ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଫୁ’: ଦୁର୍ନୀତିକୁ ପ୍ରଶ୍ରୟ ଦେଉଛନ୍ତି ସୂଚନା ଲୋକସମ୍ପର୍କ ନିର୍ଦ୍ଦେଶକ

0
1324

ଭୁବନେଶ୍ୱର, (ଓଟି): ଓଡ଼ିଶା ମନ୍ତ୍ରିମଣ୍ଡଳରେ ଏବେ ଶକ୍ତିଶାଳୀ ବ୍ୟକ୍ତିଭାବେ ପ୍ରତାପ ଜେନାଙ୍କୁ ପ୍ରଦର୍ଶନ କରାଯାଉଛି । କିନ୍ତୁ ବାସ୍ତବରେ ବାଧ୍ୟତାମୂଳକ ଦସ୍ତଖତ ଛଡ଼ା ଆଉ ତାଙ୍କ ପାଖରେ କିଛି ସୁଯୋଗ ଥିବା ଭଳି ପ୍ରତୀୟମାନେ ହେଉନାହିଁ । ଏପରିକି ଅଫିସରଙ୍କୁ ପ୍ରଶ୍ନଟିଏ ମଧ୍ୟ ପଚାରିପାରୁନାହାନ୍ତି । ନିକଟରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଯେମିତି ତାଙ୍କ ନାକତଳେ “ନିଜଲୋକ’ଙ୍କ ସେବା କରୁଛନ୍ତି ତାହାଠୁ ଅପମାନ ଆଉ ମନ୍ତ୍ରୀଙ୍କ ପାଇଁ କିଛି ନଥାଇପାରେ । ମନ୍ତ୍ରୀ ଏ ବାବଦରେ ନୀରବ ରହିବା ଏହା ସ୍ପଷ୍ଟ କରୁଛିଯେ, ବୋଧହୁଏ ଶ୍ରୀ ଜେନା ପୂର୍ବରୁ ଅନେକଥର ତାଙ୍କ ବ୍ୟକ୍ତିଗତ କାମ ବା “ନିଜଲୋକ’ଙ୍କ ଫାଇଦା ପାଇଁ ଏହି ନିର୍ଦ୍ଦିଷ୍ଟ ଅଫିସରମାନଙ୍କୁ ନିୟୋଜିତ କରିଛନ୍ତି!

କଥା ହେଉଛି ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଅହେତୁକ ଅନୁକମ୍ପା ବିଷୟ । ବିନା ୱର୍କଅର୍ଡର, ରିଲିଜ୍‍ ଅର୍ଡର ଏବଂ ସରକାରୀ ଅନୁମୋଦନମୂଳକ ଚିଠିରେ ଏହି ସଂସ୍ଥାକୁ ସରକାରଙ୍କ ଡକ୍ୟୁମେଣ୍ଟାରୀ, ବିଜ୍ଞାପନ ବାବଦରେ ଅର୍ଥ ପ୍ରଦାନ କରୁଛି ସୂଚନା ଓ ଲୋକସମ୍ପର୍କ ବିଭାଗ । ଏନେଇ ଆମେ ପୂର୍ବରୁ କିଛି ରିପୋର୍ଟ ପ୍ରକାଶ କରିଛୁ । ଅଭିଯୋଗ ହେଉଛି- ବିଭାଗୀୟ ଅଧିକାରୀମାନଙ୍କ ଅସନ୍ତୋଷ ଏବଂ ତାଗିଦ୍‍ ସତ୍ତ୍ୱେ ନିର୍ଦ୍ଦେଶକ ସରକାରୀ ନଥିରେ ଏହି ସଂସ୍ଥାର ସମସ୍ତ ବେନିୟମକୁ ନିୟମରେ ପରିଣତ କରିବାକୁ ହୁକୁମ୍‍ ଦେଉଛନ୍ତି । ଏପରିକି ତାଙ୍କ ନିର୍ଦ୍ଦେଶକୁ ସରକାରୀ ନିର୍ଦ୍ଦେଶ ତଥା ସରକାରଙ୍କ ଇଚ୍ଛା ବୋଲି ବାରମ୍ବାର ଉଲ୍ଲେଖ କରୁଛନ୍ତି । ଏଠି ସରକାର କିଏ ତାହା ଜଣାପଡ଼ୁ ନାହିଁ । ଯଦି ମନ୍ତ୍ରିମଣ୍ଡଳକୁ ସରକାରଙ୍କ ପ୍ରମୁଖ ଅଙ୍ଗଭାବେ ଗ୍ରହଣ କରାଯାଏ ତେବେ ବିଭାଗୀୟ ମନ୍ତ୍ରୀଙ୍କ ଚରିତ୍ର ଏଠାରେ ସନ୍ଦେହକୁ ଆସିବା ସ୍ୱଭାବିକ ।

ଅଡ଼ୁଆରେ ନିର୍ଦ୍ଦେଶକ

ନିର୍ଦ୍ଦେଶକ ଲକ୍ଷ୍ମୀଧର ମହାନ୍ତି ଆଜିକାଲି ଏହି ବିଭାଗରେ ରହିବାକୁ ଚାହୁଁ ନାହାନ୍ତି ବୋଲି ଚର୍ଚ୍ଚା ହେଉଛି । କାରଣ ବିଭାଗର ଅଧିକାରୀଙ୍କଠାରୁ କିରାଣୀ, କର୍ମଚାରୀ ଯାଏ କେହି ତାଙ୍କ କାର୍ଯ୍ୟଧାରାରେ ସନ୍ତୁଷ୍ଟ ନୁହନ୍ତି । ସେ କାହାକୁ ଭରସାରେ ବି ନେଉ ନାହାନ୍ତି । ନିଜ ଟେବଲ୍‍ରେ ଫାଇଲ୍‍ ଚପାଇ ରଖି ଅନ୍ୟକୁ ସେ ଦୋଷ ଦେଉଛନ୍ତି ବୋଲି ଅଭିଯୋଗ ହେଉଛି । ଏପରିକି କିଛି ନିର୍ଦ୍ଦିଷ୍ଟ ଫାଇଲ୍‍କୁ ତ୍ୱରାନ୍ୱିତ କରି ଅନ୍ୟଗୁଡ଼ିକୁ ଚପାଇ ରଖିବାରେ ସେ ମାହିର ବୋଲି ଚର୍ଚ୍ଚା ହେଉଛି । ସେ ଜଣେ ସ୍ୱଚ୍ଛ ଅଧିକାରୀ ଓ କାହାଠୁ ପଇସାଟିଏ ବି ନିଅନ୍ତି ନାହିଁ ବୋଲି ତାଙ୍କ ରେକର୍ଡ଼ ଥିବା ସେ ଅନ୍ୟମାନଙ୍କୁ କହୁଛନ୍ତି । ହେଲେ ତାଙ୍କରି ଏ କାର୍ଯ୍ୟଧାରାକୁ ବିରୋଧ କରି ଅନେକ ଆଭ୍ୟନ୍ତରୀଣ ଅସନ୍ତୋଷ ସୃଷ୍ଟି ହେଲାଣି । ଏହାର କୌଣସି ଲିଖିତ ପ୍ରମାଣ ନଥିଲେ ମଧ୍ୟ କିଣାଣୀ, ସେକ୍ସନ୍‍ ଅଧିକାରୀମାନେ ଏକାଠି ହୋଇ ନିର୍ଦ୍ଦେଶକଙ୍କୁ ଏ ବାବଦରେ ଭେଟିଛନ୍ତି । ଏପରି ଗୋଷ୍ଠୀ ଦେଖି ନିର୍ଦ୍ଦେଶକ ପୂର୍ବ ନିଷ୍ପତ୍ତିକୁ ବଦଳାଇବାକୁ ବାଧ୍ୟ ହୋଇଛନ୍ତି ।

ଜିଲ୍ଲାପାଳ ହେବାକୁ ମନ

ଜିଲ୍ଲାପାଳଟିଏ ହେବାକୁ ସେ ବେଶ୍‍ ଆଗ୍ରହ ପ୍ରକାଶ କରୁଥିବା ସଚିବାଳୟ କରିଡରରୁ ଶୁଣିବାକୁ ମିଳୁଛି । ତାଙ୍କର ଏହି ବାର୍ତ୍ତାକୁ କ୍ଷମତାଶାଳୀ ତୃତୀୟ ମହଲା ପାଖରେ ପହଞ୍ଚାଇବା ଲାଗି କୁଆଡ଼େ ସେହି ନିର୍ଦ୍ଦିଷ୍ଟ ସଂସ୍ଥାର ମୁଖ୍ୟ ତଥା ପୂର୍ବରୁ ସମ୍ବାଦଦାତା କାର୍ଯ୍ୟ ତୁଲାଉଥିବା ଏହି ବ୍ୟକ୍ତି ସହାୟକ ହେଉଛନ୍ତି । କେହି ଜଣେ ରୂପା’ ନାମ୍ନୀ ବରିଷ୍ଠ ଅଧିକାରୀଙ୍କ ସହ ସମ୍ପୃକ୍ତ ସାମ୍ବାଦିକଙ୍କ ବନ୍ଧୁତା ଥିବାରୁ ସେ ତାଙ୍କରି ବିଷୟକୁ ନିର୍ଦ୍ଦେଶକଙ୍କୁ କହି ନିଜର ଫାଇଦା ନେଉଛନ୍ତି ।

ଯେହେତୁ ମୁଖ୍ୟମନ୍ତ୍ରୀଙ୍କ ସଚିବାଳୟରେ ରୂପା ନାମ୍ନୀ ଦୁଇଜଣ ଅଧିକାରୀ ରହିଛନ୍ତି ଆମେ ତାହାକୁ ଠାବ କରିବାରେ ସମର୍ଥ ହୋଇପାରି ନାହୁଁ । କିନ୍ତୁ ତାଙ୍କରି ସ୍ୱଚ୍ଛ ଭାବମୂର୍ତ୍ତିକୁ କେଇ ଲକ୍ଷ ଟଙ୍କା ପାଇଁ ଏହି ସମ୍ବାଦିକ ବଦ୍‍ନାମ କରୁଛନ୍ତି ସେଥିନେଇ ସେ ତଦନ୍ତ କରିବା ଆବଶ୍ୟକ । ସରକାରୀ ନଥିଗୁଡ଼ିକରୁ ଏହାର ପ୍ରମାଣ ମିଳିବା ନିଶ୍ଚିତ । ଯାହାକୁ ଆମେ ଏଠାରେ ଛାପି ପାରୁ ନାହୁଁ ସେ କାମ ଏହି ବରିଷ୍ଠ ଅଧିକାରୀମାନେ ନିଶ୍ଚେ କରିପାରିବେ ବୋଲି ଆମର ଆଶା ।

ଏକ ନିର୍ଦ୍ଦିଷ୍ଟ ପ୍ରମାଣ

ସରକାରଙ୍କ ଆମ ଗାଁ ଆମ ବିକାଶ’ କାର୍ଯ୍ୟକ୍ରମର ଭିଡିଓ ରେକର୍ଡିଂ କରିଥିବା ପ୍ରଡକ୍ସନ ହାଉସ୍‍କୁ ଆଗୁଆ କୌଣସି ୱର୍କଅର୍ଡର ମିଳି ନଥିଲା । ତଥାପି ସେ ଏ ବାବଦରେ ୧ ମିନିଟ୍‍କୁ ୧ ଲକ୍ଷ ଟଙ୍କା ହିସାବରେ ଅର୍ଥ ସେ ସୂଚନା ଲୋକସମ୍ପର୍କ ବିଭାଗରୁ ପାଇଛନ୍ତି । ଏଭିତରେ ତାଙ୍କର ୨୫ ଲକ୍ଷ ଟଙ୍କା ରୋଜଗାର ହୋଇଛି । ଏହି ଅର୍ଥ ପ୍ରଦାନ ଫାଇଲ୍‍ରେ ତଳସ୍ତରର ଅଧିକାରୀଙ୍କ ଦ୍ୱାରା ଉଠିଥିବା ପ୍ରଶ୍ନକୁ ଏଡ଼ାଇ ନିର୍ଦ୍ଦେଶକ ସରକାରଙ୍କ ନିଷ୍ପତ୍ତି ବୋଲି ଉଲ୍ଲେଖ କରିଛନ୍ତି । ଆଉ ବାଟ ନପାଇ ତଳସ୍ତରର ଅଧିକାରୀ ସରକାରୀ ତହବିଲରୁ ବେଆଇନ ଅର୍ଥ କାରବାରରେ ମୋହରା ହୋଇଛନ୍ତି।

ଏହି ସଂସ୍ଥାକୁ ଏବେ ୧୫ ଲକ୍ଷ ଟଙ୍କା ବିଜ୍ଞାପନ ବାବଦ ଅର୍ଥ ଦେବା ଲାଗି ନିର୍ଦ୍ଦେଶକ ନଥି ପଠାଇଛନ୍ତି । ଏହି ନଥିରେ ତଳ ସ୍ତରର ବରିଷ୍ଠ ଅଧିକାରୀମାନେ ବିଜ୍ଞାପନ ରିଲିଜ୍‍ ଅର୍ଡର ନାହିଁ, ବିଜ୍ଞାପନ ପ୍ରକାଶ ତାରିଖ ପୂର୍ବରୁ ସେ ସଂସ୍ଥା ବିଜ୍ଞାପନ ତାଲିକାଭୁକ୍ତ ହୋଇନାହିଁ, ଏଣୁ କେମିତି ଅର୍ଥ ପ୍ରଦାନ ହେବ ବୋଲି ପଚାରିବାକୁ ନିର୍ଦ୍ଦେଶକ କହିଛନ୍ତି, “ଏହା ସରକାରଙ୍କ ନିଷ୍ପତ୍ତି । ଯେଉଁଦିନ ବିଜ୍ଞାପନ ଦର ନିର୍ଦ୍ଧାରଣ କରାଗଲା ସେ ଦିନଠାରୁ ସେ ବିଜ୍ଞାପନ ପାଇବାକୁ ଯୋଗ୍ୟ ହେଲେ ବୋଲି ବିଚାର କରାଯାଇପାରେ । ଏହାଛଡ଼ା ଆମ ବିଭାଗରୁ ଯେଉଁ ଇ-ମେଲ ଯୋଗେ ତାଙ୍କ ପାଖକୁ ବିଜ୍ଞାପନ ପଠାଯାଇଛି ତାହାକୁ ରିଲିଜ୍‍ ଅର୍ଡର ଭାବେ ଗ୍ରହଣ କରନ୍ତୁ’ । ଏ ବାବଦରେ ସେ ସଚିବଙ୍କ ସହ କଥା ହୋଇଛନ୍ତି ବୋଲି ଉଲ୍ଲେଖ କରିଛନ୍ତି ।

ସଚିବ ମଧ୍ୟ “ଆଜ୍‍ ପ୍ରପୋଜ୍‍ଡ’ ଲେଖି ଫାଇଲକୁ ଅନୁମୋଦନ କରିଛନ୍ତି ।

ଏହି ୪୦ ଲକ୍ଷ ଟଙ୍କା ବେଆଇନ ବିଲ୍‍ ପାରିତ ହେଲେ ଏପରି ବେନିୟମ ଏକ ନିୟମ ଭାବେ ଗଣିତ ହେବ । ନିଜ ହାତ କାଟି ନିର୍ଦ୍ଦେଶକ ଏଯେଉଁ ନିଷ୍ପତ୍ତି ନେଉଛନ୍ତି, ଯଦି ସେଥିପାଇଁ ତାଙ୍କ ଉପରେ ଚାପ ପଡ଼ୁଛି ତେବେ ସେ ସେଠାରେ ତାହାକୁ କିପରି ଏଡ଼ାଇ ହେବ ଚିନ୍ତା କରିବା ଉଚିତ । ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯଦି ଏପରି ବେନିୟମକୁ ନିୟମ କରିବାକୁ ଆବେଗ ପ୍ରକାଶ କରିବେ ତବେ ଏ ସରକାରରେ ଦୁର୍ନୀତି ଯେ, ବହୁ ଉପରଯାଏ ଲମ୍ବିଛି ତାହା ଆଶଙ୍କା କରିବା ସ୍ୱଭାବିକ ।

ଏହି ପ୍ରସଙ୍ଗରେ ପ୍ରଶ୍ନ ଉଠୁଛି ଯେ,

ସରକାରୀ ନିଷ୍ପତ୍ତି କ’ଣ? ସମ୍ପୃକ୍ତ ସଂସ୍ଥାର ବିଲ୍‍କୁ ପାରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ବା ମନ୍ତ୍ରିମଣ୍ଡଳ ନିଷ୍ପତ୍ତି ନେଇଛନ୍ତି କି?

ଦ୍ୱିତୀୟରେ ଯଦି ଦର ନିର୍ଦ୍ଧାରଣ ଦିନକୁ ହିଁ ଏକ ଯୋଗ୍ୟ ସଂସ୍ଥାର ବିଜ୍ଞାପନ ପାଇବା ଦିନ ଭାବେ ବିଚାର କରାଯାଏ ତେବେ ବିଭାଗ ସଂସ୍ଥାଗୁଡ଼ିକୁ ତାଲିକାଭୁକ୍ତ କରିବାର ପ୍ରକ୍ରିୟା କାହିଁକି ଜାରି ରଖିଛନ୍ତି? ପୁଣି ସେହି ତାରିଖରେ ବଛାଯାଇଥିବା ସଂସ୍ଥାଗୁଡ଼ିକର ତାଲିକା ଏଯାଏ କାହିଁକି ପ୍ରକାଶ କରାଯାଇ ନାହିଁ? ଆମ ସୂଚନା ଅନୁସାରେ ଏହିଦିନ ତିନୋଟି ସଂସ୍ଥା ଏ-ବର୍ଗର ୱେବ୍‍ସାଇଟ୍‍ ଭାବେ ଚିହ୍ନିତ ହୋଇଥିଲେ । ସେ ଭିତରେ ଓଟିଭି, ଓଡ଼ିଶା ରିପୋର୍ଟର ଏବଂ ଓମ୍‍କମ୍‍ ସାମିଲ୍‍ ।

ସରକାରୀ ତହବିଲରୁ ଅର୍ଥକୁ ବେଆଇନ ଭାବେ ପ୍ରଦାନ ପାଇଁ ନିର୍ଦ୍ଦେଶକଙ୍କ୍‍ୁ ହକ୍‍ କିଏ ଦେଲା? ଏ ବାବଦରେ ରାଜ୍ୟ ଭିଜିଲାନ୍ସ କାହିଁକି ଚୁପ୍‍ ରହିବ?

ବିଭାଗୀୟ ମନ୍ତ୍ରୀ ଜନସାଧାରଣଙ୍କ ପ୍ରତିନିଧି ଭାବେ ଏ ବାବଦରେ ଅତିକମ୍‍ରେ ପ୍ରଶ୍ନଟିଏ ତ ପଚାରିପାରିବେ!

 

Loading...