ରିୟା ଚକ୍ରବର୍ତ୍ତୀଙ୍କ ସହ ଡ୍ରଗ୍ସ ଲିଙ୍କକୁ ନେଇ ସଫେଇ ଦେଲେ ଓକିଲ

ମୁମ୍ବାଇ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସନ୍ଦେହ ଘେରରେ ରହୁଛନ୍ତି ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଏପରିକି ଡ୍ରଗ୍ସ ଡିଲରଙ୍କ ସହ ତାଙ୍କର ସମ୍ପର୍କ ଥିବା ଅଭିଯୋଗ କରାଯାଉଛି ।

ଯାହାକୁ ନେଇ ସଫେଇ ଦେଇଛନ୍ତି ରିୟା ଚକ୍ରବର୍ତ୍ତୀଙ୍କ ଓକିଲ । ଏକ ବୟାନରେ ତାଙ୍କ ଓକିଲ କହିଛନ୍ତି ଯେ ରିୟା କେବେବି ଡ୍ରଗ୍ସ ନେଇ ନାହାଁନ୍ତି । ଦରକାର ପଡିଲେ ସେ ଯେ କୌଣସି ସମୟରେ ବ୍ଲଡ୍ ଟେଷ୍ଟ କରାଇବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି ।

ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ରିୟାଙ୍କ ଫୋନରୁ ରିକଭର୍ କରାଯାଇଥିବା ହ୍ୱାଟ୍ସଅପ୍ ଚାର୍ଟକୁ ଆଧାର ଡ୍ରଗ୍ସ ଲିଙ୍କ ଭଳି ଅଭିଯୋଗ କରାଯାଇଛି । ଏପରିକି ଏହି ଘଟଣାରେ ଜୟା ସାହାଙ୍କୁ ଇଡି ସମନ୍ ମଧ୍ୟ କରିଛି ।

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ସିବିଆଇ ରିୟାଙ୍କୁ ମଧ୍ୟ ପଚରାଉଚରା କରିପାରେ । ପୂର୍ବରୁ ଏହି ମାମଲାରେ ସିବିଆଇ ସିଦ୍ଧାର୍ଥ ପିଠାନି, ସେମୁଏଲ୍ ମିରାଣ୍ଡା, ହାଉସକିପର ଓ ରୋଷେୟା ନୀରଜକୁ ଜେରା କରିଛି ।

ସୂଚନାଯୋଗ୍ୟ, ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଭାର ସିବିଆଇ ନେଇଛି । ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ପିତା କେେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ । ଏପରିକି ସୁଶାନ୍ତଙ୍କ ଆକାଉଣ୍ଟରୁ ୧୫ କୋଟି ଟଙ୍କା ରିୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିବା ନେଇ ତାଙ୍କ ବାପା ଅଭିଯୋଗ କରିଥିଲେ ।

ଯାହାକୁ ନେଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ମନି ଲଣ୍ଡରିଂ ମାମଲା ରୁଜୁ କରା ଯାଇଛି ।

ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏବେ ତଦନ୍ତ ଭିନ୍ନ ମୋଡ ନେଉଥିବା ଦେଖିବାକୁ ମିଳୁଛି ।

 

Leave a Reply