ଧିମେଇଲାଣି ପଲିଥିନ୍‍ କଟକଣା

0
14
advertisement

ରାଜ୍ୟର ୫ଟି ମହାନଗର ନିଗମ ସମେତ ଶ୍ରୀକ୍ଷେତ୍ର ପୁରୀକୁ ପଲିଥିନ୍‍ ଓ ପ୍ଲାଷ୍ଟିକ ମୁକ୍ତ କରିବାଲାଗି ଆରମ୍ଭ ହୋଇଥିବା ଯୋଜନା ଏବେ ଧିମେଇ ଗଲାଣି । ଗତବର୍ଷ ଗାନ୍ଧୀଜୟନ୍ତୀ ପରେ ପରେ ଏହି ୬ଟି ସହରରେ ତନାଘନା ଚଢାଉ ଯୋଗୁଁ ପଲିଥିନ୍‍ ବିକ୍ରି ଓ ବ୍ୟବହାର ବନ୍ଦହୋଇଥିବାବେଳେ ଏବେ ପୁଣି ଧିରେ ଧିରେ ଏହା ବଜାରରେ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି ।

advertisement

୨୦୧୮ ଗାନ୍ଧୀଜୟନ୍ତୀରୁ ରାଜ୍ୟର ଏହି ୬ଟି ସହରରେ ପଲିଥିନ୍‍ ସମ୍ପୂର୍ଣ୍ଣ ନିଷେଧ ହୋଇଛି । ପଲିଥିନ୍‍ ବିକ୍ରି କିମ୍ବା ବ୍ୟବହାର କଲେ ଜେଲ ଜୋରିମାନା ବ୍ୟବସ୍ଥା ଅଛି । ସରକାର ଏହି କଟକଣା ଲାଗୁ ସହିତ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପୌରସଂସ୍ଥା ଗୁଡିକ ତରଫରୁ ଏହିସବୁ ସହରରେ ଚଢଉକୁ ଜୋରଦାର କରାଯାଇଥିଲା । ମାସେ ମହଲତ ପରେ ଚଢଉ ହୋଇଥିବାରୁ ବ୍ୟବସାୟୀମାନେ ଭୟରେ ପାଖରେ ପଲିଥିନ୍‍ ରଖିନଥିଲେ ।

ହେଲେ ଏବେ ଆଉ ପ୍ରାୟ କେଉଁଠାରେ ପୂର୍ବଭଳି ଚଢାଉ ହେଉନଥିବାରୁ ବ୍ୟବସାୟୀମାନେ ପଲିଥିନ କାରବାର ଆରମ୍ଭ କଲେଣି । ପନିପରିବା ବ୍ୟବସାୟୀଙ୍କ ଠାରୁ ଆରମ୍ଭକରି ମାଛ ମାଂସ ଦୋକାନ ପର୍ଯ୍ୟନ୍ତ ସବୁଆଡେ ପଲିଥିନ୍‍ କାରବାର ହେଲାଣି । ପଲିଥିନ ବନ୍ଦ ପରେ ବଜାରକୁ ଆସୁଥିବା ମୁଣାରେ ସାମଗ୍ରୀ ନେବାକୁ ଲୋକେଆଗ୍ରହ ପ୍ରକାଶ କରୁନଥିବାରୁ ବ୍ୟବସାୟୀମାନେ ବାଧ୍ୟହୋଇ ପୁର୍ନବାର ପଲିଥିନ୍‍ ଆଣୁଥିବା ପ୍ରକାଶ କରୁଛନ୍ତି ।

ଅନ୍ୟ ପକ୍ଷରେ ପଲିଥିନ୍‍ ନିଷେଧ ପରେ ବଜାରକୁ ଆସିଥିବା ମୁଣାର ମାନ ଯାଞ୍ଚ ହେଉନଥିବାରୁ ସେଥିରେ ଖାଦ୍ୟ ପଦାର୍ଥ ନେବାକୁ ଲୋକେ ଭୟ କରୁଛନ୍ତି । କାରଣ ଏହି ମୁଣାରେ ଫୁଲ କିମ୍ବା ଶାଗ ଭଳି ସାମଗ୍ରୀ ନେଇ ଘରେ ରଖିଲେ କେଇଁ ଘଣ୍ଟାପରେ ତାହା ଶୁଖି ନଷ୍ଟ ହୋଇ ଯାଉଛି । ଏହି ମୁଣାରେ ଖାଦ୍ୟ ସାମଗ୍ରୀ ନନେବାପାଇଁ ବି କିଛି ବ୍ୟବସାୟୀ ପରାମର୍ଶ ଦେଉଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୬ଟି ସହରରେ ପଲିଥିନ୍‍ ନିଷେଧ ପରେ ପରବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ସହର ଗୁଡିକରେ ଏହା କାର୍ଯ୍ୟକାରୀ ହେବବୋଲି କୁହାଯାଇଥିଲା । ହେଲେ ୫ଟି ସହରରେ ପଲିଥିନ୍‍ କଟକଣାର ଏଭଳି ଧିମା ଅବସ୍ଥା ଦେଖି ରାଜ୍ୟର ଅନ୍ୟ ଅଞ୍ଚଳରେ ଏହା ଲାଗୁନେଇ ଲୋକେ ସନ୍ଦେହ ପ୍ରକାଶ କଲେଣି ।

ଅନ୍ୟ ପକ୍ଷରେ କଟକଣା ଲାଗିଥିବା ୬ଟି ସହରରେ ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବା ଆଶଙ୍କାରେ ପଲିଥିନ୍‍ ଉତ୍ପାଦନକାରୀ ଓ ବିକ୍ରେତାମାନେ ରାଜ୍ୟର ଅନ୍ୟ ଛୋଟ ଛୋଟ ସହରକୁ ଟାର୍ଗେଟ କରିଛନ୍ତି । ସେହିସବୁ ସହରକୁ ଏବେ ବିପୁଳ ପରିମାଣର ପଲିଥିନ୍‍ ଯିବାରେ ଲାଗିଛି । ଏହା ଉପରେ ତୁରନ୍ତ କଟକଣା ଲଗାଇବାକୁ ଦାବି ହେଲାଣି ।

ଉଲ୍ଲେଖନୀୟ ଯେ ରାଜ୍ୟ ସରକାର ପ୍ରଥମେ ୨୦୦୪ ମସିହାରେ ପଲିଥିନ୍‍ କଟକଣା ଜାରି କରିଥିବାବେଳେ ୨୦୧୮ ରେ ଏହାକୁ ଦୋହରାଇଛନ୍ତି । ତେବେ ୨୦୦୪ ରେ ଯେଭଳି କଟକଣା ବିଫଳ ହୋଇଥିଲା ଏବେ ଅନୁରୂପ ଅବସ୍ଥା ଉପୁଜିବାର ଆଶଙ୍କା ସୃଷ୍ଟି ହେଲାଣି ।