ପାଟ୍ଟଶାଣୀଙ୍କ ଭବିଷ୍ୟବାଣୀ: ବିଜେଡିର ଘୋର ବିପର୍ଯ୍ୟୟ ଘଟିବ

ବିଜେଡିର ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଦଳ ଟିକଟରୁ ବଞ୍ଚିତ କରାଯାଇଛି। ବିଜେଡି ସପକ୍ଷରେ ପ୍ରଚାର ପାଇଁ ଗୁରୁବାର ଓ ଶୁକ୍ରବାର ବାରିପଦାର ହୋଟେଲ ଦୁର୍ଗାରେ ଅବସ୍ଥାନ କରିଥିଲେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ। ସାଂସଦ ପାଟ୍ଟଶାଣୀ ଏବେ ଭୁବନେଶ୍ୱର ଫେରିଯାଇଛନ୍ତି।

ହୋଟେଲ ଦୁର୍ଗାରେ ଅବସ୍ଥାନ କାଳରେ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ବିଜେଡି କର୍ମୀମାନଙ୍କ ନିକଟରେ ବିଲ୍ଫୋରକ ବୟାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାପା ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ସମୟରୁ ରାଜନୀତି କରୁଛି ବୋଲି ସାଂସଦ ପାଟ୍ଟଶାଣୀ କହିଛନ୍ତି। ସାଂସଦ ନିର୍ବାଚନରେ ସେ ପରାଜିତ ହୋଇନାହାନ୍ତି। କୌଣସି କାରଣ ନଥାଇ ତାଙ୍କୁ ଓ ଜ୍ୱାଇଁ ପ୍ରିୟଦର୍ଶୀଙ୍କୁ ବିଜେଡି ଟିକଟରୁ ବଞ୍ଚିତ କରାଯାଇଛି ବୋଲି ସେ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇଥିଲେ।

ଚଳିତ ନିର୍ବାଚନରେ ବିଜଦର ବିପର୍ଯ୍ୟୟ ଘଟିବ ବୋଲି ସାଂସଦ ପାଟ୍ଟଶାଣୀ କହିଛନ୍ତି। ଭୁବନେଶ୍ୱର ସାଂସଦ ନିର୍ବାଚନରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ନିଶ୍ଚିତ ବିଜୟୀ ହେବେ ବୋଲି ସାଂସଦ ପାଟ୍ଟଶାଣୀ ଦୃଢତାର ସହ କହିଛନ୍ତି। ବିଜେପି ପ୍ରାର୍ଥୀ ଅପରାଜିତାଙ୍କୁ ସେ ନିଜେ ଭୋଟ ଦେଇଥିବା ପାଟ୍ଟଶାଣୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନଙ୍କ ହାତ ହଲୁଚି ବୋଲି ସେ ପ୍ରକାଶ କରି ଇଭିଏମ ମେସିନରେ ବିଜେଡି ବଦଳରେ ବିଜେପି ପ୍ରାର୍ଥୀଙ୍କ ଚିହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ଭୋଟ ଦେଇଥିବା ସାଂସଦ ପାଟ୍ଟଶାଣୀ କହିଛନ୍ତି। ସାଂସଦ ପାଟ୍ଟଶାଣୀଙ୍କ ଏପରି ବୟାନ ବିଜେଡି ମହଲରେ ଚର୍ଚ୍ଚାର ବିଷୟ ହୋଇଛି।

Leave a Reply

Your email address will not be published.