ପାକ୍ ସଂସଦ ପୁନଃସ୍ଥାପିତ, ୯ରେ ଆସ୍ଥା ଭୋଟ
ଇସଲାମାବାଦ, (ଓଡିଶା ଟାଇମ୍): ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ରାଜନୈତିକ ଗୋଟି ଚାଳନାକୁ ବଡ ବିଫଳତା ମିଳିଛି। ସଂସଦରେ ଅନାସ୍ଥା ଭୋଟ୍ର ସମ୍ମୁଖୀନ ହେବା ପରିବର୍ତ୍ତେ ସଂସଦକୁ ଭାଙ୍ଗି ପୁନର୍ବାର ନିର୍ବାଚନ କରିବା ନିମନ୍ତେ ଇମ୍ରାନ ଯେଉଁ ଗୋଟି ଚାଳନା କରିଥିଲେ ତାକୁ ସୁପ୍ରିମକୋର୍ଟରୁ ବଡ ଝଟକା ଲାଗିଛି। ଇମ୍ରାନଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଆରିଫ ଆଲଭି ଏପ୍ରିଲ ୩ରେ ସଂସଦ (ନ୍ୟାସନାଲ ଆସେମ୍ବ୍ଲି)କୁ ଭଙ୍ଗ କରି ସାନି ନିର୍ବାଚନ ନିମନ୍ତେ ନିର୍ଦେଶ ଦେଇଥିଲେ। ରାଷ୍ଟ୍ରପତିଙ୍କ ଏପରି ନିର୍ଦେଶକୁ ସୁପ୍ରିମକୋର୍ଟ ଅସାମ୍ବିଧାନିକ ଦର୍ଶାଇବା ସହ ସଂସଦକୁ ପୁନଃସ୍ଥାପନ କରିଛନ୍ତି। ଏହା ସହିତ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଖାରଜ ନିଷ୍ପତ୍ତିକୁ ମଧ୍ୟ ସର୍ବୋଚ୍ଚ ଅଦାଲତ ଅନୈତିକ ଦର୍ଶାଇଛନ୍ତି। ବିରୋଧୀଙ୍କ ପକ୍ଷରୁ ଅନାସ୍ଥା ପ୍ରସ୍ତାବକୁ ବିଦେଶୀ ପ୍ରାୟୋଜିତ ଷଡ଼ଯନ୍ତ୍ର କହି ଏପ୍ରିଲ ୩ରେ ଉପ ବାଚସ୍ପତି କାସିମ୍ ଖାଁ ସୁରି ଖାରଜ କରିଦେଇଥିଲେ।
ଏବେ ସୁପ୍ରିମକୋର୍ଟ ଏହି ଅନାସ୍ଥା ପ୍ରସ୍ତାବ ଉପରେ ଏପ୍ରିଲ ୯ ତାରିଖରେ ଭୋଟ ଲାଗି ନିର୍ଦେଶ ଦେଇଛନ୍ତି। ପାକିସ୍ତାନ ସଂସଦର ଏହି ସମ୍ପୂର୍ଣ୍ଣ ରାଜନୈତିକ ଘଟଣାକ୍ରମ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉମର ଆତା ବନ୍ଦୀଆଲଙ୍କ ନେତୃତ୍ବ ୫ଜଣିଆ ବିଚାରପତି ପୀଠ ୫ ଦିନ ଧରି ଶୁଣାଣି କରିବା ପରେ ଗୁରୁବାର ଏପରି ଐତିହାସିକ ରାୟ ଶୁଣାଇଛନ୍ତି। ୫ଜଣିଆ ବିଚାରପତି ପୀଠ ସର୍ବ ସମ୍ମତିକ୍ରମେ ଉଭୟ ରାଷ୍ଟ୍ରପତି ଆଲଭି ଓ ଉପବାଚସ୍ପତି କାସିମଙ୍କ ନିଷ୍ପତ୍ତିକୁ ଅସାମ୍ବିଧାନିକ ଦର୍ଶାଇଛନ୍ତି। ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି ଯେ ନ୍ୟାସନାଲ ଆସେମ୍ବ୍ଲି (ସଂସଦ) ଓ ପ୍ରାଦେଶିକ ଆସେମ୍ବ୍ଲି (ବିଧାନସଭା)କୁ ଭାଙ୍ଗିବା ଲାଗି ରାଷ୍ଟ୍ରପତି ଦେଇଥିବା ନିର୍ଦେଶ ଅବୈଧ ଓ ଅସାମ୍ବିଧାନିକ। ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ରାଷ୍ଟ୍ରପତି ଆଲଭିଙ୍କୁ ଯେଉଁ ସବୁ ସୁପାରିସ କରିଛନ୍ତି ତାକୁ ମଧ୍ୟ ଅଦାଲତ ପକ୍ଷରୁ ଅଗ୍ରାହ୍ୟ କରାଯାଇଛି।
ସର୍ବୋଚ୍ଚ ଅଦାଲତ ସଂସଦକୁ ପୁନଃସ୍ଥାପନ ନିମନ୍ତେ ଦେଇଥିବା ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ କୁହାଯାଇଛି। ଏହା ସହିତ ବିରୋଧୀ ଦଳଗୁଡିକୁ ପୁନର୍ବାର ଅନାସ୍ଥା ପ୍ରସ୍ତାବ ଆଣିବାକୁ ଅନୁମତି ଦେବାକୁ ନିର୍ଦେଶ ଦେଇଛନ୍ତି। ବିରୋଧୀ ଦଳଗୁଡିକ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣିବା ପରେ ଏପ୍ରିଲ ୯ ତାରିଖ ପୂର୍ବାହ୍ଣ ୧୦ଟାରେ ଭୋଟ ଗ୍ରହଣ ହେବ। ସଂସଦର ସଦସ୍ୟଙ୍କ ଉପରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଦେବାରେ କୌଣସି ପ୍ରତିବନ୍ଧକ ଲାଗୁ କରାଯିବ ନାହିଁ। ଅନାସ୍ଥା ପ୍ରସ୍ତାବ ଯଦି ସଫଳ ହୁଏ ତେବେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ନିଯୁକ୍ତି ଦିଆଯିବ। ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ ଗ୍ରହଣ ନ ହେବା ପର୍ଯ୍ୟନ୍ତ ସଂସଦର ବାଚସ୍ପତି ଗୃହକୁ ମୁଲତବୀ ଘୋଷଣା କରିପାରିବେ ନାହିଁ।
ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ବିରୋଧୀ ପାକିସ୍ତାନ ପିପୁଲ୍ସ ପାର୍ଟି ନେତା ବିଲାୱାଲ ଭୁଟ୍ଟୋ ଜର୍ଦାରୀ ନିଜକୁ ବିଜୟୀ ଦାବି କରିଛନ୍ତି। ସେ କହିଛନ୍ତି ଯେ ଦେଶରେ ଗଣତନ୍ତ୍ରର ବିଜୟ ହୋଇଛି। ଅନ୍ୟପଟେ ଇମ୍ରାନ ଓ ଶାସକ ଦଳ ନିରୁତ୍ତର ରହିଛନ୍ତି। ପାକିସ୍ତାନରେ ଆର୍ଥିକ ସଂକଟକୁ ନେଇ ବିରୋଧୀ ଦଳଗୁଡିକ ମାର୍ଚ୍ଚ ୮ରେ ଇମ୍ରାନ ଖଁାଙ୍କ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ଅନାସ୍ଥା ପ୍ରସ୍ତାବ ଆଗତ ପରେ ଦେଶର ରାଜନୀତିରେ ଅଚଳାବସ୍ଥା ଦେଖାଯାଇଥିଲା। ଅନାସ୍ଥା ପ୍ରସ୍ତାବକୁ ଇମ୍ରାନ ବିଦେଶୀ ଷଡ଼ଯନ୍ତ୍ର କହି ଏହା ବିରୋଧରେ ବିଦ୍ରୋହ କରିବା ପାଇଁ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ। ତେବେ ଏପ୍ରିଲ ୩ରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପୂର୍ବରୁ ଉପ ବାଚସ୍ପତି କାସିମ୍ ଏହାକୁ ଖାରଜ କରିଦେଇଥିଲେ। ଅନାସ୍ଥା ପ୍ରସ୍ତାବ ଖାରଜ ପରେ ଇମ୍ରାନ ସଂସଦକୁ ଭାଙ୍ଗି ସାନି ନିର୍ବାଚନ ଲାଗି ରାଷ୍ଟ୍ରପତି ଆଲଭିଙ୍କୁ ସୁପାରିସ କରିଥିଲେ। ସୁପାରିସ ଆଧାରରେ ରାଷ୍ଟ୍ରପତି ସଂସଦକୁ ଭାଙ୍ଗିବା ସହ ସାନି ନିର୍ବାଚନ ପାଇଁ ନିର୍ଦେଶ ଦେଇଥିଲେ। ଦେଶର ଏହି ରାଜନୈତିକ ଘଟଣାକ୍ରମ ଉପରେ ସୁପ୍ରିମକୋର୍ଟ ନିଜ ଆଡୁ ହସ୍ତକ୍ଷେପ ପୂର୍ବକ ଏହାର ଶୁଣାଣି କରିଥିଲେ। ଘଟଣାରେ ସମ୍ପୃକ୍ତ ସମସ୍ତ ପକ୍ଷଙ୍କ ଜବାବ ଓ ତଥ୍ୟ ଆଧାରରେ ସୁପ୍ରିମକୋର୍ଟ ରାଷ୍ଟ୍ରପତି ଓ ଉପ ବାଚସ୍ପତିଙ୍କ ନିର୍ଦେଶକୁ ଅସିଦ୍ଧ ଘୋଷଣା କରିଛନ୍ତି।