ଆସୁଛି ଆଉ ଏକ ଲଘୁଚାପ: ୧୦ରୁ ୧୪ ବର୍ଷିବ, ଜିଲ୍ଲାପାଳଙ୍କୁ ଆଲର୍ଟ
ଭୁବନେଶ୍ବର, (ଓଡିଶା ଟାଇମ୍) :ସାମୁଦ୍ରିକ ଝଡ଼ ‘ୟାସ’ କ୍ଷୟକ୍ଷତିକୁ ୧୫ଦିନ ନପୁରୁଣୁ ବଙ୍ଗୋପସାଗରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ଆଜି ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେବା ସହ ଏହି ଲଘୁଚାପ ପ୍ରଭାବରେ ଆସନ୍ତା ୧୦ରୁ ୧୪ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ରାଜ୍ୟ ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ଜାରି ସୂଚନା ଅନୁସାରେ ସମସ୍ତ ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ, ଅଗ୍ନିଶମ, ଏନଡିଆରଏଫ ଓ ଓସଡମାକୁ ଏହି ସମ୍ଭାବ୍ୟ ଲଘୁଚାପ ସମ୍ପର୍କରେ ଅବଗତ କରାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଆଧାରରେ ରିଲିଫ କମିଶନରଙ୍କ କାର୍ଯ୍ୟାଳୟ କହିଛି ଯେ ଆସନ୍ତା ଜୁନ୍ ୧୧ତାରିଖ ପାଖାପାଖି ଉତ୍ତର ବଙ୍ଗୋପସାଗରରେ ଏକ ଘଲୁଚାପ ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ରାଜ୍ୟର ବିଭିନ୍ନ ସ୍ଥାନରେ ହେବ।