ରୋଷେଇ – ରାକ୍ଷୀ ପାଇଁ ସ୍ପେଶାଲ୍ କାଜୁ ବର୍ଫି

ଆବଶ୍ୟକୀୟ ଜିନିଷ – ୨୫୦ ଗ୍ରାମ୍ କାଜୁ, ୧/୨ କପ୍ ଚିନି, ୨ ଚାମଚ ଘିଅ, ମିଠା ଉପରେ ଥିବା ସିଲଭର୍ ଫଏଲ୍, ବଟର୍ ପେପର୍ ।


ପ୍ରସ୍ତୁତ ପ୍ରଣାଳୀ – ପ୍ରଥମେ ଅଳ୍ପ କାଜୁ ନେଇ ମିକ୍ସର୍ ଜାର୍ରେ ପକାଇ ଗ୍ରାଇଣ୍ଡ୍ କରନ୍ତୁ । ଏହାକୁ ସାଧାରଣ ଭାବେ ଗ୍ରାଇଣ୍ଡ୍ କରନ୍ତୁ ନାହିଁ । ୧-୨ ମିନିଟ୍ ଗ୍ରାଇଣ୍ଡ୍ କରି ପୁଣି ୧ ମିନିଟ୍ ଜାରକୁ ସେକ୍ କରନ୍ତୁ । ପୁଣି ଗ୍ରାଇଣ୍ଡ୍ କରନ୍ତୁ । କାଜୁକୁ ସାଧାରଣ ଭାବେ ଗ୍ରାଇଣ୍ଡ୍ କରିବା ଦ୍ୱାରା ସେଗୁଡ଼ିକ ତେଲିଆ ହୋଇଯାଏ ଏବଂ ଭଲ ଭାବେ ପାଉଡର୍ ହୋଇପାରେ ନାହିଁ । ତେବେ ସବୁ କାଜୁକୁ ଏହି ପ୍ରଣାଳୀରେ ଗୁଣ୍ଡ କରିନିଅନ୍ତୁ । ଗୋଟିଏ ବଡ଼ ବାଉଲ୍ ନେଇ ତା’ ଉପରେ ଏକ ଛଣା ରଖନ୍ତୁ । କାଜୁ ପାଉଡରକୁ ଛଣାରେ ପକାଇ ଏକ ଚାମଚ ସାହାଯ୍ୟରେ ଖେଳାଇ ଦିଅନ୍ତୁ । ଏହାଦ୍ୱାରା କାଜୁରେ ଯଦି କିଛି ଛୋଟ ଖଣ୍ଡ ରହିଯାଇଥାଏ, ତେବେ ତାହା ବାହାରି ଆସେ । ଏହାପରେ ଗୋଟିଏ କରେଇରେ ୧/୩ କପ୍ ପାଣି ଦେଇ ଚିନି ପକାନ୍ତୁ । ଚିନି ପାଣିରେ ମିଶିଯିବା ପରେ ଏବଂ ପାଣି ଫୁଟିବା ପରେ ସେଥିରେ କାଜୁ ପାଉଡର୍ ପକାନ୍ତୁ ଏବଂ ଚଲାନ୍ତୁ । କିଛି ସମୟ ଏଭଳି କରିବା ପରେ ସେଥିରେ ଘିଅ ଦିଅନ୍ତୁ ଏବଂ ଭଲ ଭାବେ ଘାଣ୍ଟିଦିଅନ୍ତୁ । ଏହାକୁ ଜମାରୁ ହାତ ନଛାଡ଼ି ଚଲାନ୍ତୁ । ଏହି କାଜୁ ପେଷ୍ଟ୍ ଆପେ ଆପେ କରେକରୁ ଛାଡ଼ିବାକୁ ଲାଗିବ । ଏହାପରେ ଗୋଟିଏ ଥାଲିରେ ଘିଅ ଲଗାଇ କାଜୁ ପେଷ୍ଟରୁ ୧ ଚାମଚ ଆଣି ଥାଳିରେ ପକାନ୍ତୁ । ଥଣ୍ଡା ହେବା ପରେ ତାହାର ବଲସ୍ ବନାନ୍ତୁ । ଯଦି ଏହା ଆପଣଙ୍କ ହାତରେ ଲାଗୁଛି ତେବେ କାଜୁ ପେଷ୍ଟକୁ ଆଉ ଅଳ୍ପ ସମୟ କୁକ୍ ହେବାକୁ ଦିଅନ୍ତୁ । ପୁଣିଥରେ ଏଭଳି ଟେଷ୍ଟ୍ କରନ୍ତୁ । କାଜୁ ପେଷ୍ଟ୍ ହାତରେ ନ ଲାଗୁଥିଲେ ଏହାକୁ ଏକ ବଡ଼ ଥାଳିକୁ ବାହାର କରିଆଣନ୍ତୁ । ଏହାକୁ ଗୋଟିଏ ଚାମଚ ସାହାଯ୍ୟରେ ଓଲଟାଇ ଥଣ୍ଡା କରନ୍ତୁ । ଏହା ହାଲ୍କା ଗରମ ଥିବା ଅବସ୍ଥାରେ ହିଁ ହାତରେ ଘିଅ ଲଗାଇ ଗୋଟିଏ ବଡ଼ ବଲସ୍ ବନାନ୍ତୁ । ବଟର୍ ପେପର୍ରେ ଘିଅ ଲଗାଇ ତା’ ଉପରେ କାଜୁ ବଲସକୁ ରଖି ଦିଅନ୍ତୁ । ଏହା ଉପରେ ହାଲକା ଘିଅ ଲଗାଇ ଆଉ ଏକ ବଟର୍ ପେପର୍ ରଖନ୍ତୁ । ବେଲଣ ସାହାଯ୍ୟରେ ଏହାକୁ ରୁଟି ଭଳି ବେଲନ୍ତୁ । ଧ୍ୟାନ ରଖିବେ ବର୍ଫି ଯେତିକି ମୋଟା ଥାଏ, ରୁଟି ସେହି ହିସାବରେ ମୋଟା ରଖିବେ । ଏହାପରେ ଉପରୁ ବଟର୍ ପେପର୍ ବାହାର କରି ତା ଉପରେ ସିଲଭର୍ ଫଏଲ୍ ଲଗାନ୍ତୁ । ଏହାପରେ ଛୁରୀ ସାହାଯ୍ୟରେ ଆପଣ ତାହାକୁ ମନ ପସନ୍ଦ ଆକାର ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା କାଜୁ ବର୍ଫି । ତେବେ ଆସନ୍ତା ରାକ୍ଷୀରେ ଏହାକୁ ନିଶ୍ଚୟ ଭାବେ ବନାନ୍ତୁ ।

Leave a Reply

Your email address will not be published.