ବିଜେପି ଟ୍ୟୁନରେ ବିରୋଧିଙ୍କ ନୃତ୍ୟ

ଆଗାମୀ ନିର୍ବାଚନର ଘଣ୍ଟି ଯେ କୌଣସି ମୂହୁର୍ତ୍ତରେ ବାଜିପାରେ। ନିର୍ବାଚନରେ ସଫଳତା ପାଇବା ପାଇଁ ବିରୋଧି ଦଳମାନେ ସରକାରର ଯେଉଁ ଦୋଷ ଦୁର୍ବଳତାକୁ ଲୋକମାନଙ୍କ ଆଗରେ ଉପସ୍ଥାପିତ କରୁଛନ୍ତି ତାହା ବିଜେପିକୁ ସହାୟକ ହେବାରେ ଲାଗିଛି। ପୁଲୱାମା ଆକ୍ରମଣ ପୂର୍ବରୁ ବିରୋଧି ଦଳ ଯେଉଁ ପ୍ରସଙ୍ଗ ଉଠାଉଥିଲା ବିଜେପି ତାହାକୁ ରକ୍ଷାତ୍ମକ ଢ଼ଙ୍ଗରେ ଖଣ୍ଡନ କରୁଥିଲା। କିନ୍ତୁ ବାଲାକୋଟ ଏୟାର ଷ୍ଟ୍ରାଇକ ପରେ ଏହି ପ୍ରସଙ୍ଗରେ ବର୍ତ୍ତମାନ ବିରୋଧି ଦଳମାନେ ବିଜେପିକୁ ସମାଲୋଚନା କରୁଥିଲେ ହେଁ ଏଥିରେ ମୋଦି ସରକାରର କ୍ଷତି ହେବା ପରିବର୍ତ୍ତେ ଜନ ସମର୍ଥନ ବୃଦ୍ଧି ପାଇବାରେ ଲାଗିଛି। କାରଣ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ଯେପରି ରାଜନୈତିକ ଚକ୍ରବ୍ୟୁହ ରଚନା କରୁଛନ୍ତି ସେଥିରୁ ବିରୋଧି ଦଳମାନେ ମୁକୁଳି ପାରୁନାହାଁନ୍ତି।

ବାଲାକୋଟ ଏୟାର ଷ୍ଟ୍ରାଇକ ପ୍ରମାଣ

ପୁଲୱାମା ଆକ୍ରମଣ ପରେ ପାକିସ୍ତାନକୁ ଉଚିତ୍ ଜବାବ ଦେବା ପାଇଁ ମୋଦି ସରକାର ବାଲାକୋଟ ଆତଙ୍କୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଛନ୍ତି। ଏହି ଏୟାର ଷ୍ଟ୍ରାଇକ ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ ସମୟରେ ହୋଇଥିବା ରାଜନୀତିରୁ ବିଜେପି ସତର୍କ ହୋଇଯାଇଥିଲା। ସେଥିପାଇଁ ବିଜେପି ବିରୋଧି ଦଳମାନଙ୍କର କୁଟିଳ ଚାଲକୁ ଅକାମୀ କରିବା ପାଇଁ ପ୍ରଥମରୁ ପ୍ରସ୍ତୁତ ହୋଇଥିଲା। ରାଷ୍ଟ୍ରହିତ ପ୍ରସଙ୍ଗକୁ ଭୋଟ ହାସଲ ପାଇଁ ବ୍ୟବହାର କରୁଥିବା ଏଭଳି ନେତା ଦେଶରେ ଅଛନ୍ତି ବୋଲି ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କୁ ଜଣାଥିଲା। ଯେଉଁ ନେତାମାନେ ରାଷ୍ଟ୍ରୀୟ ପ୍ରସଙ୍ଗକୁ ଅତିରଞ୍ଜିତ କରି ପ୍ରଚାର କରିଥାନ୍ତି ସେମାନଙ୍କ ମଧ୍ୟରୁ ୯୦ଞ୍ଝ ନେତା ସେହି ପ୍ରସଙ୍ଗକୁ ଠିକ୍ ଭାବରେ ବୁଝିନଥାନ୍ତି। ଉଦାହରଣ ପାଇଁ ମାୟାବତୀଙ୍କ ବୟାନକୁ ନିଆଯାଇପାରେ। ମାୟାବତୀ ପ୍ରଶ୍ନ କରିଥିଲେ ଯେ ଗତ ସାଖେ ଚାରି ବର୍ଷରେ ଗୋଟିଏ ହେଲେ ରାଫେଲ ବିମାନ କାହିଁକି ଅଣାଯାଇନାହିଁ।

ପୂର୍ବାପେକ୍ଷା ବର୍ତ୍ତମାନର ଦେଶବାସୀ ବିରୋଧି ଦଳର ଉଦ୍ଦେଶ୍ୟକୁ ଠିକ ଭାବରେ ଜାଣିପାରୁଛନ୍ତି ବୋଲି ବିଜେପି ଅଧ୍ୟକ୍ଷ ଶାହ ଅନୁଭବ କରିଛନ୍ତି। ସୋସାଲ ମିଡ଼ିଆ ଯୁଗରେ ଏପରି ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିବା ବିରୋଧି ନେତାମାନଙ୍କୁ ଭଲ ଉତ୍ତର ମିଳିଯାଉଛି। ମାୟାବତୀଙ୍କୁ ସୋସାଲ ମିଡ଼ିଆରେ ଭଲ ଉତ୍ତର ମିଳି ବି ଯାଇଛି। ଏହାଛଡ଼ା ଦିଗବିଜୟ ସିଂହ, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିୱାଲ, ଅଖିଳେଶ ଯାଦବ, ଫାରୁକ୍ ଅବଦୁଲାଙ୍କ ଭଳି ନେତାମାନେ ଏୟାର ଷ୍ଟ୍ରାଇକର ପ୍ରମାଣ ମାଗିଛନ୍ତି। ଏହି ନେତାମାନଙ୍କର ବୟାନ ସୋସାଲ ମିଡ଼ିଆରେ ଯେତେ ଭାଇାରାଲ ହେଲା ସେମାନେ ଜନସାଧାରଣଙ୍କ ନଜରରେ ସେତେ ତଳକୁ ଖସିବାରେ ଲାଗିଲେ।

ଏୟାର ଷ୍ଟ୍ରାଇକ ପ୍ରମାଣ ମାଗି ନେତାମାନେ ସ୍ଥାନୀୟ ପ୍ରସଙ୍ଗକୁ ଭୂଲି ଯାଇଛନ୍ତି। ଅଖିଳେଶ ଯାଦବ ଉତ୍ତରପ୍ରଦେଶର ଗ୍ରାମୀଣ ସମସ୍ୟା ଉଠାଇବା ପରିବର୍ତ୍ତେ ଏୟାର ଷ୍ଟ୍ରାଇକଠାରୁ ଆରମ୍ଭ କରି ରାଫେଲ ଦୁର୍ନୀତି କଥା କହୁଛନ୍ତି। ମମତା ବାନାର୍ଜୀ ବଙ୍ଗଳା ବ୍ୟତୀତ ଅନ୍ୟ କିଛି ଜାଣନ୍ତି ନାହିଁ। ତେଣୁ ସେ କୋଲକାତାରେ ବିରୋଧି ନେତାମାନଙ୍କର ରାଲି କରି ନିଜକୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିଛନ୍ତି। ଅରବିନ୍ଦ କେଜ୍ରିୱାଲ କେବେ ବି ଦିଲ୍ଲୀର ସମସ୍ୟା ସମ୍ପର୍କରେ କୁହନ୍ତି ନାହିଁ। ତେଜସ୍ୱୀ ଯାଦବ ଉଚ୍ଚବର୍ଗ ଗରିବଙ୍କୁ ମିଳିଥିବା ଆରକ୍ଷଣ ବିରୋଧରେ କହି ନିଜ ସ୍ଥିତିକୁ ମଜଭୂତ କରିବାରେ ଲାଗିଛନ୍ତି। ମୋଦିଙ୍କ ପଡ଼ିଆରେ ଖେଳିବାକୁ ଚନ୍ଦ୍ର ବାବୁ ନାୟଡ଼ୁଙ୍କୁ ଦଲ୍ଲୀ ଆସିବାକୁ ପଡୁଛି।

ସ୍ଥାନୀୟ ପ୍ରସଙ୍ଗଠାରୁ ଦୂରରେ ବିରୋଧି

ବିରୋଧି ନେତାମାନେ ନିର୍ବାଚନରେ ଜିତିବା ପାଇଁ ସ୍ଥାନୀୟ ପ୍ରସଙ୍ଗକୁ ଉଠାଇବା ପରିବର୍ତ୍ତେ ବାଲାକୋଟ ଏୟାର ଷ୍ଟ୍ରାଇକ ପ୍ରସଙ୍ଗ ଉଠାଇବାରେ ଲାଗିଛନ୍ତି। ରାଜନୈତିକ ବିଶାରଦଙ୍କ ମତରେ ବିରୋଧି ନେତାମାନେ ବିଜେପି ପିଛରେ ଖେଳୁଥିବା ପରି ମନେ ହେଉଛି। କୃଷକଙ୍କ ସମସ୍ୟା ଉଠାଉଥିବା ନେତା ଏବେ ପାକିସ୍ତାନ କଥା ଉଠାଉଛନ୍ତି। ଯାହା ଫଳରେ ବିଜେପି ନେତା ଓ ମୁଖପାତ୍ରମାନେ ସହଜରେ ପ୍ରସ୍ତୁତ ହୋଇ ବିରୋଧିଙ୍କର ସମ୍ମୁଖୀନ ହୋଇ ଜନସାଧାରଣଙ୍କ ହୃଦୟ ଜିତିବାରେ ଲାଗିଛନ୍ତି।

ମୋଦିଙ୍କ ଭାବମୂର୍ତ୍ତି ଉପରେ ଦଳର ସଫଳତା ନିର୍ଭର କରୁଛି ବୋଲି ସବୁ ବିରୋଧି ନେତା ଅବଗତ ହୋଇଛନ୍ତି। କିନ୍ତୁ ମୋଦିଙ୍କୁ ଆକ୍ରମଣ କରି ଏ ପର୍ଯ୍ୟନ୍ତ କୌଣସି ବିରୋଧି ନେତା ସଫଳତା ପାଇନାହାଁନ୍ତି। ଗତ ନିର୍ବାଚନ ପୂର୍ବରୁ ମୋଦିଙ୍କୁ ମୌତ କା ସୌଦାଗର କହି ସୋନିଆ ଗାନ୍ଧୀ ଅସଲ ନିର୍ବାଚନ ପ୍ରସଙ୍ଗ ହାତ ଛଡ଼ା କରିଥିଲେ।

ବିରୋଧି ନେତାମାନେ ଏବେ ମୋଦିଙ୍କୁ ଏବେ ଚାରି ପାଖରୁ ଆକ୍ରମଣ କରୁଛନ୍ତି। ବିରୋଧିମାନେ ଯେପରି ନିରାଧାର ଅଭିଯୋଗ କରୁଛନ୍ତି ଏଥିରେ ମୋଦିଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି। ଫଳରେ ଅନ୍ୟ ବିଜେପି ନେତାମାନେ ମୋଦିଙ୍କୁ ସୁରକ୍ଷା ଦେବାରେ ସମୟ ନଷ୍ଟ ନ କରି ସଂଗଠନ କାମରେ ଲାଗିଛନ୍ତି।

ମେଣ୍ଟ ସୁଧାରିବାରେ ଲାଗିଛି ବିଜେପି

କୌଣସି ପ୍ରକାରର ବଡ଼ ଧରଣର ପ୍ରଚାର ନ କରି ବିଜେପି ପିୟୁଷ ଗୋୟଲଙ୍କୁ ତାମିଲନାଡ଼ୁ ପ୍ରଭାରୀ କରିବା ପରେ ଏଆଇଏଡ଼ିଏମକେ ସହିତ ମେଣ୍ଟ ସ୍ଥିର ହୋଇଛି। ଅପର ପକ୍ଷରେ ଉତ୍ତରପ୍ରଦେଶର ମହାମେଣ୍ଟରୁ କଂଗ୍ରେସକୁ ସାମିଲ କରାଯାଇନାହିଁ। କଂଗ୍ରେସ ଦିଲ୍ଲୀରେ କେଜ୍ରିୱାଲଙ୍କ ସହିତ ମେଣ୍ଟ କରିବାକୁ ମନା କରିଦେଇଛି।

ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିବା ଓ ଗଢ଼ିବା ଭିତରେ ବିଜେପି ଚାଲାକର ସହିତ ବିରୋଧି ଦଳର ନେତାଙ୍କ ମୁହଁରେ ରାଷ୍ଟ୍ରୀୟ ପ୍ରସଙ୍ଗରେ ବୟାନ ଦିଆ କରାଇ ସେମାନଙ୍କୁ ଲୋକମାନଙ୍କ ରାଗର ଶିକାର କରାଇଦେଇଛି। ଯେଉଁ ନେତାମାନେ ଅପ୍ରାସଙ୍ଗିକ ବୟାନ ଦେଇଛନ୍ତି ସୋସାଲ ମିଡ଼ିଆରେ ସେମାନଙ୍କୁ ସାବାଡ଼ କରିବାରେ ଆଦୌ ବିଳମ୍ୱ ହୋଇନାହିଁ। ଅପର ପଟରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହ ବିଭିନ୍ନ ରାଜ୍ୟ ବୁଲି ସଂଗଠନ ମଜଭୂତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ବିଭିନ୍ନ ରାଜ୍ୟରେ ବିରୋଧି ନେତାଙ୍କର ଅସଲ ଚେହେରା ଖୋଲିବାକୁ ଡେ଼ରି କରୁନାହାଁନ୍ତି।

ସାମ୍ପ୍ରତିକ ସମୟ ସହିତ ବିଜେପିର ପରିବର୍ତ୍ତିତ ରଣନୀତିରେ ବିରୋଧି ନେତାମାନେ ଏତେ ମସଗୁଲ ହୋଇଯାଇଛନ୍ତି ଯେ ସେମାନେ ନିଜକୁ କେବଳ ଯୋଗ୍ୟ ବୋଲି ମନେ କରି ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖୁଛନ୍ତି। ଏହି ନେତାମାନେ କୃଷି-କୃଷକ, ମଧ୍ୟମବର୍ଗ, ଗରିବଙ୍କ ପ୍ରସଙ୍ଗଠାରୁ ଦୂରେଇ ଯାଇ ରାଫେଲ, ପାକିସ୍ତାନ, ୫୬ ଇଞ୍ଚ ଛାତି କଥା ଯେତିକି କହୁଛନ୍ତି ବିଜେପିକୁ ସେତିକି ଲାଭ ଦେବାରେ ଲାଗିଛନ୍ତି। ଶାହଙ୍କ ଏହି ରାଜନୀତି ଚକ୍ରବ୍ୟୁହରେ ବିରୋଧି ଏବେ ଅସ୍ତବ୍ୟସ୍ତ ହେଉଥିବାବେଳେ ନିର୍ବାଚନ ସମୟରେ ଫାଇନାଲ ରଣନୀତିରେ ବିରୋଧି ଧରାଶାୟୀ ହେବା ନିଶ୍ଚିତ ମନେ ହେଉଛି।

Leave a Reply

Your email address will not be published.