ଦେଢ଼ହଜାର ଲୋକରେ ଏବର୍ଷ ରଥଯାତ୍ରା: ଡ. କ୍ରିଷନ୍‌ କୁମାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବିଶ୍ଵର ଅଦ୍ଵିତୀୟ ରଥଯାତ୍ରା ଏବର୍ଷ ଅଦ୍ଵିତୀୟ ଢଙ୍ଗରେ ପାଳନ କରାଯିବ। ମାତ୍ର ୧୫ଶହ ସେବାୟତ ଓ ପୁଲିସଙ୍କ ସମାଗମରେ ରଥଯାତ୍ରା ସମାପନ ହେବ। ସେମାନଙ୍କ ଭିତରୁ ପ୍ରତି ରଥରେ ୫୦୦ ଜଣ ଲେଖାଏଁ ରହିବେ। ସମସ୍ତ କର୍ମଚାରୀ ଏବଂ ସେବକ ମୁହ:ରେ ମାସ୍କ କିମ୍ବା ଗାମୁଚ୍ଛା ବାନ୍ଧି ନିଜ ଦାୟିତ୍ଵ ନିର୍ବାହ କରିବେ।  ଏହି ଚ୍ୟାଲେଞ୍ଜକୁ ଆଗ୍ରହର ସହ ଗ୍ରହଣ କରିଛନ୍ତି ଜିଲ୍ଲାପ୍ରଶାସନ ଓ ଶ୍ରୀମନ୍ଦିର ପରିଚାଳନା କମିଟି। ଏନେଇ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ ଓ ପୁଲିସ କର୍ମୀଙ୍କୁ ସୂଚନା ଦିଆଯାଇ ପୂର୍ବ ପ୍ରସ୍ତୁତି ଶେଷ ହୋଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାର କହିଛନ୍ତି।

ଆସନ୍ତା କାଲି ସକାଳୁ ଯେତେବେଳେ ଶ୍ରୀମନ୍ଦିର ରୀତି ନୀତି ଆରମ୍ଭ ହେବ ସେତେବେଳେ ଯେମିତି କାହାକୁ କୋଭିଡ୍‌ ସଂକ୍ରମଣ ନହେବ ସେଥିଲାଗି ପ୍ରଶାସନ  ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ସୁପ୍ରିମ୍‌କୋର୍ଟଙ୍କ ଆଦେଶର ପ୍ରତିଟି ବିନ୍ଦୁକୁ ସୁଚାରୁ ରୂପେ ପାଳନ କରିବା ଲାଗି ମୁଖ୍ୟ ପ୍ରଶାସକ ନିୟୋଜିତ ହେବାକୁ ଥିବା ସମସ୍ତ ସେବାୟତ ଓ ପୁଲିସ କର୍ମଚାରୀ ତଥା ଅନ୍ୟ ଅଧିକାରୀଙ୍କ କୋଭିଡ୍‌ ପରୀକ୍ଷଣ ଆଦେଶ ଦେଇଛନ୍ତି। ଏହି କାମ ୭୫ ପ୍ରତିଶତ ସରିଛି ଏବଂ ଆସନ୍ତା କାଲି ସୁଦ୍ଧା ସମସ୍ତଙ୍କ କୋଭିଡ୍‌ ରିପୋଟ; ଆସିବ ବୋଲି ସେ କହିଛନ୍ତି। ଏଥିଲାଗି ରାଜ୍ୟ ସ୍ଵାସ୍ଥ୍ୟ ବିଭାଗର ଟିମ୍‌ ଯଥେଷ୍ଟ ତତ୍ପରତାର ସହ କାର୍ଯ୍ୟ କରୁଥିବା ସେ ସୂଚନା ଦେଇଛନ୍ତି।

ଆଜି ସନ୍ଧ୍ୟାରେ ଗଜପତି ମହାରାଜା, ପୁରୀ ଜିଲ୍ଲାପାଳ ଏବଂ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଡ. କୁମାର କହିଛନ୍ତି, ପ୍ରତି ରଥ ଉପରକୁ ମାତ୍ର ୧୦ ଜଣଙ୍କ ଉପସ୍ଥିତି ରହିବ। ଏଥିଲାଗି  ଅନୁମତି ପ୍ରଦାନ କରାଯାଇଛି। କେଉଁମାନେ ରଥ ଉପରେ ରହିବେ ତାହା ସ୍ଥିର କରାଯାଇଛି। ସମସ୍ତ ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ସହରକୁ ପରିବହନ ଗାଡ଼ି ପ୍ରବେଶ ହେବ ନାହିଁ। ସମସ୍ତ ସେବାୟତ ଏବଂ କର୍ମଚାରୀ ମାସ୍କ ପିନ୍ଧିବାକୁ ବାଧ୍ୟ ହେବେ। ସେବାୟତମାନେ ମୁହଁରେ ଗାମୁଛା ପିନ୍ଧି ପହଣ୍ଡି କରିପାରିବେ।

ଏହି ବିରଳ ରଥଯାତ୍ରା ଦୃଶ୍ୟ କେବଳ ଟେଲିଭିଜନ୍‌ରେ  ପ୍ରଦର୍ଶିତ ହେବ।

Leave a Reply

Your email address will not be published.

%d bloggers like this: