କିଏ ହେବେ ସାଂସଦ-୧: ବାଲେଶ୍ଵରରେ ରବୀନ୍ଦ୍ର ଜେନା ବନାମ ପ୍ରତାପ ଷଡ଼ଙ୍ଗୀ

0
25527
advertisement

ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜାତୀୟତାବାଦୀ ଓ ବିକାଶ ସ୍ଲୋଗାନ୍‌ ଅନ୍ୟ ପଟେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ଗରିବଙ୍କୁ ‘ନ୍ୟାୟ’ ( ସର୍ବନିମ୍ନ ରୋଜଗାର) ଯୋଜନା ଭାରତୀୟ ରାଜନୀତିର ଭବିଷ୍ୟତର ରୂପରେଖ ନିର୍ଦ୍ଧାରଣ ପାଇଁ ପ୍ରସ୍ତୁତ ହେଉଛି। ଓଡ଼ିଶାରେ କିନ୍ତୁ ଏହି ଦୁଇଟି ପରସ୍ପର ବିରୋଧୀ ତତ୍ତ୍ଵକୁ ମୁକାବିଲା କରିବା ପାଇଁ ଆଞ୍ଚଳିକ ଦଳ ବିଜେଡିର ‘ନବୀନ’ ପ୍ରତିଚ୍ଛବି ଲୋକଙ୍କ ଘରେ ଘରେ ପହଞ୍ଚିଥିବା ଦାବି କରାଯାଉଛି। ଏହିଭଳି ଏକ ପରିସ୍ଥିତିରେ ୨୦୧୯ ନିର୍ବାଚନର ରୂପରେଖ କ’ଣ ହେବ ତାହାକୁ ନେଇ ଅନେକ ଉତ୍କଣ୍ଠା। ରାଜ୍ୟର ୨୧ଟି ଲୋକସଭା ମଣ୍ଡଳୀର ସ୍ଥିତି କ’ଣ ହୋଇପାରେ। ଲୋକଙ୍କ ମତ ଏବଂ ରାଜନୀତିକ ସମୀକରଣକୁ ଅନୁଶୀଳନ କରି ଉପସ୍ଥାପନ କରୁଛୁ ବାଲେଶ୍ଵରର ହାଲ୍‌ ଚାଲ, ‘ କିଏ ହେବେ ସାଂସଦ’  

ପରିସ୍ଥିତି

advertisement

୨୦୧୪ରେ ଭାରତରେ ଯେତେବେଳେ ମୋଦି ହାୱା ବୋହୁଥିଲା ସେତେବେଳେ ନବୀନଙ୍କ ଧୋବ ଫରଫର ଚେହେରା ମୋଦିଙ୍କର ସେହି ସ୍ରୋତକୁ ରାଜ୍ୟରେ ଅଟକାଇବାରେ ସମର୍ଥ ହୋଇଥିଲା। ନୂଆ ପୁରୁଣା, ଅଭିଜ୍ଞ ଅନଭିଜ୍ଞଙ୍କୁ ରାଜନୀତିକୁ ଆଣି ସେ ବିଚକ୍ଷଣ ରାଜନେତାର ପରିଚୟ ଦେଇଥିଲେ। ଏଥର ବି ସେଇ ସମୀକରଣ ଚାଲିଛି। ତାଗ୍ଦ ସହ ଚାଲିଛି ଅନ୍ୟ ଦଳର ମନୋବଳକୁ ଭାଙ୍ଗିଦେବାର ପ୍ରକ୍ରିୟା। ଏ ଭିତରେ ବାଲେଶ୍ଵରରେ ଦଳ ବଦଳ ହୋଇଛି, ଦଳ ତ୍ୟାଗ ଘଟିଛି; ଅସନ୍ତୁଷ୍ଟ କେଉଁଠି ଉଗ୍ର ହୋଇଛନ୍ତି ତ ଆଉ କେଉଁଠି ତାଙ୍କୁ ଏକାଠି କରି ନିଜ ଫାଇଦା ହାସଲ ପାଇଁ ରାଜନେତା ଉଦ୍ୟମ ଚଳାଇଛନ୍ତି। ଦ୍ଵିତୀୟଥର ପାଇଁ ବିଜେଡିରୁ ସାଂସଦ ଆଶା ରଖିଥିବା ତଥା ପ୍ରାର୍ଥୀ ହୋଇଥିବା ରବୀନ୍ଦ୍ର କୁମାର ଜେନା ଏହିକ୍ରମରେ ଆଗୁଆ ରହିଛନ୍ତି।

ଲଢ଼େଇ

ଗଲାଥର ଅର୍ଥାତ୍‌ ୨୦୧୪ ନିର୍ବାଚନରେ ବାଲେଶ୍ଵର ଲୋକେ ନିଜର ପୂର୍ବ ନିର୍ବାଚିତ ସାଂସଦ ତଥା ତାଙ୍କ ଦଳକୁ ମାଟି ଚଟାଇଥିଲେ। ଯେଉଁ ଦଳ ନିଜର ପକେଟ୍‌ ଭୋଟ୍‌ ପାଇଁ ଗର୍ବ କରି ଆସୁଥିଲା ତାହା ଧରାଶୀୟୀ ହେଲା। ତାଙ୍କ ଉପରକୁ ଉଠିଗଲା ବିଜେପି। ଖାତା, ଖତିୟାନ, କର୍ମୀ ବା ସଂଗଠନ ନାହିଁ ବୋଲି ଯେଉଁ ଦଳକୁ ଏବେ ବି କୁହାଯାଉଛି ତାହା ଦ୍ଵିତୀୟ ସ୍ଥାନରେ ପହଞ୍ଚିଥିଲା। ଆଉ ନୂଆ ପ୍ରାର୍ଥୀ ଭାବେ ଶିଳ୍ପପତିରୁ ରାଜେନେତା ପାଲଟିଥିବା ରବୀନ୍ଦ୍ର ଜେନା ବାଜି ମାରି ନେଇଥିଲେ।

ଏଥର ବିଜେପିରୁ ପ୍ରାର୍ଥୀ ପୂର୍ବଥର ପରି ପ୍ରତାପ ଷଡ଼ଙ୍ଗୀ ରହିଛନ୍ତି। କଂଗ୍ରେସର ପ୍ରାର୍ଥୀ ବଦଳ ହୋଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ତଥା କଂଗ୍ରେସର ଗ୍ଧଡି ଫ୍ୟାକ୍ଟୋଗ୍ଦ କ୍ଷମତା କେନ୍ଦ୍ର ନବଜ୍ୟୋତି ପଟ୍ଟନାୟକ ଏବେ ପ୍ରାର୍ଥୀ। ଏମାନେ ବର୍ତ୍ତମାନ ସାଂସଦ ଥିବା ବିଜେଡି ପ୍ରାର୍ଥୀ ରବୀନ୍ଦ୍ରଙ୍କ ବିରୋଧରେ ଲଢ଼ିବାକୁ ସଜବାଜ ହୋଇଛନ୍ତି।

ରାଜନୀତି

ବାଲେଶ୍ଵର ସଂସଦୀୟ ମଣ୍ଡଳୀର ପରିସ୍ଥିତିକଥା କହିବା ପୂର୍ବରୁ ପ୍ରଥମେ ଏହାର ଗଠନ ସମ୍ପର୍କରେ କିଛି ସୂଚନା ରଖିବା। ବାଲେଶ୍ଵର ଜିଲ୍ଲାର ସୋର, ସିମୁଳିଆ ବିଧାରନସଭା ମଣ୍ଡଳୀ ଏହି ଲୋକସଭା ମଣ୍ଡଳୀରେ ନାହିଁ। ମୟୁରଭଞ୍ଜ ଜିଲ୍ଲାର ବଡ଼ସାହି ନିର୍ବାଚନ ମଣ୍ଡଳୀ ଏହାର ଅନ୍ତର୍ଭୁକ୍ତ। ଅର୍ଥାତ୍‌ ବାଲେଶ୍ଵର ଲୋକସଭା ମଣ୍ଡଳୀ କହିଲେ ଯେଉଁ ୭ଟି ବିଧାନସଭା ମଣ୍ତଡଳୀକୁ ବୁଝାଉଛି ସେଗୁଡ଼ିକ ହେଲା, ବଡ଼ସାହି, ଜଳେଶ୍ଵର, ଭୋଗରାଇ, ରେମୁଣା, ନିଳଗିରି, ବାଲେଶ୍ଵର ଓ ବସ୍ତା। ଏହି ସାତଟି ଯାକ ନିର୍ବାଚନ ମଣ୍ଡଳୀରୁ କେବଳ ରେମୁଣାକୁ ଛାଡ଼ି ଆଉ ସବୁ ନିର୍ବାଚନ ମଣ୍ଡଳୀରେ ୨୦୧୪ରେ ଶଙ୍ଖ ଫୁଟିଥିଲା। ରେମୁଣା ଯାଇଥିଲା ବିଜେପି ହାତକୁ। ବାଲେଶ୍ଵର ନିର୍ବାଚନ ରାଜନୀତିରେ କଂଗ୍ରେସ ଓ ବାମପନ୍ଥୀ ବିଜୟ ସ୍ଵାଦରୁ ବଞ୍ଚିତ ହୋଇଥିଲେ।

ଏବେ ବାମପନ୍ଥୀଙ୍କ ସଂଗଠନ ଏକ ପ୍ରକାର ନିଶ୍ଚିହ୍ନ ହୋଇ ଯାଇଛି ଆଉ କଂଗ୍ରେସ କ୍ଷୀଣ ପ୍ରାୟ। ସେ ମୁହୂର୍ତ୍ତରେ ନବଜ୍ୟୋତିଙ୍କ ଦ୍ଵିତୀୟ ସ୍ଥାନ ଅଧିକାର କରିବାର ସ୍ଵପ୍ନ ନିହାତି ଭାବେ ଏକ ଦୁଃସ୍ଵପ୍ନ ବୋଲି କୁହାଯାଇପାରେ। ଅର୍ଥାତ୍‌ ଲଢ଼େଇ ହେବ ତ ବିଜେପି ଓ ବିଜେଡି ଭିତରେ।

ଟେବଲ୍‌ ( ତିନି ପ୍ରମୁଖ ଦଳ ପକ୍ଷରୁ ବାଲେଶ୍ଵରର ଲୋକସଭା ପ୍ରାର୍ଥୀ)

ତିନି ପ୍ରମୁଖ ଦଳ ପକ୍ଷରୁ ବାଲେଶ୍ଵରର ବିଧାନସଭା ପ୍ରାର୍ଥୀ

ଏ ଭିତରେ ତିନି ପ୍ରମୁଖ ଦଳ ୫ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଚୁଡ଼ାନ୍ତ କରିଛନ୍ତି। ବିଜେଡି ସମସ୍ତ ୭ଟିଯାକ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେଇଥିବାବେଳେ କଂଗ୍ରେସ ୬ଟି ଏବଂ ବିଜେପି ୫ଟି ପ୍ରାର୍ଥୀ ଦେଇପାରିଛି। (୩ ଏପ୍ରିଲ୍‌ ସକାଳ ୧୦ଟା ସୁଦ୍ଧା)। ଆସନ୍ତୁ ନଜର ପକାଇବା ସାଂସଦ ନିର୍ବାଚନ କ୍ଷେତ୍ରରେ ଏମାନଙ୍କ ଭୂମିକା କେମିତି ରହିବ?

ସାଂସଦ ନିର୍ବାଚନରେ ବିଧାୟକଙ୍କ ଭୂମିକା

ବିଧାନସଭା ମଣ୍ଡଳୀର ମତ ଅନେକାଂଶରେ ସାଂସଦ ନିର୍ବାଚନକୁ ପ୍ରଭାବିତ କରିଥାଏ। ଯେହେତୁ ଓଡ଼ିଶାରେ ଏକ ସଙ୍ଗେ ନିର୍ବାଚନ ହେଉଛି ଏହି ସମୀକରଣ ଯଥେଷ୍ଟ ମୂଲ୍ୟବାନ ମନେ ହୁଏ। କାରଣ ଭୋଟର ସାଂସଦ ପାଇଁ ଅଲଗା ଆଉ ବିଧାୟକ ପାଇଁ ପ୍ରାର୍ଥୀ ହିସାବରେ ଅଲଗା ଭୋଟ୍‌ ଦେବା କ୍ଵଚିତ ଦେଖାଯାଏ। ସେହି କାରଣରୁ ଓଡ଼ିଶାରେ ଗଲାଥର ମୋଦି ହାୱା କାଟୁ କରି ନଥିଲା ବୋଲି ଅନେକ ରାଜନୀତିକ ପଣ୍ଡିତ ଅତୀତରେ ମତ ରଖିଛନ୍ତି। ଏଣୁ ସାଂସଦ ପ୍ରାର୍ଥୀଙ୍କ ସ୍ଥିତି ପରୀକ୍ଷଣ ପୂର୍ବରୁ ପ୍ରଥମେ ବିଧାନସଭାର ସ୍ଥିତି ଉପରେ ନଜର ପକାଇବା ଆବଶ୍ୟକ।

ସମ୍ବେଦନଶୀଳ ନିର୍ବାଚନ ମଣ୍ଡଳୀ

ସମଗ୍ର ବାଲେଶ୍ଵର ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଲା ଉତ୍ତର ବାଲେଶ୍ଵର ଆଉ ଦ୍ଵିତୀୟ ହେଉଛି ବାଲେଶ୍ଵର। ଉତ୍ତର ବାଲେଶ୍ଵରରେ ନିଜ ଗଡ଼କୁ ଉଜ୍ଜୀବୀତ କରିବା ପାଇଁ ବିଜେପି ଏଥର ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ତାଙ୍କ ସଡ଼ୁ ତଥା କଂଗ୍ରେସ ନେତା ଜୟନାରାୟଣ ମହାନ୍ତି ଏବଂ ପୂର୍ବତନ ବିଧାୟକ ଦେବୀ ଚଣ୍ଡଙ୍କୁ ଆପଣାଇଛନ୍ତି। ଏମାନଙ୍କ ଦ୍ଵାରା ବିଜେପିର ବୁଥ୍‌ସ୍ତରୀୟ ସଂଗଠନରେ ଅସ୍ତିତ୍ଵ ଆସିବ ବୋଲି ଆଶା କରାଯାଉଛି। ଏଭାନଙ୍କ ଭିତରୁ ଜୟନାରାୟଣ ମହାନ୍ତି ଜଳେଶ୍ଵରରୁ ପ୍ରାର୍ଥୀ ହୋଇଥିବାବେଳେ ରଘୁନାଥ ମହାନ୍ତି ବସ୍ତାରୁ ପ୍ରାର୍ଥୀ ହେବା ନିଶ୍ଚିତ ରହିଛି। ଦେବୀଙ୍କୁ ଭୋଗରାଇ ମିଳିପାରେ।

ଯଦି ଆସ୍ଥା ବିରୋଧୀ ତତ୍ତ୍ଵ କାର୍ଯ୍ୟକରେ ତେବେ ହୁଏତ ଅଶ୍ଵିନୀ ପ୍ରଭାବିତ ହୋଇପାରନ୍ତି। କିନ୍ତୁ ସ୍ଵାର୍ଥ ଦୃଷ୍ଟିରୁ ଦଳ ଛାଡ଼ିଥିବା ରଘୁ ମହାନ୍ତିଙ୍କୁ ବସ୍ତାବାସୀ ପ୍ରତ୍ୟାଖ୍ୟାନ କରିପାରନ୍ତି ବା ଜୟନାରାୟଣଙ୍କୁ ଆପଣାଇ ନପାରନ୍ତି। ପୁଣି ରଘୁ ଜଳେଶ୍ଵରରୁ ନିଜକୁ ପୂର୍ବରୁ ପ୍ରସ୍ତୁତ କରୁଥିଲେ। ଏହିକ୍ରମରେ ଏହିସବୁ ସ୍ଥାନରେ କର୍ମୀମାନଙ୍କ ଭିତରେ ଯେଉଁ ଅସନ୍ତାଷ ଓ ଅଦଳବଦଳ ହେବ ସେଥିରେ ସାଂସଦ ପ୍ରାର୍ଥୀଙ୍କ ଭୂମିକା ରହିବ। ଏ କ୍ଷେତ୍ରରେ ପୂର୍ବରୁ ରବୀନ୍ଦ୍ର ଜେନାଙ୍କ ଭୂମିକା ଗୁରୁତ୍ଵପୂଣ୍ର୍ଣ ରହିଛି। ରଘୁଙ୍କ ବିରୋଧରେ ହେଉ ବା ନୀଳଗିରିରେ ହେଉ ବିଜେଡି ବିରୋଧୀ ଶିବିରକୁ ନିଜ ଆୟତ୍ତରେ ରଖିଛନ୍ତି ରବୀନ୍ଦ୍ର। ସେଥିଲାଗି ବିଧାୟକ ନହେଲେ ବି ସାଂସଦଙ୍କୁ ଭରସା କରି ଅତୀତରେ ଅନେକ କର୍ମୀ ଦଳରେ ରହିଥିଲେ। ଏଣୁ ସେ ସ୍ଥିତି ଯଦି ଜାରି ରହେ ତେବେ ରବୀନ୍ଦ୍ର ଫାଇଦା ନେଇ ପାରନ୍ତି।

ହାତରୁ ଯିବ ନୀଳଗିରି

ବିଜେପି ହାତରୁ ନୀଳଗରି ଯିବ କି? ଏ ପ୍ରଶ୍ନ ପଚାରିବାର ଉଦ୍ଦେଶ୍ୟ ହେଉଛି ଦୀର୍ଘଦିନ ହେଲା ଏଠାରୁ ବିଜେପି ପ୍ରାର୍ଥୀ ପାଉ ନଥିଲା। ପ୍ରତାପଙ୍କୁ ସାଂସଦ ଭାବେ ଠିଆ କରିବା ପରେ ଏଠି ସ୍ଥିତି ଅସମ୍ଭାଳ ହୋଇ ରହିଛି। ଏଠି ପ୍ରାଥୀ ବି ପାଉ ନଥିବାରୁ ରାଜ୍ୟ ସ୍ତରୀୟ ନେତାଙ୍କୁ ଆପଣାଇବାକୁ ଯାଉଥିବା ବିଜେପି। କିନ୍ତୁ ସେ ସ୍ଥିତି ବେ ଆଉ ନାହିଁ। ଅବଶ୍ୟ ବିଜେଡିର ପୂର୍ବତନ ବିଧାୟକଙ୍କୁ ଆପଣାଇଛି କିନ୍ତୁ ସ୍ଥିତି ଯେ ଗୋଲାପର ଶଯ୍ୟା ହେବ କୁହାଯାଇ ନପାରେ। ବିଜେପିର ଏହି ରଣନୀତିକୁ ସାମ୍ନା କରିବାକୁ ରବୀନ୍ଦ୍ରଙ୍କ ନେତୃତ୍ଵରେ ବିଜେପିର ପ୍ରାର୍ଥୀ ହୋଇଥିବା ସୁଷମା ବିଶ୍ଵାଳଙ୍କୁ ଦଳ ଆପଣାଇଛି । ଅପରପକ୍ଷେ ନୀଳଗିରି ରାଣୀ ମନୋଜା ମଞ୍ଜରୀ ଏଥର ମଇଦାନରେ। ମହିଳା ଓ ରାଜପରିବାରର ବ୍ୟକ୍ତି ହିସାବରେ ତାଙ୍କୁ ମଧ୍ୟ ଆଖିଦୃଶିଆ ଭୋଟ୍‌ ମିଳିବ। ପୁଣି ଯଦି କଂଗ୍ରେସ ଭୋଟ୍‌ ସବୁ ଏକାଠି ହୁଏ ତେବେ ରାଣୀଙ୍କ ଜିତିବା ବି ଅସମ୍ଭବ ନୁହେଁ।

ସେହିପରି ଗୋଟିଏ ଆସନ ୨୦୧୪ରେ ଯାହା ବିଜେପି ଜିତିଥିଲା ତାହା ହେଲା ରେମୁଣା। ଏବେ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ପୁଣି ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ବିଜେଡିର ସୁଧାଂଶୁ ପରିଡ଼ା। ଏଠି ୨୦୧୪ରେ କଂଗ୍ରେସର ସ୍ଥିତି ନଥିଲା। ମାତ୍ର ୯ ପ୍ରତିଶତ ଭୋଟ୍‌ ପାଇଥିଲା। ଏଥର ବି ସେମିତି ନେତା ପ୍ରାର୍ଥୀ ହୋଇ ନାହାନ୍ତି। ଏଣୁ ଲଢ଼ଇେ ବିଜେଡି ବନାମ ବିଜେପି ହେବ।

ବାଲେଶ୍ଵର

ବାଲେଶ୍ଵର ବିଧାନସଭା ମଣ୍ଡଳୀର ଭୋଟ୍‌କୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ଭୋଟ୍‌ ଭାବେ ବିଭାଜନ କରାଯାଇପାରେ। ଏଠି ସହରାଞ୍ଚଳ ଭୋଟ୍‌ ପଦ୍ମ ସପକ୍ଷରେ ରହିଥିବାବେଳେ ଗ୍ରାମାଞ୍ଚଳ ଭୋଟ୍‌ ଶଙ୍ଖ ପକ୍ଷରେ। ହାତ ଚିହ୍ନକୁ ଲୋକେ ତୃତୀୟ ସ୍ଥାନରେ ଦେଖୁଛନ୍ତି। କିନ୍ତୁ ପୂର୍ବତନ ବିଧାୟକ ଅରୁଣଦେଗ୍ଦଙ୍କ ଏକ ପକେଟ୍‌ ଭୋଟ୍‌ ଏଠାରେ ରହିଛି। ପୂର୍ବଥର ସେ କଂଗ୍ରେସର ପ୍ରାର୍ଥୀ ଥିଲେ। ହାରିଥିଲେ। ବାରମ୍ବାର ଦଳ ବଦଳାଉଥିବା ଅରୁଣ ଦେଗ୍ଦଙ୍କ ପାଇଁ ଏହା କ୍ଷତିକାରକ ହୋଇଛି। ହେଲେ ଏହି ପକେଟ୍‌ ଭୋଟ୍‌ ପ୍ରାର୍ଥୀଙ୍କ ଜିତିବା ହାରିବାରେ ଏକ ଗୁରୁତ୍ଵପୂଣ୍ଣ ଭୂମିକା ନେବ।

ଭୋଗରାଇରେ ଅସନ୍ତୁଷ୍ଟ

ଭୋଗରାଇରେ ବିଜେଡି ପ୍ରାର୍ଥୀ ଅନନ୍ତ ଦାସଙ୍କ ବିରୁଦ୍ଧରେ ବିଜେଡି ଶିବିର ରହିଛି। ପୁଣି ସାଂସଦଙ୍କ ହସ ଅନନ୍ତଙ୍କ ସୁ ସମ୍ପର୍କ ନାହିଁ। ଅର୍ଥାତ୍‌ ଏଠାରେ ଗୋଷ୍ଠୀକନ୍ଦଳ ହେବ। କିନ୍ତୁ ଲୋକେ ଯଦି ବିଜେଡିକୁ ପସନ୍ଦ କରିବେ ତେବେ ସାଂସଦ ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କୁ ହାତେଇ ପାରିବେ ବୋଲି ଆଶା କରାଯାଉଛି। ଏଠି ପ୍ରାର୍ଥୀ ହେବାକୁ ଚାହିଁଥିବା ଗୌତମବୁଦ୍ଧ ଦାସ ଓ ଭୁବନମୋହନ ଦାସ ଅନନ୍ତଙ୍କ ବିରୋଧୀ ହୋଇପାରନ୍ତି। କିନ୍ତୁ ଏମାନଙ୍କର ସାଂସଦଙ୍କ ସହ ଭଲ ସମ୍ପର୍କ ବୋଲି ଆଲୋଚନା ହୁଏ।

୩୯ ପ୍ରତିଶତ ଲୋକଙ୍କ ପସନ୍ଦ ରବୀନ୍ଦ୍ର

ପ୍ରଶ୍ନ ହେଉଛି ଲୋକେ ରବୀନ୍ଦ୍ରଙ୍କୁ ପୁଣିଥରେ ଭୋଟ୍‌ ଦେବେ କି? ଏ ବାବଦରେ ଆମର ସର୍ବେକ୍ଷଣ ଯାହା ୧୦୦୦ ଭତଦାତାଙ୍କ ମତ ଉପରେ ନିର୍ଭର କରି ପ୍ରସ୍ତୁତ କରାଯାଇଛି । ତାହା ସୂଚନା ଦେଉଛି ଯେ, ଅନ୍ୟ ଦୁଇ ପ୍ରାର୍ଥୀଙ୍କ ତୁଳନାରେ ସାମାନ୍ୟ ଆଗରେ ରହିଛି। ରବୀନ୍ଦ୍ରଙ୍କୁ ୩୯ ପ୍ରତିଶତ ଲୋକେ ସମର୍ଥନ କରୁଥିବାବେଳେ ୩୫ ପ୍ରତିଶତ ସମର୍ଥନ କରୁଛନ୍ତି ପ୍ରତାପ ଷଡ଼ଙ୍ଗୀଙ୍କୁ। କଂଗ୍ରେସ ପ୍ରାର୍ଥୀ ନବଜ୍ୟୋତିଙ୍କୁ ୧୩ ପ୍ରତିଶତ ଲୋକେ ସମର୍ଥନ କରୁଛନ୍ତି ବା ଭୋଟ୍‌ ଦେବେ ବୋଲି କହୁଛନ୍ତି। ବାକି ୧୩ ପ୍ରତିଶତ ଏଯାଏ ପ୍ରାର୍ଥୀଙ୍କ ବାବଦରେ କୌଣସି ନିଷ୍ପତ୍ତି ନେଇ ନାହାନ୍ତି।

ଚିହ୍ନ ବଡ଼, ପ୍ରାର୍ଥୀ ନୁହେଁ

ଇଭିଏମ୍‌ରେ ପ୍ରର୍ଥୀ ଅପେକ୍ଷା ଚିହ୍ନ ଏକ ଗୁରୁତ୍ଵପୂର୍ଣ ନିଷ୍ପତ୍ତି ନେଇଥାଏ। ଏଣୁ ଆମେ ପଚାରିଥିଲୁ କେଉଁ ଚିହ୍ନ ଆପଣଙ୍କୁ ପ୍ରାଭାବିତ କରୁଛି? ପ୍ରଶ୍ନ ଥିଲା ଆପଣଙ୍କ ହିସାବରେ କେଉଁ ଚିହ୍ନ ଏହି ନିର୍ବାଚନରେ ଲୋକଙ୍କୁ ଅଧିକ ପ୍ରଭାବିତ କରିବ?

ଉତ୍ତର ମିଳିଥିଲା ସ୍ପଷ୍ଟ। ଲୋକେ ୫୧ ପ୍ରତିଶତ ଶଙ୍ଖ କଥା କହିଥିଲେ। ଅର୍ଥାତ୍‌ ୫୧ ପ୍ରତିଶତଙ୍କ ଉପରେ ଶଙ୍ଖ ଚିହ୍ନ ପ୍ରଭାବ ପକାଇପାରେ। ଏଇ ପ୍ରଭାବ ଯଦି ଭୋଟ୍‌ରେ ରୂପାନ୍ତରିତ ହେବ ତେବେ ରବୀନ୍ଦ୍ରଙ୍କ ବିଜୟ ସ୍ପଷ୍ଟ।

କଂଗ୍ରେସ ର ହାତ ଚିହ୍ନ ପ୍ରଭାବ ବାବଦରେ ମାତ୍ର ୧୪ ପ୍ରତିଶତ କହିଥିବା ବେଳେ ୩୨ ପ୍ରତିଶତ ପଦ୍ମ ପ୍ରଭାବକୁ ସ୍ଵୀକାର କରିଛନ୍ତି।

ଶେଷକଥା:

ଏସବୁ କାରକକୁ ବିଚାର କଲେ ରବୀନ୍ଦ୍ରଙ୍କ ପୁନଃ ଆସନ ଅଳଙ୍କରଣ ପାଇଁ ରାସ୍ତା ପରିଷ୍କାର ଅଛି। କିନ୍ତି ବଦଳୁଥିବା ରାଜନୀତିକ ସମୀକରଣରେ ରବୀନ୍ଦ୍ର ସତର୍କ ରହିବା ଆବଶ୍ୟକ।