ଆଜି ଆସିବେ ପ୍ରଧାନମନ୍ତ୍ରୀ: ଅପରାହ୍ଣରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆଜି ଅପରାହ୍ଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଓଡ଼ିଶା ଏବଂ ପଶ୍ଚିମବଙ୍ଗର ବାତ୍ୟାଞ୍ଚଳ ପରିଦର୍ଶନ କରିବେ। ଏହି ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ସହ ଓଡ଼ିଶାରୁ ଦୁଇ କେନ୍ଦ୍ରମନ୍ତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ରହିବା କାର୍ଯ୍ୟକ୍ରମ ରହିଛି। ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ବିମାନ ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ବାୟୁସେନାର ସ୍ଵତନ୍ତ୍ର ବିମାନରେ ବାତ୍ୟାଞ୍ଚଳ ବୁଲି ଦେଖବା କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ବିମାନ କେଉଁଠି ଓହ୍ଲାଇବ ନାହିଁ। ଆକାଶ ମାର୍ଗରୁ ପରିଦର୍ଶନ ହେବ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ଵରେ ଥିବା ଏସ୍‌ପିଜି ଓଡ଼ିଶାରେ ପହଞ୍ଚିଛି। ସ୍ଵତନ୍ତ୍ର କାର୍‌କେଡ୍‌ ଅଭ୍ୟାସ ମଧ୍ୟ ହୋଇଛି। ଅପରାହ୍ଣ ଦୁଇଟାରେ ଏଠାରୁ ବିମାନ ବାତ୍ୟାଞ୍ଚଳ ପରିଦର୍ଶନରେ ବାହାରିବାକୁ ଥିବାରୁ ରାୟପୁରରୁ ବାୟୁସେନାର ସ୍ଵତନ୍ତ୍ର ବିମାନ ମଗା ଯାଇଛି।

ବାତ୍ୟାଞ୍ଚଳ ବୁଲି ଆସିବା ପରେ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ ହୋଇଛି। ବିମାନବନ୍ଦର ଭିତରେ ଏହି ବୈଠକ ହେବ। ଏଠାରେ ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଭୁବନେଶ୍ଵର ସାଂସଦ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।  ଏଥିଲାଗି ବିମାନବନ୍ଦରରେ ଏକ ସ୍ଵତନ୍ତ୍ର ଟେଣ୍ଟ ବ୍ୟବସ୍ଥା ହୋଇଛି। ଏଥିରେ ୩୦ରୁ ୩୫ଜଣ ବସିବା ବ୍ୟବସ୍ଥା ହୋଇଛି। ସେମାନେ ଯେମିତି ସୋଶାଲ୍‌ ଡିଷ୍ଟାନ୍ସିଂ ରକ୍ଷା କରିବେ ସେଥିଲାଗି ଆବଶ୍ୟକ ଗୁରୁତ୍ଵ ପ୍ରଦାନ କରାଯାଇଛି।

ବିମାନବନ୍ଦରରେ ପ୍ରବେଶ ପାଇଁ ଦୁଇଟି ରାସ୍ତା କରାଯାଇଛି। ଗୋଟିଏ ପଟେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପ୍ରବେଶ କରିବେ ଏବଂ ଅନ୍ୟପଟେ ଅଧିକାରୀ ଓ ଅନ୍ୟ ନିମନ୍ତ୍ରିତ ନେତା ଯିବା ବ୍ୟବସ୍ଥା ହୋଇଛି।

Leave a Reply

Your email address will not be published.