ଓଟିଭିକୁ ଝଟକା ଦେବାକୁ ଉଦ୍ୟମ: କୁନା ତ୍ରିପାଠୀଙ୍କୁ ହାତେଇଲା ନ୍ୟୁଜ୍ ୱର୍ଲଡ ଓଡ଼ିଶା!

0
1410

ଭୁବନେଶ୍ୱର, (ଓଟି): ନେତାଠୁ ଜନତା ସମସ୍ତଙ୍କ ଫ୍ୟୁଜ୍ ଉଡ଼ାଇ ଆନନ୍ଦ ନେଉଥିବା ଓଟିଭିର “ନ୍ୟୁଜଫ୍ୟୁଜ୍’ ଏବେ ଓଟିଭିକୁ ଫ୍ୟୁଜ୍ କରିବାକୁ ପ୍ରସ୍ତୁତ ହୋଇଛି । ଯେଉଁ ଆଙ୍କର ବା ଉପସ୍ଥାପକଙ୍କ ଯୋଗୁ ଏହି ପ୍ରୋଗ୍ରାମଟି ହିଟ୍ ହୋଇ ସମୁଦାୟ ଲୋକପ୍ରିୟତାର ଏକ ବଡ଼ ଅଂଶକୁ ଅକ୍ତିଆର କରୁଥିଲା ଏବେ ସେହି ଆଙ୍କରଙ୍କୁ ଶିକାର କରିଛି “ନ୍ୟୁଜ ଓ୍ବର୍ଲଡ ଓଡ଼ିଶା । ଅର୍ଥାତ୍ ସତ୍ୟବ୍ରତ ଓରଫ୍ କୁନା ତ୍ରିପାଠୀ ଏବେ “ନ୍ୟୁଜ୍ ୱର୍ଲଡ ଓଡ଼ିଶା’ରେ ଦିଶିବେ ।

ରଥଯାତ୍ରା ପାଇଁ ଏହି ଚ୍ୟାନେଲ୍ ତିଆରି କରିଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ତାଙ୍କର ପ୍ରବେଶ ଆରମ୍ଭ ହେବ । ହେଲେ ସେ ଆଗକୁ ଏହି ଚ୍ୟାନେଲ୍ ସହ ରହିବେ କି ନା ତାହା ଜଣାପଡ଼ିନାହିଁ । ତେବେ ଏହାର ମୁଖ୍ୟ ସମ୍ପାଦକ ଭକ୍ତ ତ୍ରିପାଠୀ କହିଛନ୍ତି- “ଆମ ପରମ୍ପରା ଅନୁସାରେ ରଥଯାତ୍ରାକୁ ଏକ ଶୁଭଦିନ ଭାବରେ ଗ୍ରହଣ କରାଯାଏ । ଏହିକ୍ରମରେ ଆମେ ଏହିଦିନ ଏକ ଯୋଜନାର ଶୁଭ ଆରମ୍ଭ କରିବାକୁ ଯାଉଛୁ । ଆଗକୁ ଦେଖନ୍ତୁ କ’ଣ ହେଉଛି?

ଏବେ ବି ଆସୁଛନ୍ତି କୁନା

ନ୍ୟୁଜ୍ ଫ୍ୟୁଜ୍ କାର୍ଯ୍ୟକ୍ରମରେ ଏଯାଏ କୁନାଙ୍କୁ ଦେଖିବାକୁ ମିଳୁଛି। ଆଗକୁ ସେ ମଧ୍ୟ ସେ କାର୍ଯ୍ୟକ୍ରମ ଛାଡ଼ିବେ ବୋଲି କୌଣସି ନିଷ୍ପତ୍ତି ନେଇଥିବା ଜଣାଇ ନାହାନ୍ତି । ଯେଉଁ ଚ୍ୟାନେଲ୍ ତାଙ୍କୁ ନ୍ୟୁଜ୍ ବଜାରରେ ଲୋକପ୍ରିୟ କରିଛି ସେହି କାର୍ଯ୍ୟକ୍ରମକୁ ସେ ଛାଡ଼ିବେ କି ନା ତାହା ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ ତା’ଠୁ ତାଙ୍କ ଆଗରେ ରାଜନୀତିକ ଇଚ୍ଛାଟି ଅଧିକ ଗୁୁରୁତ୍ୱପୂର୍ଣ୍ଣ ହୋଇଯାଇଛି ବୋଲି ମଧ୍ୟ ଚର୍ଚ୍ଚା ହେଉଛି । ବେଳେବେଳେ ବିଜେଡିରେ ଯୋଗଦାନ ତାଙ୍କ ପାଇଁ ଭାଲୁ ଲାଙ୍ଗୁଡ଼ ହୋଇଛି ବୋଲି କେହି କେହି କହିଲେଣି । ଅପରପକ୍ଷେ ବିଜେଡି-ବୈଜୟନ୍ତ କଳିରେ ସେ କି ନିଷ୍ପତ୍ତି ନେବେ ତାହାକୁ ଅପେକ୍ଷା କରାଯାଇଛି । ଏ ସମ୍ବନ୍ଧରେ କୁନାଙ୍କ ପ୍ରତିକ୍ରିୟା ମିଳି ନାହିଁ ।

ବିଜେଡି ଶିବିରରୁ ବୈଜୟନ୍ତଙ୍କ ବାହାରିବା ପରେ ଓଟିଭିକୁ ତଳକୁ ଆଣିବା ପାଇଁ ଯେଉଁ ଚକ୍ରାନ୍ତ ଆରମ୍ଭ ହୋଇଛି, ଏହା ତାହାର ଏକ ଅଂଶ ବିଶେଷ ବୋଲି ଚର୍ଚ୍ଚା ହେଉଛି । ଆଉ ଏହି ଚକ୍ରାନ୍ତରେ ଅଣ ବୈଜୟନ୍ତ ତଥା ବଜେଡି ଶିବିରରର ଚ୍ୟାନେଲଗୁଡ଼ିକ ଲାଗିପଡ଼ିଛନ୍ତି । ସେହିକ୍ରମରେ ବହୁତ ଦିନ ହେଲା କୁନାଙ୍କୁ ଛଡ଼ାଇ ଆଣିବାର ଯେଉଁ ପ୍ରାୟାସ ହୋଇଥିଲା ତାହାକୁ ଏବେ ସବୁଜ ସଙ୍କେତ ମିଳିଛି ।

 

ବିଜେଡି ଯୋଜନା

ବିଜେଡିର ଜଣେ ମିଡିଆ ଉପଦେଷ୍ଟା ଏ ବାବଦରେ ସୂଚନା ଦେଇ କହିଛନ୍ତି, ଏବେ ଓଟିଭିର ଲୋକପ୍ରିୟତା କମିଯିବ। କାରଣ ନ୍ୟୁଜ୍ ଫ୍ୟୁଜ୍ ଯେତିକିଥର ପ୍ରସାରିତ ହୁଏ ସେସବୁକୁ ମିଶାଇଲେ ତାହା ସମୁଦାୟ ଲୋକପ୍ରିୟତାର ୨୦ରୁ ୨୫ ପ୍ରତିଶତ ହେବ । ଅର୍ଥାତ୍ ଯଦି ଚ୍ୟାନେଲ୍ ୧୩୦ ବାର୍କ ପଏଣ୍ଟ ହାସଲ କରୁଛି ତେବେ କୁନା ବାହାରି ଆସିଲେ ଏକା ଥରରେ ୩୦ ଟିଆରପି ଖସି ଆସିବ । ଏବେ ଆଉ ଏକ କାର୍ଯ୍ୟକ୍ରମ ହେଉଛି “ପଲିଟିକାଲ୍ ସର୍କସ୍’ । ଏହି କାର୍ଯ୍ୟକ୍ରମ ନ୍ୟୁଜ ସମ୍ବନ୍ଧୀୟ ହୋଇନଥିଲେ ମଧ୍ୟ ଦର୍ଶକ ବଜାରରେ ଏହାର ଚାହିଦା ଥିବାରୁ ଏହି କାର୍ଯ୍ୟକ୍ରମ ପାଣିଚିଆ ହୋଇଯିବ । ଏଣୁ ସେଥିପାଇଁ ଚେଷ୍ଟା ଆରମ୍ଭ ହୋଇଛି ।

 

ବିଜେପି ମୁହାଁ
ଅପରପକ୍ଷେ ଓଟିଭି କିଛିଦିନ ହେଲା ଯଦିଓ ବୈଜୟନ୍ତ ପଣ୍ଡାଙ୍କ ଦଳୀୟ ସ୍ଥିତି ଏଯାଏ ଅସ୍ପଷ୍ଟ ରହିଛି କିନ୍ତୁ ଚ୍ୟାନେଲ୍ଟି ବିଜେପି ମୁହାଁ ହେଲାଭଳି କିଛି ଲୋକଙ୍କୁ ଅନୁଭବ ହେଉଛି । ଏହି ତାଲିକାରେ ଖୋଦ୍ କୁନା ବି ଅଛନ୍ତି । ଏଣୁ ସେ ନିଜର ଚୁକ୍ତିକୁ ଅଧିକ ଦିନ ସମ୍ପ୍ରସାରିତ କରିବାକୁ ଚାହୁଁ ନଥିବା ଜଣାପଡ଼ିଛି । ଅର୍ଥାତ୍ ଦୋଛକିରେ ପଡ଼ିଛନ୍ତି କୁନା । ଯେହେତୁ ସେ ବିଜେଡିର ଜଣେ ସକ୍ରିୟ ସଦସ୍ୟ ତାଙ୍କ ସମ୍ମୁଖରେ ଏମିତି ସମସ୍ୟା ସୃଷ୍ଟି ହେବା ସ୍ୱଭାବିକ ।

 

ନ୍ୟୁଜ ଓ୍ବର୍ଲଡ ଓଡ଼ିଶାକୁ ବିଶ୍ୱାସ

ବିଜେଡି ଶିବିରରେ ଏବେ ଦୁଇଟି ପ୍ରମୁଖ ଚ୍ୟାନେଲ୍ ପ୍ରତ୍ୟକ୍ଷ ଭାବେ ରହିଛନ୍ତି । ଗୋଟିଏ ହେଲା ନ୍ୟୁଜ ଓ୍ବର୍ଲଡ ଓଡ଼ିଶା ଏବଂ ଅନ୍ୟଟି ହେଉଛି ଏମବିସି ଟିଭି । ଗଲା କିକିଛିଦିନ ଭିତରେ ଏମବିସି ଟିଭି ପୁଣିଥରେ ଦର୍ଶକଙ୍କ ବିଶ୍ୱାସଭାଜନ ହୋଇ ଅଧିକ ବାର୍କ ପଏଣ୍ଟ ହାସଲ କରୁଛି । ଗଲା ସପ୍ତାହରେ ଏହି ରେଟିଂ ୨୧ ଥିଲା । ହେଲେ ବିଜେଡିର ସମୀକରଣରେ ନ୍ୟୁଜ୍ ୱାର୍ଲଡର ପ୍ରଚ୍ଛଦପଟ୍ଟ ପ୍ରୋତ୍ସାହକଙ୍କ ଭୂମିକାକୁ ସୀମିତ ତଥା ନୀରବ କରିବା ଉଦ୍ୟମ ଆରମ୍ଭ ହୋଇଥିବାରୁ ଏବେ ବିଜେଡିର ସବୁ ଶକ୍ତି ନ୍ୟୁଜ ଓ୍ବର୍ଲଡରେ ନିବେଶ ହେଉଥିବା ସୂଚନା ମିଳିଛି ।

ଶେଷକଥା

ଓଡ଼ିଶା ମିଡିଆରେ ଚାଲିଥିବା ଏହି ଟଣାଓଟରା ପେସାଗତ ମନୋଭାବରେ ଚାଲିଛି ତାହା ନୁହେଁ, ଏହା ସମ୍ପୂର୍ଣ୍ଣ ରାଜନୀତିକ। କିନ୍ତୁ ଏହି ସମୀକରଣକୁ ସାଧାରଣ ଦର୍ଶକଟିଏ ବୁଝିବା ଅସମ୍ଭବ ପ୍ରାୟ । ଏହିକ୍ରମରେ ସେମାନେ ଯେ ବଳିର ବୋଦା ସାଜୁଛନ୍ତି ଏବଂ ତାଙ୍କରି ପ୍ରତିନିଧି ଭାବରେ ଏହି ଟେଲିଭିଜନ୍ ମିଡିଆମାନେ ସୂଚନା ପାଇବାର ଅଧିକାରକୁ ପକ୍ଷଭୁକ୍ତ କରୁଛନ୍ତି ଏହା ନିଃସନ୍ଦେହ । ଏଣୁ ଦର୍ଶକ ନ୍ୟୁଜକୁ ନେଇ ଆନନ୍ଦିତ ହେବା ବେଳେ ଏହାର କିଛି ଭିତିରି ଉଦ୍ଦେଶ୍ୟ ରହିଛି ବୋଲି ତାହା ଜାଣି ରଖନ୍ତୁ ।

Loading...