ରାଫେଲ ରହସ୍ୟ

0
840
advertisement

ରାଫେଲ ରହସ୍ୟ
ବିଭୂତି ପତି
୯୯୧୦୭୪୦୮୩୯

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଛତିଶଟି ରାଫେଲ୍ ବିମାନ କିଣିବାକୁ ନେଇ କରାଯାଇଥିବା ସାମରିକ ବିଶ୍ଲେଷଣ ଏବଂ ଏହି ନିଷ୍ପତ୍ତିର ରାଜନୈତିକ ପରିଣତିର ଭିଡରେ ଏକଥା ପାଶୋରା ହୋଇଯାଇଛି ଯେ ଏହି ଫରାସୀ ଯୁଦ୍ଧ ବିମାନ କ୍ରୟର ଏକ ଗୁରୁତ୍ୱପୂର୍ଣ୍ଣ ବୈଦେଶିକ ନୀତି ପୃଷ୍ଠଭୂମି ରହିଛି । ଏକଥା ସତ୍ୟ ଯେ କେବଳ ସାମରିକ ଆବଶ୍ୟକତା ଦ୍ୱାରା ଏହି ଯୁଦ୍ଧ ବିମାନ କ୍ରୟ ନିଷ୍ପତ୍ତି ପ୍ରଭାବିତ ହୋଇନଥିଲା । ରାଫେଲ ଚୁକ୍ତିର ଏକ ସ୍ୱତନ୍ତ୍ର ରହସ୍ୟ ରହିଛି ।

୨୦୧୬ ମସିହା ଜାନୁୟାରୀ ମାସରେ ଫ୍ରାନ୍ସର ରାଷ୍ଟ୍ରପତି ଫ୍ରାଙ୍କୋରସ୍ ହୋଲାଣ୍ଡେ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ନୂଆ ଦିଲ୍ଲୀ ଆସିବାର ଅଳ୍ପ କେଇଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବେଶ୍ ହତାଶ୍ ହୋଇପଡିଥିଲେ । କାରଣ ୯ମାସ ପୂର୍ବେ ସେ ଛତିଶଟି ରାଫେଲ୍ କିଣିବା ସକାଶେ ନେଇଥିବା ନିଷ୍ପତ୍ତି ଆଦୌ ଆଗକୁ ବଢୁନଥିଲା । ମୋଦୀ ଏହି କଥାବାର୍ତ୍ତା ଚଳାଉଥିବା ମୁଖ୍ୟ ବ୍ୟକ୍ତିମାନଙ୍କର ଏକ ବୈଠକ ଡାକିଲେ। ଏହି ବୈଠକ ଅନେକ ଅନିଶ୍ଚିତତା ଓ ଦ୍ୱନ୍ଦ ନେଇ ବସିଥିଲା ।

ଯୁଦ୍ଧ ବିମାନର ମୂଲ୍ୟ ନିର୍ଦ୍ଧାରଣ ସେତେବେଳ ପର୍ଯ୍ୟନ୍ତ ଏକ ସମସ୍ୟା ହୋଇରହିଥିଲା । ହୋଲାଣ୍ଡେଙ୍କ ଭାରତ ଗସ୍ତ ସମୟରେ ଚୁକ୍ତି ସ୍ୱାକ୍ଷର କରାଗଲେ ଆଗକୁ କ’ଣ ଘଟିବ ସେ ସମ୍ପର୍କରେ ପରସ୍ପର ବିରୋଧି ମତ ଥିଲା ଏବଂ ଏହି ସାମରିକ ଚୁକ୍ତିରେ ଅପସେଟ୍ ବ୍ୟବସ୍ଥା ଅନୁଯାୟୀ ଡାସାଲ୍ଟ୍ ଏଭିଏସ୍ନର୍ ସରକାରୀ ସହଯୋଗୀ କିଏ ହେବ ସେ ସମ୍ପର୍କରେ କୌଣସି ସ୍ପଷ୍ଟତା ନଥିଲା । ଏହି ବୈଠକରେ କେବଳ ଗୋଟିଏ କଥା ନିଶ୍ଚିତ ଥିଲା ଯେ ଭାରତୀୟ ବାୟୁ ସେନା ସ୍ପଷ୍ଟ କରିଦେଇଥିଲା ଭାରତର ଆକାଶବାହିନୀର ଯୁଦ୍ଧ ପାଇଁ ରାଫେଲ ନିହାତି ଭାବେ ଜରୁରୀ ଏବଂ ଯଥାଶିଘ୍ର ଏହି ଯୁଦ୍ଧ ବିମାନ ଆବଶ୍ୟକତା କରୁଛି ।

ଏହି ବୈଠକରେ ଏପରି କୌଣସି ଅଧିକାରୀ ନଥିଲେ ଯିଏ ସ୍ପଷ୍ଟ ରୂପରେ ତାଙ୍କର ମତ ବ୍ୟକ୍ତ କରିବେ । ଚିରାଚରିତ ଭାବେ ପ୍ରଶାସନିକ ଅଧିକାରୀମାନେ ସେମାନଙ୍କ ମତାମତ ଦେବାବେଳେ ଉଭୟ ପକ୍ଷଙ୍କୁ ସୁହାଇବା ପରି କଥା କହିଥାଆନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଅନୁମାନ କରିନେଲେ ଯେ ଏହି ବୈଠକ କେବଳ ସମୟର ଅପଚୟ ମାତ୍ର ହେବ, ଏଥିରୁ ଆଗକୁ ବଢ଼ିବାର ବାଟ ମିଳିବ ନାହିଁ । ମୋଦୀ ନିର୍ଦ୍ଦିଷ୍ଟ ଭାବେ ନିର୍ଦ୍ଦେଶ ଦେଇଥିଲେ ଯେ ଫ୍ରାନ୍ସ୍ରେ ଭାରତର ରାଷ୍ଟ୍ରଦୂତ ମୋହନ କୁମାରଙ୍କୁ ଏହି ବୈଠକକୁ ଡକାଯିବ । କିନ୍ତୁ ଏହି ବୈଠକ ସମୟରେ ମୋହନ କୁମାର ପଦଟିଏ ମଧ୍ୟ କଥା କହିନଥିଲେ କାରଣ ବୈଠକରେ ଉପସ୍ଥିତ ଥିବା ଅଧିକାରୀମାନଙ୍କ ମଧ୍ୟରେ ସେ ଥିଲେ ସର୍ବକନିଷ୍ଠ ଏବଂ ତାଙ୍କୁ ପଚରା ନଗଲେ ସେ କିଛି କହିବାକୁ ଚାହୁଁନଥିଲେ ।

ଏହାକୁ ଅନୁଧ୍ୟାନ କରି ମୋଦୀ ମୋହନ କୁମାରଙ୍କ ଆଡକୁ ଲକ୍ଷ୍ୟ କରି ପଚାରିଲେ, “” ଆପଣଙ୍କ ମତ କ’ଣ ? “” ସାର୍, ଏହି ଚୁକ୍ତି ଫ୍ରାନ୍ସ୍ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ।” ରାଷ୍ଟ୍ରଦୂତ ମୋହନ କୁମାରଙ୍କୁ ତାଙ୍କ ପରବର୍ତ୍ତୀ ବାକ୍ୟ ମଧ୍ୟ କହିବାକୁ ନଦେଇ ପ୍ରଧାନମନ୍ତ୍ରୀଙ୍କ ପ୍ରମ୍ମୁଖ ସଚିବ ନୃପେନ୍ଦ୍ର ମିଶ୍ର କଠୋର ଭାବେ ମୋହନ କୁମାରଙ୍କ କଥା କାଟିଦେଇ କହିଲେ, “” ଆପଣ ଫ୍ରାନ୍ସରେ ଭାରତର ରାଷ୍ଟ୍ରଦୂତ, ଭାରତରେ ଫ୍ରାନ୍ସର ରାଷ୍ଟ୍ରଦୂତ ନୁହଁନ୍ତି ।” ନୃପେନ୍ଦ୍ର ମିଶ୍ର ମୋହେନ କୁମାରଙ୍କୁ ଚୁପ୍ କରାଇବା ପାଇଁ ଅତି ଅଶିିଷ୍ଟଭାବେ ଏକଥା କହିଲେ । ମାତ୍ର ମୋଦୀ ତୁରନ୍ତ ରାଷ୍ଟ୍ରଦୂତ ମୋହନ କୁମାରଙ୍କୁ ଏଭଳି ଅକଳ ପରିସ୍ଥିତିରୁ ଉଦ୍ଧାର କରି କହିଲେ, “”ମୋହନଜୀ ଠିକ୍ କହୁଛନ୍ତି । ଆମେ ଯେତେବେଳେ ୧୯୯୮ ମସିହାରେ ଆଣବିକ ପରୀକ୍ଷା କରିଥିଲୁ, ସେତେବେଳେ ଫ୍ରାନ୍ସ୍ ହିଁ ଆମକୁ ସମର୍ଥନ କରିଥିଲା । ସେତେବେଳେ ଋଷ୍ ମଧ୍ୟ ଆମକୁ ବିରୋଧ କରିଥିଲା । ବ୍ରଜେଶ୍ଜୀ (ବ୍ରଜେଶ୍ ମିଶ୍ର ତକ୍ରାଳୀନ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଦୂତ) ଭାରତର ପୋଖରାନ୍ ଆଣବିକ ପରୀକ୍ଷଣ ପରେ ତାଙ୍କର ମସ୍କୋ ଗସ୍ତ କାଳରେ ଅନେକ କଥା ଋଷ୍ର ସରକାରୀ ପଦାଧିକାରୀମାନଙ୍କୁ ମନାଇବା ପାଇଁ ଅନେକ ଚେଷ୍ଟା କରିଥିଲେ । କିନ୍ତୁ ସବୁ ଚେଷ୍ଟା ଓ ଯୁକ୍ତି ବିଫଳ ହୋଇଥିଲା । କେବଳ ପରିସ୍ଥିତି ଭାରତକୁ ସୁହାଇବା ପରେ ଯାଇ ଋଷ୍ ତାର ମନୋଭାବ ବଦଳାଇଲା” । ପ୍ରଧାନମନ୍ତ୍ରୀ ମୋଦୀ ସେଠାରେ ଉପସ୍ଥିତ ଅଧିକାରୀମାନଙ୍କୁ ଭାରତର ବୈଦେଶିକ ନୀତିର ଏଇ ସବୁ ଦିଗ ସମ୍ପର୍କରେ ଅନେକ ତଥ୍ୟପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରି ତାହାକୁ ରାଫେଲ୍ ଖର୍ଦ୍ଦି ସହିତ ଯୋଡିଲେ ଏବଂ ଭାରତର ସୁରକ୍ଷା ଦୃଷ୍ଟିରୁ ଏହାର ଗୁରୁତ୍ୱପୂର୍ଣ୍ଣ ଦିଗପ୍ରତି ଦୃଷ୍ଟିପାତ କଲେ ।

ମୋଦୀ କହିଲେ ବାଜପାୟୀଙ୍କ ପୋଖରାନ୍ ଆଣବିକ ପରୀକ୍ଷଣ ପରେ ଯେତେବେଳେ ଭାରତ ସରକାର ଅକଳରେ ପଡିଥିଲେ ସେତେବେଳେ କେବଳ ଏକମାତ୍ର ଦେଶ ଫ୍ରାନ୍ସ ଭାରତର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ଥିଲା ଏବଂ ପ୍ରତିଟି ମୋଡରେ ଏହା ଭାରତକୁ ସାହାଯ୍ୟ ଓ ସହାୟତା କରିଥିଲା । ଭାରତ ମଧ୍ୟ ଏବେ ଫ୍ରାନ୍ସର ଆବଶ୍ୟକତା ପ୍ରତି ସମ୍ବେଦନଶୀଳ ହେବା ଆବଶ୍ୟକ । ଯଦି ଏହି ଚୁକ୍ତି ଫ୍ରାନ୍ସ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଯୁଦ୍ଧ ଜାହାଜ ଗୁଡିକ ଆମ ବିମାନ ବାହିନୀର ଆବଶ୍ୟକତାକୁ ପୁରଣ କରୁଛି ତେବେ ଆମେ ରାଷ୍ଟ୍ରଦୂତ ମୋହୋନ କୁମାରଙ୍କ ଯୁକ୍ତିକୁ ବିଚାର କରିବା ଆବଶ୍ୟକ ଏବଂ ସେ ଶତପ୍ରତିଶତ ଠିକ୍ କହିଛନ୍ତି । ଦେଶର ସୁରକ୍ଷା ରାଜନୈତିକ ସଂକୀର୍ଣ୍ଣତାରୁ ଉଦ୍ଧ୍ୱର୍କୁ ଯାଇ ଚିନ୍ତା କରାଯିବା ଜରୁରୀ ଏବଂ ଏଥିପାଇଁ ଦେଶର ବାୟୁସେନାକୁ ରଫେଲ ଯୋଗାଇ ଦିଆଯିବା ନିତାନ୍ତ ଆବଶ୍ୟକ ।

ମୋଦୀ ପୂର୍ଣ୍ଣ ପ୍ରସ୍ତୁତି କରି ବୈଠକକୁ ଆସିଥିଲେ । ସେ ରଞ୍ଜନ ମାଥାରଙ୍କ ଦ୍ୱାରା ପଠାଯାଇଥିବା ସାଇଫର ଟେଲିଗ୍ରାମ୍କୁ ଉଦ୍ଧାର କଲେ । ୨୦୦୭ ମସିହା ଅଗଷ୍ଟ ମାସରେ ଡାସାଲ୍ଟ୍ ଏଭିଏସନ୍ ୧୨୬ ମଧ୍ୟମ ବହୁମୁଖୀ ଲଢୁଆ ବିମାନ ଯୋଗାଣ ପାଇଁ ପ୍ରସ୍ତାବ ଦେଲା ସେତେବେଳେ ରଞ୍ଜନ ମାଥାର ଫ୍ରାନ୍ସରେ ଭାରତର ରାଷ୍ଟ୍ରଦୂତ ଥିଲେ । ପରବର୍ତ୍ତୀ କାଳରେ ଭାରତର ବୈଦେଶିକ ସଚିବ ହୋଇଥିବା ମାଥାର ଫ୍ରାନ୍ସରେ ବିମାନ ପ୍ରଦର୍ଶନୀରେ ରାଫେଲ୍ ସମ୍ପର୍କରେ ଭଲ ଭାବରେ ପରିଚିତ ହୋଇଥିଲେ । ସେହି ଟେଲିଗ୍ରାମ ଗୁଡିକରେ ସେ ରାଫେଲ ସମ୍ପର୍କରେ ଧାରଣା ବ୍ୟକ୍ତ କରିଥିଲେ । ସେ ମଧ୍ୟ ଜଣେ କୂଟନୀତିଜ୍ଞ ହିସାବରେ ଫ୍ରାନ୍ସରେ ଅବସ୍ଥାପିତ ହୋଇଥିବା କାରଣରୁ , ଫ୍ରାନ୍ସ ସହିତ ଭଲ ସମ୍ପର୍କ ରଖିବା ଭାରତ ପାଇଁ କେତେ ଉପଯୋଗୀ ସେ ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏପରି ବୈଠକ ଗୁଡିକରେ ସଚରାଚରେ ଯାହା ଘଟେ, ଥରଟେ ପ୍ରଧାନମନ୍ତ୍ରୀ କଣ ଚାହୁଁଛନ୍ତି ସେକଥା ପ୍ରକାଶ କରିସାରିବା ପରେ ଉଭୟ ପଟକୁ ସମର୍ଥନ କରି କଥାବାର୍ତ୍ତା କରୁଥିବା ଅଧିକାରୀମାନେ ଏବେ ନିଷ୍ପତ୍ତି ମୂଳକ ଭାବେ କଥାବାର୍ତ୍ତା କରିବା ଆରମ୍ଭ କରିଦେଲେ । ସଂକ୍ଷେପରେ କହିବାକୁ ଗଲେ ଫ୍ରାନ୍ସ ରାଷ୍ଟ୍ରପତିଙ୍କ ଗସ୍ତ କାଳରେ ରାଫେଲ ଲଢୁଆ ବିମାନ କିଣିବା ସକାଶେ ଦୁଇଦେଶ ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହେଲା । କୂଟନୈତିକ ଦୃଷ୍ଟିରୁ ଏହା ଆଂଶିକ ରୂପେ ଦାୟୀ ହେଲେ ମଧ୍ୟ ଖୁବ୍ ଗୁରୁତ୍ୱପୂର୍ଣ୍ଣ କାରଣ ଅନ୍ୟ ଅଂଶ ଗୁଡିକ ଚୁକ୍ତିର ଅଭିନ୍ନ ଅଙ୍ଗ ହୋଇଥିବାରୁ ପ୍ରଯୁକ୍ତିଗତ ତଥା ମୂଲ୍ୟ ନିର୍ଦ୍ଧାରଣ ମୁଲଚାଲ ସକାଶେ ଅଧିକ ୮ମାସ ସମୟ ଲଗିଗଲା । ୨୦୧୬ ମସିହା ସେପଟେମ୍ବର ୨୩ ତାରିଖରେ ଯାଇ ଏହି ଚୁକ୍ତିର ଚୂଡାନ୍ତ ପର୍ଯ୍ୟାୟ ପୂର୍ଣ୍ଣାଙ୍ଗ ହେଲା ।

୧୯୯୯ ର କାରଗିଲ ଯୁଦ୍ଧର ପ୍ରାରମ୍ଭିକ ସମୟରେ ପାକିସ୍ତାନ ଏକ ସୁବିଧାଜନକ ଉଚ୍ଚତାରେ ନିଜର କବ୍ଜା ଜମେଇ ଭାରତ ପାଇଁ ଚିନ୍ତାର କାରଣ ପାଲଟିଥିବା ବେଳେ ଫ୍ରାନ୍ସ୍ ଯୁଦ୍ଧକାଳୀନ ଭିତ୍ତିରେ ଭାରତକୁ ସାହାଯ୍ୟ କରି ଭାରତୀୟ ବାୟୁସେନାର ମୀରାଜ ବିମାନଗୁଡିକରେ ଲେଜର ନିୟନ୍ତ୍ରିତ ବୋମା ଖଞ୍ଜିଥିଲେ ଏବଂ ଗୋପନରେ ଏହି ବିମାନଗୁଡିକୁ ଶ୍ରୀନଗରରେ ଭାରତକୁ ହସ୍ତାନ୍ତର କରିଥିଲେ । ଫ୍ରାନ୍ସର ଏପରି ଜରୁରୀକାଳୀନ ସହଯୋଗ ନମିଳିଥିଲେ କାର୍ଗିଲ୍ ଯୁଦ୍ଧରେ ପରଭେଜ୍ ମୁଶାରଫ୍ ଭାରତକୁ ପଛରେ ପକାଇଦେଇ ପାରିଥାନ୍ତେ ।

୧୯୯୮ ମଇ ୧୧ ଓ ୧୩ ତାରିଖରେ ଦୁଇଟି କ୍ରମାଗତ ଆଣବିକ ପରୀକ୍ଷଣ ମଧ୍ୟରେ କେବଳ ଗୋଟିଏ ମାତ୍ର ବୈଦେଶିକ ପ୍ରତିନଧି ମଣ୍ଡଳୀ ନୂଆଦିଲ୍ଲୀରେ ଉପସ୍ଥିତ ଥିଲେ । ଫ୍ରାନ୍ସର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମହାସଚିବ ବଟର୍୍ଣାଣ୍ଟ ଡୁଫୋରକ୍ ଏହାର ନେତୃତ୍ୱ ନେଇଥିଲେ । ପ୍ରାୟ ସମଗ୍ର ବିଶ୍ୱ ଭାରତର ଏହି ଆଣବିକ ବିସ୍ଫୋରଣର ନିନ୍ଦା କରିଥିଲେ ଏବଂ ଭାରତକୁ ବାସନ୍ଦ କରିଥିଲେ କିମ୍ବା ନୂଆଦିଲ୍ଲୀରୁ ସେମାନଙ୍କ ହାଇକମିଶନମାନଙ୍କୁ ପ୍ରତ୍ୟାହାର କରିନେଲେ। ମାତ୍ର ଡୁଫୋରକ୍ ସେତେବେଳେ ପ୍ରଧାନମନ୍ତ୍ରୀ ବାଜ୍ଜପେୟୀଙ୍କ ପ୍ରମ୍ମୁଖ ସଚୀବ ବ୍ରଜେଶ ମିଶ୍ରଙ୍କୁ ଫ୍ରାନ୍ସ ଆସିବା ସକାଶେ ଆମନ୍ତ୍ରଣ କରିଥିଲେ । ବ୍ରଜେଶ୍ ମିଶ୍ର ଯେତେବେଳେ ଦ୍ୱିତୀୟ ଫୋଖରାନ୍ ପରୀକ୍ଷଣ ସପକ୍ଷରେ ସଫେଇ ଦେବା ସକାଶେ ଫ୍ରାନ୍ସରେ ପହଞ୍ôଚଲେ, ସେଦିନ ଥିଲା ଫ୍ରାନ୍ସର ଏକ ଜାତୀୟ ଛୁଟି ଦିବସ । ମାତ୍ର ଫ୍ରାନ୍ସର ରାଷ୍ଟ୍ରପତି ଜାଲ୍ୱେସ୍ ଚିରାକ୍ ତାଙ୍କୁ ସାଙ୍ଗରେ ନେଇ ଏଲିସି ପ୍ୟାଲେସ୍ ର ବଗିଚାରେ ଲମ୍ବା ପଦଯାତ୍ରାରେ ବାହାରି ଗଲେ । ଚିରାକ୍ ପ୍ରତିଶୃତି ଦେଲେ ଯେ ଫ୍ରାନ୍ସ୍ ଭାରତ ସହିତ ନିଶ୍ଚିତ ପ୍ରତିଟି ସମୟରେ ଠିଆ ହେବ । ମାତ୍ର ସେ ଶ୍ରୀ ମିଶ୍ରଙ୍କୁ ପରାମର୍ଶ ଦେଲେ ଯେ ଭାରତ ଉପରେ ଲାଗୁ କରାଯାଇଥିବା ଆଣବିକ ନିଷେଧାଦେଶକୁ ସମାପ୍ତ କରିବା ସକାଶେ ତାଙ୍କୁ ଆମେରିକା ସହିତ କଥାବାର୍ତ୍ତା କରିବାକୁ ପଡିବ । ତା’ ପରର କାହାଣୀ ଇତିହାସ ପାଲଟି ଯାଇଥିଲା ।

କେବଳ ଏତିକି ନୁହେଁ ଭାରତ ଆଜି ଗ୍ରୁଫ୍ ଅଫ୍ ଟୋଣ୍ଟିର(ଜି-୨୦) ସମ୍ମାନଜନକ ଗୋଷ୍ଠୀରେ ସାମିଲ ହେବା ପଛରେ ମୁଖ୍ୟତଃ ଫ୍ରାନ୍ସର ସହଯୋଗ ଓ ଦାବୀ ପାଇଁ ଏହା ହୋଇପାରିଛି । ଫ୍ରାନ୍ସ୍ ସରକାର ପ୍ରଥମେ ବାଜ୍ଜପେୟୀଙ୍କୁ ଇଭିଆନ୍ – ଲେ – ବେନସ୍୍ର୍ ଜି ୮ ଶିଖର ସମ୍ମିଳନୀକୁ ଆମନ୍ତ୍ରଣ କରି ଭାରତପାଇଁ ସୁଯୋଗ ସୃଷ୍ଟି କରିଥିଲେ । ଏହି ଆମନ୍ତ୍ରଣ ଏକ ମଞ୍ଜି ସଦୃଶ ଥିଲା ଯାହା ଆଜିର ଜି-୨୦ ର ରୂପ ନେଇଛି । ରାଫେଲ୍ ବିମାନ କିଣିବା ସକାଶେ ବୈଦେଶିକ ନୀତିର ଯୁକ୍ତି ଯୁକ୍ତତା ଉପସ୍ଥାପିତ କରିଲାବେଳେ ମୋଦୀ ଏସବୁ ପ୍ରତି ଭଲଭାବେ ସଚେତନ ଥିଲେ ।

ତକ୍ରାଳୀନ ଭାରତର ପ୍ରଥମ ଜାତୀୟ ପ୍ରତିରକ୍ଷା ପରାମର୍ଶଦାତା ବ୍ରଜେଶ୍ ମିଶ୍ର ତାଙ୍କର ଜୀବନୀ ନ ଲେଖିବା ଭାରତର କୂଟନୈତିକ ଅଭିଲେଖାଗାର ସକାଶେ ଏକ ବଡ କ୍ଷତି । କାରଣ ତାଙ୍କର ସ୍ମୃତି ପୁସ୍ତକଟି ଭାରତର ଇତିହାସର କେତେକ ଗୁରୁତ୍ୱପୂର୍ଣ୍ଣ ଘଟଣା ସମ୍ପର୍କରେ ଆଲୋକପାତ କରିଥାନ୍ତା । ସୌଭାଗ୍ୟ ବସତଃ ଜୀବନର ଅନେକ ଭଲ ଜିନିଷକୁ ଭଲ ପାଉଥିବା ବ୍ରଜେଶ୍ ମିଶ୍ର ଏଭଳି ଅନେକ ଉତ୍ସାହପ୍ରଦ ଘଟଣା ଓ ପ୍ରସଙ୍ଗ ବିଭିନ୍ନ ସମୟରେ ତାଙ୍କର ବିଶ୍ୱସ୍ତ ଲୋକମାନଙ୍କୁ କାହାଣୀ ଭଳି ଉପସ୍ଥାପନ କରନ୍ତି । ରାଫେଲର ଏହି ପ୍ରସଙ୍ଗକୁ ବ୍ରଜେଶ ମିଶ୍ର ଏକ ସନ୍ଧ୍ୟା ଅବକାଶ ସମୟରେ ତାଙ୍କର କିଛି ଘନିଷ୍ଠ ସାମ୍ବାଦିକମାନଙ୍କ ଆଗରେ ରାଫେଲର ଏହି ରହସ୍ୟମୟ ଦିଗଟିକୁ ଉପସ୍ଥାପନ କରିଥିଲେ ।

ଏଥର ଫେରିବା ରାଫେଲ ଚୁକ୍ତିର ଭିନ୍ନ ଏକ ଦିଗକୁ ।

ରାଫେଲ ବଦଳରେ ବରଂ ଡ୍ରୋନ

ଗଣମାଧ୍ୟମରେ ରାଫେଲ ସଂପର୍କରେ ଅନେକ ସମ୍ବାଦ ପରିବେଶିତ ହୋଇସାରିଛି । ରାଫେଲ ହେଉଛି ଏକ ଚତୁର୍ଥ ପୀଢିର ,ଦୁଇ ଇଂଜିନ ଓ ଡେଲଟା ଡେଣାଥିବା ଅତି ଉଚ୍ଚରେ ଉଡିପାରୁଥିବା, ଅତ୍ୟନ୍ତ ବେଗଶୀଳ ଲଢୁଆ ଜେଟ୍ ବିମାନ ଯାହାକୁ ଫ୍ରାନ୍ସର କଂପାନୀ ଡାସଲ୍ଟ କଂପାନୀ ନିର୍ମାଣ କରିଛି । ଏହି ବିମାନର ମୂଳ ରୂପ ପ୍ରଥମେ ୧୯୮୬ ମସିହାରେ ପ୍ରଥମ ଉଡାଣ କରିଥଲା ।୨୦୦୧ ମସିହାରେ ଏହି ବିମାନର ଲଢୁଆ ସଂସ୍କରଣ ଫ୍ରାନ୍ସର ବିମାନ ବାହିନୀରେ ଅନ୍ତର୍ଭୁକ୍ତ ହେଲା । ଇଜିପ୍ଟର ବିମାନ ବାହିନୀରେ ମଧ୍ୟ ଏହି ବିମାନ ସାମିଲ ହୋଇଛି । ଦେଖିବାକୁ ଏହା ଏକ ବେଶ ସୁନ୍ଦର ବିମାନ ଏବଂ ଦକ୍ଷତା ଦୃଷ୍ଟିରୁ ଏହା ବିଶ୍ୱର ସର୍ବୋତ୍ତମ ଲଢୁଆ ବିମାନ ବୋଲି ଚର୍ଚ୍ଚା ହେଉଛି । ଭାରତ ସରକାର ୩୬ ରାଫେଲ ବିମାନ ସକାଶେ ଚୁକ୍ତି କରିଛନ୍ତି ।

ନିର୍ବିବାଦଭାବେ ଏହି ଲଢୁଆ ବିମାନ ନାଟୋକୁ ଭଲ ସେବା ଯୋଗାଉଛି କିନ୍ତୁ ପ୍ରଶ୍ନ ଉଠୁଛି ଯେ ଭାରତକୁ ଫ୍ରାନ୍ସ ଡ଼ାସାଲ୍ଟ ଏରୋସ୍ପେସ୍ ଦେଇଥିବା ପ୍ରତିଶ୍ରୁତି କ’ଣ ନାଟୋ ପାଇଥିବା ପ୍ରତିଶ୍ରୁତି ପରି ? ଯଦି ଏହାର ଉତ୍ତର ହଁ ହୁଏ, ତେବେ ୩୬ଟି ବିମାନ ଖୁବ୍ କମ୍ । ଯଦି ଏ ପ୍ରଶ୍ନର ଉତ୍ତର ନାଁ ହୁଏ, ତେବେ କେତେକ ପ୍ରସଙ୍ଗକୁ ଭଲ ଭାବରେ ପରୀକ୍ଷା ନିରୀକ୍ଷା କରାଯିବା ଆବଶ୍ୟକ । ପ୍ରସଙ୍ଗ ହେଉଛି ବୈଷୟିକ ଓ ପ୍ରଯୁକ୍ତିଗତ ସତେଜତାକୁ ନେଇ । ପ୍ରଯୁକ୍ତି ବିଦ୍ୟା କେବେହେଲେ ଅପରିବର୍ତ୍ତିତ ରହେ ନାହିଁ କି’ ଦୀର୍ଘକାଳ ଯାଏ ସ୍ଥାୟୀ ଅବସ୍ଥାରେ ରହେନାହିଁ । ରାଫେଲ ଯୁଦ୍ଧ ବିମାନର ପ୍ରଯୁକ୍ତି ବିଦ୍ୟା ୩୦ ବର୍ଷ ପୁରୁଣା । ଆଜିର ଦିନରେ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଏତେ ସବୁ ନୂଆ ନୂଆ ଉଦ୍ଭାବନମାନ ଘଟିସାରିଲାଣି ଏବଂ ଏ ଦିଗରେ ରାଫେଲ ମଧ୍ୟ ପଛରେ ପଡ଼ିଗଲାଣି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ବର୍ତ୍ତମାନର ସ୍ଥିତିିରେ ସ୍ୱିଡିଶ ମେଟେଓର କ୍ଷେପଣାସ୍ତ୍ରହିଁ ସବୁଠାରୁ ଘାତକ ବୋଲି ବିଶ୍ୱାସ କରାଯାଉଛି । ଋଷ ଦାବୀ କରୁଛି ଯେ ୪୦୦ କିଲୋମିଟର ରେଞ୍ଜ ଥିôବା ନୋଭାଟର କେ.ଏସ୍-୧୭୨ କ୍ଷେପଣାସ୍ତ୍ର ମଧ୍ୟ ବେଶ ପ୍ରଭାବଶାଳୀ । ଆମେ ଯଦି ଏହି ଦାବୀଗୁଡିକୁ ବିଶ୍ୱାସ କରିବା ତେବେ ରାଫେଲକୁ ନେଇ ସନ୍ଦେହ ହେବା ସ୍ୱାଭାବିକ । ଯୁଦ୍ଧରେ ବ୍ୟବହୃତ ହେଉଥିବା ଏକ ମେସିନର ଭୂମିକା କଣ? ଏହା ଆକାଶରେ ଉଡୁଥିବା ଏକ ପ୍ଲାଟଫର୍ମ ମାତ୍ର! ଯଦି ଏକଥା ସତ୍ୟ ତେବେ ତେଜସରେ କ’ଣ ଅସୁବିଧା ଥିଲା ? ଆଶା କରାଯାଉଛି ଯେ ବିଶେଷଜ୍ଞମାନେ ଏସବୁ ଦିଗ ସଂପର୍କରେ ବିଚାର କରିଛନ୍ତି ବୋଲି କୁହନ୍ତି ଅବସରପ୍ରାପ୍ତ ଉଇଙ୍ଗ୍ କମାଣ୍ଡର ଓ ବାୟୁସେନା ପ୍ରତିରକ୍ଷା ବିଶେଷଜ୍ଞ ଏସ୍.ଏସ୍.ରାନ୍ଧୱା । ଏହା ସହିତ ଆକାଶରୁ ଆକାଶକୁ କ୍ଷେପଣାସ୍ତ ବ୍ୟତୀତ ସ୍ଥଳଭାଗରୁ ଆକାଶକୁ ନିକ୍ଷେପ କରାଯାଉଥିବା କ୍ଷେପଣାସ୍ତ୍ର ମଧ୍ୟ ରହିଛି ଯାହା ମଝିରାସ୍ତାରେ ମଧ୍ୟ ତା’ର ଗତିପଥ ବଦଳାଇ ପାରିବ ।

୧୯୯୯ ମସିହା ପରଠାରୁ କେବଳ ନାଟୋ ବନାମ ସର୍ବିଆ ଯୁଦ୍ଧ ବ୍ୟତୀତ ଅନ୍ୟ କୌଣସି ଯୁଦ୍ଧ ଲଢାଯାଇ ନାହିଁ । ତେଣୁ, ଏହି ଚତୁର୍ଥ ପୀଢିର ରାଫେଲ ଜେଟ୍ ଯୁଦ୍ଧବିମାନ ଯୁଦ୍ଧ ସକାଶେ କେତେଦୂର ଉପଯୋଗୀ ସେକଥା ଅନୁଭୂତି ଉପରେ ଆଧାରିତ ନ’ ହୋଇ କେବଳ ତାତ୍ତ୍ୱିକ ଆଧାରରେ ନିର୍ଣ୍ଣୟ କରାଯାଇଛି ।

କିନ୍ତୁ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକା ରାଫେଲ ଠାରୁ ଢ଼େର ଉନ୍ନତ ଓ ଅତ୍ୟାଧୁନିକ ଷଷ୍ଠ ପୀଢିର ନିଃଶଦ୍ଦ ବୋମାବର୍ଷୀ ବିମାନ ତିଆରି କରି ସାରିଲାଣି ବୋଲି ଦାବୀ କରିବା ସହିତ ଏହାକୁ ପରୀକ୍ଷା କରି ପ୍ରମାଣ କରିସାରିଲାଣି । ଏହି ବିମାନରେ ପାଇଲଟ ବିହୀନ ବିମାନମାନ ରହିଛି, ଯାହା ଡ୍ରୋନରୂପେ ପରିଚିତ । ଆଜିକାଲି ଏହି ବିମାନଗୁଡିକ ହିଁ ଯୁଦ୍ଧରେ ବ୍ୟବହୃତ ହେଉଛନ୍ତି । ବିମାନରେ ଥିôବା ଡ୍ରୋନଗୁଡିକୁ ଆକାଶରେ ୬୦,୦୦୦ ଫୁଟ ଉଚ୍ଚରେ ଉଡୁଥିବା ଏକ ବୋମାବର୍ଷୀ ବିମାନରେ ଥିବା ପାଇଲଟି ନିୟନ୍ତ୍ରଣ କରିଥାଆନ୍ତି । ଡ୍ରୋନଗୁଡିକୁ ଦଳ ଦଳ ହୋଇ ଆକ୍ରମଣ କରିଥାଆନ୍ତି । ତେଣୁ ରାଫେଲକୁ ନେଇ ଏବେ ଆମେ ଭିନ୍ନ ଭାବରେ ଚିନ୍ତା କରିବା ତଥା କାର୍ଯ୍ୟ କରିବା ଆବଶ୍ୟକ ତଥା ଆମେ ଡ୍ରୋନ କଥା ଚିନ୍ତା କରିପାରିବା ଏବଂ ଏ ଦିଗରେ ଆତ୍ମ ଚିନ୍ତନ କରିବା ଦରକାର ବୋଲି ଶ୍ରୀ ରାନ୍ଧୱା କୁହନ୍ତି ।

ଖୁସିର କଥା ଯେ ଭାରତର ଏୟାର ଚିଫ୍ ମାର୍ଶାଲ ବି.ଏସ୍. ଧାନୋଆ ସୁଖୋଇ ଓ ରାଫେଲ ସହ ତେଜସ ବିମାନକୁ ସମକକ୍ଷ ବୋଲି ବିଚାର କରିଛନ୍ତି । ତେଜସ ଏହି ବିମାନଗୁଡିକ ସହ ପ୍ରତିଯୋଗିତାରେ ରହିବାକୁ ଯୋଗ୍ୟ । ବାସ୍ତବ କଥା ହେଲା ଯେ ସ୍ଥଳଭାଗରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା ଉଚ୍ଚମାନର କ୍ଷେପଣାସ୍ତ୍ରଗୁଡିକ ଯାତ୍ରା ମଝିରେ ଗତିପଥ ବଦଳାଇବାର କ୍ଷମତାରେ ସମୃଦ୍ଧ ହେବାପରେ ଯୁଦ୍ଧ ବିମାନରୁ ଭୂଇଁ ଉପରର ଲକ୍ଷ୍ୟସ୍ଥଳକୁ ନିରେଖିବା ଓ ବୋମା ନିକ୍ଷେପ କରିବା ବେଶ ବିପଜ୍ଜନକ ହୋଇ ପଡିଛି । ଏପରିକି ଆକାଶରୁ ଆକାଶକୁ ନିକ୍ଷେପ କରାଯାଇ ପାରୁଥିବା କ୍ଷେପଣାସ୍ତ୍ରଗୁଡିକରେ ଦୂରତା ମଧ୍ୟ ଚକିତ କରିଦେବା ପରି ଶଦ୍ଦର ଦୁଇ ତିନିଗୁଣ ବେଗରେ ଗତି କରୁଥିବା ବିମାନଗୁଡିକ ସକାଶେ ସମ୍ମୁଖ ସମର ମଣିଷ ଯେଦ୍ଧା ପାଇଁ ଅସମ୍ଭବ ହୋଇଗଲାଣି । ଏପରି ପରିସ୍ଥିତିରେ ମାନବଚାଳିତ ଯୁଦ୍ଧ ଜେଟ୍ ବିମାନଗୁଡିକ କେତେଦିନ ପର୍ଯ୍ୟନ୍ତ ଫଳପ୍ରଦଭାବେ ଆଗାମୀ ଦିନରେ ଆକାଶ ମାର୍ଗରେ ଯୁଦ୍ଧ କରିପାରିବେ ସେକଥା ସହଜରେ ଅନୁମେୟ । ଦଳଦଳ ଡ୍ରୋନ ସହିତ ଶଦ୍ଦହୀନ ବୋମାବର୍ଷୀ ବିମାନଗୁଡିକ ଏବେ ଉପଲବ୍ଧ । ପାଇଲଟ ବିହୀନ ବିମାନ ଓ ଲେଜର କମାଣ ନିର୍ମାଣ ପାଇଁ ପ୍ରସ୍ତୁତି ଏବେ ଜୋର ସୋରରେ ଚାଲିଛି ଏବଂ ଏ ଦିଗରେ ସଫଳତା ହାସଲ କରାଯାଇସାରିଲାଣି । ଏଠାରେ ଉଲ୍ଲେଖଯୋଗ୍ୟ ୪ ଅକ୍ଟୋବର ୨୦୧୮ରେ ମୋଦୀ ଓ ପୁଟିନ୍ଙ୍କ ଏସ୍-୪୦୦ ପ୍ରତିରକ୍ଷା କ୍ଷପଣାସ୍ତ୍ରର ଚୁକ୍ତିକୁ ୨୪ଘଣ୍ଟା ନହେଉଣୁ ଚୀନ ପାକିସ୍ତାନକୁ ଭାରତର ମୁକାବିଲା ପାଇଁ ଡ଼୍ରୋନ୍ ଯୋଗାଇବାର ଘୋଷଣା କରିଛି ଏବଂ ଏ ଦିଗରେ ସମସ୍ତ କାର୍ଯ୍ୟ ଆରମ୍ଭ କରିସାରିଲାଣି ।

ଏୟାର ଚିଫ ମାର୍ଶାଲ ଚତୁରତାର ସହ ରାଫେଲ ବିମାନର ମୂଲ୍ୟ ସଂପର୍କରେ ଏବଂ ରାଫେଲ ଜେଟ୍ ଯୁଦ୍ଧ ବିମାନର ଦକ୍ଷତା ସଂପର୍କରେ ମତାମତ ଦେବାରୁ ବିରତ ରହି ନିଜର ବୁଦ୍ଧିମତାର ପରିଚୟ ଦେଇଛନ୍ତି । ଏକ ପେଶାଦାର ଭାବରେ ସେ ତାଙ୍କର କର୍ତ୍ତବ୍ୟ କରିଛନ୍ତି । ଯୁଦ୍ଧ କ୍ଷେତ୍ରରେ ଦକ୍ଷତାର ଅର୍ଥ କେବଳ ଉଡିବା ନୁହେଁ, ଏହାଠାରୁ ମଧ୍ୟ ଆହୁରି ବେଶି କିଛି । ମାଟି ଉପରେ ଅନେକ କିଛି ଦରକାର ଯାହା ଯୁଦ୍ଧ ପାଇଁ ବିମାନଗୁଡିକୁ ଉଡିବା ସକାଶେ ସାହାଯ୍ୟ କରେ । କେତେ କମ୍ ସମୟ ମଧ୍ୟରେ ଯୁଦ୍ଧ ବିମାନକୁ ଉଡିବା ପାଇଁ ପ୍ରସ୍ତତୁି କରିହେବ, ଯୁଦ୍ଧ ବିମାନକୁ କେତେ ଶୀଘ୍ର ପରବର୍ତ୍ତୀ ଉଡାଣ ପାଇଁ ପ୍ରସ୍ତୁତ କରାଯାଇ ପାରିବ, ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବା ପାଇଁ କେତେ ସମୟ ଲାଗିବ, ବିମାନର ରକ୍ଷଣାବେକ୍ଷଣର ସମୟ ଏବଂ ଯନ୍ତ୍ରାଂଶର ଉପଲବ୍ଧତା ଇତ୍ୟାଦି ଅନେକ କଥା ଉପରେ ଯୁଦ୍ଧ କରିବାକୁ ଉଡୁଥିବା ବିମାନଗୁଡିକ ନିର୍ଭର କରନ୍ତି । ଏଗୁଡିକ ମଧ୍ୟରୁ ଅଧିକାଂଶ ଇଂଜିନିୟରମାନଙ୍କର ଦାୟିତ୍ୱ । ଜଣେ ବିମାନବାହିନୀ ଅଫିସର ଏଗୁଡିକୁ ଅଣଦେଖା କରିପାରିବେ ନାହିଁ ।

ପ୍ରତିରକ୍ଷା ବିଶେଷଜ୍ଞ, ବିମାନ ବୈଜ୍ଞାନିକ ଓ ଇଞ୍ଜିନିୟର ଏବଂ ବିଶ୍ୱର ଦକ୍ଷ ଯୋଦ୍ଧା ଅଭିଜ୍ଞ ପାଇଲଟ୍ମାନେ କହୁଛନ୍ତି ରାଫେଲ ଏସବୁ ଦୃଷ୍ଟିରୁ ବେଶ୍ ଉଚ୍ଚମାନର ଓ ସୁଦକ୍ଷ ଗୁଣସମ୍ପନ୍ନ । ତେବେ ଭାରତର ପ୍ରତିରକ୍ଷା ବିଶେଷଜ୍ଞଙ୍କ ପ୍ରଶ୍ନ ହେଉଛି ଆମେ ଷଷ୍ଠ ପିଢ଼ିର ଆମେରିକା ଜେଟ୍ ଡ଼୍ରୋନ୍ ବିମାନ ବିଷୟରେ ବର୍ତ୍ତମାନ ଅଧିକ ଭାବିବାର ଆବଶ୍ୟକ ଅଛି । ଭାରତୀୟ ବାୟୁସେନାକୁ ଆଜିର ଦିନରେ ଆମେରିକାର ଏହି ଷଷ୍ଠ ପିଢ଼ିର ଜେଟ୍ ନିତାନ୍ତ ଜରୁରୀ ଓ ଦରକାର । ଚୀନ ପାକିସ୍ତାନକୁ ଡ଼୍ରୋନ୍ ଯୋଗାଇବାର ନିଷ୍ପତ୍ତି ପରେ ଭାରତ ଆମେରିକାର ଏହି ଷଷ୍ଠ ପିଢ଼ିର ଜେଟ୍ ଉପରେ ଧ୍ୟାନ ଦେଇ ଏହାକୁ ଭାରତୀୟ ବାୟୁସେନାକୁ ଯଥାଶୀଘ୍ର ଯୋଗାଇବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ । ଏହାସହିତ ଗତ ଅକ୍ଟୋବର ୪ ରେ ଋଷ ସହିତ ହୋଇଥିବା ଏସ୍-୪୦୦ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବଦଳରେ ପୁନଶ୍ଚ ଋଷର ଏସ୍-୫୦୦ ଭାରତୀୟ ସୈନ୍ୟ ବାହିନୀରେ ବ୍ୟବହାର କରିବାକୁ ସିଦ୍ଧାନ୍ତ ନେବା ଜରୁରୀ ହୋଇପଡ଼ିଛି ।