୧୦ରେ ଓଡିଶା ଛୁଇଁବ ମୌସୁମୀ ! ୧୧ରୁ ଅତିପ୍ରବଳ ବର୍ଷା

ଭୁବନେଶ୍ବର, (ଓଡିଶା ଟାଇମ୍): pଆସୁଛି ମୌସୁମୀ । ପାଗ ବଦଳିଲାଣି। ରାଜ୍ୟରେ ନିୟମିତ ପ୍ରାକ୍‌ ମୌସୁମୀ ବର୍ଷା ଜାରି ରହିଛି। ସ୍ଥିତି ପୂରା ଅନୁକୂଳ। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ଦାନା ବାନ୍ଧୁଛି। ଏହା ମୌସୁମୀକୁ ଧରି ଆଣି ଓଡ଼ିଶାରେ ଆସନ୍ତା ଦୁଇଦିନ (୯ ଜୁନ ଓ ୧୦ ଜୁନ୍‌) ଭିତରେ ପହଞ୍ଚାଇ ଦେବ। ଏଭଳି ଆକଳନ କରିଛି ପାଣିପାଗ ବିଭାଗ।

ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି, ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା ଅଛି। ଏହାବାଦ୍‌ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳରେ ଘଡ଼ଘଡ଼ି ସହ ୪୦-୫୦ କିମି ବେଗରେ ପବନ ଏବଂ ବର୍ଷା ହୋଇପାରେ।

ଆସନ୍ତା ୧୧ ଜୁନ୍‌ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବ। ତେବେ ୧୦ ତାରିଖ ସୁଦ୍ଧା ମୌସୁମୀ ଓଡ଼ିଶା ପ୍ରବେଶ କରିପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ୧୦ରୁ ୧୪ ତାରିଖ ଭିତରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଏବଂ କିଛି ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ଆଶଙ୍କା ଅଛି। ଅନ୍ୟପକ୍ଷରେ ଆସନ୍ତା ଦୁଇଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା, ପବନ ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

କୃଷି ପାଣିପାଗ ବିଜ୍ଞାନୀ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ହେଲା, ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ଓ ପରେ ଗଭୀର ଅବପାତ ରୂପ ନେବ। ଗଭୀର ଅବପାତ ରୂପ ନେଲାବେଳକୁ ଏହା ପଶ୍ଚିମ ଓଡ଼ିଶା ଉପରେ ଥିବା ଅନୁମାନ କରାଯାଉଛି। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶା ଅପେକ୍ଷା ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ। କେତେକ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ।

ଆସନ୍ତା ୧୦ ତାରିଖରେ ଉପକୂଳର କିଛି ଅଞ୍ଚଳରେ ସ୍ୱଳ୍ପ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ବଲାଙ୍ଗିର ଓ ଅବିଭକ୍ତ କୋରାପୁଟରେ ମଧ୍ୟମ ବର୍ଷା ହେବ । ୧୧ରୁ ୧୩ ତାରିଖ ଭିତରେ ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳରେ ସମୁଦାୟ ପ୍ରାୟ ୧୦୦ ମିଲିମିଟର ବର୍ଷା ହୋଇପାରେ । ଉତ୍ତର ଉପକୂଳ ଓ ଆଭ୍ୟନ୍ତରଣରେ ଆସନ୍ତା ୧୦ରୁ ୧୫ ତାରିଖ ଭିତରେ ୯୦ ମିମି, ୧୨ରୁ ୧୫ ତାରିଖ ଭିତରେ ଦକ୍ଷିଣ ଓଡ଼ିଶାରେ ୨୦୦ ମିମି ବର୍ଷା ହୋଇପାରେ । ଜଗତସିଂହପୁରଠାରୁ ସମ୍ବଲପୁର ସଂଯୋଗ କରୁଥିବାବେଳେ ସରଳରେଖାର ଦକ୍ଷିଣରେ ଥିବା ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ଆଶଙ୍କା ଅଛି । ଆସନ୍ତା ୧୩ ଓ ୧୪ ତାରିଖରେ ବଲାଙ୍ଗିର, ସୋନପୁର, କଳାହାଣ୍ଡି, ବୌଦ୍ଧ, ଫୁଲବାଣୀ, ଗଞ୍ଜାମ, ଗଜପତି ଓ ଅବିଭକ୍ତ କୋରାପୁଟର ସ୍ଥାନେ ସ୍ଥାନେ ୨୦୦ ମିମିରୁ ଅଧିକ ବର୍ଷା ଢାଳିପାରେ । ଭୁବନେଶ୍ୱରରେ ୧୨ ଓ ୧୩ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଜୁନ୍‌ ୧୩ ସୁଦ୍ଧା ସର୍ବାଧିକ ତାପମାତ୍ରା ବିଭିନ୍ନ ସ୍ଥାନରେ ବର୍ତ୍ତମାନ ତୁଳନାରେ ୧୦ରୁ ୧୨ ଡିଗ୍ରୀ କମିଯାଇଥିବ । ଏହାସହ ବର୍ଷା, ସମ୍ପୂର୍ଣ୍ଣ ମେଘୁଆ ପାଗ ଚଳିତ ମୌସୁମୀର ଦୃଶ୍ୟପଟ୍ଟ ରହିବ । ଏହା ଗରମରୁ ଆଶ୍ୱସ୍ତି ଦେବ ।

Leave a Reply

Your email address will not be published.