ରାଜ୍ୟରେ ୧୭ବର୍ଷ ଧରି ପେସା ଆଇନ ବାଟବଣା

ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜଙ୍ଗଲ ଅଞ୍ଚଳରେ ବସବାସ କରୁଥିବା ବନବାସୀଙ୍କ ପାଇଁ ଲଘୁବନଜାତ ସାମଗ୍ରୀ ସଂଗ୍ରହ ନିମନ୍ତେ କାର୍ଯ୍ୟକ୍ରମ ପ୍ରଣୟନ ହୋଇଥିଲା। ପେସା ଆଇନ ଅନ୍ତର୍ଗତ ଏହି ଯୋଜନାରେ ବନବାସୀମାନେ ସଂଗ୍ରହ କରିଥିବା ୬୯ପ୍ରକାରର ସାମଗ୍ରୀ ସଂଗ୍ରହ ପାଇଁ ଅନୁମତି ମିଳିଥିଲା। ଏଥିପାଇଁ ୨୦୦୨ମସିହାରେ ପେସା ଆଇନର କେତେକ ଧାରାରେ ସଂଶୋଧନ ଅଣାଯାଇ ଆଇନ ବିଭାଗର ଅନୁମୋଦନ କ୍ରମେ ପଞ୍ଚାୟତିରାଜକୁ ଦିଆଯାଇଥିବା କ୍ଷମତା ୧୭ବର୍ଷ ଧରି କାର୍ଯ୍ୟକାରୀ ହୋଇପାରିନାହିଁ।

ଏହାଫଳରେ କେନ୍ଦ୍ରରୁ ମିଳିଥିବା ଅନୁଦାନ ହିତାଧିକାରୀଙ୍କ ଖାତାକୁ ଯିବା ପରିବର୍ତ୍ତେ ବିଭାଗୀୟ ରିଭଲଭିଂ ପାଣ୍ଠିରେ ଜଣାରଖି ସରକାର ଚୁପ ବସିଥିବା ଏହି ଯୋଜନା ପରିଚାଳନାରୁ ଧରାପଡ଼ିଛି। ସୂଚନାନୁଯାୟୀ, ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲଘୁ ବନଯାତ ସାମଗ୍ରୀ ସଂଗ୍ରହ କରି ଏହାକୁ ଆଦିବାସୀ ଉନ୍ନୟନ ସମବାୟ ନିଗମ ଜରିଆରେ ବିକ୍ରି କରିବାକୁ କୁହାଯାଇଥିଲା। ୨୦୧୪ ମସିହାରେ କେନ୍ଦ୍ର ସରକାର ଲଘୁବନଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ସ୍ଥିର କରିବା ପାଇଁ ମାର୍ଗଦର୍ଶିତା ଦେଇଥିଲେ।

ପଞ୍ଚାୟତିରାଜ ବିଭାଗ ଅଧୀନରେ ବ୍ଲକ କତ୍ତୃର୍ପକ୍ଷଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ବନଯାତ ସାମଗ୍ରୀର ମୂଲ୍ୟ ନିର୍ଦ୍ଧାରଣ ପାଇଁ କ୍ଷମତା ଦିଆଯାଇଥିଲା। ସମୟ ଅନୁସାରେ ଏହି ସାମଗ୍ରୀର ସର୍ବନିମ୍ନ ସହାୟତ ମୂଲ୍ୟ ବୃଦ୍ଧି କରାଯାଇ ସଂଗ୍ରହକାରୀଙ୍କୁ ଅଧିକ ପାରିଶ୍ରମିକ ଦେବାକୁ ଏଥିରେ ଉଲ୍ଲେଖ କରାଯାଇଥିଲା। ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ପାଇଁ ୨୦୦୨ରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତି କାର୍ଯ୍ୟକାରୀ କରିବାକୁ ପଞ୍ଚାୟତିରାଜ ବିଭାଗ ସହ ଅନ୍ୟ ସହଯୋଗୀ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ଗତ ୧୭ବର୍ଷ ଧରି ଏମଏସପି ବୃଦ୍ଧି ହେବାତ ଦୂରର କଥା ସଂଗୃହୀତ ଲଘୁଜାତ ସାମଗ୍ରୀକୁ କ୍ରୟ କରିବା ପାଇଁ ସରକାରୀ ଏଜେନ୍ସିଗୁଡ଼ିକ ସହଯୋଗ ନକରିବାରୁ ସଂଗ୍ରହକାରୀମାନେ ସମସ୍ୟା ଭୋଗୀ ଏହାକୁ ଅଭାବି ବିକ୍ରିରେ ଦଲାଲଙ୍କୁ ଟେକି ଦେଉଛନ୍ତି। କେନ୍ଦ୍ର ସରକାର ୨୦୧୪ରେ କାର୍ଯ୍ୟକାରୀ କରିଥିବା ଏହି ଯୋଜନାରେ ୭୫ପ୍ରତିଶତ ଅଂଶଧନ ଦେଉଥିବା ବେଳେ ରାଜ୍ୟ ସରକାରଙ୍କ ସହଯୋଗ ୨୫ଭାଗ ରହିଥିଲ। ଏମଏଫପିର ଏମଏସପି ବୃଦ୍ଧି ସହ ଏହାକୁ ତ୍ୱରାନିତ କରିବା ପାଇଁ ରାଜ୍ୟକୁ ୯୦କୋଟି ଟଙ୍କା ସହାୟତା ଦେଇଥିଲେ।

ସହାୟତା ମିଳିବାର ୩ବର୍ଷ ମଧ୍ୟରେ କୌଣସି ଅର୍ଥ ବ୍ୟୟ ହୋଇନଥିବାବେଳେ ୨୦୧୭-୧୮, ୨୦୧୮-୧୯ ବର୍ଷ ମଧ୍ୟରେ ୯୦କୋଟି ଅନୁଦାନରୁ ମାତ୍ର ୪କୋଟି ଟଙ୍କା ବିନିଯୋଗ ହୋଇଛି। ବଳକା ୮୬କୋଟି ଟଙ୍କାକୁ ଟିଡିସିସି ସରକାରଙ୍କ ରିଭଲଭିଂ ପାଣ୍ଠିରେ ଜମାରଖି କେବଳ ସୁଧ ପାଉଛନ୍ତି। ବର୍ତ୍ତମାନ ଏହି ସଂଶୋଧିତ ପେସା ଆଇନ କାର୍ଯ୍ୟକାରୀ ହେଉନଥିବାରୁ ଏବେ ଲଘୁ ବନଯାତ ସାମଗ୍ରୀ ସଂଗ୍ରହକାରୀମାନେ ଏଥିରୁ ମନ ଫେରାଉଛନ୍ତି।

ଏହା ଉପରେ ନିର୍ଭର କରୁଥିବା ବନବାସୀମାନେ ସେମାନଙ୍କ ଜୀବନ ଜୀବିକା, ସାମାଜିକ ବ୍ୟବସ୍ଥା, ଚିକିତ୍ସା ବ୍ୟବସ୍ଥା, ଆବାସ ବ୍ୟବସ୍ଥା ଓ ପିଲାମାନଙ୍କ ଶିକ୍ଷାଦାନ ପାଇଁ ରହିଥିବା ବ୍ୟବସ୍ଥାରୁ ବଞ୍ଚିତ ହୋଇଛନ୍ତି। କେନ୍ଦ୍ର ସରକାର ବନବାସୀଙ୍କ ପାଇଁ ଅନୁଦାନ ଦେଉଥିବାବେଳେ ରାଜ୍ୟ ସରକାର ଏହାକୁ ବିନିଯୋଗ କରୁନାହାନ୍ତି। ଏହାଦ୍ୱାରା ସରକାରଙ୍କ ଆଦିବାସୀ ପ୍ରୀତି ଧରାପଡ଼ିଯାଇଛି ବୋଲି ଆଲୋଚନା ହେଉଛି।

Leave a Reply

Your email address will not be published.