟସ ନଥିଲେ। ଦୁର୍ନୀତି ଅଭିଯୋଗ ଆସିଲେ କିଛିଦିନ ବାହାର କରିଦେଇ ସେମାନଙ୍କୁ ପୁଣି ପ୍ରମୁଖ ଦାୟିତ୍ୱ ସେ ଦେଇଥାନ୍ତି। ଯେଉଁମାନଙ୍କ ବିରୋଧରେ ସାଂଘାତିକ ଦୁର୍ନୀତି ଅଭିଯୋଗ ଅଛି ସେହିମାନେ ହିଁ ଏବେ ବିଜୁ ଜନତା ଦଳର ମୁଖ୍ୟ କାରପଟଦାର।

ବିଜେପିର ଏଭଳି ଆଭିମୁଖ୍ୟ ବିଧାନସଭାରେ ପ୍ରତିଧ୍ୱନିତ ହେବାରେ ଲାଗିଛି। ଏପର୍ଯ୍ୟନ୍ତ ବହୁ ଦୁର୍ନୀତି ଅଭିଯୋଗ ଆସିଛି। କିନ୍ତୁ ଖଣି ଦୁର୍ନୀତି ହେଉ କି ଡାଲି ଦୁର୍ନୀତି, ଚିଟଫଣ୍ଡ ଦୁର୍ନୀତି ହେଉ କି ପୋଲ ଦୁର୍ନୀତ,କେହି ନବୀନଙ୍କ ଆଡକୁ ଆଙ୍ଗୁଳି ଉଠାଉନଥିଲେ। ସବୁଠୁ ଦୁଇଟି ବଡ଼ ଦୁର୍ନୀତି ଘଟଣା ତାଙ୍କର ତୃତୀୟ କିସ୍ତିର ଶାସନକାଳରେ ଲୋକଲୋଚନକୁ ଆସିଥିଲା। ତାହା ଥିଲା ଖଣି ଓ ଚିଟଫଣ୍ଡ ଦୁର୍ନୀତି। କିନ୍ତୁ ନବୀନଙ୍କୁ ସିଧାସଳଖ ଏହି ଦୁର୍ନୀତିରେ କେହି ଜଡିତ କରିପାରୁନଥିଲେ। ତେଣୁ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତିମୁକ୍ତ ଚେହେରା ଚକଚକ କରୁଥିଲା।

୨୦୧୪ରେ ଅଧିକ ସଂଖ୍ୟାଗରିଷ୍ଠତା ସହ ପ୍ୟାରୀ ମହାପାତ୍ରଙ୍କ ଅବର୍ତ୍ତମାନରେ ନବୀନ ପଟ୍ଟନାୟକ ପୁଣି କ୍ଷମତା ବଜାୟ ରଖିଲେ। କିନ୍ତୁ ଯେଉଁମାନେ ମନ୍ତ୍ରିପରିଷଦରେ ସ୍ଥାନ ପାଇଥିଲେ ସେମାନଙ୍କ ମଧ୍ୟରୁ ଅନେକ ଚିଟଫଣ୍ଡ ଦୁର୍ନୀତିରେ ଛନ୍ଦି ହୋଇଗଲେ। ସିବିଆଇ ତଦନ୍ତ ନିଷ୍କର୍ଷରେ ପହଞ୍ଚୁ କି ନପହଞ୍ଚୁ ଏକ ଧାରଣା ସୃଷ୍ଟି କରିଦେଲା ଯେ ନବୀନ ହେଉଛନ୍ତି ଏକ ଦୁର୍ନୀତିଗ୍ରସ୍ତ ଟିମର ମୁଖିଆ। ସଂଖ୍ୟା ଗରିଷ୍ଠତା ଥାଇ ମଧ୍ୟ ଏହି କାରଣରୁ ନବୀନଙ୍କ ସରକାର ଚମକ ହରାଇସାରିଛି।

ଅନ୍ୟମାନେ ପୂର୍ବରୁ ଅଭିଯୋଗ କରୁଥିଲେ। କିନ୍ତୁ ଦୀର୍ଘକାଳ ଜଣେ ମନ୍ତ୍ରୀ ରହିଥିବା ବରିଷ୍ଠ ନେତା ଡ଼ା.ଦାମୋଦର ରାଉତ ୩ଟି ଗୁରୁତର ଦୁର୍ନୀତି ଅଭିଯୋଗ ଆଣିଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ନଥିଲା। ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ନିଜ ଅଜାଣତରେ ନିଜ ଅଫିସରକୁ ଖୁସି କରିବାକୁ ଯାଇ ଏହି ବିବାଦ ଭିତରକୁ ଟାଣି ହୋଇଗଲେ ବୋଲି ଜାଣିବା ଶୁଣିବା ମହଲ ମନେ କରୁଛନ୍ତି। ଚାରା ଦୁର୍ନୀତି, ଓମଫେଡ ଦୁର୍ନୀତି, କୃଷି ଋଣ ଜାଲିଆତି ଏବଂ ଡଙ୍କାରିପାହଡ ଲୁଟ ଘଟଣାରେ ଦାମଙ୍କ ଆକ୍ଷେପ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବଙ୍କ ବିରୋଧରେ ଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାକୁ କାହିଁକି ନିଜ ଉପରକୁ ନେଲେ ତାହା ବୁଝାପଡୁନାହିଁ। ପୂର୍ବ ରଣକୌଶଳ ଅନୁସାରେ ସେ ଦାମଙ୍କ ଅଭିଯୋଗରୁ ମଜା ଉଠାଇପାରିଥାନ୍ତେ। ନିଜକୁ ଦୁର୍ନୀତି ଉପରକୁ ଆଣିବାର ସୁଯୋଗ ତାଙ୍କ ପାଖରେ ଥିଲା।

ଦାମ ଉଠାଇଥିବା ଅଭିଯୋଗ ମଧ୍ୟରୁ ଚାରା ଏବଂ କୃଷି ଋଣ ଦୁର୍ନୀତି ବିଭାଗୀୟ କ୍ୟାବିନେଟ ମନ୍ତ୍ରୀମାନେ ବିଧାନସଭାରେ ସ୍ୱୀକାର
କରିସାରିଛନ୍ତି। ଏହାସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଦାମଙ୍କ ଅଭିଯୋଗକୁ ହାସ୍ୟାସ୍ପଦ କହିବା କାରଣରୁ ନିଜେ ଦୁର୍ନୀତିରେ ଛନ୍ଦିହୋଇଗଲେ। କଂଗ୍ରେସ ଓ ବିଜେପି ତାଙ୍କୁ ଆକ୍ଷେପ କରିବା ପାଇଁ ସୁଯୋଗ ପାଇଲା। ତାଙ୍କୁ ଦୁର୍ନୀତିଖୋରଙ୍କ ସର୍ଦ୍ଦାର ବୋଲି କହିବା ପାଇଁ ଯେଉଁ ବିରୋଧୀ ଦଳ ସାହାସ କରିପାରୁନଥିଲା ସେ ଏବେ ସର୍ଦ୍ଦାର ବୋଲି କହିସାରିଲାଣି। ମାତ୍ର ଦାମଙ୍କ ଅଭିଯୋଗର ତଦନ୍ତ ନକରି, ତାଙ୍କ ଅଭିଯୋଗ ଉପରେ ଦଳର ବରିଷ୍ଠ ନେତାମାନଙ୍କ ସହ ବିଚାର ବିମର୍ଷ ନକରି,ନବୀନ ତାଙ୍କୁ ଦଳରୁ ବାହାର କରିବା ପାଇଁ ଯେଉଁ ନିଷ୍ପତି ନେଲେ ରାଜନୈତିକ ଦୃଷ୍ଟିକୋଣରୁ ତାହାର ଓଲଟା ପ୍ରତିକ୍ରିୟା ସୃଷ୍ଟି ହୋଇଛି। ସାଧାରଣରେ ବି ଧାରଣା ସୃଷ୍ଟି ହେଲାଣି ଯେ ମୁଖ୍ୟମନ୍ତ୍ରୀ ଏହିସବୁ ଦୁର୍ନୀତିରେ ସଂଶ୍ଲିଷ୍ଟ ଥିବାରୁ ଭୟ କରୁଛନ୍ତି। ଦୁର୍ନୀତିର ଭିଜିଲାନ୍ସ ତଦନ୍ତ ପାଇଁ ନିଦ୍ଦେର୍ଶ ଦେବାକୁ ସାହସ ଜୁଟାଇପାରୁ ନାହାଁନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅସହାୟତା ବାରି ହୋଇପଡୁଛି। ଏବେ ସେ ନିହାତି ଚାପରେ। ବିରୋଧୀ ଦଳ ପାଇଁୟ ଏହା ଏକ ଅପୂର୍ବ ସୁଯୋଗ ସୃଷ୍ଟି କରିଛି। ଏହାର କିଭଳି ସଦବ୍ୟବହାର ହେବ ତାହା ଏହି ଦୁଇ ଦଳର ନେତାଙ୍କ ଉପରେ ନିର୍ଭର କରେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୨୨ ଓ ବିଜେପି ଅଧ୍ୟକ୍ଷ ଅମିତ ଶାହା ୨୪ ତାରିଖରେ ଓଡ଼ିଶା ଆସୁଛନ୍ତି। ଅନେକ ମନେ କରନ୍ତି ଯେ ଏହି ଦୁଇ ନେତାଙ୍କ ଭାଷଣରେ ନବୀନ ସରକାରଙ୍କ ଦୁର୍ନୀତି ସ୍ଥାନ ପାଇବ। ସେଥିପାଇଁ ନବୀନ ସରକାର ବିଶେଷକରି ନିଜେ ମୁଖ୍ୟମନ୍ତ୍ରୀ ଅବଶ୍ୟ ଚାପରେ ରହିବେ।