ରଥ ଭଙ୍ଗାକୁ ନେଇ ତେଜିଲା ଅସନ୍ତୋଷ
ପୁରୀ, (ଓଡିଶା ଟାଇମ୍) : ଚଳିତବର୍ଷ ୩ରଥର ସଂରକ୍ଷଣ ପାଇଁ ପୁରୀରେ ଗତ ୨୯ତାରିଖଠାରୁ ରଥ ଖୋଲା କାର୍ଯ୍ୟ ଆରମ୍ଭ କରାଯାଇଥିଲା । କିନ୍ତୁ ରଥ ଖୋଲା ପାଉଣା ମିଳିନଥିବା ପ୍ରସଙ୍ଗ ଆଜି ମହାରଣାମାନେ ଉଠାଇଛନ୍ତି । ଦର୍ପଦଳନ ରଥର ୪ଟି ଦୁଆର ବେଢ଼ା କଢ଼ାଯିବା ପରେ ପାଉଣା ନେଇ ପ୍ରଶ୍ନ ଉଠିଛି । ରଥ ଖୋଲା ପାଉଣା ଦାବିରେ ଶ୍ରୀମନ୍ଦିର ପ୍ରଶାସନକୁ ଆଜି ଚିଠି ଲେଖିଛନ୍ତି ମୁଖ୍ୟ ମହାରଣା ।ସେ କହିଛନ୍ତିି ପାଉଣା ଉପରେ ବିଚାର ନକରିବା ଯାଏଁ ଅନ୍ୟ ୨ରଥ ଖୋଲା ଯିବନାହିଁ । ଏହାସହ ରଥ କାମ ବନ୍ଦ ଥିବା ୧୨ଦିନର ପାଉଣା ମିଳି ନାହିଁ ବୋଲି ସେ କହିଛନ୍ତି ।
ରଥ ଖୋଲା ଓ ସ୍ଥାନାନ୍ତର ପ୍ରକ୍ରିୟା ୨୫ ଦିନ ଭିତରେ ଶେଷ ହେବ। ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଗ୍ରିମ ଏକ ଲକ୍ଷ ଟଙ୍କା ମଞ୍ଜୁର କରିଥିଲା | ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଆଦେଶ (ଚିଠି ନଂ-୫୭୮୧/୨୭.୭.୨୦୨୦) ଅନୁଯାୟୀ, ତିନିରଥର ମୁଖ୍ୟ ମହାରଣା, କମାର ସେବକ ଓ ଭୋଇ ସର୍ଦ୍ଦାର ରବି ଭୋଇଙ୍କୁ ଏହି ଦାୟିତ୍ବ ହସ୍ତାନ୍ତର କରାଯାଇଛି। ଉପରୋକ୍ତ ସେବକମାନେ ଆବଶ୍ୟକ ଲୋକ ଲଗାଇ ରଥଭଙ୍ଗା ସହ ଜଗନ୍ନାଥ ବଲ୍ଲଭକୁ ଏହାକୁ ସ୍ଥାନାନ୍ତର ପ୍ରକ୍ରିୟା ଶେଷ କରିବେ। ଏ ବାବଦରେ ପ୍ରତ୍ୟେକଙ୍କୁ ୨୦୨୦ ବର୍ଷ ପାଇଁ ସ୍ଥିରୀକୃତ ମଜୁରି ଅନୁଯାୟୀ ଗୋଟିଏ ଲେଖାଏଁ ମଜୁରି ପ୍ରଦାନ କରାଯିବ। ତିନି ରଥରୁ ବାହାରିବାକୁ ଥିବା ସମସ୍ତ କାଠ, ପଟା ଆଦି ଯେପରି ସୁରକ୍ଷିତ ଓ ଅକ୍ଷୁର୍ଣ୍ଣ ରହିବ, ସେଥିପ୍ରତି ଧ୍ୟାନ ଦେବାକୁ ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଦେଇଛି। ତେବେ ରଥ ଭଙ୍ଗାଯିବାକୁ ନେଇ ଶଙ୍କରାଚାର୍ଯ୍ୟ କହିଥିଲେ ଯେ ତାଙ୍କୁ ଏ ବାବଦରେ କିଛି ଜଣାଯାଇନାହିଁ |