ଅବାଟରେ ବନା ମଉସାଙ୍କ ଧାନ ବେପାର

ବରେନ୍ଦ୍ର କୃଷ୍ଣ ସାହୁ

ନା ମଉସା । ପୂରା ନାଁ ବନମାଳି ବାରିକ । ଉଚ୍ଚତା ସାଢେ 6 ଫୁଟରୁ ଅଧିକ ହେବ ! ମଉସା ଛିଡା ହୋଇ ପଡ଼ିଲେ 24 ଇଞ୍ଚିଆ ସାଇକେଲ ଗୋଡ଼ ତଳେ ଗଡ଼ିଯିବ । ଆମେ ଛୁଆ ହୋଇଥାଉ, କାନ୍ଧରେ ବସ୍ତାନି ଆଉ ତାଳପତ୍ର ଚଟେଇ ପକାଇ ସ୍କୁଲକୁ ଯାଉଥାଉ । ଗାଁର ଅଧାରୁ ଅଧିକ ଲୋକ ବେପାରୀ, ମାନେ ଧାନ ବେପାରୀ । ଆମର ଖାଇଛୁଟି ହେଲା ବେଳକୁ ସେମାନେ ଅଧିକାଂଶ ଲୋକ ଘରକୁ ଫେରିଥାନ୍ତି । ଘରକୁ ଖାଇବାକୁ ଗଲା ବେଳକୁ ସ୍କୁଲରୁ ଫେରିଲା ବେଳକୁ ଗାଁ ମୁଣ୍ଡ ଝରଣାରୁ ସେମାନେ ଗାଧୋଇ ପାଧୋଇ ଫେରୁଥାନ୍ତି । କିନ୍ତୁ ଏବେ…   ଚିତ୍ର ବଦଳି ଯାଇଛି ।…

ପାଞ୍ଚ ଝିଅରେ ଗୋଟେ ପୁଅ… ପୁଣି ମାଉସୀଙ୍କୁ ମିଶାଇଲେ, 8 ପ୍ରାଣୀର କୁଟୁମ୍ବ । ସେତେବେଳର ମହରଗ ଦୁନିଆରେ ଘର ଲୋକଙ୍କ ମୁହଁରେ ଦାନା ମୁଠେ ଦେବା, କେତେ ଯେ କଷ୍ଟ, ତାହା କେବଳ ସେହି ଲୋକ ହିଁ ଜାଣିଛି । କାରଣ… ସେତେବେଳେ ଚାଷ ହିଁ ଥିଲା ଲୋକଙ୍କର ସବୁକିଛି । ଧାନରୁ ଚାଉଳ… ପୁଣି ବିଲରୁ ବିରି, କୋଳଥ, ମୁଗରୁ ଡାଲି । ବାସ୍, ଭାତ ସାଙ୍ଗକୁ ମିଳିଗଲା ନଗେଇ ଖିଆ । ବିଲରୁ ଅମଳ ପରେ ଅନେକ ମାତ୍ରାରେ ନିଶ୍ଚିନ୍ତ ହୋଇ ରହୁଥିଲେ ଲୋକେ । ପୁଣି ଧାନ ଥିଲା, ସବୁ ସମସ୍ୟାର ସମାଧାନ । ପୂଜା, ପର୍ବାଣି ହେଉ କି ବନ୍ଧୁ-ବାନ୍ଧବ ଚର୍ଚ୍ଚା, ଘରେ ଧାନ ଅଛି ତ… ଚିନ୍ତା ନାହିଁ । କିନ୍ତୁ… ସେତେବେଳେ ସବୁ ସମସ୍ୟାର ସମାଧାନ ଥିବା ଧାନ, ଏବେ… ଯେଉଁ ଧାନ, ସେମାନଙ୍କ ସବୁ ସମସ୍ୟାର ସମାଧାନ ଥିଲା, ଏବେ ସେ ପାଲଟିଛି ସମସ୍ୟା । ନିଜ ଅମଳ ଧାନକୁ ନେଇ ଏବେ ଚିନ୍ତାରେ ବନା ମଉସାଙ୍କ ଭଳି ଅନେକ ଚାଷୀ ।

ଆମ ଗାଁ ପିଙ୍ଗୁଆ । କିନ୍ତୁ ସିନ୍ଦୁରା ଫାଟିବା ପୂର୍ବରୁ ଗାଁ ଠୁ 12/13 କିଲୋମିଟର ଦୂର ଷଡ଼ଙ୍ଗୀ ଗାଁରେ ସାଇକେଲରେ ପହଞ୍ଚି ଯାଉଥିଲେ ବନା ମଉସା । ଗଉଣୀରେ ଚାଷୀଙ୍କ ଠାରୁ ପାଖାପାଖି ଦେଢ଼ରୁ ଦୁଇ କ୍ୱିଣ୍ଟାଲ ଧାନ କିଣିବା ପରେ ସାଇକେଲ ପେଲି ପେଲି ପ୍ରାୟ 2 କିଲୋମିଟର ଧନେଇ ଉଠାଣି ଉଠି ଫେରନ୍ତି ବନା ମଉସା । ମାଉସୀ ଓ ଛୁଆ ପିଲାଙ୍କ ସହାୟତାରେ ଉସେଇଁ, ବସେଇ ଚାଉଳ ବିକନ୍ତି…

ଗୋରୁ, ଗାଈଙ୍କ ପାଇଁ 5-7 ଦିନର କୁଣ୍ଡା ବାହାର କରିବା ସହ କ୍ୱିଣ୍ଟାଲ ପ୍ରତି 5ରୁ 6 କେଜି ଚାଉଳର ଲାଭ ଉଠାନ୍ତି । ମଉସା, ସେତେବେଳେ ଜାଣି ନଥିଲେ, ତାଙ୍କ ଝାଳବୁହା ଧାନ ବେପାରକୁ ନେଇ ଭବିଷ୍ୟତରେ ଏତେ ରାଜନୀତି ହେବ ବୋଲି… !। ଧାନକୁ ନେଇ ଯେ, ଭୋଟ୍ କିଣାଯିବ, ଯାଇ ପାରିବ, ଏ ଥିଲା ତାଙ୍କ କଳ୍ପନା ବାହାରେ !। ସତରେ.. ନିରୋଳା  ଗୋବର ଖତରେ ଚାଷ -ବାସ କରୁଥିବା ଲୋକଟି, କେମିତି ବା ଜାଣନ୍ତା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବାବଦରେ…… ।

ଧାନ… ଠିକ୍ ମହାନଦୀ ପାଣି ଭଳି, 2019 ନିର୍ବାଚନ ପୂର୍ବରୁ ଉଜାଣି ବହିଲା । ଚାଷୀଙ୍କ ପାଇଁ ନିଇତି ଲୋକ ଦେଖାଣିଆ ଲୁହ ଗଡ଼ାଉଥିବା ବିଜେଡି ସରକାର, କ୍ୱିଣ୍ଚାଲ ପିଛା 2930 ଟଙ୍କା ଦାବି କରୁଥିବା ପବନ କଲେ । ଯେତେବେଳେ କି ମଣ୍ଡିରେ କଟଣି-ଛଟଣି ପରେ ଦାମ୍ ଥିଲା 1550 ଟଙ୍କା । ନିର୍ବାଚନ ପୂର୍ବରୁ କ୍ୱିଣ୍ଟାଲ ପିଛା 1815 ଟଙ୍କା କରାଗଲା । କିନ୍ତୁ, ନିର୍ବାଚନ ପୂର୍ବରୁ ଯେମିତି ମଣ୍ଡି ଚାଲିଥିଲା, ନିର୍ବାଚନ ପରେ ସେମିତି ଚାଲିଲାନି । ସରକାର ଧାନ ଦାମ୍ ବଢ଼ାଇ ଦେଲେ ସିନା, ହେଲେ ମିଲର୍ ଧାନ କିଣିଲେନି । ଯେଉଁଥି ପାଇଁ ଆଦି ରାଜ୍ୟର ବିଭିନ୍ନ ସ୍ଥାନରେ କ୍ୱିଣ୍ଟାଲ-କ୍ୱିଣ୍ଟାଲ୍ ଧାନ ଧରି ବସିଛନ୍ତି ଚାଷୀ । ପୁଣି କରୋନା ବେଳେ କେନ୍ଦ୍ର ସରକାର, କ୍ୱିଣ୍ଟାଲ ପିଛା 65 ଟଙ୍କା ବୃଦ୍ଧି କରିଥିଲେ ମଧ୍ୟ, ରାଜ୍ୟରେ ଠିକ୍ ଭାବେ ଚାଲୁନି ମଣ୍ଡି । ଫଳରେ ଚାଷୀଙ୍କ ଦୁଃଖ କହିଲେ ନସରେ । ଖରିଫ୍ ଋତୁ ଆସିଲାଣି, ହେଲେ ଗତବର୍ଷର ଧାନକୁ ନେଇ ଚିନ୍ତାରେ ଚାଷୀ । ବନା ମଉସା, ସାଇକେଲରେ ଧାନ ଆଣୁଥିଲେ । ପୁଣି ବଣରୁ ଝାଟି, ଡାଳ ପତ୍ର ଆଣି ତାକୁ ବସାଉଥିଲେ । ଧୀରେ ଧୀରେ ଗୋଟେ କି ଦିଇଟା ନୁହେଁ, ଆମ ଗାଁରେ 10ରୁ ଅଧିକ ବଏଲର୍ ହେଲା । କାଠ, କୋଇଲାରେ ଧାନରୁ ହେଲା ଚାଉଳ । ଘର ଉଁସା ଚାଉଳରୁ ଲୋକେ ବଏଲର ଚାଉଳ ଆଡ଼କୁ ମୁହାଁଇଲେ । କିନ୍ତୁ ଏବେ ଘରେ ଘରେ ଟଙ୍କିକିଆ ଚାଉଳ… ମାନେ ମିଲ୍ ଚାଉଳ । ସରକାର, ମିଲରୁ ଚାଉଳ କିଣି ରିହାତି ଦରରେ ଲୋକଙ୍କୁ ଯୋଗାଇ ଦେଉଛନ୍ତି । ଯାହା, ଗାଁ-ଗଣ୍ଡାରେ ବନା ମଉସାଙ୍କ ଭଳି ଅନେକଙ୍କ ଧାନ ବେପାରର ସଜ୍ଞା ପରିବର୍ତ୍ତନ କରି ଦେଇଛି । ଟଙ୍କିକିଆ ଚାଉଳ ପ୍ରେମରେ ସମସ୍ତେ ବାୟା । ଏପରିକି, ସରକାରଙ୍କୁ ବିକି ସାରିବା ପରେ ମଧ୍ୟ, ହିତାଧିକାରୀଙ୍କ ଠାରୁ ସେହି ଚାଉଳ କିଣିବାକୁ ଦଲାଲ୍ ଲଗାଇ ଦେଇଛନ୍ତି ମିଲର୍ ।

ସେପଟେ ବିନା ଧୂଳି-ଧୂଆଁରେ ଭାତ ଖାଇବାକୁ ଚାହୁଥିବା ଚାଷୀ, ଅମଳ ଧାନକୁ ବିଲରୁ ସିଧା ମଣ୍ଡିରେ ନେଇ ବିକି ଦେବାକୁ ଉଚିତ ମଣୁଛି। 19 ନିର୍ବାଚନ ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 2930 ଟଙ୍କା କହି, ଉଠେଇ ପକେଇ ରାଜନୀତି କରୁଥିବା ରାଜ୍ୟର ବିଜେଡି ସରକାର, ନିର୍ବାଚନ ପୂର୍ବରୁ 1550ରୁ 1815 ଟଙ୍କା କଲେ । ପୁଣି କରୋନା ବେଳେ ଦରଦ ଦେଖାଇ, କେନ୍ଦ୍ର ସରକାର କ୍ୱିଣ୍ଟାଲ ପିଛା 65 ଟଙ୍କା ବଢାଇଛନ୍ତି । ହେଲେ ମଣ୍ଡି ଚାଲିଲେ ତ… ?

ଧାନର ଚଢ଼ା ଦାମକୁ ଧରି, ବସିଛି ଚାଷୀ । ଆଶା, କେନ୍ଦ୍ର ସରକାରଙ୍କ ଘୋଷଣା ପରେ କ୍ୱିଣ୍ଟାଲ 1880ରେ ବିକିବ । କିନ୍ତୁ  ଟେଲିଭିଜନ୍ ଓ ଖବରକାଗଜର ଘୋଷଣା, ଗୋଲା ଘରେ କାର୍ଯ୍ୟକାରୀ ହେଉନି । ସତରେ, ଧାନକୁ ନେଇ ରାଜନୀତି କରିବାର ଏ କାଇଦା  ଦରକାର, ନିଜ ଆଡୁ ଉଦ୍ଭାବନ କରିଛନ୍ତି ନା କାହା ଠାରୁ ଉଧାର ଆଣିଛନ୍ତି ?

କହିବାକୁ ଗଲେ, ଛେଳି ଓ ଗୋରୁ ବେପାରୀଙ୍କ ଠାରୁ ସରକାର ଏ ଆଇଡିଆ ଆଣିଛନ୍ତି । ଦିନ ଥିଲା… ଗାଁ ଗଣ୍ଡାରେ ବୁଲି ବୁଲି,  ବେପାରୀ କିଣୁଥିଲେ ଛେଳି ଓ ଗୋରୁ । ଯଦି କୌଣସି ଚାଷୀ, ବଜାର ମୂଲ୍ୟ ଠାରୁ ତା’ର ଛେଳି କିମ୍ବା ଗୋରୁର ଦାମ୍ ଅଧିକ ଡାକୁଥିଲେ, ତେବେ ମୂଲଚାଲରେ ବିରକ୍ତ ହୋଇ ବେପାରୀ, ଦାମ୍ ଉଠାଇ ଦେଇ ଫେରି ଯାଉଥିଲେ । ପରବର୍ତ୍ତୀ ମୁହୁର୍ତ୍ତରେ ସେହି ଚଢ଼ା ଦାମକୁ ଧରି ଚାଷୀ ବସି ରହୁଥିଲା ସିନା, କିନ୍ତୁ ସେହି ଦାମ୍, କେବେ ବି ପାଉ ନଥିଲା, ବରଂ ଦରକାର ପଡ଼ିଲେ, ପୂରାପୂରି କ୍ଷତି ସହୁଥିଲା । ଏବେ ଠିକ୍ ସେମିତି ଦଶାରେ ଚାଷୀ । ତେଣୁ ଏଭଳି ସ୍ଥିତିରେ ଚାଷୀ ସ୍ଥିର କରନ୍ତୁ, କଣ କଲେ, ସରକାର, ସେମାନଙ୍କ ଗୋଡ଼ ତଳକୁ ଆସିବେ… ସେମାନଙ୍କୁ ସରକାରଙ୍କ ପାଖକୁ ଯିବାକୁ ପଡ଼ିବନି । କାରଣ, ଚାଷୀ ଓ ଯବାନ ଚାହିଁଲେ, ଯେତେବଡ଼ ଶକ୍ତିଶାଳୀ ସରକାରର ବି ଫୁକୁ ଫୁକୁ ବନ୍ଦ କରିଦେବେ।

( ଲେଖକ ଜଣେ ସାମ୍ବାଦିକ। ଏହି ସ୍ତମ୍ଭରେ ପ୍ରତିଫଳିତ ମନ୍ତବ୍ୟ ତାଙ୍କ ବ୍ୟକ୍ତିଗତ ଚିନ୍ତନ ଓ ଅନୁଶୀଳନ ଉପରେ ଆଧାରିତ।)

Leave a Reply