ମରଣ ମୁହଁରେ ଆମ ସାହିତ୍ୟ ଓ ପରମ୍ପରାର ପ୍ରଚାରକ ସଖୀ କଣ୍ଢେଇ

0
322
advertisement

ପେଟପାଇଁ ଦାନା ଖୋଜୁଥିବା ଏଇ ଲୋକଟି ପାଖରେ ବନ୍ଧା ପଡ଼ିଛି ଆମ ସାହିତ୍ୟର ଭବିଷ୍ୟତ । ତାଙ୍କ ମୁଣାରେ ଥିବା ଦୁଇଟି କଣ୍ଢେଇ ହେଉଛି ତାହାର ସାକ୍ଷୀ ଆଉ ହାତରେ ବାଜୁଥିବା ଏଇ ଢୋଲକ ହେଉଛି ଆମ ପାଇଁ ଆହ୍ୱାନ । ତଥାପି ବଞ୍ଚି ରହିଛଇ ସଖୀ କଣ୍ଢେଇର ପରମ୍ପରା । ପେସାଦାର ଜୀବନରେ ପରିବର୍ତ୍ତନ ଓ ରୋଜଗାରର ନୂଆ ମାଧ୍ୟମ ସୃଷ୍ଟି ଭିତରେ ଏହି ପାରମ୍ପରିକ ସାହିତ୍ୟ ରକ୍ଷକମାନେ କଳାକାରର ମାନ୍ୟତା ବି ପାଇପାରୁ ନାହାନ୍ତି । ଉପସ୍ଥାପନ କରୁଛୁ ଏମିତି ଏକ କାହାଣୀ, ଯାହା ବୟାନ କରୁଛି କେନ୍ଦ୍ରାପଡ଼ାର ପ୍ରସିଦ୍ଧ ସଖୀ କଣ୍ଢେଇ ନାଚର କଳାକାରଙ୍କ ସ୍ୱାଭିମାନକୁ ।

କେନ୍ଦ୍ରାପଡ଼ା, (ପ୍ରଦୀପ କୁମାର ଜେନା ): ବିଲୁପ୍ତପ୍ରାୟ ଲୋକକଳାକୁ ବଞ୍ଚାଇ ରଖିବାକୁ ସରକାରଙ୍କ ପକ୍ଷରୁ ବିପୁଳ ପରିମାଣର ଅର୍ଥ ବ୍ୟୟ କରାଯାଉଛି । ବିଲୁପ୍ତ ଅବସ୍ଥାରେ ଥିବା ଲୋକକଳାକୁ ବଞ୍ଚାଇ ରଖିବା ପାଇଁ ଲୋକକଳାର କଳାକାରଙ୍କୁ ସରକାରଙ୍କ ପକ୍ଷରୁ ପ୍ରତ୍ସୋହନ ଦିଆ ଯାଉଛି ବୋଲି କୁହାଯାଉଛି, ହେଲେ ସଖୀ କଣ୍ଢେଇ ନାଚ ଭଳି ଏକ ଲୋକପ୍ରିୟ ସୂକ୍ଷ୍ମ ଲୋକକଳା ଏବେ ମରଣ ମୁହଁରେ ପଡ଼ିଛି ।

ପୂର୍ବରୁ ସାରା ଓଡ଼ିଶାର ଗାଁ ଗଣ୍ଡାରେ ବହୁଳଭାବେ ସଖୀ କଣ୍ଢେଇନାଚ ଦେଖିବାକୁ ମିଳୁଥିଲା । ସଖୀ କଣ୍ଢେଇ ନାଚର କଳାକାରମାନେ ବଂଶାନୁକ୍ରମେ ପିଢି ପରେ ପିଢି ଧରି ଗାଁ ଗାଁ ବୁଲି ସଖୀ କଣ୍ଡେଇ ନାଚ ପ୍ରଦର୍ଶନ କରି ଜୀବୀକା ନିର୍ବାହ କରୁଥିଲେ । କିନ୍ତୁ କ୍ରମେ ସମୟ ବଦଳିଗଲା । ଆଧୁନିକତାର ସ୍ପର୍ଶରେ ଏହି ପ୍ରାଚୀନ ଲୋକକଳାରୁ ଲୋକେ ମୁହଁ ଫେରାଇ ନେଲେ ଓ ସଖୀ କଣ୍ଢେଇ କଳାଳାରଙ୍କ ଜୀବୀକା ବୁଡ଼ିଗଲା । ଫଳରେ କଳାକାରମାନେ ସଖୀକଣ୍ଢେଇକୁ ବାନ୍ଧିବୁନ୍ଧି ଘରେ ରଖିଦେଲେ । ପରିସ୍ଥିତି ଏପରି ହୋଇଛି ଯେ ଏବେ କୌଣସିି ସ୍ଥାନରେ ଆଉ ସଖୀକଣ୍ଢେଇ ନାଚ ଦେଖିବାକୁ ମିଳୁନାହିଁ । ଆଜିକାଲିର ପିଲାମାନେ ସଖୀକଣ୍ଢେଇ ନାଚ କହିଲେ କିଛି ଜାଣିପାରୁ ନାହାଁନ୍ତି । ଓଲଟା ସଖୀକଣ୍ଢେଇ ନାଚ କ’ଣ ବୋଲି ସେମାନେ ପ୍ରଶ୍ନ କରୁଛନ୍ତି ।

ଏହି ସଖୀ କଣ୍ଢେଇ ନାଚ କେନ୍ଦ୍ରାପଡ଼ା ଜିଲ୍ଲାର ମୌଳିକ କଳା କହିଲେ ଚଳେ । କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ମନ୍ତ୍ରୀପଡ଼ା ଗାଁ ଦିନେ ସଖୀ କଣ୍ଢେଇ ନାଚ ପାଇଁ ପ୍ରସିଦ୍ଧ ଥିଲା । ମନ୍ତ୍ରୀପଡ଼ା ଗାଁରେ ବାସ କରୁଥିବା ଅଇରିଗୋପାଳ ସମ୍ପ୍ରଦାୟର ଲୋକମାନେ ବଂଶାନୁକ୍ରମେ ସଖୀକଣ୍ଢେଇନାଚ ପ୍ରଦର୍ଶନ କରି ପରିବାର ପ୍ରତିପୋଷଣ କରୁଥିଲେ । ଅଇରିଗୋପାଳ ସମ୍ପ୍ରଦାୟର ପୁରୁଷମାନେ ଗାଁ ଗାଁ ବୁଲି ସଖୀକଣ୍ଢେଇ ନାଚ ପ୍ରଦର୍ଶନ କରୁଥିଲେ ଓ ମହିଳାମାନେ ଗାଁ ଗାଁ ବୁଲି ସିନ୍ଦୁର, ଅଳତା, କାଚ, ଚୁଡ଼ି, ଟିକିଲି, ରିବନ ଫିତା ଆଦି ସହ ବିଭିନ୍ନ ପ୍ରସାଧନ ସାମଗ୍ରୀ ଓ ଛୁଞ୍ଚି, ସୁତା ଆଦି ବିକ୍ରି କରିବା ସହିତ ମହିଳାମାନଙ୍କ ହାତ, ଗୋଡ଼ରେ ଚିତା କୁଟାଇ ରୋଜଗାର କରୁଥିଲେ । ଅଇରିଗୋପାଳ ସମ୍ପ୍ରଦାୟର ମହିଳାମାନେ ଏହିପରି ଭାବେ ରୋଜଗାର କରି ନିଜ ପରିବାରକୁ ଆର୍ଥୀକ ସହାୟତା ଯୋଗାଇଆସୁଥିଲେ । କିନ୍ତୁ ସମୟକ୍ରମେ ସଖୀକଣ୍ଢେଇନାଚର ଲୋକପ୍ରିୟତା କମିଲା । ଅଇରିଗୋପାଳ ସମ୍ପ୍ରଦାୟର ମହିଳାଙ୍କ ଠାରୁ ଲୋକେ ପ୍ରସାଧନ ସାମଗ୍ରୀ କିଣିବା ବନ୍ଦ କରିବା ସହିତ ଚିତା କୁଟାଇବାକୁ ମଧ୍ୟ ଆଗ୍ରହ ଦେଖାଇଲେ ନାହିଁ। ଫଳରେ ମନ୍ତ୍ରୀପଡ଼ାରେ ବାସ କରୁଥିବା ବାସକରୁଥିôବା ୨୦ଟି ଅଇରିଗୋପାଳ ପରିବାର ନିଜ କୌଳିକବୃତି ହରାଇଲେ ଓ ଅଇରିଗୋପାଳମାନେ ଏବେ ମୂଲମଜୁରି ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ସବୁଠାରୁ ବଡ଼କଥା ହେଉଛି ସଖୀନାଚ ଭଳି ଏକ ଲୋକପ୍ରିୟ ଲୋକକଳା ବିଲୁପ୍ତ ଅବସ୍ଥାରେ ପହଞ୍ଚିଥିଲେ ବି ସେଥିପ୍ରତି କେହି ନଜର ଦେଉନାହାଁନ୍ତି । ନିଜ କୌଳିକ ବୃତିର ମୋହ ଛାଡ଼ିନପାରି ମନ୍ତ୍ରୀପଡ଼ା ଗ୍ରାମର ବାସିନ୍ଦା କେଦାର ସିଂ ନାମକ ଜଣେ ବ୍ୟକ୍ତି ଗାଁ ଗାଁ ବୁଲି ସଖୀକଣ୍ଢେଇ ନାଚ ପ୍ରଦର୍ଶନ କରୁଛନ୍ତି ।

ତାଙ୍କୁ ଏ ବିଷୟରେ ପଚାରିଲେ କହନ୍ତି, “ କଳାଟି ଶିଖିଛି ବୋଲି ପ୍ରଦର୍ଶନ କରୁଛି । ଏନେଇ ତାକୁ କେହି କହି ନାହାନ୍ତି କି କେହି ପ୍ରୋତ୍ସାହନ ବି ଦିଅନ୍ତି ନାହିଁ । ବରଂ ନାଚ ସରିଲା ପରେ ଦେଖଣାହାରୀମାନେ ଯାହା ଦିଅନ୍ତି ତାହା ରୋଜଗାର ସାଜେ’ ।

ଏପରିକି ଏପର୍ଯ୍ୟନ୍ତ ତାଙ୍କୁ କଳାକାରର ମାନ୍ୟତା ମିଳି ନାହିଁ କି ସେ କଳାକାର ଭତ୍ତା ପାଇନଥିବା କେଦାର ପ୍ରକାଶ କରିଛନ୍ତି । କେନ୍ଦ୍ରାପଡ଼ା ଜିଲ୍ଲାର ମୌଳିକ ଲୋକକଳା ସଖୀକଣ୍ଢେଇନାଚ ମରଣମୁହଁରେ ପଡ଼ିଥିବା ବେଳେ ନା ଜିଲ୍ଲାପ୍ରଶାସନ ନା ଜିଲ୍ଲା ସଂସ୍କୃତି ବିଭାଗ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି । ତେବେ କେଦାରଙ୍କ ପରେ ମନ୍ତ୍ରୀପଡ଼ା ଗ୍ରାମର ଆଉ କେହି ସଖୀକଣ୍ଢେଇନାଚ କରିବେ ନାହିଁ । କାରଣ ସଖୀକଣ୍ଢେଇନାଚ ପ୍ରଦର୍ଶନ କରି ପରିବାର ପ୍ରତିପୋଷଣ କରିବା ସମ୍ଭବ ହେଉ ନଥିବାରୁ ଅଇରିଗୋପାଳ ସମ୍ପ୍ରଦାୟର ଯୁବକମାନେ ସଖୀକଣ୍ଢେଇନାଚ ନଶିଖି ମୂଲମଜୁରି ଲାଗୁଛନ୍ତି ଓ ସଖୀକଣ୍ଢେଇ ନାଚ ଜାଣିଥିବା ଅଳ୍ପ କେତେଜଣ ଆଉ ଜୀବିତ ଅଛନ୍ତି ।

ସଖୀକଣ୍ଢେଇନାଚ କ’ଣ

ସଖୀ କଣ୍ଢେଇ ନାଚ କହିଲେ ରାଧା ଓ କୃଷ୍ଣଙ୍କର ଦୁଇଟି ଛୋଟ କଣ୍ଢେଇଙ୍କ ନାଚକୁ ସଖୀ କଣ୍ଢେଇ ନାଚ ବା ସଖୀ ନାଚ ବୋଲି କୁହାଯାଏ । ସଖୀ କଣ୍ଢେଇ ନାଚରେ ଦୁଇଟି ସଖୀ କଣ୍ଢେଇ ସହ ଗୋଟିଏ ଢୋଲକର ବ୍ୟବହାର କରାଯାଏ । ଅଇରିଗୋପାଳମାନେ ଏକ ଝୁଲାମୁଣି ଓ ଗୋଟିଏ ଢୋଲକକୁ କାନ୍ଧରେ ପକାଇ ଗାଁ ଗାଁ ବୁଲି ସଖୀ କଣ୍ଢେଇ ନାଚ ପ୍ରଦର୍ଶନ କରୁଥିଲେ । ଟେଲିଭିଜନ୍‍ କି ଯାତ୍ରା ନଥିବା ଯୁଗରେ ଏହା ଲୋକଙ୍କ ଆମୋଦପ୍ରମୋଦର ଏକ ବଳିଷ୍ଠ ମାଧ୍‍ୟମ ସାଜିଥିଲା ।
ସେମାନେ କାନ୍ଧରେ ପକାଇଥିବା ଝୁଲାମୁଣିରେ ସଖୀକଣ୍ଢେଇ ଦୁଇଟି ଥାଏ । ସଖୀ କଣ୍ଢେଇ ନାଚର କଳାକାରମାନେ କୌଣସି ଗ୍ରାମରେ ପହଞ୍ଚିବା ପରେ ଗହଳିଆ ଛକ ବା ଲୋକଙ୍କ ଦାଣ୍ଡଦୁଆରରେ ବସି ନିଜ ଝୁଲାମୁଣିରୁ ସଖୀକଣ୍ଢେଇ ବାହାର କରି ଢୋଲକ ବଜାଇବା ଆରମ୍ଭ କରିଦିଅନ୍ତି । ଢୋଲକର ଶବ୍ଦ ଶୁଣି ସେହିସ୍ଥାନରେ ଛୋଟ ପିଲାଙ୍କ ସମେତ ଲୋକେ ରୁଣ୍ଡ ହେବା ପରେ କଳାକାର ଢୋଲକର ତାଳେ ତାଳେ ରାଧାକୃଷ୍ଣଙ୍କ ଲୀଳା ସମ୍ପର୍କରେ ପ୍ରଚୀନ କବିଙ୍କ ଦ୍ୱାରା ରଚିତ ପଦ୍ୟାବଳୀ ଗାଇବା ସହ ରାଧାକୃଷ୍ଣଙ୍କ କଣ୍ଢେଇ ଦୁଇଟିକୁ ନିଜ ହାତ ପାପୁଲିରେ ଧରି ସୁନ୍ଦର ଭାବେ ନଚାନ୍ତି । ସଖୀକଣ୍ଢେଇ ଦୁଇଟିର ନିମ୍ନ ଭାଗରେ ଲାଗିଥିବା କପଡ଼ା ଭିତରେ କଳାକାର ନିଜ ପାପୁଲି ରଖି ଅଙ୍ଗୁଷ୍ଠି ମାଧ୍ୟମରେ କଣ୍ଢେଇଙ୍କର ହାତ, ମୁଣ୍ଡ ଓ ଅନ୍ୟନ୍ୟ ଅଙ୍ଗକୁ ଏତେ ସୁନ୍ଦର ଭାବେ ଚାଳିତ କରନ୍ତି ଯେ କଳାକାରଙ୍କ ଆଙ୍ଗୁଠିି ଦ୍ୱାରା କଣ୍ଢେଇ ଦୁଇଟି ନାଚୁଥିବା ଦର୍ଶକମାନେ ସହଜରେ ଜାଣିପାରନ୍ତି ନାହିଁ । ନୁହେଁକି ଆକର୍ଷଣୀୟ? ଏହା ଦୀର୍ଘଜୀବୀ ହେବା ଅନୁଚିତ କି?

ଛୋଟ ଛୋଟ୍ ଭୁଲ୍ ଯୋଗୁଁ ହୋଇପାରେ ସ୍ୱାସ୍ଥ୍ୟହାନି