ରୋଷେଇ – ଅଟା ଓ ଖିରରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଆଇସକ୍ରୀମ୍

ଆବଶ୍ୟକୀୟ ଜିନିଷ – ୧ ଲିଟର୍ ଖିର, ଅଧା କପ୍ ଚିନି, ଅଧା କପ୍ ଅଟା, ୩ଟି ବଡ଼ ଚାମଚ ଅମୁଲ୍ କିମ୍ବା ମିଲକ୍ ପାଉଡର୍, କଟା ଡ୍ରାଏ ଫୁଡସ୍ ୨ ଚାମଚ, ଚକଲେଟ୍ ଚିପସ ୨ ଚାମଚ, ୩ଛୋଟ ଚାମଚ ଅଳେଇଚ ଗୁଣ୍ଡ, ୨ଟି ବଡ଼ ଚାମଚ କୋକୋଆ ପାଉଡର୍ ।


ପ୍ରସ୍ତୁତି ପ୍ରଣାଳୀ – ବିନା ପାଣି ମିଶାଇ ଖିରକୁ ଲୋ ମିଡିୟମ୍ ଫ୍ଲେମରେ ଫୁଟିବାକୁ ଦିଅନ୍ତୁ । ଖିର ଭଲ ଭାବେ ଫୁଟିବା ପରେ ସେଥିରେ ଅଧା କପ୍ ଚିନି ମିଶାଇ ଭଲ ଭାବେ ଘାଣ୍ଟନ୍ତୁ । ମଝିରେ ମଝିରେ ଖିରକୁ ହଲକା ଗୋଳାଇ ଦେଉଥିବେ । ନଚେତ୍ ଖିର ପୋଡ଼ି ଯିବାର ଭୟ ଥାଏ । ଖିର ଫୁଟିବା ଭିତରେ ଗୋଟିଏ ବଡ଼ ବାଉଲରେ ଆଉ ଏକ କପ୍ ଖିର ନିଅନ୍ତୁ । ସେଥିରେ ଅଟା ଓ ଅମୁଲ୍କୁ ମିଶାଇ ଭଲ ଭାବେ ଫେଣ୍ଟିଦିଅନ୍ତୁ । ଏହି ଅଟା ପେଷ୍ଟକୁ ଗ୍ୟାସ ଉପରେ ପୂର୍ବରୁ ଫୁଟୁଥିବା ଖିରରେ ଅଳ୍ପ ଅଳ୍ପ ପକାଇ ଭଲ ଭାବେ ଘାଣ୍ଟନ୍ତୁ । ଏହାକୁ ୧୦-୧୫ ମିନିଟ୍ ଫୁଟିବାକୁ ଛାଡନ୍ତୁ ଏବଂ ମଝିରେ ମଝିରେ ଗୋଳାଇ ଦିଅନ୍ତୁ । ଏହାପରେ ଖିରକୁ ଗ୍ୟାସରୁ ଓହ୍ଲାଇ ସମ୍ପୂର୍ଣ୍ଣ ଭାବେ ଥଣ୍ଡା ହେବାକୁ ଦିଅନ୍ତୁ । ଥଣ୍ଡା ହେବା ପରେ ଏହା ଏକ ଗାଢା ପେଷ୍ଟ୍ ଭାବେ ହୋଇଯିବ । ଏହି ପେଷ୍ଟରେ ଅଳେଇଚ ଗୁଣ୍ଡ ମିଶାଇ ୩-୪ ମିନିଟି ଗ୍ରାଇଣ୍ଡିଙ୍ଗ୍ କରନ୍ତୁ । ଏହାପରେ ଗୋଟିଏ ପ୍ଲାଷ୍ଟିକ୍ କିମ୍ବା ଷ୍ଟିଲ୍ କଣ୍ଟେନରରେ ଗ୍ରାଇଣ୍ଡିଙ୍ଗ୍ ଖିରର ଅଧା ଭାଗ ପକାଇ ତା’ ଉପରେ ଡ୍ରାଏ ଫୁଡସ୍ ରଖନ୍ତୁ । ଏହାକୁ ୨-୩ ଘଣ୍ଟା ଫ୍ରିଜର୍ କରନ୍ତୁ ଏବଂ ଆଉ ଅଧା ଖିରରେ କୋକାଆ ପାଉଡର୍ ପକାଇ ଗ୍ରାଇଣ୍ଡ କରନ୍ତୁ । ୨-୩ ଘଣ୍ଟା ପରେ କଣ୍ଟେନରକୁ ଫ୍ରିଜରୁ ବାହାର କରି ସେଥିରେ ଏହି କୋକୋଆ ଖିରକୁ ପକାନ୍ତୁ । ଯଦି ଆପଣ ଚାହିଁବେ, ତାହେଲେ ଏହା ଉପରେ ଆଉ କିଛି ଡ୍ରାଏ ଫୁଡସ କିମ୍ବା ଚକୋଲେଟ୍ ଚିପସ୍ ପକାଇ ପାରିବେ । ଏହାପରେ କଣ୍ଟେନର ଘୋଢଣୀକୁ ଟାଇଟ୍ କରି ଆଇସକ୍ରୀମ୍ ଜମିବା ପର୍ଯ୍ୟନ୍ତ ଫ୍ରିଜରେ ରଖିଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଅଟା-ଖିର ଆଇସକ୍ରୀମ୍ ।

Leave a Reply

Your email address will not be published.