ଜେଏମ୍ଏମ୍ରୁ କୋଣଠେସା ପରେ ରାମଚନ୍ଦ୍ର ହାଁସଦା ଏବଂ ପ୍ରହ୍ଲାଦ ପୂର୍ତ୍ତିଙ୍କ ଗତି କୁଆଡ଼େ
ରାଇରଙ୍ଗପୁର, (ମନୋରଞ୍ଜନ ତିରିଆ): ମୟୁରଭଞ୍ଜ ରାଜନୀତିରେ ଏକଦା ନିଜ ନିୟନ୍ତ୍ରଣରେ ରଖି ଜନ ପ୍ରତିନିଧି ପାଲଟିଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦା ଏବଂ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି ଏବେ ନିଜ ନିଜ ଦଳରେ କୋଣଠେସା ପ୍ରାୟ। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଏବେ ସେମାନଙ୍କର ସ୍ଥାନ ସୁରକ୍ଷିତ ନାହିଁ। ତାଙ୍କ କଥା ବି ଦଳରେ ରହୁ ନଥିବାରୁ ସେମନେ ଏବେ ବିକଳ୍ପ ସନ୍ଧାନରେ ଲାଗିଛନ୍ତି। ହେଲେ ପ୍ରଶ୍ନ ଉଠୁଛି ସେମାନେ ଯିବେ କୁଆଡ଼େ?
ଏକଦା ରାମଚନ୍ଦ୍ର ହାଁସଦାଙ୍କ ନାଁ ମୟୂରଭଞ୍ଜ ରାଜନୀତିରେ ବେଶ୍ ଚର୍ଚ୍ଚିତ ଥିଲା। ସାରସକଣା ବିଧାୟକରୁ ସେ ପାଲଟିଥିଲେ ମୟୂରଭଞ୍ଜର ସାଂସଦ। କିନ୍ତୁ ମୟୂରଭଞ୍ଜ ସାଂସଦ ପଦବୀ ତାଙ୍କ ପାଇଁ ମହଙ୍ଗା ପଡ଼ିଥିଲା। ୨୦୧୪ ମସିହାରେ ନିର୍ବାଚିତ ହେବାର କିଛି ମାସ ମଧ୍ୟରେ ତାଙ୍କୁ ସିବିଆଇ ଗିରଫ କଲା। ଆଉ ସେ ରହିଲେ ଜେଲ୍ରେ। ସେହି ବନ୍ଦୀ କୋଠରୀରେ ତାଙ୍କର ପ୍ରାୟ ସାଂସଦ ସମୟ ଶେଷ ହୋଇଥିଲା। ପୁଣି ନିର୍ବାଚନ ଆସିବା ବେଳକୁ ତାଙ୍କୁ ମୁକ୍ତି ମିଳିଥିଲା। ସେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ। ହେଲେ ପରାଜିତ ହୋଇଥିଲେ। ବିଜେଡି ବି ସେହି ଆସନ ହରାଇଥିଲା। ଆଉ ବିଜେତା ହୋଇଥିଲେ ବିଶ୍ୱେଶ୍ୱର ଟୁଡୁ। ଯିଏ ଏବେ କେନ୍ଦ୍ରରେ ମନ୍ତ୍ରୀ ।
କ୍ଷମତାରେ ନଥିଲେ ବି ରାମଚନ୍ଦ୍ର ନିଜର ପତିଆରା ହରାଇ ନାହାନ୍ତି। ଲୋକପ୍ରିୟତା ତାଙ୍କ ପାଖରେ ରହିଛି। ତାଙ୍କୁ ଦଳରେ ନନେଇ ବିଜେଡି ଅନେକ କ୍ଷତି ମୟୂରଭଞ୍ଜରେ ସହିଛି । ଆଉ ତାଙ୍କରି ଯୋଗୁ ଜେଏମ୍ଏମ୍ ପଞ୍ଚାୟତିରାଜ ନିର୍ବାଚନରେ ତିନୋଟି ଜିଲ୍ଲା ପରିଷଦ ଆସନ ଅକ୍ତିଆର କରିଥିଲା l ଏବେବି ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ତାଙ୍କର ସାଂସ୍କୃତିକ, ସାମାଜିକ ଏବଂ ସାମାଜିକ କାର୍ଯ୍ୟକ୍ରମଗୁଡିକ ଚାଲୁ ରଖି ଆସିଛନ୍ତି l ମାତ୍ର ଜେଏମଏମ ରାଜ୍ୟ ସଭାପତି ତଥା ଏହି ଦଳର ସୁପ୍ରିମୋ ଶିବୁ ସୋରେନଙ୍କ ଝିଅ ଅଞ୍ଜଳି ସୋରେନଙ୍କ ସହିତ ମତଭେଦ ଯୋଗୁଁ ତାଙ୍କୁ ଦଳର ସାଧାରଣ ସମ୍ପାଦକ ପଦବୀରୁ ଅବ୍ୟାହତି ଦିଆ ଯାଇଛି l ଏପରିକି ଦଳରେ ତାଙ୍କୁ ଏବଂ ତାଙ୍କରି ସମର୍ଥକମାନଙ୍କୁ ଆଦୌ ଗୁରୁତ୍ୱ ଦିଆଯାଉ ନାହିଁ l ଫଳରେ ସେ ଜେଏମଏମ ଅସନ୍ତୁଷ୍ଟମାନଙ୍କୁ ନେଇ ବିଭିନ୍ନ ସ୍ଥାନରେ ସଭା ସମିତି ଚାଲୁ ରଖିଛନ୍ତି l ନିକଟରେ ବିର୍ସା ମୁଣ୍ଡାଙ୍କ ଜୟନ୍ତୀରେ ଶକ୍ତି ପ୍ରଦର୍ଶନ ନିମନ୍ତେ ରାଇରଙ୍ଗପୁରଠାରେ ‘ଆଦିବାସୀ ଓ ମୂଳବାସୀ ସ୍ୱାଭିମାନ ସମାବେଶ’ର ଆୟୋଜନ କରିଥିଲେ l ଏବେ ସେ କେଉଁ ଦଳରେ ମିଶିବେ ତାହାକୁ ନେଇ ଚାଲିଛି ବିଭିନ୍ନ କଳ୍ପନାଜଳ୍ପନା ଚାଲିଛି l
ଅବଶ୍ୟ ବିଜେପି କିମ୍ବା ବିଜେଡିରେ ଆଦୌ ମିଶିବେ ନାହିଁ ବୋଲି ସ୍ପଷ୍ଟ କରାଇଛନ୍ତି , ହେଲେ ନିର୍ବାଚନୀ ହାୱା ଗରମ ହେଲେ ସେ ତାଙ୍କର ଏ ଭବିଷ୍ୟବାଣୀ ବି ବଦଳିଯାଇପାରେ ବୋଲି ଚର୍ଚ୍ଚା ହେଉଛି।
ତାଙ୍କରି ଭଳି ଛାତ୍ର ସଂଗଠନ ଆଜସୁ (ଅଖିଳ ଝାରଖଣ୍ଡ ଛାତ୍ର ସଂଘ )ରୁ ରାଜନୀତିକୁ ଆସିଛନ୍ତି ପ୍ରହଲ୍ଲାଦ ପୂର୍ତ୍ତି । ଜାମଦା ବ୍ଲକର ଚେୟାରମ୍ୟାନ ଥାଇ ଜେଏମଏମରୁ 2004 ମସିହାରେ ବହଳଦା ବିଧାନସଭା ଆସନରୁ ସେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ l ସେ ବର୍ତ୍ତମାନ ଜେଏମଏମ ଦଳର ଉପସଭାପତି ରହିଥିଲେ ସୁଦ୍ଧା ଦଳରେ ଅଣଦେଖା ଅବସ୍ଥାରେ ରହିଛନ୍ତିl ବର୍ତ୍ତମାନ ଉକ୍ତ ଦଳ ଝାରଖଣ୍ଡ ପ୍ରଦେଶ ଜାମସେଦପୁର ଅଂଚଳର କେନ୍ଦ୍ରୀୟ ସଦସ୍ୟ ପୱନ କୁମାର ସିଂ ଏବଂ ନିକଟରେ ରାଜ୍ୟ ସାଧାରଣ ସମ୍ପାଦକ ହୋଇଥିବା ଦୁବରାଜ ନାଗଙ୍କ ଇଙ୍ଗିତରେ ପରିଚାଳିତ ହେଉଛି l ଏଣୁ ନିଜର ରାଜନୀତିକ କ୍ୟାରିୟର ରକ୍ଷା ପାଇଁ ବିକଳ୍ପ ଦଳ ସନ୍ଧାନରେ ସେ ରହିଛନ୍ତି। ପ୍ରହ୍ଲାଦ ପୂର୍ତ୍ତି ସୁଯୋଗ ମିଳିଲେ ଭାରତୀୟ ଜନତା ପାର୍ଟି (ବିଜେପି)ରେ ସାମିଲ ହୋଇ ରାଇରଙ୍ଗପୁର ବିଧାନସଭା କିମ୍ବା ମୟୂରଭଞ୍ଜ ଲୋକସଭା ଆସନରୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି।