ଭୋଟ୍‌ ପୂର୍ବରୁ ଲଗାତାର ହିଂସା ହେଉଛି ପଶ୍ଚିମବଙ୍ଗରେ

ପଶ୍ଚିମବଙ୍ଗ, (ଓଡିଶା ଟାଇମ୍) : ନିର୍ବାଚନ ପାଖେଇବା ସହ, ବଙ୍ଗରେ କେବଳ ପ୍ରଚାର ଲଢ଼େଇ ଦେଖିବାକୁ ମିଳୁନି, ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସୁଛି ରାଜନୈତିକ ହିଂସାର ଚିନ୍ତାଜନକ ଖବର। ଗତରାତିରେ ଉତ୍ତର ୨୪ ପ୍ରଗଣାରେ ବିଜେପି ସାଂସଦଙ୍କ ଘର ପାଖରେ ସିରିଜ ବୋମାମାଡ଼ ହୋଇଥିବା ବେଳେ, ଆଜି ନନ୍ଦିଗ୍ରାମରେ ବିଜେପି କର୍ମୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି l

ନନ୍ଦିଗ୍ରାମରେ ପୁଣି ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଓ ଟିଏମ୍ସି କର୍ମୀ। ଠେଲାପେଲା, ଧସ୍ତାଧସ୍ତି, ଲାଠିରେ ମାଡ଼ ବି ହୋଇଛି। ନନ୍ଦିଗ୍ରାମ ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପଦଯାତ୍ରା ବେଳେ, ବିଜେପି କର୍ମୀଙ୍କୁ ଟିଏମ୍ସି କର୍ମୀଙ୍କ ଅତର୍କିତ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ରାଲି ଚାଲିଥିବା ବେଳେ ତୃଣମୂଳ କଂଗ୍ରେସ କର୍ମୀ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ବିଜେପି ଯୁବମୋର୍ଚ୍ଚା ନେତାଙ୍କୁ ତାଙ୍କ ଆଖି ସାମ୍ନାରେ ଆକ୍ରମଣ କରାଯାଇଥିବା ଧର୍ମେନ୍ଦ୍ର କହିଛନ୍ତି। ଏହାସହ ସେ ଆହତଙ୍କୁ ହସପିଟାଲ ନେବା ସହ ରାଜ୍ୟରେ ଅର୍ଦ୍ଧସାମରିକ ବାହିନୀ ମୁତୟନ ଲାଗି ନିର୍ବାଚନ କମିଶନଙ୍କୁ ଅନୁରୋଧ କରିଛନ୍ତି। ଏଥିସହ ମମତାଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିର୍ବାଚନ ଲଢ଼ିବାକୁ ଆହ୍ୱାନ ଦେଇଛନ୍ତି।
ସେପଟେ ଗତ ରାତିରେ ବିଜେପି ସାଂସଦ ଅର୍ଜୁନ ସିଂଙ୍କ ଘର ଉତ୍ତର ୨୪ ପ୍ରଗଣା ଜଗଦ୍ଦଳ ଅଞ୍ଚଳରେ ବୋମାମାଡ଼ ହୋଇଛି। ୧୫ଟି ସ୍ଥାନରେ ବୋମାମାଡ଼ ହୋଇଛି ଏବଂ ପୋଲିସ ଲଗାଇଥିବା ସିସିଟିଭି କ୍ୟାମେରାକୁ ୩ ଜଣ ଲୋକ ଓ ସେମାନଙ୍କ ସହଯୋଗୀ ଭାଙ୍ଗିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଅର୍ଜୁନ ସିଂ। ପୋଲିସ କମିଶନର ପକ୍ଷପାତିତା କରୁଛନ୍ତି ଏବଂ ପୋଲିସ ଉପସ୍ଥିତିରେ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି। ସେପଟେ ଘଟଣାରେ ଜଣେ ଶିଶୁଙ୍କ ସମେତ ୩ ଜଣ ଆହତ ହୋଇଥିବା ପୋଲିସ କହିଛି। ଏହି ଘଟଣା ସଂପର୍କରେ ନିର୍ବାଚନ କମିଶନଙ୍କୁ ଅବଗତ କରିବ ବୋଲି କହିଛି ବିଜେପି।

Leave a Reply

Your email address will not be published.