ପ୍ରକାଶ ଓ ଯୋଗେଶଙ୍କୁ କୈଫିୟତ ତଲବ


ଭୁବନେଶ୍ଵର,(ଓଟି): ଖୁବଶୀଘ୍ର ବିଧାୟକ ପ୍ରକାଶ ବେହେରା ଓ ଯୋଗେଶ ସିଂହଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ। ଶୃଙ୍ଖଳା କମିଟି ପକ୍ଷରୁ ତାଙ୍କୁ ମଗାଯିବା କୈଫିୟତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟକୁ ପ୍ରଶଂସା ଓ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭୁବନେଶ୍ବର ସଭାରେ ଯୋଗ ଦେବାକୁ ଘୋଷଣା କରିଥିଲେ ଏହି ଦୁଇ ନେତା। ଏହା ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବାରୁ ଉଭୟଙ୍କୁ ଦଳ ତରଫରୁ କୈଫିୟତ ତଲବ କରାଯିବ।

୨୦୧୪ରେ ପ୍ରକାଶ ବେହେରା ସାଲେପୁରରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସେହିଭଳି ଯୋଗେଶ ସିଂହ ସୁନ୍ଦରଗଡ ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ଜିତିଥିଲେ। ଯୋଗେଶ ଦୁଇ ଥର ବିଧାୟକ ଭାବେ ସୁନ୍ଦରଗଡ ଆସନରୁ ନିର୍ବାଚିତ ହୋଇସାରିଥିବା ବେଳେ ପ୍ରକାଶ ବେହେରା ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି।

କଂଗ୍ରେସର ଏହି ଦୁଇ ବିଧାୟକ ବିଜେଡିରେ ମିଶିବାକୁ ଆଗ୍ରହୀ। ଏଥିପାଇଁ ବିଜେଡି ମୁଖିଆଙ୍କ ସହ ଆଲୋଚନା ସରିଛି। ଖୁବଶୀଘ୍ର ସେମାନେ ବିଜେଡିରେ ମିଶିବାକୁ ଯାଉଛନ୍ତି। ପ୍ରସାଦ ହରିଚନ୍ଦନ ପିସିସି ସଭାପତି ଥିବା ସମୟରେ ତାଙ୍କ କାର୍ଯ୍ୟକୁ ବିରୋଧ କରି ପ୍ରଦେଶ କଂଗ୍ରେସରେ ନେତୃତ୍ବ ପରିବର୍ତ୍ତନ ପାଇଁ ଚାଲିଥିବା ଲବିରେ ମଧ୍ୟ ଏହି ଦୁଇ ନେତା ସାମିଲ ଥିଲେ। ସେମାନେ ଖୋଲାଖୋଲି ପ୍ରସାଦଙ୍କ ନେତୃତ୍ବକୁ ଚ୍ୟାଲେଂଜ କରିଥିଲେ। ନିରଂଜନ ପଟ୍ଟନାୟକଙ୍କୁ ଦାୟିତ୍ବ ମିଳିବା ପରେ ତାଙ୍କୁ ସବୁ ପ୍ରକାର ସହଯୋଗ କରିବେ ବୋଲି ମଧ୍ୟ ଏମାନେ ଘୋଷଣା କରିଥିଲେ।

ହଠାତ ପଟ୍ଟ ପରିବର୍ତ୍ତନ ନିରଂଜନଙ୍କୁ ଚକିତ କରିଛି। ନିଷ୍ପତ୍ତିରେ ପରିବର୍ତ୍ତନ ପାଇଁ ନିରଂଜନ ଦୁଇ ବିଧାୟକଙ୍କୁ ବାରମ୍ବାର ବୁଝାଇଥିଲେ ବି ସେମାନେ ୨୦୧୯ରେ ବିଜେଡି ଟିକେଟରେ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇସାରିଛନ୍ତି। ଉଭୟଙ୍କ ଯୁକ୍ତି ହେଉଛି, ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ରାଜ୍ୟରେ ବିକାଶର କାର୍ଯ୍ୟ ଆଗେଇ ପାରୁଛି। ତେଣୁ ସେମାନେ ବିଜେଡି ଆଡେ ମୁହାଁଇଁଛନ୍ତି । କଂଗ୍ରେସରେ ଥାଇ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସାକୁ ପିସିସି ଗ୍ରହଣ କରିପାରୁନି। ଏହି ଦୃଷ୍ଟିରୁ ଉଭୟଙ୍କୁ ଆଜି ରାତି ସୁଦ୍ଧା କୈଫିୟତ ତଲବ କରାଯିବ ବୋଲି ସୂଚନା ମିଳିଛି।

Leave a Reply

Your email address will not be published.