ଆଇପିଏଲ୍ ସ୍ପୋନ୍ସରସିପ ରେସରେ ବାବା ରାମ ଦେବ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଚାଇନିଜ ମୋବାଇଲ୍ ଫୋନ୍ କମ୍ପାନୀ ଭିଭୋ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌) ଟାଇଟଲ୍ ସ୍ପୋନ୍ସରସିପରୁ ହଟିବା ପରେ ବିସିସିଆଇ ନୂଆ ଟାଇଟଲ୍ ସ୍ପୋନ୍ସର ଖୋଜିବାରେ ଲାଗିଛି ।

ଏପରି ସମୟରେ ବାବା ରାମଦେବଙ୍କ ପତଞ୍ଜଳୀ ଏହି ଦୌଡରେ ରହିବା ନେଇ ଖବର ମିଳିଛି ।

ଏନେଇ ପତଞ୍ଜଳୀ ସ୍ପୋକ୍ସପର୍ସନ ଏସକେ ତିଜାରାବାଲା କହିଛନ୍ତି ଯେ ଆମେ ଏ ସମ୍ପର୍କରେ ଚିନ୍ତା କରୁଛୁ । ଆମେ ପତଞ୍ଜଳୀକୁ ଗ୍ଲୋବାଲ୍ ବ୍ରାଣ୍ଡ କରିବାକୁ ଚାହୁଁଛୁ ।

ଯେଉଁଥିପାଇଁ ଆଇପିଏଲ୍ ମଞ୍ଚ କାମରେ ଆସିପାରେ । ହେଲେ ଏସମ୍ପର୍କରେ କମ୍ପାନୀ ପକ୍ଷରୁ ବିଚାର ବିମର୍ଶ ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ । ଏହାଛଡା ଅଗଷ୍ଟ ୧୪ ତାରିଖ ସୁଦ୍ଧା ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)କୁ ଏସମ୍ପର୍କିତ ଏକ ପ୍ରସ୍ତାବ ପଠାଇବା ଲାଗି ପ୍ରସ୍ତୁତି କରାଯାଉଛି ।

ସୂଚନାଯୋଗ୍ୟ, ଭାରତ ଓ ଚୀନ ଭିତରେ ସୀମା ବିବାଦ ହେବା ପରେ ଭାରତରୁ ଚାଇନିଜ ଆପ୍ ବ୍ୟାନକୁ ନେଇ ଭିଭୋ ଏହି ସ୍ପୋନ୍ସରସିପରୁ ଓହରି ଯିବାକୁ ନିଷ୍ପତ୍ତି ନେଇଥିଲା । ଚଳିତ ଥର ସେପ୍ଟେମ୍ବର ୧୯ ତାରିଖରେ ଆଇପିଏଲ୍ ସଂଯୁକ୍ତ ଆରବ ଅମିରତରେ ହେବାକୁ ଯାଉଛି ।

ଭିଭୋ ପକ୍ଷରୁ ୨୦୧୮ରୁ ୨୦୨୨ ଯାଏଁ ଅର୍ଥାତ୍ ୫ ବର୍ଷ ପର୍ଯ୍ୟନ୍ତ ୨୧୯୦ କୋଟି ଟଙ୍କା ମୂଲ୍ୟରେ ଆଇପିଏଲ୍ ଟାଇଟଲ୍ ସ୍ପୋନ୍ସରସିପ ଅଧିକାର ହାସଲ କରିଥିଲା ।

ତେବେ ଭିଭୋ ଯିବା ପରେ ଆଇପିଏଲ୍ ଟାଇଟଲ୍ ସ୍ପୋନ୍ସରସିପ ପାଇଁ ଜିଓ, ଆମାଜନ୍‌, ଟାଟା ଗ୍ରୁପ୍‌, ଡ୍ରିମ୍ ୧୧ ଓ ବାୟଜୁସ୍ ଭଳି କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି ।

ଆଇପିଏଲ୍ ୨୦୨୦ର କାର୍ଯ୍ୟସୂଚୀକୁ ଦର୍ଶକ ଖୁବ୍ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଅପରପକ୍ଷରେ ଏଭଳି ସୂଚନା ମିଳିବା ପରେ ସୋସିଆଲ୍ ମିଡିଆରେ କିଛି ମଜାଦାର ମିମ୍ସ ଓ ଜେକ୍ସ ଭାଇରାଲ୍ ହେବାରେ ଲାଗିଛି ।

 

Leave a Reply

Your email address will not be published.