ରାଜନୀତି ଓ ସାମ୍ୱାଦିକତାରେ ପ୍ରଦ୍ୟୁମ୍ନ ବଳ ମୂଲ୍ୟବୋଧର ପ୍ରତୀକ ଥିଲେ: ମୁଖ୍ୟମନ୍ତ୍ରୀ

0
61
advertisement

କମଳା ପୂଜାରୀଙ୍କୁ ସ୍ମାରକୀ ସମ୍ମାନ

ଭୁବନେଶ୍ୱର,(ଓଟି): ଉଭୟ ରାଜନୀତି ଏବଂ ସାମ୍ୱାଦିକତାରେ ପ୍ରଦ୍ୟୁମ୍ନ ବଳ ମୂଲ୍ୟବୋଧର ପ୍ରତୀକ ଥିଲେ। ରାଜନୀତିରେ ଦୀର୍ଘକାଳ ରହିନଥିଲେ ମଧ୍ୟ ଏକ ଉଚ୍ଚକୋଟୀର ରାଜନୈତିକ ପ୍ରତିଷ୍ଠା ଅର୍ଜନ କରିଥିଲେ। ସାମ୍ୱାଦିକତା କ୍ଷେତ୍ରରେ ସେ ପ୍ରସିଦ୍ଧି ଲାଭ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

advertisement

‘ପ୍ରଗତିବାଦୀ’ର ପ୍ରତିଷ୍ଠାତା ତଥା ବିଶିଷ୍ଟ ଚିନ୍ତାନାୟକ ପ୍ରଦ୍ୟୁମ୍ନ ବଳଙ୍କ ୮୫ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। କିଟ‌୍‍ କନଭେନସନ ସେଣ୍ଟରଠାରେ ବୁଧବାର ସଂଧ୍ୟାରେ ଏହି ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷର ପ୍ରଦ୍ୟୁମ୍ନ ବଳ ସ୍ମାରକୀ ସମ୍ମାନ କୋରାପୁଟର ଆଦିବାସୀ ମହିଳା ଧାନ ଗବେଷିକା କମଳା ପୂଜାରୀଙ୍କୁ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପୂଜାରୀଙ୍କୁ ଅଭିନନ୍ଦନ ଜଣାଇ କହିଥିଲେ ଯେ, ଜଣେ ଆଦିବାସୀ ମହିଳାଭାବେ କମଳା ପୂଜାରୀ ଯେଭଳି ଧାନ ଓ ଅନ୍ୟାନ୍ୟ ଶସ୍ୟର ସଂରକ୍ଷଣ କ୍ଷେତ୍ରରେ ନୂଆ ରାସ୍ତା ଦେଖାଇଛନ୍ତି ସେଥିପାଇଁ ସେ ଅଭିନନ୍ଦନୀୟ। ତାଙ୍କର କାର୍ଯ୍ୟ ନିମନ୍ତେ ତାଙ୍କୁ ସେ ଧନ୍ୟବାଦ ଜଣାଉଛନ୍ତି। ସମ୍ୱର୍ଦ୍ଧନାର ଉତ୍ତରରେ କମଳା ପୂଜାରୀ ତାଙ୍କର ଛୋଟ ଛୋଟ କାମ ପାଇଁ ତାଙ୍କୁ ବଡ଼ ବଡ଼ ସମ୍ମାନ ଦିଆଯାଉଛି ବୋଲି ମତ ଦେଇଥିଲେ। କିଭଳି ସେ ଏହି କାମ ପାଇଁ ବିଦେଶ ଯାଇ ପାରିଲେ ସେକଥା ମଧ୍ୟ ଉଲ୍ଲେଖ କରିଥିଲେ।

ସମାରୋହରେ ମୁଖ୍ୟବକ୍ତାଭାବେ ଯୋଗଦେଇ  ସେଣ୍ଟର ଫର ଇକ୍ୱିଟି ଷ୍ଟଡିଜର ନିଦ୍ଦେର୍ଶକ ହର୍ଷ ମନ୍ଦର ଦେଶରେ ଦେଖାଦେଇଥିବା ଅସମାନତା ଉପରେ ତାଙ୍କର ବକ୍ତବ୍ୟ ରଖିଥିଲେ। ଦେଶରେ ସମ୍ୱେଦନଶୀଳତାର ଅଭାବ ଦେଖାଦେଇଥିବା ଓ ସବୁଠି ଘୃଣା ଏବଂ ହିଂସା ଏକ ଅସମାନତା ସୃଷ୍ଟି କରୁଥିବା ଉଲ୍ଲେଖ କରିଥିଲେ। ପ୍ରତ୍ୟେକ କ୍ଷେତ୍ରରେ କିଭଳି ଅସମାନତା ରହିଛି ସେନେଇ ସେ ତାଙ୍କର ବକ୍ତବ୍ୟ ରଖିବା ସହ ଏହି ଅସମାନତା ଦୂର କରିବା ପାଇଁ ସବୁ ବର୍ଗର ଲୋକେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଥିଲେ।

ବିପିୟୁଟିର ପୂର୍ବତନ କୁଳପତି ପ୍ରଫେସର ଓଁକାର ନାଥ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହର ପ୍ରାରମ୍ଭରେ ସମ୍ୱିତ ବଳ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଏହି  ଅବସରରେ କେନ୍ଦୁଝରର ଦେବାଶିଷ ମିଶ୍ରଙ୍କୁ ସାମ୍ୱାଦିକତା ଲାଗି ପୁରସ୍କୃତ କରାଯାଇଥିଲା।  ଶ୍ରୀମତୀ ବ୍ରତତୀ ବଳ ଧନ୍ୟବାଦ ଅର୍ପଣ କରିଥିଲେ। କିଟ‌୍‍ ଓ କିସ‌୍‍ର ସଭାପତି ଶ୍ରୀମତୀ ଶାଶ୍ୱତୀ ବଳ ଏବଂ କିସ‌୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ମଞ୍ଚରେ ଉପସ୍ଥିତ ରହିଥିଲେ।