ଅଶୋକ ଗେହଲଟଙ୍କ ସଙ୍ଗୀନ ଅଭିଯୋଗ, କଂଗ୍ରେସ ବିଧାୟକଙ୍କୁ ବିଜେପି ଯାଚୁଛି ୨୫ କୋଟି

ଜୟପୁର, (ଓଡିଶା ଟାଇମ୍) : ମଧ୍ୟପ୍ରଦେଶରେ କମଲ ନାଥଙ୍କ ଭଳି ଏବେ ରାଜସ୍ଥାନରେ ଅଶୋକ ଗେହଲଟ‌ଙ୍କ ସରକାରକୁ ଅସ୍ଥିର କରିବାକୁ ଚାହୁଁଛି ବିଜେପି। ମୁଖ୍ୟମନ୍ତ୍ରୀ ଗେହଲଟ୍ ନିଜେ ଏହି ଅଭିଯୋଗ କରିଛନ୍ତି। ଏଥିଲାଗି ରାଜସ୍ଥାନ ବିଧାନସଭାର କିଛି ଶାସକ ଦଳ ବିଧାୟକଙ୍କୁ ବିରୋଧୀ ବିଜେପି ଅର୍ଥ ଲାଳସା ଦେଖାଉଥିବାର ସେ କହିଛନ୍ତି। ବିଧାୟକମାନଙ୍କୁ ବିଜେପି ୨୫ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଥିବା ବେଳେ ଅଗ୍ରୀମ ୧୦ କୋଟି ଟଙ୍କା ଦେବାକୁ ରାଜିଥିବା ଗେହଲଟ୍ କହିଛନ୍ତି ।

ବୁଧବାର ବିଳମ୍ବିତ ରାତ୍ରିରେ ଗେହଲଟ୍ ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଏହି ସୂଚନା ଦେଇଥିଲେ। ଆଗାମୀ ରାଜ୍ୟସଭା ନିର୍ବାଚନ ଲାଗି ଜୟପୁର ସହର ଉପକଣ୍ଠରେ ଥିବା ଏକ ରିସୋର୍ଟରେ ସେ ବିଧାୟକଙ୍କ ବୈଠକ ଡାକିଥିବା ବେଳେ ଏ ସମ୍ପର୍କରେ ଜାଣିବାକୁ ପାଇଥିବା କହିଛନ୍ତି। ଏହି ବୈଠକରେ କଂଗ୍ରେସର ୧୦୭ ଓ ୧୩ ନିର୍ଦ୍ଦଳୀୟ ବିଧାୟକ ଯୋଗଦେଇଥିଲେ।

ଏଣୁ ରାଜସ୍ଥାନ କଂଗ୍ରେସ ତାର ରାଜ୍ୟସଭା ନିର୍ବାଚନ ରଣନୀତିରେ ପରିବର୍ତ୍ତନ କରିଛି। ସମସ୍ତ ୧୨୦ ଜଣ ଶାସକଦଳ ବିଧାୟକଙ୍କୁ ରିସୋର୍ଟକୁ ସ୍ଥାନାନ୍ତର କରିଥିବା ଜଣାପଡିଛି। ତେବେ ନିଜ ବିଧାୟକଙ୍କ ଉପରେ ରାଜସ୍ଥାନ ସରକାରଙ୍କ ଭରସା ଥିବା ଗେହଲଟ କହିଛନ୍ତି। ଏଠାରେ ସରକାର ଗଠନ ଲାଗି କଂଗ୍ରେସ ୧୩ ଜଣ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ନେଇଛି। ହେଲେ ଏଥିପାଇଁ କୌଣସି ବିଧାୟକଙ୍କୁ ଆର୍ଥିକ ଅଥବା ଗୁରୁତ୍ୱପୂର୍ଣ୍ଣ ପଦପଦବୀର ମୋହ ଦେଖାଇ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ହେଲେ ମଧ୍ୟପ୍ରଦେଶରେ ତାଙ୍କ ଦଳର ବିଧାୟକମାନେ ଯାହା କଲେ ତାହା ଅତ୍ୟନ୍ତ ଅଶୋଭନୀୟ ବୋଲି ସେ ମାନିଛନ୍ତି।


ତେବେ କଂଗ୍ରେସ ଚିଫ୍ ହ୍ୱିପ୍ ମହେଶ ଯୋଶୀ ଏ ନେଇ ଆଣ୍ଟି କରପସନ ବ୍ୟୁରୋ (ଏସିବି)ରେ ରାଜସ୍ଥାନ ସରକାରଙ୍କୁ ସମର୍ଥନ କରୁଥିବା ନିର୍ଦ୍ଦଳୀୟ ବିଧାୟକଙ୍କ କିଣାବିକା ଲାଗି ବିଜେପି ଯୋଜନା କରୁଥିବା ନେଇ ଏକ ଅଭିଯୋଗ ଦାଖଲ କରିଛନ୍ତି। ବିଜେପି କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ମଧ୍ୟ ସରକାର ଭାଙ୍ଗିବା ଲାଗି ଯୋଜାନା କରୁଥାଇପାରେ ବୋଲି ଯୋଶୀ କହିଛନ୍ତି। ତେବେ ବିଜେପି ରାଜ୍ୟ ମୁଖପାତ୍ର ମୁକେଶ ପାରିକ୍ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗକୁ ଦୃଢନିନ୍ଦା କରିଛନ୍ତି।

Leave a Reply

Your email address will not be published.