୧୪ବର୍ଷରୁ କମ୍ ବୟସର ପିଲାମାନଙ୍କ ସହ କରୋନା ଓ୍ବାର୍ଡରେ ରହିପାରିବେ ବାପା-ମା’, ରହିଛି ଏଭଳି ସର୍ତ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କରୋନା ସଂକ୍ରମିତ ଶିଶୁ ଯଦି ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି ତେବେ ସେମାନଙ୍କ ଅଭିଭାବକଙ୍କୁ କୋଭିଡ୍ ଓ୍ବାର୍ଡରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ । ସେମାନଙ୍କୁ ପିପିଇ କିଟ୍ ପିନ୍ଧି ସେଠାରେ ରହିବାକୁ ଅନୁମତି ଦେଇପାରିବେ ହସ୍ପିଟାଲ କର୍ତ୍ତୃପକ୍ଷ । କୋରାନର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ବିଶେଷଜ୍ଞ କମିଟି ଏଭଳି ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ନେବେ ।

ଆଇସିୟୁରେ ଛୋଟ ପିଲାଙ୍କ ଦେଖାଶୁଣା କରିବାକୁ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦେବା ଜରୁରୀ ବୋଲି କମିଟି ପରାମର୍ଶ ଦେଇଛି । ଶିଶୁମାନଙ୍କ ପାଇଁ ପେଡିଆଟ୍ରିକ୍ ଆଇସିୟୁ ପ୍ରସ୍ତୁତ ରଖିବାକୁ ମଧ୍ୟ କମିଟି ପରାମର୍ଶ ଦେଇଛି । କରୋନାର ତୃତୀୟ ଲହର ପାଇଁ ୧୦ ହଜାରରୁ ଅଧିକ ଆଇସିୟୁ ବେଡ୍ ପ୍ରସ୍ତୁତ କରିବାର ଯୋଜନା କରାଯାଉଛି । ଏହା ଅକ୍ସିଜେନ୍ ଓ୍ବାର୍ଡଠାରୁ ଅଲଗା ହେବ ।

ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଅନୁସାରେ ଅଭିଭାବକଙ୍କୁ ସେତେବେଳେ କୋଭିଡ୍ ଓ୍ବାର୍ଡରେ ପ୍ରବେଶ ପାଇଁ ଅନୁମତି ମିଳିବ ଯେତେବେଳେ ପିଲାଟି ଅତ୍ୟଧିକ କାନ୍ଦୁଥିବ । ବାପା-ମା’ ବିନା ତାକୁ ସମ୍ଭାଳିବା କଷ୍ଟକର ହେଉଥିବ । ଏହି ନିୟମ କେବଳ ୧୪ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ହିଁ ଲାଗୁ ହେବ । ଅଭିଭାବକଙ୍କ ରହିବା ପାଇଁ ହସ୍ପିଟାଲରେ ଅଲଗା କେନ୍ଦ୍ର କରାଯିବ ।

ଶିଶୁମାନଙ୍କୁ କେମିତି ସମ୍ଭାଳିବେ, କେମିତି ଚିକିତ୍ସା କରିବେ, ଏଥିପାଇଁ ପ୍ରଶିକ୍ଷଣ ନେଇଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ଟିମ୍ ଗଠନ କରିବାକୁ କମିଟି ପରାମର୍ଶ ଦେଇଛି ।

Leave a Reply

Your email address will not be published. Required fields are marked *