ଶାସକ ବିଜେଡିକୁ ସରକାରୀ କର୍ମଚାରୀଙ୍କ ପ୍ରତ୍ୟାଖ୍ୟାନ

ଯେଉଁଠି ପ୍ରିଜାଇଡିଂ ଅଫିସର କି ପୁଲିଂ ଏଜେଣ୍ଟ ନାହାଁନ୍ତି କିମ୍ୱା ବୁଥ ରିଗିଂର ସାମାନ୍ୟତମ ସମ୍ଭାବନା ନାହିଁ, ସେଠାରେ ମତଦାତା ନିର୍ଭୟରେ ଏବଂ ନିଜ ଇଚ୍ଛା ଅନୁସାରେ ମତଦାନ କରିଥାନ୍ତି। ଏହା କେବଳ ସମ୍ଭବ ହୁଏ ପୋଷ୍ଟାଲ ବ୍ୟାଲଟରେ।

ଇଭିଏମ ଲଢ଼େଇରେ ଶାସକ ଦଳ ପାଖରେ କଳ ଓ ବଳ ଥାଏ। ସେଥିପାଇଁ ଓଡ଼ିଶାରେ ଲଗାତାର ଭାବେ ଜନମତ ବିଜୁ ଜନତା ଦଳ ଆଡ଼କୁ ଝୁଙ୍କି ଯାଉଥିବା ଦେଖିବାକୁ ମିଳୁଛି। କିନ୍ତୁ ଏହା ପଛରେ ଜନତାଙ୍କ ପ୍ରକୃତ ରାୟ ଅଛି କି ନାହିଁ, ତାହାକୁ ନେଇ ଏକ ବଡ଼ ସନ୍ଦେହ ସୃଷ୍ଟି ହୋଇଛି। କାରଣ ପୋଷ୍ଟାଲ ବ୍ୟାଲଟ ଲଢ଼େଇରେ ୨୧ଟି ଲୋକସଭା ଆସନରୁ କୌଣସି ଗୋଟିକରେ ବିଜୁ ଜନତା ଦଳ ବିଜୟୀ ହୋଇ ନାହିଁ।

ଏହି ପୋଷ୍ଟାଲ ବ୍ୟାଲଟ ଲଢ଼େଇରେ କରିଛି ଭାରତୀୟ ଜନତା ପାର୍ଟିକୁ ଅଧିକ ସମର୍ଥନ ମିଳିଛି। ଇଭିଏମ ଲଢ଼େଇରେ ୨୧ରୁ ୧୨ଟି ଆସନ ବିଜେଡି ଦଖଲ କରିଛି। ୮ଟିରେ ବିଜେପି ଏବଂ ଗୋଟିକରେ କଂଗ୍ରେସ ବିଜୟୀ ହୋଇଛି। କିନ୍ତୁ ଏହା ଜନମତର ପ୍ରକୃତ ପ୍ରତିଫଳନ କି ନାହିଁ, ସେନେଇ ସାଧାରଣରେ ସନ୍ଦେହ ଏବଂ ପ୍ରଶ୍ନ ଉଭୟ ଯାକ ଉଙ୍କି ମାରୁଛି।

କିନ୍ତୁ ଯିଏ ଜିତେ, ସିଏ ସିକନ୍ଦର। ମାତ୍ର ଏହାକୁ ପ୍ରକୃତ ଜନାଦେଶ କୁହାଯିବ କି ନାହିଁ, ସେଥିପାଇଁ ବିଶ୍ଲେଷକଙ୍କୁ ଘୋର ସନ୍ଦେହ ଭିତରକୁ ଠେଲି ଦେଇଛି ପୋଷ୍ଟାଲ ବ୍ୟାଲଟ ଭୋଟ। ନିର୍ବାଚନରେ ଅଂଶ ଗ୍ରହଣ କରୁଥିବା ସରକାରୀ କର୍ମଚାରୀ, ବିଭିନ୍ନ ସରକାରୀ ଦାୟିତ୍ୱରେ ରହୁଥିବା କର୍ମଚାରୀ ଏବଂ ପ୍ରତିରକ୍ଷା ବିଭାଗର କର୍ମଚାରୀମାନେ ବୁଥକୁ ନଯାଇ ପୋଷ୍ଟାଲ ବ୍ୟାଲଟ ଜରିଆରେ ମତଦାନ କରିଥାନ୍ତି। ଏଥିପାଇଁ ସେମାନଙ୍କୁ ପୂର୍ବରୁ ନିର୍ବାଚନ କମିଶନଙ୍କ ଅନୁମତି ସହ ଏକ ବ୍ୟାଲଟ ପେପର ହାସଲ କରିବାକୁ ପଡ଼ିଥାଏ। ଭୋଟ ପୂର୍ବରୁ ଏହାକୁ ପୋଷ୍ଟାଲରେ ପଠାଯାଉଥିବାରୁ ଏପରି ଭୋଟିଂକୁ ପୋଷ୍ଟାଲ ବ୍ୟାଲଟ ଭୋଟିଂ ବୋଲି କୁହାଯାଇଥାଏ।

ଓଡ଼ିଶାରେ ସରକାରୀ କର୍ମଚାରୀ ତଥା ଶିକ୍ଷିତ ବର୍ଗ ଯେ ବିଜୁ ଜନତା ଦଳ ତୁଳନାରେ ଭାରତୀୟ ଜନତା ପାର୍ଟିକୁ ଖୁବ ଅଧିକ ପସନ୍ଦ କରିଛନ୍ତି, ତାହା ପ୍ରତିଫଳିତ ହୋଇଛି ପୋଷ୍ଟାଲ ବ୍ୟାଲଟ ଭୋଟିଂରେ।

ଯଦି ହାର-ଜିତର ମାପକାଠି ଭାବେ ପୋଷ୍ଟାଲ ବ୍ୟାଲଟକୁ ଗ୍ରହଣ କରାଯାଆନ୍ତା, ତେବେ ଓଡ଼ିଶାର ୨୧ଟି ଲୋକସଭା ଆସନରୁ ୨୦ଟିରେ ବିଜେପି ଜିତିଥାନ୍ତା। ନବରଙ୍ଗପୁର ଆସନ ଯାଇଥାନ୍ତା କଂଗ୍ରେସକୁ। ଶାସକ ବିଜୁ ଜନତା ଦଳ ଖାତା ବି ଖୋଲିପାରି ନଥାନ୍ତା।

ନିର୍ବାଚନ କମିଶନ ପୃଥକ ପୃଥକ ଭାବେ ପୋଷ୍ଟାଲ ଓ ଇଭିଏମ ଭୋଟ ଗଣତି କରିଥାନ୍ତି। ଇଭିଏମ ତୁଳନାରେ ପୋଷ୍ଟାଲ ଭୋଟିଂର ସଂଖ୍ୟା ଯଥେଷ୍ଟ କମ। ପୋଷ୍ଟାଲ ବ୍ୟାଲଟ ଭୋଟିଂରୁ ଏଥର ସରକାରୀ କର୍ମଚାରୀମାନେ ବିଜୁ ଜନତା ଦଳକୁ ପ୍ରତ୍ୟାଖ୍ୟାନ କରିଥିବା ଅତି ସ୍ପଷ୍ଟ ହୋଇଯାଇଛି।

ଆସିକା ଲୋକସଭା ଆସନରୁ ବିଜେଡିର ପ୍ରମିଳା ବିଶୋଇ ଦୁଇ ଲକ୍ଷାଧିକ ଭୋଟ ବ୍ୟବଧାନରେ ହରାଇଥିଲେ ବିଜେପିର ଅନିତା ପ୍ରିୟଦର୍ଶିନୀଙ୍କୁ। କିନ୍ତୁ ପୋଷ୍ଟାଲ ଭୋଟିଂରେ ଅନିତା ୧୭୯୩ ଭୋଟ ପାଇଥିବା ବେଳେ ପ୍ରମିଳା ପାଇଛନ୍ତି ମାତ୍ର ୩୮୫ଟି ଭୋଟ।

ବାଲେଶ୍ୱରରେ ବିଜୟୀ ହୋଇଛନ୍ତି ବିଜେପିର ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ପୋଷ୍ଟାଲ ଭୋଟିଂରେ ମଧ୍ୟ ସେ ବିଜେଡିର ରବିନ୍ଦ୍ର କୁମାର ଜେନାଙ୍କ ଠାରୁ ଯଥେଷ୍ଟ ଅଧିକ ଭୋଟ ପାଇଛନ୍ତି। ପ୍ରତାପ ୨୪୨୦ଟି ଭୋଟ ପାଇଥିବା ବେଳେ ରବିନ୍ଦ୍ରଙ୍କୁ ମିଳିଛି ୬୬୦ଟି ଭୋଟ। କଂଗ୍ରେସର ନବଜ୍ୟୋତି ପଟ୍ଟନାୟକ ପାଇଛନ୍ତି ୩୩୩ଟି ଭୋଟ।

ବରଗଡ଼ ଲୋକସଭା ଆସନଟି ଯାଇଛି ବିଜେପିର ସୁରେଶ ପୁଜାରୀଙ୍କ ହାତକୁ। ସେ ମଧ୍ୟ ପୋଷ୍ଟାଲ ଭୋଟିଂରେ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ଠାରୁ ୪ଗୁଣା ଅଧିକ ଭୋଟ ପାଇଛନ୍ତି। ସୁରେଶ ୪୧୭୧ଟି ଭୋଟ ପାଇଥିବା ବେଳେ ପ୍ରସନ୍ନଙ୍କୁ ମିଳିଛି ୧୦୭୭ଟି ଭୋଟ। କଂଗ୍ରେସ ପ୍ରାର୍ଥୀ ପାଇଛନ୍ତି ୫୧୯ ଖଣ୍ଡ ଭୋଟ।

ବ୍ରହ୍ମପୁର ଲୋକସଭା ଆସନରେ ବିଜୟୀ ହୋଇଛନ୍ତି ବିଜେଡିର ଚନ୍ଦ୍ରଶେଖର ସାହୁ। କିନ୍ତୁ ତାଙ୍କୁ ୬୯୮ ଜଣ ସରକାରୀ କର୍ମଚାରୀ ପୋଷ୍ଟାଲ ବ୍ୟାଲଟରେ ଭୋଟ ଦେଇଥିବା ବେଳେ ପରାଜିତ ବିଜେପି ପ୍ରାର୍ଥୀ ଭୃଗୁ ବତ୍ତିପାତ୍ରଙ୍କୁ ମିଳିଛି ୧୬୯୭ଟି ଭୋଟ। କଂଗ୍ରେସର ଚନ୍ଦ୍ରଶେଖର ନାଇଡ଼ୁ ପାଇଛନ୍ତି ୨୬୦ଟି ଭୋଟ।

ସେହିପରି ଭଦ୍ରକ ଲୋକସଭା ଆସନରେ ବିଜୟୀ ହୋଇଛନ୍ତି ବିଜେଡିର ମଞ୍ଜୁଲତା ମଣ୍ଡଳ। ତାଙ୍କୁ ପୋଷ୍ଟାଲ ବ୍ୟାଲଟରେ ୧୨୭୩ଟି ଭୋଟ ମିଳିଥିବା ବେଳେ ବିଜେପିର ଅଭିମନ୍ୟୁ ସେଠୀଙ୍କୁ ମିଳିଛି ୩୩୮୦ଟି ଭୋଟ। କଂଗ୍ରେସର ମଧୁମିତା ସେଠୀ ପାଇଛନ୍ତି ୫୭୬ ଖଣ୍ଡ ବ୍ୟାଲଟ ଭୋଟ।

ଭୁବନେଶ୍ୱର ସଂସଦୀୟ ଆସନରୁ ଜିତିଛନ୍ତି ବିଜେପି ପ୍ରାର୍ଥୀ ଅପରାଜିତ ଷଡ଼ଙ୍ଗୀ। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବିଜେଡିର ଅରୂପ ମୋହନ ପଟ୍ଟନାୟକ। ପୋଷ୍ଟାଲ ବ୍ୟାଲଟରେ ସରକାରୀ କର୍ମଚାରୀମାନେ ଏକତରଫା ଭାବେ ପସନ୍ଦ କରିଛନ୍ତି ଅପରାଜିତାଙ୍କୁ। ସେ ୧୧୯୮ ଭୋଟ ପାଇଥିବା ବେଳେ ଅରୂପଙ୍କୁ ମିଳିଛି ୨୪୧ଟି ଭୋଟ। କଂଗ୍ରେସ ଓ ବାମଦଳର ମେଣ୍ଟ ପ୍ରାର୍ଥୀ ଜନାର୍ଦ୍ଦନ ପତି ପାଇଛନ୍ତି ମାତ୍ର ୩୩ ଖଣ୍ଡ ଭୋଟ।

ବଲାଙ୍ଗୀର ଆସନ ଏଥର ଜିତିଛନ୍ତି ବିଜେପିର ସଙ୍ଗୀତା ସିଂହଦେଓ। ପୋଷ୍ଟାଲ ବ୍ୟାଲଟରେ ମଧ୍ୟ ସେ ହରାଇଛନ୍ତି ବିଜେଡିର କଳିକେଶ ସିଂହଦେଓଙ୍କୁ। କଳିକେଶ ୩୮୭ଟି ଭୋଟ ପାଇଥିଲା ବେଳେ ସଙ୍ଗୀତାଙ୍କୁ ମିଳିଛି ୧୮୪୯ଟି ଭୋଟ ଏବଂ କଂଗ୍ରେସର ସମରେନ୍ଦ୍ର ମିଶ୍ର ପାଇଛନ୍ତି ୩୪୪ଟି ଭୋଟ।

କଟକ ଲୋକସଭା ଆସନରୁ ବିଜୟୀ ହୋଇଛନ୍ତି ବଜେଡିର ଭର୍ତ୍ତୃହରି ମହତାବ। ଅଥଚ ଏହି ଆସନରୁ ବିଜେପିର ପ୍ରକାଶ ମିଶ୍ରଙ୍କୁ ୧୪୩୨ଟି ପୋଷ୍ଟାଲ ଭୋଟ ମିଳିଥିବା ବେଳେ ଭର୍ତ୍ତୃହରି ପାଇଛନ୍ତି ୪୭୫ଟି ଭୋଟ। କଂଗ୍ରେସର ପଞ୍ଚାନନ କାନୁନଗୋଙ୍କୁ ମିଳିଛି ୧୦୫ଟି ଭୋଟ।

ଢେଙ୍କାନାଳ ଆସନରେ ବିଜୟୀ ହୋଇଛନ୍ତି ବିଜେଡିର ମହେଶ ସାହୁ। ତାଙ୍କୁ ୯୩୦ଟି ପୋଷ୍ଟାଲ ଭୋଟ ମିଳିଥିବା ବେଳେ ପରାଜିତ ବିଜେପିର ରୁଦ୍ରନାରାୟଣ ପାଣିଙ୍କୁ ମିଳିଛି ୩୪୯୪ ଭୋଟ। କଂଗ୍ରେସର କେପି ସିଂହଦେଓ ପାଇଛନ୍ତି ୩୬୨ ବ୍ୟାଲଟ ଭୋଟ।

ଜଗତସିଂହପୁର ଆସନରେ ବିଜେଡିର ରାଜଶ୍ରୀ ମଲ୍ଲିକ ଲକ୍ଷାଧିକ ଭୋଟରେ ଏହି ଆସନ ଜିତିଛନ୍ତି। କିନ୍ତୁ ତାଙ୍କୁ ସରକାରୀ କର୍ମଚାରୀମାନେ ପରାଜିତ ବିଜେପିର ବିଭୂ ତରାଇଙ୍କ ଠାରୁ କମ ଭୋଟ ଦେଇଛନ୍ତି। ବିଭୂ ୧୯୩୨ ଭୋଟ ପାଇଥିବା ବେଳେ ରାଜଶ୍ରୀଙ୍କୁ ମିଳିଛି ୧୦୩୦ ଭୋଟ। କଂଗ୍ରେସର ପ୍ରତିମା ମଲ୍ଲିକ ପାଇଛନ୍ତି ୫୭୦ ପୋଷ୍ଟାଲ ଭୋଟ।

ଯାଜପୁରର ପରାଜିତ ବିଜେପି ପ୍ରାର୍ଥୀ ଅମିୟ ମଲିକ ୪୧୫୬ ପୋଷ୍ଟାଲ ଭୋଟ ପାଇଥିବା ବେଳେ ବିଜୟିନୀ ବିଜେଡିର ଶର୍ମିଷ୍ଠା ସେଠୀଙ୍କୁ ମିଳିଛି ୧୫୪୪ ଭୋଟ। କଂଗ୍ରେସର ମାନସ ଜେନା ପାଇଁ ୪୮୭ଟି ବ୍ୟାଲଟ ଭୋଟ।

କଳାହାଣ୍ଡି ଆସନରେ ବିଜୟୀ ହୋଇଛନ୍ତି ବିଜେପିର ବସନ୍ତ କୁମାର ପଣ୍ଡା। ସରକାରୀ କର୍ମଚାରୀଙ୍କ ଭୋଟ ମଧ୍ୟ ତାଙ୍କୁ ମିଳିଛି ଅଧିକ। ଏଠାରେ ବିଜୁ ଜନତା ଦଳର ପୁଷ୍ପେନ୍ଦ୍ର ସିଂହଦେଓ ସବୁଠୁ କମ ୬୧୯ଟି ପୋଷ୍ଟାଲ ଭୋଟ ପାଇଛନ୍ତି। କଂଗ୍ରେସର ଭକ୍ତଚରଣ ଦାସ ୧୨୮୭ଟି ଭୋଟ ପାଇଥିବା ବେଳେ ବସନ୍ତଙ୍କୁ ମିଳିଛି ୩୩୬୪ଟି ଭୋଟ।

କନ୍ଧମାଳରେ ବିଜେପିର ଖାରବେଳ ସ୍ୱାଇଁ ହାରିଯାଇଥିଲେ ମଧ୍ୟ ପୋଷ୍ଟାଲ ବ୍ୟାଲଟରେ ସେ ବିଜେଡିର ଅଚ୍ୟୁତ ସାମନ୍ତଙ୍କ ଠାରୁ ୩ଗୁଣା ଅଧିକ ଭୋଟ ପାଇଛନ୍ତି। ଅଚ୍ୟୁତ ୫୨୫ଟି ବ୍ୟାଲଟ ଭୋଟ ପାଇଥିବା ବେଳେ ଖାରବେଳଙ୍କୁ ମିଳିଛି ୧୫୮୦ଟି ଭୋଟ। କଂଗ୍ରେସର ମନୋଜ ଆଚାର୍ଯ୍ୟ ପାଇଛନ୍ତି ୩୪୬ଟି ଭୋଟ।

କେନ୍ଦ୍ରାପଡ଼ା ନିର୍ବାଚନ ଏଥର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ବିଜେଡିର ଅନୁଭବ ମହାନ୍ତି ଲକ୍ଷାଧିକ ଭୋଟ ବ୍ୟବଧାନରେ ବିଜେପିର ବୈଜୟନ୍ତ ପଣ୍ଡାଙ୍କୁ ହରାଇ ଦେଇଛନ୍ତି। କିନ୍ତୁ ସରକାରୀ କର୍ମଚାରୀମାନେ ଅନୁଭବଙ୍କ ତୁଳନାରେ ବୈଜୟନ୍ତଙ୍କୁ ଅଧିକ ପସନ୍ଦ କରିଛନ୍ତି। ଅନୁଭବ ପାଇଛନ୍ତି ୮୩୦ଟି ଭୋଟ। ମାତ୍ର ବୈଜୟନ୍ତଙ୍କୁ ମିଳିଛି ୨୩୦୪ଟି ଭୋଟ। କଂଗ୍ରେସର ଧରଣୀଧର ନାୟକ ପାଇଛନ୍ତି ୧୩୯ ବ୍ୟାଲଟ ଭୋଟ।

କେନ୍ଦୁଝରରେ ବିଜୟୀ ବିଜେଡି ପ୍ରାର୍ଥୀ ଚନ୍ଦ୍ରାଣୀ ମୁର୍ମୁଙ୍କୁ ୪୭୩ ବ୍ୟାଲଟ ଭୋଟ ମିଳିଥିବା ବେଳେ ବିଜେପିର ଅନନ୍ତ ନାୟକ ପାଇଛନ୍ତି ୨୦୯୨ଟି ଭୋଟ। କଂଗ୍ରେସର ମୋହନ ହେମ୍ୱ୍ରମ ୧୭୪ଟି ଭୋଟ ପାଇଛନ୍ତି।

କୋରାପୁଟ ଲୋକସଭା ଆସନରେ ସ୍ୱଳ୍ପ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି କଂଗ୍ରେସର ସପ୍ତଗିରି ଉଲାକା। ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବିଜେଡିର କୌଶଲ୍ୟା ହିକାକା। ମାତ୍ର ତୃତୀୟ ସ୍ଥାନରେ ଥିବା ବିଜେପିର ଜୟରାମ ପାଙ୍ଗୀଙ୍କୁ ସର୍ବାଧିକ ୨୨୪୫ଟି ପୋଷ୍ଟାଲ ଭୋଟ ମିଳିଛି। କୌଶଲ୍ୟା ୭୦୪ ଏବଂ ସପ୍ତଗିରି ୬୯୫ଟି ଭୋଟ ପାଇଛନ୍ତି।

ମୟୂରଭଞ୍ଜରେ ବିଜେପିର ବିଜୟୀ ପ୍ରାର୍ଥୀ ବିଶେଶ୍ୱର ଟୁଡୁଙ୍କୁ ୩୫୫୯ଟି ପୋଷ୍ଟାଲ ଭୋଟ ମିଳିଥିବା ବେଳେ ବିଜେଡିର ଦେବାଶିଷ ମାରାଣ୍ଡି ପାଇଛନ୍ତି ୮୮୦ ଏବଂ ଝାମୁମୋର ଅଞ୍ଜନୀ ସୋରେନଙ୍କୁ ମିଳିଛି ୨୮୭ଟି ଭୋଟ।

ନବରଙ୍ଗପୁର ହେଉଛି ଏକମାତ୍ର ଆସନ ଯେଉଁଠି କଂଗ୍ରେସର ପ୍ରଦୀପ କୁମାର ମାଝୀ ସବୁଠାରୁ ବେଶୀ ୧୪୩୩ ପୋଷ୍ଟାଲ ଭୋଟ ପାଇଛନ୍ତି। କିନ୍ତୁ ଲୋକସଭା ଆସନ ଜିଣିଥିବା ବିଜେଡିର ରମେଶ ଚନ୍ଦ୍ର ମାଝୀ ସବୁଠୁ କମ ୨୩ ଖଣ୍ଡ ଭୋଟ ପାଇଛନ୍ତି। ବିଏସପିର ଚନ୍ଦ୍ରଧ୍ୱଜ ମାଝୀ ୭୧୬ ଏବଂ ବିଜେପିର ବଳଭଦ୍ର ମାଝୀ ୩୨୯ଟି ଭୋଟ ପାଇଛନ୍ତି।

ସବୁଠୁ କଡ଼ା ମୁକାବିଲା ଦେଖିିବାକୁ ମିଳିଥିଲା ପୁରୀରେ। ମାତ୍ର ୧୧ହଜାର ଭୋଟ ବ୍ୟବଧାନରେ ବିଜେପିର ସମ୍ୱିତ ପାତ୍ର ପରାଜିତ ହୋଇଥିଲେ। କିନ୍ତୁ ତାଙ୍କୁ ମିଳିଛି ୨୧୦୩ ପୋଷ୍ଟାଲ ଭୋଟ। ବିଜେଡିର ପିନାକୀ ମିଶ୍ର ପାଇଛନ୍ତି ୫୩୯ ଭୋଟ। କଂଗ୍ରେସର ସତ୍ୟପ୍ରକାଶ ନାୟକ ୧୩୫ଟି ଭୋଟ ପାଇଛନ୍ତି।

ସମ୍ୱଲପୁର ଏବଂ ସୁନ୍ଦରଗଡ଼ ଆସନ ବିଜେପି ହାତକୁ ଯାଇଛି। ପୋଷ୍ଟାଲ ବ୍ୟାଲଟରେ ମଧ୍ୟ ସେମାନେ ଅନ୍ୟ ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ଯଥେଷ୍ଟ ଆଗରେ ଥିଲେ। ସମ୍ୱଲପୁରରେ ବିଜେପିର ନିତେଶ ଗଙ୍ଗଦେବ ୨୩୮୮ଟି ଭୋଟ ପାଇଥିବା ବେଳେ ବିଜେଡିର ନଳିନୀକାନ୍ତ ପ୍ରଧାନ ୫୪୫ ଏବଂ କଂଗ୍ରେସର ଶରତ ପଟ୍ଟନାୟକ ୨୯୭ଟି ବ୍ୟାଲଟ ଭୋଟ ପାଇଥିଲେ।

ସୁନ୍ଦରଗଡ଼ରେ ବିଜେପିର ଜୁଏଲ ଓରାମଙ୍କୁ ୧୫୮୮ଟି ଭୋଟ ମିଳିଥିଲା। କଂଗ୍ରେସର ଜର୍ଜ ତିର୍କୀ ୫୪୬ଟି ପୋଷ୍ଟାଲ ବ୍ୟାଲଟ ପାଇ ଦ୍ୱିତୀୟ ସ୍ଥାନରେ ଥିବାବେଳେ ବିଜୁ ଜନତା ଦଳର ସୁନିତା ବିଶ୍ୱାଳ ପାଇଥିଲେ ମାତ୍ର ୨୮୧ଟି ଭୋଟ।

ଏହା ସାବ୍ୟସ୍ତ କରୁଛି ଯେ, ସରକାରୀ କର୍ମଚାରୀମାନେ ଶାସକ ଦଳକୁ ଏକ ପ୍ରକାର ପ୍ରତ୍ୟାଖ୍ୟାନ କରିଛନ୍ତି।

Leave a Reply

Your email address will not be published.