ହୋଇପାରେ ବିଜେପି-ଏମଏନଏସ ମେଣ୍ଟ!

ମୁମ୍ବାଇ(ଓଟି): ସମ୍ପ୍ରତି ମହାରାଷ୍ଟ୍ରରେ ନୂଆ ସରକାର ଚାଲିଛି। ବହୁ ମହାନାଟକ ପରେ ନିକଟରେ ଉଦ୍ଧବ ଗଢ଼ିଛନ୍ତି ସରକାର। ବିଜେପିକୁ ସଂଖ୍ୟାର ଖେଳରେ ପଛରେ ପକାଇ ଶିବସେନା ଏକ ରେକର୍ଡ କରିଛି କହିଲେ ଅତ୍ୟୁକ୍ତି ହେବନି। ତେବେ କ୍ଷମତାର ଲୋଭ ଆଉ ପାରିବାରିକ ରାଜନୀତିର ଅଡୁଆ ଖିଅ ତଥା ଅଶାନ୍ତି ସ୍ଥିତିକୁ ଭିନ୍ନମୋଡ଼ ଦେଇପାରେ ବୋଲି ରାଜନୀତିକ ବିଶେଷଜ୍ଞ ମହଲରେ ଚର୍ଚ୍ଚା ଜୋର ଧରିଛି। ରାଜ ଠାକରେ ଓ ତାଙ୍କ ନେତୃତ୍ଵାଧୀନ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମଏନଏସ) ସମ୍ପ୍ରତି ଲୁଚାଛପାରେ ମୋଦୀଙ୍କ ପ୍ରଶଂସାଗାନ କରିବାକୁ ନେଇ ଉକ୍ତ ଚର୍ଚ୍ଚାର ସୂତ୍ରପାତ ହୋଇଥିବାବେଳେ କେତେକଙ୍କ ମତରେ ବିଜେପି ସହ ଦଳ ମେଣ୍ଟ ପାଇଁ ବୋଧେ ଆଗ୍ରହୀ ରହିଛି। ଏହାଦ୍ଵାରା ପାରିବାରିକ ରାଜନୀତି ମଧ୍ୟରେ ରହିଥିବା କ୍ଷମତାର ଲୋଭ ଓ ପରାଜୟ ଗ୍ଳାନିର ପ୍ରତିଶୋଧ ନିଆଯାଇପାରେ!

ସୂଚନା ଅନୁସାରେ ଗୁରୁବାର ଶିବସେନାର ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଜୟନ୍ତୀ ଥିଲା। ପୁତ୍ର ଉଦ୍ଧବ ଠାକରେ ଓ ତାଙ୍କ ଦଳୀୟ ସମର୍ଥକ ପିତାଙ୍କ ଜନ୍ମଦିନ ଧୁମଧାମରେ ପାଳନ କରିଥିଲେ। ସେହିପରି ପୁତୁରା ରାଜ ଠାକରେ ମଧ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜନ କରିବା ସହ କିଛି ନୂଆ କରିବାର ଶପଥ ଗ୍ରହଣ କରିଥିଲେ। ଖାଲି ସେତିକି ନୁହେଁ, କାର୍ଯ୍ୟକ୍ରମ ଅବସରରେ ପୁଅ ଅମିତକୁ ମଧ୍ୟ ସେ ରାଜନୀତିକୁ ବିଧିବଦ୍ଧ ଭାବେ ପ୍ରବେଶ କରାଇଥିଲେ। ବାସ୍‌ ଏହାକୁ ନେଇ ଆରମ୍ଭ ହୋଇଛି ଅସଲ ଆଲୋଚନା।

ସୂଚନାଯୋଗ୍ୟ ପୂର୍ବରୁ ଏନ୍‌ଡିଏ ସହ ମିଶି କେନ୍ଦ୍ରରେ ବହୁଥର କ୍ଷମତା ଭୋଗ କରିସାରିଛି ଶିବସେନା। ସେହିପରି ନିଜ ରାଜ୍ୟ ମହାରାଷ୍ଟ୍ରରେ ମଧ୍ୟ ପ୍ରଭୁତ୍ଵ ଜାହିର କରିଛି ଦଳ। କିନ୍ତୁ କ୍ଷମତାର ରିମୋଟ୍ କଣ୍ଟ୍ରୋଲ ସର୍ବଦା ହାଇକମାଣ୍ଡ ବାଲାସାହେବଙ୍କ ପାଖରେ ରହୁଥିଲାବେଳେ ତାକୁ ବିଶେଷକରି ପରିଚାଳିତ କରୁଥିଲେ ପୁତୁରା ରାଜ। ବାଲ୍‌ ଠାକରେ କହିଲେ ମୁମ୍ବାଇ ପଡୁଥିଲା ଉଠୁଥିଲା ଏବଂ ରାଜଙ୍କ ଥିଲା ଖୁବ୍‌ କାଟତି। କିନ୍ତୁ ସମୟକ୍ରମେ ଦଳ ମୁଖିଆ ବାଲାସାହେବ ଶେଷ ପର୍ଯ୍ୟାୟରେ ନିଜ ପୁତ୍ର ଉଦ୍ଧବଙ୍କୁ ହିଁ ନିଜ ସାମ୍ରାଜ୍ୟର ଉତ୍ତରାଧିକାରୀ ଭାବେ ଚୟନ କରିଥିଲେ। ଏଥିରେ ଅସନ୍ତୁଷ୍ଟ ହୋଇଥିଲେ ରାଜ। ଆଉ ବାଛିଥିଲେ ନିଜର ସ୍ଵତନ୍ତ୍ର ରାସ୍ତା। ସେଇଠୁ ସୃଷ୍ଟି ହୋଇଥିଲା ଏମଏନଏସ୍‌ ବା ମହାରାଷ୍ଟ୍ର ନବନିର୍ମାଣ ସେନା। କିନ୍ତୁ ବହୁ ପ୍ରସଙ୍ଗକୁ ଭିତ୍ତିକରି ଆଉ ଅନେକ ସମସ୍ୟାକୁ ଉପସ୍ଥାପିତ କରି ଏମଏନଏସ୍ ନିର୍ବାଚନ ଲଢ଼ିଆସିଥିଲେ ମଧ୍ୟ ପାଇନାହିଁ ଆଶାଜନକ ସଫଳତା। ତେବେ ଅମିତଙ୍କ ରାଜନୀତିକୁ ପ୍ରବେଶ ପରେ ଦଳକୁ ଭବିଷ୍ୟତର ମାର୍ଗ ଉନ୍ମୁକ୍ତ ଲାଗି ସହଜ ହୋଇପାରେ ବୋଲି କୁହାଯାଉଛି।

ମୁମ୍ବାଇ ଉପନଗର ଗୋରେଗାଓଁରେ ଆୟୋଜିତ ସଭାରେ ଅମିତଙ୍କୁ ପିତା ରାଜ ଠାକରେ ରାଜନୀତି ପ୍ରବେଶ କରାଇଥିବାବେଳେ ଦଳ କୁଆଡ଼େ ଭିତିରିଆ ମୋଦୀଙ୍କୁ ଖୁବ୍‌ ପ୍ରଶଂସା କରୁଛି। ଅନ୍ୟପକ୍ଷରେ ଶିବସେନାକୁ ମହାରାଷ୍ଟ୍ରରେ ଟକ୍କର୍ ଦେବାକୁ ହେଲେ ବିଜେପିକୁ ମଧ୍ୟ ସହଯୋଗ ଦରକାର। ତେଣୁ ଏକ ନୂତନ ସନ୍ଧି ସୃଷ୍ଟି ହୋଇପାରେ ବୋଲି ବିଶେଷଜ୍ଞମାନେ ଆଲୋଚନା କରୁଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ ପାରିବାରିକ ରାଜନୀତିର ଦୃଶ୍ୟପଟ୍ଟରେ ସମ୍ପ୍ରତି ଉଦ୍ଧବ ସରକାର ଗଠନ କରି ଦଳ ମୁଖିଆ ସମେତ ମୁଖ୍ୟମନ୍ତ୍ରୀ ଥିବାବେଳେ ପୁତ୍ର ଆଦିତ୍ୟ ପର୍ଯ୍ୟଟନମନ୍ତ୍ରୀ ପଦରେ ଅଛନ୍ତି। ଏଭଳି ସ୍ଥିତିରେ ଠାକରେ ପରିବାରର ଦ୍ଵିତୀୟ ପିଢ଼ି ଭାବେ ଉଦ୍ଧବ-ରାଜ ରାଜନୀତିକ ଲଢ଼େଇ ତୃତୀୟ ପିଢ଼ି ଆଦିତ୍ୟ-ଅମିତଙ୍କ ନିକଟରେ ପହଞ୍ଚିସାରିଛି। ଆଗକୁ କଣ ହେବ ସମୟ ହିଁ ସାକ୍ଷୀ।

  • ଏସପି

Leave a Reply

Your email address will not be published.