ମହାରାଷ୍ଟ୍ରରେ ବର୍ଷା ବିତ୍ପାତ, ୧୩୬ ମୃତ

ମୁମ୍ବାଇ, (ଓଡିଶା ଟାଇମ୍):ମୌସୁମି ବର୍ଷା ଜନିତ ବନ୍ୟା, ମାଟି ଅତଡା ଧସିବା ଓ ଘର ଭାଙ୍ଗିବା ଘଟଣାରେ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ମୋଟ ୧୩୬ଜଣଙ୍କର ମୃତ୍ୟୁ ହୋଇଛି। ଗତ ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଏହି ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ଓ ନିଖୋଜ ଅଛନ୍ତି। କେବଳ ରାଇଗଡ ଜିଲାର ତିନିଟି ସ୍ଥାନରେ ମାଟି ଅତଡା ଧସି ୩୬ଜଣଙ୍କର ମୃତ୍ୟୁ ହୋଇଛି। ଗୁରୁବାର ରାତିରେ ଏହି ମାଟି ଅତଡା ଧସିଥିଲା। ମାଟି ଅତଡା ମଧ୍ୟରେ ୩୦ରୁ ୩୫ଜଣ ପୋତି ହୋଇରହିଥିବାବେଳେ ସେମାନଙ୍କୁ ଉଦ୍ଧାର ନିମନ୍ତେ ଏନଡିଆରଏଫ୍ ଦଳ ପଠାଯାଇଛି। ସତାରା ଅଞ୍ଚଳରେ ମଧ୍ୟ ମାଟି ଅତଡା ଧସି ୧୨ଜଣ ଫସି ରହିଛନ୍ତି।

ଉପକୂଳ ଓ ପଶ୍ଚିମ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବର୍ଷା ବିତ୍ପାତରେ ୯ଜଣଙ୍କର ମୃତ୍ୟୁ ହୋଇଛି। ରାଇଗଡ ଓ ରତ୍ନଗିରି ଜିଲାର ଅନେକ ସହର ବନ୍ୟା ପ୍ଲାବିତ ହୋଇଛି। ପ୍ରାୟ ୨୪ଟି ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି। ଗୁରୁବାର ଠାରୁ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଯାଇଥିବାବେଳେ ବିଭିନ୍ନ ସ୍ଥାନରେ ଅଘଟଣ ଘଟିଛି। ବନ୍ୟା ଓ ମାଟି ଅତଡା ଧସିବା ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଏନଡିଆରଏଫର ୧୮ଟି ବାହିନୀକୁ ମୁତୟନ କରାଯାଇଛି। ଏହାସହିତ ସେନାର ତିନି ବାହିନୀକୁ ମଧ୍ୟ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ କରାଯାଇଛି। ବାୟୁସେନାର ହେଲିକପ୍ଟର ବନ୍ୟା ଘେରରେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଛି।

ସେହିପରି ସେନାର ସଦର୍ଣ୍ଣ କମାଣ୍ଡକୁ ରିଲିଫ କାର୍ଯ୍ୟରେ ସହଯୋଗ ନିମନ୍ତେ ପଠାଯାଇଛି। ପ୍ରବଳ ବର୍ଷା ଯୋଗୁଁ ରାଜ୍ୟର ପ୍ରମୁଖ ନଦୀର ଜଳପତ୍ତନ ବୃଦ୍ଧି ପାଇଛି। ପଞ୍ଚଗଙ୍ଗା ନଦୀର ରାଜାରାମ ସେତୁ ନିକଟରେ ଜଳପତ୍ତନ ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ବଶିଷ୍ଟି ଓ ସାବିତ୍ରୀ ନଦୀରେ ଜଳପତ୍ତନ ମଧ୍ୟ ବିପଦ ସଙ୍କେତ ନିକଟରେ ପହଞ୍ଚିଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୪୮ ଘଣ୍ଟା ରାଜ୍ୟର ୬ଟି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ତେଣୁ ଏହି ସବୁ ଜିଲା ପାଇଁ ଆଇଏମଡି ରେଡ୍‌ ଆଲର୍ଟ ଜାରି କରିଛି। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଘରୁ ନ ବାହାରିବାକୁ ନିବେଦନ କରାଯାଇଛି।

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପରିସ୍ଥିତିର ସମୀକ୍ଷା କରିବା ସହିତ ମୃତବ୍ୟକ୍ତିଙ୍କ ପରିବାର ପାଇଁ ୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୃତ ବ୍ୟକ୍ତିଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ପ୍ରତ୍ୟେକଙ୍କ ପାଇଁ ୨ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। ଏହା ସହିତ ବନ୍ୟା ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ସହାୟତା ନିମନ୍ତେ ପ୍ରତିଶ୍ରୁତି ଦେଇଛନ୍ତି। ସେହିପରି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ କଥା ହୋଇ ପରିସ୍ଥିତି ବାବଦରେ ଅବଗତ ହୋଇଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଅଜିତ ପୱାରଙ୍କ ସହିତ କଥା ହୋଇ ସେନା ସହାୟତା ବାବଦରେ କଥା ହୋଇଛନ୍ତି।

Leave a Reply

Your email address will not be published.