ଦଳବଦଳ ଇତିହାସ : ୧୯୬୭ରୁ କଂଗ୍ରେସ ଦ୍ୱାରା ଆରମ୍ଭ

0
228
advertisement

ଏବେ ଦେଶର ରାଜନୀତିରେ ଗୋଟିଏ ବଡ଼ ଋତୁ ଆରମ୍ଭ ହୋଇଛି; ତାହା ହେଲା ରାଜନୈତିକ ନେତା, ସାଂସଦ, ବିଧାୟକମାନଙ୍କର ଦଳବଦଳ ଋତୁ। ନିକଟରେ ଗୋଆ, କର୍ଣ୍ଣାଟକ, ଅରୁଣାଞ୍ଚଳପ୍ରଦେଶ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ସାଂସଦ ଓ ବିଧାୟକମାନେ କ୍ଷମତା ଲାଳସା ନେଇ ଯେପରି ଦଳବଦଳରେ ମାତିଛନ୍ତି ତାହା ଯୁବ ମତଦାତାମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଏବେର ରାଜନେତାଙ୍କଠାରେ କ୍ଷମତା ହାସଲ ପାଇଁ ନୀତିର କୌଣସି ମହତ୍ତ୍ୱ ନଥିବା ପ୍ରମାଣିତ ହେବାରେ ଲାଗିଛି।

୧୯୨୦ରୁ କଂଗ୍ରେସ ନେତାଙ୍କ ଦଳବଦଳ ଆରମ୍ଭ

ଭାରତରେ ନିର୍ବାଚିତ ରାଜନେତାମାନଙ୍କର ଦଳବଦଳ ଏବେ ନୂଆ କଥା ନୁହେଁ। ଏହି ଦଳବଦଳର ଅୟମାରମ୍ଭ ନେହେରୁ ପରିବାରରୁ ଆରମ୍ଭ ହୋଇଛି। ୧୯୨୦ରେ ମୋତିଲାଲ ନେହେରୁଙ୍କ ପୁତୁରା ଶ୍ୟାମଲାଲ ନେହେରୁ କଂଗ୍ରେସ ଟିକଟରେ କେନ୍ଦ୍ରୀୟ ବିଧାନସଭାକୁ ନିର୍ବାଚିତ ହେବା ପରେ ବ୍ରିଟିଶ ପକ୍ଷରେ ସାମିଲ ହୋଇଯାଇଥିଲେ। ଏଥିପାଇଁ କଂଗ୍ରେସ ବିଧାୟକ ଦଳ ନେତା ମୋତିଲାଲ ନେହେରୁ ଶ୍ୟାମଲାଲଙ୍କୁ ଦଳରୁ ବାହାର କରିଦେଇଥିଲେ। ସେହିଭଳି ୧୯୩୭ରେ ମୁଖ୍ୟମନ୍ତ୍ରୀ ଗୋବିନ୍ଦବଲ୍ଲଭ ପନ୍ତଙ୍କୁ ମିଳିତ ପ୍ରଦେଶରେ ପୂର୍ଣ୍ଣ ବହୁମତ ମିଳିଥିଲା। ଏହାପରେ ବି ସେ ମୁସଲିମ ଲିଗର କିଛି ସଦସ୍ୟଙ୍କୁ ଦଳବଦଳ କରି କଂଗ୍ରେସରେ ସାମିଲ ହେବାକୁ ପ୍ରଲୋଭନ ଦେଖାଇଥିଲେ। ଏମାନଙ୍କ ମଧ୍ୟରୁ ହାଫିଜ ମୁହମ୍ମଦ ଇବ୍ରାହିମଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ ବି କରିଥିଲେ। ସ୍ୱାଧିନତା ପରେ ୧୯୪୮ରେ କଂଗ୍ରେସ ସମାଜବାଦୀ ଦଳ କଂଗ୍ରେସ ସଂଗଠନ ଛଡ଼ିବା ନିଷ୍ପତ୍ତି ନେଇ ଦଳର ଉତ୍ତରପ୍ରଦେଶରେ ଥିବା ସମସ୍ତ ୫୦ଜଣ ବିଧାୟକଙ୍କୁ ଇସ୍ତଫା ଦେଇ ପୁଣି ନିର୍ବାଚନ ଲଢ଼ିବାକୁ ଆହ୍ୱାନ ଦେଇଥିଲା। ଆଚାର୍ଯ୍ୟ ନରେନ୍ଦ୍ର ଦେବଙ୍କ ଭଳି କିଛି ନେତା ଇସ୍ତଫା ଦେଇଥିବାବେଳେ ଅନ୍ୟମାନେ ଇସ୍ତଫା ଦେଇନଥିଲେ।

ସ୍ୱାଧିନ ଭାରତରେ ମଦ୍ରାସ ରାଜ୍ୟରେ କ୍ଷମତା ପାଇଁ ଦଳବଦଳ

୧୯୫୨ରେ ଭାରତର ପ୍ରଥମ ସାଧାରଣ ନିର୍ବାଚନ ପରେ ମଦ୍ରାସ ରାଜ୍ୟରେ କୌଣସି ଦଳକୁ ବହୁମତ ମିଳିନଥିଲା। କଂଗ୍ରେସକୁ ୧୫୨ ଓ ଅନ୍ୟ ଦଳମାନଙ୍କୁ ୨୨୩ ଆସନ ମିଳିଥିଲା। ନିର୍ବାଚନ ପରେ ଟି. ପ୍ରକାଶମଙ୍କ ନେତୃତ୍ୱରେ କିଷାନ ମଜଦୂର ପ୍ରଜା ପାର୍ଟି ଓ ଭାରତୀୟ ସାମ୍ୟବାଦୀ ଦଳର ବିଧାୟକମାନେ ମେଣ୍ଟ କରି ସରକାର ଗଠନ ପାଇଁ ଦାବି କରିଥିଲେ। କିନ୍ତୁ ରାଜ୍ୟପାଳ ଭାରତର ପୂର୍ବ ଗଭର୍ଣ୍ଣର ଜେନେରାଲ ସି. ରାଜଗୋପାଳଚାରୀ, ଯିଏ ବିଧାନସଭାର ସଦସ୍ୟ ନଥିଲେ ତାଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ଏହା ପରେ ଅନ୍ୟଦଳର ୧୬ ଜଣ ବିଧାୟକ କଂଗ୍ରେସ ସାମିଲ ହେବା ପରେ ରାଜଗୋପାଳଚାରୀଙ୍କ ସରକାର ଗଠନ ହୋଇଥିଲା। ଏହାର ଏକ ବର୍ଷ ପରେ ଟି. ପ୍ରକାଶମ‍୍‌ଙ୍କୁ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ପ୍ରଲୋଭନ ଦେଖାଇବାରୁ ସେ ନିଜ ପାର୍ଟିରୁ ଇସ୍ତଫା ଦେଇ କଂଗ୍ରେସ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଅନ୍ତରାତ୍ମା ନାମରେ ସମ୍ୱିଧାନକୁ ଉପହାସ

ସଂସଦ କିମ୍ୱା ବିଧାନସଭାରେ ସଦସ୍ୟଙ୍କ ଅନ୍ତରାତ୍ମା ଅନୁସାରେ ଭୋଟ ଦେବା କଥା କହି ନେତାମାନେ ସମ୍ୱିଧାନକୁ ଉପହାସ କରିବାରେ ଲାଗିଛନ୍ତି। ୧୯୬୭ରେ ୪ର୍ଥ ସାଧାରଣ ନିର୍ବାଚନ ପରେ ଅନେକ ରାଜ୍ୟରେ କଂଗ୍ରେସ ନିର୍ବାଚନ ହାରିବା ସହିତ ତାର ଏକଛତ୍ର ରାଜତ୍ୱର ଅନ୍ତ ଘଟିଲା। କ୍ଷମତା ପାଇଁ କଂଗ୍ରେସ ସମସ୍ତ ପ୍ରକାରର ପଦକ୍ଷେପ ନେବାକୁ ପଛାଇଲା ନାହିଁ। ସେ ମସୟରେ ସମ୍ୱିଧାନ ବିଶେଷଜ୍ଞ ସୁବାଷ କଶ୍ୟପ ଦଳବଦଳକୁ ନେଇ ଯେଉଁ ତଥ୍ୟ ରଖିଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା।

ଗୋଟିଏ ବର୍ଷରେ ସର୍ବାଧିକ ୪୩୮ଜଣଙ୍କ ଦଳବଦଳ

୧୯୬୭ରୁ ୧୯୬୯ ଭିତରେ ହୋଇଥିବା ନିର୍ବାଚନ ପରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟମାନଙ୍କରେ ୩୫୦୦ ସଦସ୍ୟଙ୍କ ମଧ୍ୟରୁ ୫୫୦ଜଣ ଦଳବଦଳ କରିଥିଲେ। ଗୋଟିଏ ବର୍ଷ ମଧ୍ୟରେ ସର୍ବାଧିକ ୪୩୮ଜଣ ବିଧାୟକ ଦଳବଦଳ କରିଥିଲେ। ଏହି ସମୟରେ ବିଧାୟକମାନଙ୍କ ବ୍ୟତୀତ ପ୍ରମୁଖ ଦଳବଦଳ ଘଟଣାର ସଂଖ୍ୟା ହିସାବ କରାଯାଏ ତେବେ ଏହି ଦେଢ଼ ବର୍ଷ ମଧ୍ୟରେ ଏକ ହଜାରରୁ ଅଧିକ ଦଳବଦଳ ହୋଇଛି। କଂଗ୍ରେସରେ ଅନେକ ବିଧାୟକ ଯୋଗ ଦେଇଥିବାବେଳେ କଂଗ୍ରେସର ୧୭୫ ବିଧାୟକ ଦଳ ଛାଡ଼ିଥିଲେ। ଏହି ଦଳବଦଳ ସଂଖ୍ୟା ଏବେ ବି ଅତୁଟ ରହିଛି। ଦଳବଦଳ କରିଥିବା ନେତାମାନେ ମନ୍ତ୍ରୀପଦ ଆଶାରେ ଅନ୍ୟଦଳରେ ଯୋଗ ଦେଇଥିଲେ। ଯେଉଁମାନଙ୍କୁ ମନ୍ତ୍ରୀପଦ ମିଳିନଥିଲା ସେମାନଙ୍କା ପରିବାରର ଅନ୍ୟ ସଦସ୍ୟଙ୍କୁ ଉଚ୍ଚ ପଦବୀ ଓ ଲାଭ ମିଳିଥିଲା। ଦଳବଦଳକାରୀଙ୍କୁ ୨୦ ହଜାରରୁ ୪୦ହଜାର ପର୍ଯ୍ୟନ୍ତ ଟଙ୍କା ଦିଆଯାଇଛି ବୋଲି ସେତେବେଳର ସ୍ୱରାଷ୍ଟ୍ରମନ୍ତ୍ରୀ ଲୋକସଭାରେ କହିଥିଲେ।

ଗୟା ରାମ ଏବେ ଆୟା ରାମ

ଦଳବଦଳ ନେଇ ହରିଆନାରେ ବହୁତ ମଜାଦାର କଥା ଶୁଣିବାକୁ ମିଳେ। ୧୯୬୭ରେ ହରିଆନାର ସ୍ୱାଧିନ ବିଧାୟକ ଗୟା ଲାଲ ନିର୍ବାଚନ ଫଳାଫଳ ବାହାରିବା ପରେ କଂଗ୍ରେସରେ ସାମିଲ ହୋଇଥିଲେ। ଏହାର ପନ୍ଦର ଦିନ ପରେ ସେ ତିନି ଥର ଦଳବଦଳ କରିଥିଲେ। କଂଗ୍ରେସ ଛାଡ଼ି ସେ ବିଶାଳ ହରିଆନା ପାର୍ଟି, ପୁଣି କଂଗ୍ରେସ, କଂଗ୍ରେସରେ ଯୋଗ ଦେବାର ୯ଘଣ୍ଟା ପରେ ପୁଣି ବିଶାଳ ହରିଆନା ପାର୍ଟିରେ ଯୋଗଦେଇଥିଲେ। ତାଙ୍କୁ ନେଇ ବିଶାଳ ହରିଆନା ପାର୍ଟିର ନେତା ପ୍ରେସମିଟରେ କହିଥିଲେ, ଗୟା ରାମ ଏବେ ଆୟା ରାମ। ସେବେଠାରୁ ଆୟା ରାମ- ଗୟା ରାମ କଥା କୁହାଯାଉଛି। ଏହା ପରେ ଇନ୍ଦିରା ଗାନ୍ଧୀଙ୍କ ବିଶ୍ୱସ୍ତ ନେତା ବଂଶୀଲାଲ ବିଶାଳ ହରିଆନା ପାର୍ଟିର ବିଧାୟକଙ୍କୁ ଦଳବଦଳ କରାଇ କଂଗ୍ରେସରେ ସାମିଲ କରାଇଥିଲେ।

ଭଜନ ଲାଲଙ୍କ ସରକାର ସହିତ ଦଳବଦଳ

ଏହାପରେ ୧୯୭୯ଜୁନରେ ଜନତା ପାର୍ଟି ନେତା ଭଜନ ଲାଲ ବହୁମତ ହାସଲ କରି ସରକାର ଗଠନ କରିଥିଲେ। କିନ୍ତୁ ୧୯୮୦ ଜାନୁଆରୀରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପୁଣି କ୍ଷମତାକୁ ଆସିବା ପରେ ଭଜନ ଲାଲ ନିଜ ସରକାର ସହିତ କଂଗ୍ରେସରେ ସାମିଲ ହୋଇ ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିଥିଲେ। ଦଳବଦଳ ଘଟଣାରେ ଇନ୍ଦିରାଙ୍କ ବଡ଼ ଭୂମିକା ଥିଲା। ୧୯୬୭ରେ ଅନେକ ରାଜ୍ୟରେ କଂଗ୍ରେସ ହାରିଥିଲେ ମଧ୍ୟ ଦଳବଦଳ ମାଧ୍ୟମରେ ସରକାରେ ଗଠନ କରିଥିଲା। ସେହି ବର୍ଷ କଂଗ୍ରେସ ମଧ୍ୟପ୍ରଦେଶରେ ହାରିଥବଲେ ବି ଗୋବିନ୍ଦ ନାରାୟଣ ସିଂହଙ୍କ ନେତୃତ୍ୱରେ ସଂଯୁକ୍ତ ବିଧାୟକ ଦଳ ସରକାର ଗଠନ ହୋଇଥିଲା। କିନ୍ତୁ ଦୁଇ ବର୍ଷ ମଧ୍ୟରେ ଦଳବଦଳ କରି ସରକାର ଭଙ୍ଗ ପରେ ଶ୍ୟାମଚରଣ ଶୁକ୍ଳାଙ୍କ ନେତୃତ୍ୱରେ ପୁଣି କଂଗ୍ରେସ ସରକାର ଗଠନ ହୋଇଥିଲା। ୧୯୭୦ ଅକ୍ଟୋବରରେ ଉତ୍ତରପ୍ରଦେଶରେ ଦଳବଦଳ ସାହାଯ୍ୟରେ ତ୍ରିଭୂବନ ନାରାୟଣ ସିଂହଙ୍କ ନେତୃତ୍ୱରେ ସରକାର ଗଠନ ହୋଇଥିଲା।

ରିସୋର୍ଟ ରାଜନୀତି ଆନ୍ଧ୍ରପ୍ରଦେଶରୁ ଆରମ୍ଭ

ବିଧାୟକମାନଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ଗୁପ୍ତ ସ୍ଥାନକୁ ନେବା ପରମ୍ପରା ଆନ୍ଧ୍ରପ୍ରଦେଶର ଏନ.ଟି. ରାମରାଓ ଓ ତାଙ୍କ ଜାମାତା ଚନ୍ଦ୍ରବାବୁ ନାୟଡ଼ୁଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲା। ଇନ୍ଦିରା ଗାନ୍ଧୀଙ୍କ ସହଯୋଗୀ ଅରୁଣ ନେହେରୁଙ୍କ ଦ୍ୱାରା ତେଲଗୁ ଦେଶମ ପାର୍ଟିରେ ବିଭାଜନ କରାଇବା ପରେ ଏହା ଆରମ୍ଭ ହୋଇଥିଲା। ୧୯୮୩ ନିର୍ବାଚନରେ ଆନ୍ଧ୍ରରେ କଂଗ୍ରେସ ହାରିବା ପରେ ଏନ.ଟି. ରାମାରାଓ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୧୯୮୪ ଅଗଷ୍ଟ ମାସରେ ଏନଟିଆର ନିଜର ଚିକିତ୍ସା କରାଇବା ପାଇଁ ଆମେରିକା ଯିବା ପରେ ତତ୍କାଳୀନ ଅର୍ଥମନ୍ତ୍ରୀ ଭାସ୍କର ରାଓଙ୍କ ସହିତ ମିଶି କଂଗ୍ରେସ ଦଳବଦଳ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା। ସେତେବେଳେ ଆନ୍ଧ୍ରରେ ଥିବା କଂଗ୍ରେସ ନେତା ରାଜ୍ୟପାଳ ଥିବାରୁ ତୁରନ୍ତ ଭାସ୍କର ରାଓଙ୍କୁ ମୁଖ୍ୟମନ୍ତ୍ରୀଭାବେ ଶପଥ କରାଇଥିଲେ। ଏହି ଘଟଣାକୁ ନେଇ ସଂସଦରେ ବିରୋଧ ହେବାରୁ କିଛି ଜାଣିନଥିବା ଇନ୍ଦିରା ଗାନ୍ଦୀ ସଫେଇ ଦେଇଥିଲେ।

କିନ୍ତୁ ଏନଟିଆର ହାର ମାନିନଥିଲେ। ଯୁବକଂଗ୍ରେସ ନେତା ତଥା ସଂଜୟ ଗାନ୍ଧୀଙ୍କ ନିକଟତର ଥିବା ଏନଟିଆରଙ୍କ ଜାମାତା ଚନ୍ଦ୍ରବାବୁ ନାୟଡ଼ୁ ୧୬୩ ବିଧାୟକଙ୍କୁ ରାମକୃଷ୍ଣ ଷ୍ଟୁଡିଓରେ ବନ୍ଦ କରି ଦେଇଥିଲେ। ଫଳରେ ଭାସ୍କର ରାଓ ବିଧାୟକମାନଙ୍କ ସହିତ ସମ୍ପର୍କ କରିପାରିନଥିଲେ। ଏହା ପରେ ଏହି ସମସ୍ତ ବିଧାୟକଙ୍କୁ ଦିଲ୍ଲୀ ନେଇ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ସମ୍ମୁଖରେ ଚିଡ଼ା କରାଯାଇଥିଲା। ଦେଶର ସମସ୍ତ ବିରୋଧି ଦଳ ଏକଜୁଟ ହୋଇ କେନ୍ଦ୍ର ବିରୋଧରେ ଆନ୍ଦୋଳନ କରିଥିଲେ। ଏହା ପରେ ଏନଟିଆର ପୁଣି କ୍ଷମତାକୁ ଫେରିଥିଲେ।

ସମ୍ୱିଧାନ ସଂଶୋଧନ

ସମ୍ୱିଧାନର ୫୨ତମ ସଂଶୋଧନ ଜରିଆରେ ଦଳବଦଳ ବିରୋଧି ଆଇନର ଶ୍ରେୟ ରାଜୀବ ଗାନ୍ଧୀଙ୍କୁ ଦିଆଯାଉଛି। ସେ ନିଜ ଦଳର ବିଧାୟକ ଓ ସାଂସଦମାନଙ୍କୁ ଏକାଠି ରଖିବା ଉଦ୍ଦେଶ୍ୟରେ ଏହି ସଂଶୋଧନ ଆଣିଥିଲେ। ଏହି ସଂଶୋଧନ ଆଇନରେ ଲୋକସଭା ଓ ବିଦାନସଭାର ବାଚସ୍ପତିଙ୍କୁ ଅସୀମିତ ଅଧିକାର ଦିଆଯାଇଛି। ଏହି ଅଧିକାରର ଦୁରୁପଯୋଗ ଏବେ ହେବାରେ ଲାଗିଛି। ଏହା ପରେ ବି ଆଇନକୁ ମୋଡ଼ିମକଚି କେନ୍ଦ୍ରରେ ବିପି ସିଂହ ଓ ଚନ୍ଦ୍ରଶେଖରଙ୍କ ସରକାର ଗଠନ ହେବା ସହିତ କ୍ଷମତାଚ୍ୟୁତ ବି ହୋଇଛି।

୧୯୬୮ ମସିହା ଅଗଷ୍ଟ ୧୧ତାରିଖରେ କଂଗ୍ରେସ ସାଂସଦ ପି. ଭେଙ୍କଟସୁବେୟା ଦଳବଦଳକୁ ରୋକିବା ପାଇଁ ଲୋକସଭାରେ ପ୍ରସ୍ତାବ ରଖିଥିଲେ। ସେ ସମୟର ବିଶିଷ୍ଟ ସମାଜବାଦୀ ନତୋ ମଧୁ ଲିମୟେ ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ସଂଶୋଧନ ପ୍ରସ୍ତାବ ଦେଇଥିଲେ। ପ୍ରସ୍ତାବରେ ଦଳବଦଳକାରୀଙ୍କୁ ମନ୍ତ୍ରୀପଦରୁ ବଞ୍ଚିତ କରିବା ସହିତ ବ୍ୟକ୍ତିଗତଭାବେ ଦଣ୍ଡିତ କରାଯିବା ଆବଶ୍ୟକ। ଏପରିକି ଯେଉଁ ଦଳ ଦଳବଦଳକୁ ପ୍ରେତ୍ସାହନ ଦେବ ସେହି ଦଳକୁ ମଧ୍ୟ ଦଣ୍ଡିତ କରାଯିବା ଆବଶ୍ୟକ। ଯାହାକି ଏପର୍ଯ୍ୟନ୍ତ କେହି ଏସମ୍ପର୍କରେ କିଛି କହୁନାହାନ୍ତି।