ଗାଁରେ  ନାହିଁ ରଜ ମଉଜ

ମାଧବାନନ୍ଦ ବେହୁରା

ଓ ହୋ କି ଶାନ୍ତି! ପ୍ରଭୁ ରକ୍ଷା କରିଦେଲେ । ଘରକୁ ଆସିବ ବୋଲି ଏତେ କଷ୍ଟ । ଆଉ ପାରିବିନି ବାବା । ତୁମେ ଚାଲ, ମୁଁ ଟିକିଏ ଏହି ବରଗଛ ଛାଇରେ ବସିକି ଯାଉଛି – କହିଲେ ସୁରୀ ।

ଆରେ, ଆଉ ବେଶି ବାଟ ନାହିଁ । ଆସ ଚାଲିକି ପଳାଇବା, ଘର ତ ଦେଖାଯାଉଛି । ତା’ପରେ ଘରୁ କେହି ବି ଆସି ପହଞ୍ଚିଯିବେ । ତୁମେ ତାଙ୍କ ସହ ବାଇକ୍‌ରେ ପଳାଇବ ଆଉ ମୁଁ ଆଉ ପ୍ରମୋଦ ଘରକୁ ଧିରେ ଧିରେ ଚାଲିକି ଯାଉଛୁ ବୋଲି କହିଲେ ପ୍ରତାପ ବାବୁ ।

ବସ୍‌ ଷ୍ଟପରୁ ପ୍ରତାପ ବାବୁଙ୍କ ଘର ପାଖାପାଖି ଅଧ କିଲୋମିଟର ହେବ । ଶ୍ରୀରାମପୁର ଗାଁ ଡେଇଁ କିଛି ବାଟ ବିଲ ଓ ତା’ରି ଭିତରେ ଯେମିତି ଛାତି ଚିରି ଚାଲିଯାଇଛି ମଧୁପୁରକୁ ଏକ ଛୋଟିଆ ଅଣଓସାରିଆ ରାସ୍ତା । ୨୦ ବର୍ଷ ତଳେ ମଧୁପୁରକୁ ଯେମିତି ମାଟି ରାସ୍ତା ଥିଲା ସେମିତି ଆଜି ବି ଅଛି । କେବଳ ଏତିକି ହୋଇଛି ରାସ୍ତା ଉପରେ କିଛି ମୋରମ ଓ ଗୋଡ଼ି ପଡ଼ିଛି । ହେଲେ ବିଶେଷ କିଛି ପରିବର୍ତ୍ତନ ଦେଖାଯାଉନି। ତେବେ ଏହି ଗାଁକୁ ଗଲାବେଳେ କିଛି ବଡ଼ ବଡ଼ ବଟବୃକ୍ଷ ସହ ଗୋଟିଏ ପଟେ ବୈତରଣୀର ଶାଖା ନଦୀ ଚିରସ୍ରୋତା କପାଳି ବହିଯାଉଥିବା ବେଳେ ଅନ୍ୟପାର୍ଶ୍ବରେ  ଚାଷ ଜମି ସହ ଅର୍ଜୁନ, ଶିରିଷ, କୃଷ୍ଣଚୂଡ଼ା, ରାଧାଚୂଡ଼ା, ତେନ୍ତୁଳି ଓ ତାଳଗଛର ସମାହାର ଦେଖାଯାଏ । ଛୋଟିଆ ଗାଁ’ ଟିଏ ମଧୁପୁର । ଏହି ଗାଁରେ ରୁହନ୍ତି ଅତିବେଶିରେ ୩୫ ପରିବାର । ଦୂରରୁ ଭାରି ସୁନ୍ଦର ଲାଗେ ମଧୁପୁର । ଯେମିତି ସେ ଗାଁ’ଟିଏ ନୁହେଁ, ଦୂରରୁ ବୃକ୍ଷରାଜି ମଧ୍ୟରେ ସୁନ୍ଦର ଆଶ୍ରମଟିଏ ପରି ପରିଦୃଶ୍ୟ ହୁଏ ।

ଦୀର୍ଘ ୨୦ ବର୍ଷ ପରେ ପ୍ରତାପ ବାବୁ ଧର୍ମପତ୍ନୀ ସୁରମା ଓରଫ ସୁରୀଙ୍କ ସହ ଏକମାତ୍ର ପୁଅ ପ୍ରମୋଦକୁ ଧରି ରଜରେ ଗାଁକୁ ଆସିଛନ୍ତି। ବହୁ ବର୍ଷ ପରେ ସୁରୀ ଏଥର ଗାଁରେ ରଜ ପାଳିବେ । ସୁରୀଙ୍କ ରଜ ପାଳିବା କଥା ସହ ସଂଯୋଗ ବଶତଃ କମ୍ପାନୀ ଏଥର ପ୍ରତାପକୁ ଦୁଇଦିନ ଛୁଟି ଦେଇଛି । ଏହା ସହ ଆଉ ଦୁଇ ଦିନ ଛୁଟିକୁ ମିଶାଇ ସ-ପରିବାର ଗାଁକୁ ଫେରିଛନ୍ତି ।

ରାଜଧାନୀ ଭୁବେନେଶ୍ୱରରୁ ପ୍ରତାପ ବାବୁଙ୍କ ଗାଁକୁ ବସ୍‌ରେ ଯିବା ପାଇଁ ଦୀର୍ଘ ୪ ଘଣ୍ଟା ଲାଗିଯାଏ । ଏଇଟା ଏକ୍ସପ୍ରେସ ବସ କଥା, ଆଉ ଅର୍ଡ଼ିନାରୀ ବସ୍‌ରେ ଗଲେ ୫ ଘଣ୍ଟାରେ ବି ପହଞ୍ଚି ହେବ ନାହିଁ । ତା’ପରେ ଦୁଇ-ତିେନୋଟି ଗାଡ଼ିକୁ ବଦଳାଇବାକୁ ପଡିବ । ସେଥିପାଇଁ ସୁରୀ କିମ୍ବା ପ୍ରମୋଦର ଗାଁକୁ ଯିବା ପାଇଁ ସେତେଟା ଆଗ୍ରହ ନଥାଏ । ଏମିତି ତ ପ୍ରତାପବାବୁଙ୍କୁ କମ୍ପାନୀ ଛୁଟି ଦିଏ ନାହିଁ । କିଏ ବି ଏମାନଙ୍କୁ ନେଇ ଏତେ କଷ୍ଟରେ ଗାଁକୁ ଯିବ? ତେଣୁ କାମ କାର୍ଯ୍ୟରେ ପ୍ରତାପ ବାବୁ ଏକା ହିଁ ଗାଁକୁ ଯାଆନ୍ତି । ଏଥର କିନ୍ତୁ ପତ୍ନୀଙ୍କୁ କଷ୍ଟ ନହେବା ପାଇଁ ଏସି ଥିବା ଏକ୍ସପ୍ରେସ ବସରେ ଅଧିକ ଭଡ଼ା ଦେଇ ଗାଁକୁ ଆସିଛନ୍ତି । ସେଥିପାଇଁ ମଝିରେ ମଝିରେ ବସ ଅଟକିଲେ ତଳକୁ ଯାଇ ଥଣ୍ଡା ପାଣି ଓ ବିସ୍କୁଟ ଓ କୋଲ୍ଡ ଡ୍ରିଙ୍କ୍ସ ଆଣି ସୁରୀଙ୍କ ହାତରେ ଧରାଇ ଦିଅନ୍ତି । ଆଗ୍ରହ ଥିଲେ ବି ସୁରୀ ଅନାଗ୍ରହ ଦେଖାଇଲା ଭଳି କୁହନ୍ତି କାହିଁକି ଏସବୁ ଆଣୁଛ; ନଆଣିଲେ କଣ ଚଳିନି!  ବସ ଯଦି ଛାଡ଼ିଦେବ…. ? କେବଳ ସୁରୀଙ୍କୁ ଖୁସି କରିବା ପାଇଁ ପ୍ରତାପ ବାବୁ ଏସବୁ କରନ୍ତି । ହେଲେ ମନେ ମନେ ଭାବନ୍ତି ଆଜି ବହୁତ ଖର୍ଚ୍ଚ ହୋଇଗଲା । ଏକ୍‌ ତ ଅଧିକ ପଇସା ଦେଇ ବସରେ ଆଣିଲି, ତାପରେ ପୁଣି ବାଟ ଖର୍ଚ୍ଚ ବଢିଗଲା ।

ଗୋଟିଏ ସିଟ୍‌ରେ ସୁରୀ ଓ ପ୍ରତାପ ବାବୁ ବସିଥିବାବେଳେ ପଛ ସିଟ୍‌ରେ ପୁଅ ପ୍ରମୋଦ ମୋବାଇଲ ଧରି ବସିଥାଏ । ତାର ମୋବାଇଲ ଭଲ ତ ସେ ଭଲ । ତା’ପରେ ପୁଣି ଆଜିକାଲି କା ମୋବାଇଲ । ଗୁଗୁଲକୁ ଯେଉଁ ଗୀତ ହେଉ କି ଯେଉଁ ବିଷୟ ମାଗିବ ସେ ସଙ୍ଗେ ସଙ୍ଗେ ଆଣି ଥୋଇଦେବ । ତେଣୁ ସେ ତା’ ଦୁନିଆରେ ବ୍ୟସ୍ତ ଥାଏ । ଭଦ୍ରକ ବନ୍ତ ଛକରେ ବସ ଅଟକିଲା । ବନ୍ତ ଛକରେ କିଏ ଓହ୍ଲାଇବ ବଡ଼ ପାଟିରେ ଡାକିଲା ହେଲପର । ଧରପଡ଼ ହୋଇ ଊଠିପଡ଼ିଲେ ପ୍ରତାପ ବାବୁ । ବେଶି ସମୟ ବସ୍‌ ରହିବ ନାହିଁ, ତେଣୁ ଯାତ୍ରୀମାନେ ଓହ୍ଲାଇବା ସହ ପ୍ରତାପ ବାବୁ ବ୍ୟାଗଗୁଡ଼ିକ ଧରି ତଳକୁ ଓହ୍ଲାଇ ଆସିଲେ । ପୁଅ ଓ ପତ୍ନୀ ପରକୁ ପର ହୋଇ ତଳକୁ ଓହ୍ଲାଇ ପଡ଼ିଲେ । ବସ୍‌ଟି ବାରିପଦା ଅଭିମୁଖେ ଚାଲିଗଲା । ଅନ୍ୟପଟେ ପ୍ରତାପ ବାବୁ କଲିକତି ବାବୁଙ୍କ ପରି ବାମ କାନ୍ଧରେ ଗୋଟିଏ ବ୍ୟାଗ ପକାଇବା ସହ ଦୁଇ ହାତରେ ବଡ଼ ବଡ଼ ବ୍ୟାଗ ଦୁଇଟି ଧରି ନିଜ ଗାଁକୁ ଯାଉଥିବା ଗାଡ଼ି ଅନ୍ବେଷଣରେ ଆଗକୁ ବଢିଲେ ।

ଜୁସ ମାସ । ଟାଣ ଖରା ସହ ଅସହ୍ୟ ଗୁଳୁଗୁଳି । ତା’ ସହିତ ପୁଣି ଝାଞ୍ଜି ପବନ । ଦେହ ପୋଡ଼ିଯିବା ସହ ଭୀଷଣ ଶୋଷ ବି ଲାଗୁଛି । ଗୁଳୁଗୁଳି ହେବନି କେମିତି । ମା’ ପରା ଆମ ପିଲାବେଳେ କହେ ଏହି ସମୟରେ ବଡ଼ ଠାକୁର ଅଣସରରେ ରୁହନ୍ତି । ତେଣୁ ଗୁଳୁଗୁଳି ହେବ ହିଁ ହେବ । ଆଉ ଗୁଳୁଗୁଳି ନହେଲେ ଜଙ୍ଗଲରେ ଆମ୍ବ, ପଣସ, ସପୁରୀ ପାଚିବ କେମିତି । ଏସବୁ ପାଚିଲେ ସିନା ବାଘ, ଭାଲୁ, ହାତୀ ଆଦି ଖାଇ ଖୁସି ମନାଇବେ । ସେଥିପାଇଁ ବୋଧେ ଆଜି ଆକାଶରୁ ନିଆଁ ଝୁଲ ଖସୁଛି – ମନେମନେ ଭାବୁଥାନ୍ତି ପ୍ରତାପ ବାବୁ ।
ହଇହେ, ତୁମ ଗାଁକୁ କଣ ରାସ୍ତା ସରିବ ନାହିଁ କି ? ଇଏ ଯେମିତି ଖରା ହେଉଛି, ମୁଁ ଆଉ ଚାଲିପାରିବି ନାହିଁ – ରୋକଠୋକ ଭାବେ କହିଲେ ସୁରୀ ।

ଆଉ ଅଳ୍ପବାଟ ରହିଲା ପରା, ଟିକେ କଷ୍ଟ ହେବ, ଆସ ଚାଲି ପଳାଇଯିବା । ସହରରେ ବଢିଥିବା ପୁଅ ବି ଥକି ପଡ଼ିଥାଏ । କେବଳ ଗାଁକୁ ରଜରେ ଆସିବାର ଖୁସିରେ ସେ ଯେମିତି କଷ୍ଟକୁ ଭୁଲି ଯାଇଥାଏ । ଟିକେ ରୁହ, ଘରୁ କିଏ ଆସଥିବ। ହଁ ମ, କାହିଁ ମତେ ତ କିଛି ଦେଖାଯାଉନାହିଁ । ମୁଁ କେତେକରି କହିଲି କାର୍‌ଟିଏ କରିଦିଅ, ଗାଁ’କୁ ଯିବା । ମୋ କଥା କାହିଁ ଶୁଣିଲ? ଏହି ସମୟରେ ଚିକ୍‌ମିକ୍‌ ଖରାକୁ ଭେଦ କରି ସାମ୍ନା ପଟୁ ଏକ ମଟର ସାଇକେଲ ଆସୁଥିବାଦେଖି ଆଶ୍ୱସ୍ତ ହେଲେ ପ୍ରତାପ ବାବୁ । ଏହି ଦେଖ କିଏ ଜଣେ ଅସିଲେଣି, ତୁମକୁ ନେବା ପାଇଁ । ତୁମେ ଆଉ ବ୍ୟସ୍ତ ହୁଅନାହିଁ । ଏହି ସମୟରେ ପୁତୁରା ନଟିଆ ମଟର ସାଇକେଲ ପାଖରେ ଆଣି ରଖି ଦାଦା-ଖୁଡ଼ିଙ୍କୁ ପ୍ରଣାମ କଲା । ହଉ ହଉ ହେଲା-ତୁ  ଖୁଡ଼ିକୁ ଧରି ଅଗେ ଘରକୁ ଗଲୁ, ପ୍ରମୋଦର ମୋର ଘରକୁ ଯାଉଛୁ ।

ରଜ ଭଳି ସମୟରେ ପୁଣି ଏତେ ବର୍ଷ ପରେ ସୁରୀ ଗାଁକୁ ଆସୁଥିବାରୁ ମନରେ ଖୁସି କହିଲେ ନସରେ । ପୁତୁରା-ଝିଆରୀ, ନାତୀ-ନାତୁଣୀ ଜଣକ ପରେ ଜଣେ ଆସି ତାଙ୍କୁ ମୁଣ୍ଡିଆ ମାରିଲେ । ଦେଢଶୂର ଓ ଜା’ମାନଙ୍କୁ ସୁରୀ ବୁଲି ବୁଲି ମୁଣ୍ଡିଆ ବି ମାରିଲେ । ଏହି ସମୟ ଭିତରେ ପ୍ରତାପ ବାବୁ ଓ ପୁଅ ପ୍ରମୋଦ ଘରକୁ ଆସି ପହଞ୍ଚିଗଲେ । ଝାଳ ଜୁଡୁବୁଡୁ ହୋଇ ଉଭୟ ଆସି ପହଞ୍ଚିବା ପରେ ଘରେ ଖୁସି କହିଲେ ନସରେ। ଫ୍ୟାନ ଲଗାଇ ଦେଇ ସାନ ବୋହୂ କହିଲେ ଦାଦା ଏଇଠି ବସନ୍ତୁ, ମୁଁ ପାଣି ଆଣୁଛି । ଫ୍ୟାନର ଥଣ୍ଡା ପବନ ପାଇ ଆଶ୍ୱସ୍ତ ହେଲେ ପ୍ରତାପ ବାବୁ ।

ବହୂ ବର୍ଷ ପରେ ଗାଁକୁ ଫେରିଥିବା ସୁରୀ କିନ୍ତୁ ଖୁସି ହେବା ବଦଳରେ କିଛି ଅଭାବବୋଧ ଅନୁଭବ କଲେ । ଏହି ରଜ ବେଳେ ସେ ମଧୁପୁରକୁ ବୋହୂ ହୋଇ ଆସିଥିଲେ । ସେତେବେଳେ ଖୁସି କହିଲେ ନସରେ । ଗାଁ ଘୋ ଘୋ କରୁଥିଲା । ପିଠା, ପଣା, ନାଚ, ଗୀତ, ଲୁଡୁ ଓ ତାସ ଖେଳ ସହ ବାଗୁଡ଼ି ଖେଳରେ ଗାଁଟା ସାରା କମ୍ପୁଥିଲା । ଝିଅମାନେ ସଜ ହୋଇ ଦଳ ଦଳ ହୋଇ ବୁଲୁଥିଲେ। ଦୋଳି ବି ଖେଳୁଥିଲେ । କିନ୍ତୁ ଆଜି କାହିଁକି ଗାଁଟା ଖାଁ ଖାଁ ଲାଗୁଛି । କଣ ମଧୁପୁରରେ ଆଉ ରଜ ଉସିବ ପାଳନ ହେଉ ନାହିଁ । ଭୋଜି ଭାତ ବି ଆୟୋଜନ ହେଉନାହିଁ ।

ଏମିତି ଅନେକ ଅସମାହିତ ପ୍ରଶ୍ନର ବଳୟ ଭିତରେ ପଡ଼ିଯାଇଥିଲେ ସୁରୀ । ଜା’ମାନଙ୍କୁ ବି ସେ ଏହି ବିଷୟରେ ପଚାରି ପାରୁନଥିଲେ। ସତରେ କଣ ସବୁ ବଦଳି ଯାଇଛି । ଗାଁର ଚିତ୍ର ବି ବଦଳିବା ସହ ପର୍ବପର୍ବାଣୀ ବି କଣ ପାଳନ ହେଉନି । ଏହି ସମୟରେ ବଡ଼ ଜା’ ନନ୍ଦିନୀ-ସୁରୀଙ୍କ ପାଖକୁ ଆସି କହିଲେ କିଲୋ ସାନବୋହୂ ଖାଇବୁନି କି? ଏମିତି ବସିଛୁ କାହିଁକି?
ଚମକି ପଡ଼ିଲେ ସୁରୀ ! ହଁ, ମ ଅପା, ଏଇ ଯାଉଛି ଖାଇବି ।
ଅପା, ଗୋଟିଏ କଥା ପଚାରିବି ।
କ’ଣ କହୁନୁ?

ଏଥର କଣ ଆମ ଗାଁରେ ରଜ ଉସିବ ପାଳନ ହେଉନି କି, କାହିଁ କେହି ତ ଆମ ଘରକୁ ଆସୁନାହାନ୍ତି, ଆମ ଛୁଆ ବି କାହିଁ କାହା ଘରକୁ କି ଦୋଳି ଖେଳିବାକୁ ଯାଉ ନାହାଁନ୍ତି । ଘରେ କାହିଁ ପିଠା ପଣା କିଛି ହେଉନି । କ’ଣ ହୋଇଛି କି !

ଆଲୋ ତୁ କଣ କିଛି ଜାଣିନୁ କି ।

ତତେ କଣ କିଛି ପ୍ରତାପ କହି ନାହାନ୍ତି କି । ସିଏ ବି ମତେ କିଛି କହି ନାହାନ୍ତି ତ । ମତେ କେବେ କେଉଁ କଥା କୁହନ୍ତି ଯେ, ଆଜି ଏ କଥା କହିବେ ।

ଆଲୋ, ଏଇ ୧୫ ଦିନ ତଳେ ପରା ଗାଁରେ ଭୀଷଣ ଗଣ୍ଡଗୋଳ ହୋଇଛି । ଇଏ କ’ଣ କହୁଥିଲେ ଆମ ଗାଁ ରାସ୍ତାକାମ ପାଇଁ ୫ ଲକ୍ଷ ଟଙ୍କା ସରକାର ଦେଇଛନ୍ତି । ଏହି କାମକୁ ପରା କିଏ କରିବ ତାକୁ ନେଇ ଗଣ୍ଡଗୋଳ । ଗାଁର ବିଜେଡି ବାଲା କହୁଛନ୍ତି ଆମ ସରକାର ଦେଇଛି । କାମ ଆମେ କରିବୁ । ବିଜେପି ବାଲା କହୁଛନ୍ତି କେନ୍ଦ୍ରରେ ଆମ ସରକାର ଅଛି । କେନ୍ଦ୍ର ଟଙ୍କା ଦେଉଛି ବୋଲି ସିନା ରାଜ୍ୟ ସରକାର ରାସ୍ତା କାମ ପାଇଁ ଟଙ୍କା ଦେଉଛନ୍ତି । ଏତେ ବର୍ଷ ହେଲା କାହିଁ ରାଜ୍ୟ ସରକାର ତ ରାସ୍ତା କାମ ପାଇଁ ଟଙ୍କାଟିଏ ବି ଦେଉନଥିଲେ, ଏବେ କେମିତି ଦେଲେ? ତେଣୁ ରାସ୍ତାକାମ ଆମେ କରିବୁ । ଆଉ କଂଗ୍ରେସ ସପକ୍ଷ ବାଲାଙ୍କ କଥା ଛାଡ଼, ସେ ତ ସବୁଥିରେ ଫାଳ ପୁରାଇବେ । ଏହି କଥାକୁ ନେଇକି ପରା ଗାଁରେ ଗଣ୍ଡଗୋଳ ଆଉ ସାହି ସାରା ୩ ଦଳ ହୋଇ ରହିଛନ୍ତି । ସେ ସାହୁ ଘର ପୁଅ ବଳିଆ ଆଗକୁ ବଢ଼ି ଦ୍ୱିପଦ କଥା କହିଲା ଯେ, ତାକୁ ମିଶି କି ମାରିଲେ । ମାମଲା ଏବେ କୋର୍ଟରେ ଅଛି । ୧୦ ଜଣ ଜେଲ ଯାଇଥିଲେ ଯେ, ଏହି ଚାରି ଦିନ ତଳେ ଘରକୁ ଆସିଛନ୍ତି । ଆଉ ଏଭଳି ଭିତରେ କ’ଣ ନା କହୁଛୁ ରଜ ହେବନି କି ଅପା !

ହତବମ୍ବ ହୋଇ ପଡ଼ିଲେ ସୁରୀ । ଯେଉଁ ମଧୁପୁରରେ ସେ ୨୦ ବର୍ଷ ତଳେ ଦେଖିଥିଲେ ଗାଁରେ ଲୋକମାନେ ଏକାଠି ଚଳୁଥିଲେ । ପରସ୍ପର ମଧ୍ୟରେ ଏତେ ଆତ୍ମୀୟତା ଓ ନିବିଡ଼ତା ଥିଲା ତାହା ଏବେ ଦେଖିବାକୁ ମିଳୁନି । କେହି କାହା ଘରକୁ ଯିବା ଆସିବା କରୁ ନାହାନ୍ତି । ଗାଁ ଦାଣ୍ଡ ଯେମିତି ଖାଁ ଖାଁ ଲାଗୁଛି । ମଣିଷପଣିଆ ଦୂରେଇ ଯାଇ ସ୍ୱାର୍ଥପରତା ଓ ପରଶ୍ରୀ କାତରତାରେ ଯେମିତି ସମସ୍ତେ ବୁଡ଼ି ଯାଇଛନ୍ତି । କୁହାଯାଏ, ଦେଶର ପ୍ରଗତୀ ସହ ମଣିଷର ମାନସିକତାରେ ବିକାଶ ଘଟେ । ମ।ତ୍ର ଏଠି ତ ଅଲଗା କିଛି ହୋଇଛି । ଗାଁର ବିକାଶ ହେବା ବଦଳରେ ବିନାଶ ହୋଇଛି । ମଣିଷ ପଣିଆ ହଜି ଯାଇଛି । ଯେଉଁ ଗାଁରେ ହରିହାଟ ଘରେ ସର୍ବବା ସନ୍ଧ୍ୟାରେ ଗୀତା, ଭାଗବତ ଗାନ ହେଉଥିଲା, ସେଠି ଏବେ ହିନ୍ଦୀ ଫିଲ୍ମ ଗୀତ ଶୁଣିବାକୁ ମିଳୁଛି । କେହି କାହା ମୁହଁକୁ ଅନଉ ନାହାଁନ୍ତି । ସବୁଠି ଅସହିଷ୍ଣୁତା କାୟା ମେଲିଛି । ସେଠି ଭଲ ପାଇବା ରହିବ ବା କେଉଁଠି । ଏମିତି ଭାବନା ଜଗତରେ ସୂରୀ ହଜି ଯାଇଥିବାବେଳେ ବଡ଼ ଜା’ ନନ୍ଦିନୀ ପୁଣିଥରେ ସୁରୀଙ୍କ ଶୋଇବା ଘରକୁ ଆସି ହଲାଇ ଦେଇ କହିଲେ ଆଲୋ ସାନ ବୋହୂ ସଂଜ ହେଲାଣି ପରା । ଆସ ବାଡ଼ିଆଡ଼େ ଟିକେ ବୁଲିଯିବା । ଧରପଡ଼ ହୋଇ ବିଛଣାରୁ ଉଠି ପଡ଼ିଲେ ସୁରୀ । ହଉ ଚାଲ ଯିବା…. ।

 

ଲେଖକ ଜଣେ ସାମ୍ବାଦିକ। ଉଦୃତ ଗଳ୍ପଟି ତାଙ୍କ ବ୍ୟକ୍ତିଗତ ସର୍ଜନାର ଏକ ନିଦର୍ଶନ। ସାମ୍ପ୍ରତିକ ରାଜନୀତି ଭିତ୍ତିକ ସାମାଜିକ ଚଳଣିରେ ପରମ୍ପରାକୁ ସଂଯୋଗ କରି ଏହି ବିଷୟଭିତ୍ତିକ ଗଳ୍ପକୁ ରଚନା କରିଛନ୍ତି।  ତାଙ୍କୁ ସମ୍ପର୍କ କରିବା ଲାଗି ମୋବାଇଲ୍‌ ନମ୍ବର: 9439315905

Leave a Reply