ଭାରତ ବନ୍ଦ ସମର୍ଥନରେ ରାହୁଲ ଗାନ୍ଧି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ସଂସଦର ମୌସୁମୀ ଅଧିବେଶନରେ ମୋଦି ସରକାର କୃଷି ସମ୍ବନ୍ଧିତ ଦୁଇଟି ବିଲ ଉଭୟ ରାଜ୍ୟସଭା ଓ ଲୋକସଭାରେ ଉପସ୍ଥାପନ କଲେ। ବିରୋଧୀଙ୍କ ବିରୋଧ ସତ୍ବେ ଏହାକୁ ପାସ୍ ମଧ୍ୟ କରାଗଲା। ଯାହା ପରେ ରାଜନୈତିକ ଦଳ ଓ ଚାଷୀଙ୍କ ବିରୋଧ ଜାରି ରହିଲା। ଏପରିକି ଆଜି (ଶୁକ୍ରବାର) ଭାରତ ବନ୍ଦ ଡାକରା ଦେଇଛନ୍ତି। ଏହାର ସମର୍ଥନରେ ବାହାରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ସାଂସଦ ରାହୁଲ ଗାନ୍ଧି। କେବଳ ଏତିକି ନୁହେଁ ଏହି ବିଲ ଚାଷୀଙ୍କୁ କ୍ରୀତଦାସ କରି ଦେବ କହିଛନ୍ତି।

ରାହୁଲ ଟ୍ବିଟ୍ କରି ଲେଖିଛନ୍ତି ପ୍ରଥମେ ମୋଦି ସରକାର ଜିଏସଟି ମାଧ୍ୟମରେ ଏମଇଏମଇ ସେକ୍ଟରବୁ ବର୍ବାଦ କଲେ। ଏବେ କୃଷି ଆଇନରେ ଚାଷୀଙ୍କୁ କ୍ରୀତାଦସ କରି ଦେବେ। ଏହା ସହ ହାସଟ୍ୟାଗ୍‌ରେ ଭାରତ ବନ୍ଦକୁ ସମର୍ଥନ କରୁଥିବା ସେ ଲେଖିଛନ୍ତି।

ଉଲ୍ଲେଖନୀୟ ଯେ ସଂସଦର ଦୁଇ ଗୃହରେ ପାରିତ ହୋଇଥିବା କୃଷି ବିଧେୟକ ବିରୋଧରେ ଆଜି ଚାଷୀ ସଂଗଠନ ଦେଶବ୍ୟାପି ଆନ୍ଦୋଳନ କରୁଛନ୍ତି। ଏହା ପୂର୍ବରୁ ପଞ୍ଜାବ ଓ ହରିଆଣାର ଚାଷୀ ସଂଗଠନ  ତିନି ଦିନ ପାଇଁ ‘ରେଳ ରୋକୋ’ କରିବା ଘୋଷଣା କରିଥିଲେ। ତେବେ​ ସରକାରଙ୍କ ଦାବି ଏହି ବିଲରେ ଚାଷୀଙ୍କ ଲାଭ ହେବ। ଏହା ଦ୍ବାରା ଚାଷୀଙ୍କ ଆୟ ବଢ଼ିବ। ଅନ୍ୟପଟେ ଚାଷୀ ସଂଗଠନ କହିଛନ୍ତି ଏହି ବିଧେୟକ ଦ୍ବାରା କୃଷି କ୍ଷେତ୍ର କର୍ପୋରେଟ୍ ହାତକୁ ଚାଲିଯିବ।

Leave a Reply

Your email address will not be published.