ସଂଗ୍ରହ ପୂର୍ବରୁ ୫ ରାଇସ ମିଲରୁ ମିଳିଲା ୨୨ ହଜାର ବସ୍ତା ଧାନ

0
13

ସମ୍ୱଲପୁର,(ଓଟି): ସମ୍ୱଲପୁର ଜିଲ୍ଲାରେ ଖରିଫ ଫସଲର ଧାନ ସଂଗ୍ରହ ଆରମ୍ଭ ହୋଇନଥିବା ବେଳେ ବିଭିନ୍ନ ରାଇସ ମିଲରେ ଧାନ ଠୁଳ ହୋଇଥିବା ଓ ଏହାକୁ ଚାଷୀମାନଙ୍କ ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟଠାରୁ କମ‌୍‍ ଦାମରେ ଖରିଦ କରାଯାଇଥିବା ଅଭିଯୋଗ ଉତାରୁ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଏହି କ୍ରମରେ ଜିଲ୍ଲାପାଳଙ୍କ ନିର୍ଦେର୍ଶ କ୍ରମେ ଗତକାଲି ଜିଲ୍ଲାର ୬୫ଟି ରାଇସ ମିଲ ମଧ୍ୟରୁ ବୁର୍ଲା ଓ ଅଇଁଠାପାଲି ଥାନା ଅଂଚଳରେ ଥିବା ୧୦ଟି ରାଇସ ମିଲରେ ଅତର୍କିତ ଭାବେ ଚଢ଼ଉ କରାଯାଇଥିଲା। ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ସାମିଲ କରାଯାଇନଥିବା

ଏହ ସ୍ୱତନ୍ତ୍ର ସ୍କ୍ୱାର୍ଡ଼ରେ ସଦର ତହସିଲଦାର ଦେବେନ୍ଦ୍ର କୁମାର ନନ୍ଦ, ଅତିରିକ୍ତ ତହସିଲଦାର ଡ. ମାନସ ରଞ୍ଜନ ସ୍ୱାଇଁ, ମାର୍କେଟିଂ ଗୁଇନ୍ଦା ଅଧିକାରୀ ସୁରେନ୍ଦ୍ର ନାଥ ହାଁସଦା ଏବଂ ଯୋଗାଣ ଇନ୍ସପେକ୍ଟର ପୂର୍ଣ୍ଣାସା ଭୋଇ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ମଧ୍ୟାହ୍ନ ସାଢ଼େ ୧୨ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ଖାନତଲାସ କରାଯାଇଥିଲା। ଏହି ସମୟରେ ୫ଟି ମିଲରେ ୪୫ କେଜିର ୨୨ ହଜାରରୁ ଉର୍ଦ୍ଧ୍ୱ ବସ୍ତା ଧାନ ଠାବ କରାଯାଇଛି। ସଂପୃକ୍ତ ମିଲ ମାଲିକମାନଙ୍କୁ ଏହି ଧାନର ହିସାବ ମଗାଯାଇଛି। ଏଥିରେ କୌଣସି ଅନିୟମିତତା ଧରାପଡ଼ିଲେ ପୋଲିସରେ ଏତଲା ଦିଆଯିବ ବୋଲି ସଦର ତହସିଲଦାର ଦେବେନ୍ଦ୍ର କୁମାର ନନ୍ଦ ଚଢ଼ଉ ପରେ ସୂଚନା ଦେଇଥିଲେ।

ଗତ ଖରିଫ ଓ ରବି ଋତୁ ସମ୍ପୂର୍ଣ୍ଣ ହେବା ଉତାରୁ ରାଇସ ମିଲରମାନେ ଧାନରୁ ଚାଉଳକୁ ଲେଭି ଆକାରରେ ଏଫସିଆଇକୁ ଦେବା ଉତାରୁ ଏବେ ରାଇସ ମିଲମାନଙ୍କରେ ଧାନ ରହିବା ବେନିୟମ କାର୍ଯ୍ୟ ବୋଲି ଶ୍ରୀ ନନ୍ଦ କହିଛନ୍ତି। ହେଲେ ଉପଯୁକ୍ତ ଯାଞ୍ଚ ପରେ ପ୍ରକୃତ ତଥ୍ୟ ପଦାକୁ ଆସିବ।

Loading...