କାହା ସ୍ୱାର୍ଥରେ ପୁଲିସ

0
459

ଓଡ଼ିଶା ପୁଲିସ୍‍ ସଂସ୍କାର ସପକ୍ଷରେ (୧)

ଲେଖକ
ବିଶ୍ୱପ୍ରିୟ କାନୁନ୍‍ଗୋ ଜଣେ ଆଇନଜୀବୀ ତଥା ମାନବାଧିକାର କର୍ମୀ ଭାବେ ପ୍ରତିଷ୍ଠିତ। ଏହି ଆଲେଖ୍ୟ ତାଙ୍କ ବ୍ୟକ୍ତିଗତ ଅନୁଶୀଳନ ଓ ମନ୍ତବ୍ୟ ଉପରେ ଆଧାରିତ।

କବିଙ୍କ ଉକ୍ତି, “ଧିକ ସେ ସଂସାର । ସବୁଥିରେ ଯହିଁ ପ୍ରବଳର ସୁଯୋଗ, ଦୁର୍ବଳର ଯହିଁ ଲଲାଟେ ଲିଖନ ନିରବେ ଲାଂଛନା ଭୋଗ”, ସରକାରଙ୍କର ପୋଲିସ ନିତି ପ୍ରତି ସମ୍ପୁର୍ଣ୍ଣ ପ୍ରଯୁଜ୍ୟ । ରାଜ୍ୟ ପୁଲିସ ହେଉ ବା କେନ୍ଦ୍ରର ସି.ବି.ଆଇ. କେହି “ପିଞ୍ଜରା ମୁକ୍ତ” ନୁହଁନ୍ତି । ରାତି ୨ଟା ବେଳେ ସି.ବି.ଆଇ.ର ନିର୍ଦ୍ଦେଶକଙ୍କୁ କେନ୍ଦ୍ର ସରକାର ବଦଳି କରିବା ପୁଣି ସୁପ୍ରିମକୋର୍ଟଙ୍କ ଆଦେଶରେ ସେହି ନିର୍ଦ୍ଦେଶକ ଆଲୋକ ବର୍ମା ପୁନଃସ୍ଥାପିତ ହେବାର ୪୮ଘଣ୍ଟା ଭିତରେ ନିର୍ଦ୍ଦେଶକ ପଦରୁ ହଟିବା, ଯାହାଙ୍କର କାର୍ଯ୍ୟକାଳ ଜାନୁୟାରୀ-୩୧ରେ ସମ୍ପୁର୍ଣ୍ଣ ହୋଇଥାଆନ୍ତା, ତାହା ସ୍ପଷ୍ଟ ପ୍ରମାଣ ଦିଏ ଯେ, କେନ୍ଦ୍ର ବା ରାଜ୍ୟ ସରକାର “ପୁଲିସ ବଳ”କୁ କିଭଳି ନିୟନ୍ତ୍ରଣରେ ରଖିଛନ୍ତି।

ପୁଲିସ ବିଷୟଟି ସାମ୍ବିଧାନିକ ଭାବେ ରାଜ୍ୟ ତାଲିକାଭୁକ୍ତ । କିନ୍ତୁ ବ୍ରିଟିଶ ଶାସନ ସମୟରେ ୧୮୬୧ ମସିହାରେ ହୋଇଥିବା କେନ୍ଦ୍ରୀୟ “ପୁଲିସ ଆଇନ” ଆମ ରାଜ୍ୟରେ ବଳବତ୍ତର ରହିଛି । ୨୦୦୩ ମସିହାରେ ପ୍ରଣୟନ କରାଯାଇଥିବା ସହରାଞ୍ଚଳ ପୁଲିସ ଆଇନ ଏକ ସ୍ୱତନ୍ତ୍ର ଆଇନ, ଯାହା ବର୍ତ୍ତମାନ ପାଇଁ କଟକ-ଭୁବନେଶ୍ୱର ଦୈତନଗରୀ ପାଇଁ ପ୍ରଯୁଜ୍ୟ ।

ଦେଶ ସ୍ୱାଧୀନ ହେବାର ୩୦ ବର୍ଷ ପରେ ୧୯୭୭ ମସିହାରେ କେନ୍ଦ୍ରରେ ଗଠିତ ଜନତା ପାର୍ଟି ସରକାର ପକ୍ଷରୁ ପୁଲିସ ସଂସ୍କାର ନିମିତ୍ତ ଏକ ଜାତୀୟ ପୁଲିସ୍‍ କମିଶନ ଗଠନ କରାଯାଇଥିଲା । ଧରମବୀରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଜାତୀୟ ପୁଲିସ୍‍ କମିଶନ ସରକାରଙ୍କୁ ୧୯୭୯ରୁ ୧୯୮୧ ମସିହା ଭିତରେ ୮ଟି ଭାଗରେ ରିପୋର୍ଟ ପ୍ରଦାନ କରିଥିଲେ । ସବିଶେଷ ଅନୁଧ୍ୟାନ ସହ ଏହି ରିପୋର୍ଟ ପ୍ରସ୍ତୁତ ହୋଇଥିବାରୁ ପୁଲିସ ସଂସ୍ଥାର କ୍ଷେତ୍ରରେ ଏହାର ବିଶେଷ ମହତ୍ତ୍ୱ ଅଛି ।

ଜାତୀୟ ପୁଲିସ୍‍ କମିଶନର ପ୍ରଥମ ରିପୋର୍ଟରେ ପୁଲିସ ବିରୁଦ୍ଧରେ ହେଉଥିବା ଅଭିଯୋଗଗୁଡ଼ିକର ଯଥାଯଥ ବି·ର ଉପରେ ଗୁରୁତ୍ୱ ଦିଆଯାଇଥିଲା । ହାଜତରେ ନିର୍ଯାତନା ଦୁଷ୍କର୍ମ, ପୁଲିସ ଗୁଳିରେ ଦୁଇ ବା ତଦୁର୍ଦ୍ଧ ବ୍ୟକ୍ତି ନିହତ ହେବା ଇତ୍ୟାଦି ଘଟଣାମାନଙ୍କରେ “ବିଚାର ବିଭାଗୀୟ ତଦନ୍ତ” ବାଧ୍ୟତାମୂଳକ ଭାବେ କରାଯିବା ଲାଗି ଏଥିରେ ସୁପାରିଶ କରାଯାଇଥିଲା ।

ପୁଲିସର କାର୍ଯ୍ୟ ଦକ୍ଷତା ବୃଦ୍ଧି ଉଦ୍ଦେଶ୍ୟରେ ଫୌଜଦାରୀ ନ୍ୟାୟ ପ୍ରଦାନ ବ୍ୟବସ୍ଥାର ଦୃଢୀକରଣ ପାଇଁ କମିଶନ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ସ୍ତରରେ କେନ୍ଦ୍ରୀୟ ଆଇନ କମିଶନ ଭଳି “ଫୌଜଦାରୀ ନ୍ୟାୟ ପ୍ରଦାନ କମିଶନ” ରୂପକ ବୈଧାନିକ କମିଶନ ଗଠନ ନିମନ୍ତେ ଏହି ରିପୋର୍ଟ ଯୁକ୍ତି ବାଢ଼ି ଥିଲେ । ପୁଲିସର ଦାୟିତ୍ୱ, ପୁଲିସ କାର୍ଯ୍ୟରେ ଅଯଥା ରାଜନୈତିକ ହସ୍ତକ୍ଷେପ, ପୁଲିସ ମୂଖ୍ୟଙ୍କର ଏକ ନିର୍ଦ୍ଧିଷ୍ଟ ସମୟ ସୀମା ପାଇଁ ନିଯୁକ୍ତି, ପୁଲିସ ମୂଖ୍ୟଙ୍କର ନିଯୁକ୍ତି ପ୍ରକ୍ରିୟା, ପୁଲିସ ଅଧିକାରୀମାନଙ୍କର ବଦଳି ଓ ଚାକିରିରୁ ସସ୍‍ପେଣ୍ଡ ଇତ୍ୟାଦି ସମ୍ପର୍କରେ ବୈଧାନିକ ବ୍ୟବସ୍ଥା ପାଇଁ ଏହି ରିପୋର୍ଟରେ କୁହାଯାଇଛି ।

ଦୂର୍ବଳ ଶ୍ରେଣୀର ଜନଗଣଙ୍କୁ ଶୋଷଣ ଓ ଅନ୍ୟାୟରୁ ସୁରକ୍ଷା ପ୍ରଦାନ ସମେତ ପୁଲିସ ଅଧିକାରୀମାନଙ୍କର ପୋଷ୍ଟିଂ, ଅଯଥା ଉଦ୍ଦେଶ୍ୟମୂଳକ ଗିରଫଦାରୀ ବ୍ୟବସ୍ଥାର ବିଲୋପ, ହ୍ୟାଣ୍ଡକଫ୍‍ ବ୍ୟବହାର ପାଇଁ ଗାଇଡ଼ଲାଇନ, ପୁଲିସଥାନାର ଯଥେଷ୍ଟ ପରିମାଣର “ଇଂପ୍ରେଷ୍ଟ ଅର୍ଥ” ବ୍ୟବସ୍ଥା ଆଦି ସଂପର୍କରେ ଧରମବୀର ପୁଲିସ କମିଶନର ତୃତୀୟ ରିପୋର୍ଟରେ ସରକାରଙ୍କୁ ପରାମର୍ଶ ଦିଆଯାଇଥିଲା । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ଫୌଜଦାରୀ କାର୍ଯ୍ୟବିଧି ଆଇନ ଅନୁସାରେ ପୁଲିସର ଧର୍ତ୍ତବ୍ୟ ଜାମିନ ବିହୀନ ଦଫାରେ ଗିରଫ କ୍ଷମତା ବାଧ୍ୟତାମୂଳକ ନୁହେଁ ବୋଲି ଆବଶ୍ୟକୀୟ ସଂଶୋଧନ ଜରୁରୀଥିବା ବିଷୟ ଏହି ରିପୋର୍ଟରେ କୁହାଯାଇଛି ।

ମଣିଷ ଭଳି ବଞ୍ଚିରହିବା ପାଇଁ ଆବଶ୍ୟକ ପଡ଼ୁଥିବା ବିଶେଷ ଉପାଦାନ ମଧ୍ୟରେ ବ୍ୟକ୍ତି ସ୍ୱାଧୀନତା, ମର୍ଯ୍ୟାଦା ଆଦି ଅଧିକାର ଉପରେ ପୁଲିସ ହସ୍ତକ୍ଷେପର ଆଇନଗତ କର୍ତ୍ତୃତ୍ୱ ରହିଛି । ସରଳଭାବେ କହିଲେ, ପୁଲିସର ଗିରଫ କ୍ଷମତା ଅପବ୍ୟବହାର ହେଲେ ମଣିଷର ମର୍ଯ୍ୟାଦା, ବ୍ୟକ୍ତି ସ୍ୱାଧୀନତା କ୍ଷୁର୍ଣ୍ଣ ହୁଏ । ଥାର୍ଡ଼ ଡ଼ିଗ୍ରୀ ପ୍ରୟୋଗ ହେଲେ ତ ଆହୁରି ସାଂଘାତିକ । ଏଣୁ ପୁଲିସ କମିଶନ ପକ୍ଷରୁ ଏ ସମ୍ପର୍କରେ କୁହାଯାଇଛି ଯେ, ପୁଲିସର “ଗିରଫ କ୍ଷମତା”, ହେଉଛି ଏହି ବ୍ୟବସ୍ଥାର ଦୁର୍ନୀତି ସୃଷ୍ଟି ପାଇଁ ଏକ ମୁଖ୍ୟ ଉତ୍ସ । ଅଯଥା ଓ ବେଆଇନ ଗିରଫଦାରୀ ନିମନ୍ତେ ଜେଲ ବିଭାଗର ମଧ୍ୟ ଖର୍ଚ୍ଚ ବଢ଼େ ବୋଲି କମିଶନ ପକ୍ଷରୁ କୁହାଯାଇଛି ।

ଏଣୁ ଗିରଫ କ୍ଷମତା ଉପରେ କଟକଣା ପାଇଁ ସେଥିରେ ଯେଉଁ ପରାମର୍ଶ ଦିଆଯାଇଥିଲା ୯୦ ଦଶକର ମଧ୍ୟଭାଗରେ ସୁପ୍ରିମକୋର୍ଟଙ୍କ ପକ୍ଷରୁ ସେଥିନେଇ ଗାଇଡ ଲାଇନ ପ୍ରଣୟନ କରାଯାଇଥିଲା । ଡି.କେ. ବସୁ ମାମଲା ଭାବେ ପରିଚିତ ମାମଲାରେ ହାଜତ ନିର୍ଯାତନାର ପ୍ରତିକାର ପାଇଁ ଗିରଫ ମେମୋ, ଗିରଫର କାରଣ ଇତ୍ୟାଦି ସମ୍ପର୍କରେ ଅଭିଯୁକ୍ତଙ୍କର ୧୧ଟି ଅଧିକାରକୁ ସ୍ୱୀକୃତି ଦିଆଯାଇଛି । ଫୌଜଦାରୀ କାର୍ଯ୍ୟବିଧି ଆଇନର ଧାରା-୪୧ରେ ମଧ୍ୟ ଆବଶ୍ୟକ ସଂଶୋଧନ କରାଯାଇ ୭ ବର୍ଷ ଭିତରେ ଥିବା “ଦଣ୍ଡବ୍ୟବସ୍ଥା” ମାମଲାରେ ପୁଲିସର ଗିରଫ କ୍ଷମତା ଉପରେ ଉତ୍ତରଦାୟିତ୍ୱ ରହିବ ଆବଶ୍ୟକ ବୋଲି ବ୍ୟବସ୍ଥା କରାଯାଇଛି । ତଥାପି ଆଜି ମଧ୍ୟ ଅଯଥା ଗିରଫ ଓ ହାଜତ ନିର୍ଯାତନାର ଅଭିଯୋଗ ହ୍ରାସ ପାଇନାହିଁ । ଏହା ହିଁ ବିଡ଼ମ୍ବନା!

ଏତଲା ଦାଖଲ ସଂପର୍କୀୟ ଆଇନର ସଂଶୋଧନ, ସାକ୍ଷୀମାନଙ୍କଠାରୁ ଘଟଣା ଘଟିଥିବା ସ୍ଥାନରେ ଅଥବା ସେମାନଙ୍କ ନିଜ ଘରେ ବୟାନ ସଂଗ୍ରହ,ଚୋରୀ ଯାଇଥିବା ଜିନିଷ ତୁରନ୍ତ ଅଭିଯୋଗକାରୀଙ୍କୁ ପ୍ରଦାନ, ଛୋଟ ଛୋଟ ମାମଲାଗୁଡ଼ିକର ଥାନାରେ ବୁଝାମଣା ଇତ୍ୟାଦି ସହ ଥାନା ହାଜତରେ ନିର୍ଯ୍ୟାତନା ନିବାରଣ ପାଇଁ ହାଜତଗୁଡ଼ିକୁ ଉପରିସ୍ଥ ହାକିମମାନେ ଆକସ୍ମିକଭାବେ ଭିଜିଟ୍‍ କରିବା, ପୁଲିସର କାର୍ଯ୍ୟଦକ୍ଷତା ଅପରାଧି ମାମଲାର ଅନୁସନ୍ଧାନ ସଂଖ୍ୟା ଅନୁସାରେ ଆକଳନ କରାନଯିବା (ଅର୍ଥାତ ପୁଲିସର ସଂଖ୍ୟାତ୍ମକ ନୁହେଁ ଗୁଣାତ୍ମକ କର୍ତ୍ତବ୍ୟ ପାଳନର ସମୀକ୍ଷା), ବୈଜ୍ଞାନିକ ପଦ୍ଧତିରେ ଜେରା ଇତ୍ୟାଦି ନିମନ୍ତେ ତାଲିମ ଓ କୌଶଳ ସଂପର୍କରେ ଶିକ୍ଷା ପ୍ରଦାନ, ବିଚାର ବିଭାଗୀୟ ମାଜିଷ୍ଟ୍ରେଟମାନେ ତାଙ୍କର ନିକଟରେ “ଅଭିଯୁକ୍ତ” ହାଜର ହେଲାବେଳେ ତାଙ୍କୁ ହାଜତରେ ପୁଲିସର ଆଚରଣ ସମ୍ପର୍କରେ ପଚାରିବା ଇତ୍ୟାଦି ଉପରେ କମିଶନ ଚତୁର୍ଥ ରିପୋର୍ଟରେ ଗୁରୁତ୍ୱ ଆରୋପ କରିଥିଲେ । ପୁଲିସ୍‍ ପ୍ରଶାସନ ଭିତରେ ଜଣେ ପୁଲିସ ଅନ୍ୟ ପୁଲିସ ସହ କିପରି ବ୍ୟବହାର କରିବ, ସେ ସମ୍ପର୍କରେ ମଧ୍ୟ ଆବଶ୍ୟକୀୟ ସଂସ୍କାର ସହ ପୁଲିସ ବ୍ୟବସ୍ଥାରେ ସ୍ୱଚ୍ଛତା ଉପରେ ୬ଷ୍ଠ ରିପୋର୍ଟରେ ଗୁରୁତ୍ୱଆରୋପ କରାଯାଇଥିଲା ।

ପୁଲିସ୍‍ ହିଂସ୍ରତାର କାରଣ ଖୋଜିଲାବେଳେ ଏକଥା ମଧ୍ୟ ସ୍ମରଣ ରହିବା ଉଚିତ୍‍ ଯେ, କନ୍‍ଷ୍ଟେବଳ ଭାବେ କାର୍ଯ୍ୟରତ ଜଣେ ଜୀବନ ତମାମ କନ୍‍ଷ୍ଟେବଳ ହୋଇ ରହନ୍ତି ।

ପୁଲିସର ହିଂସ୍ରତାର ନିରାକରଣ ପାଇଁ ନିଯୁକ୍ତି ପାଇଁ ମନୋନୟନ ପ୍ରକିୟାର ଆବଶ୍ୟକୀୟ ସଂଶୋଧନ ଆବଶ୍ୟକ । ମାନସିକ ପରୀକ୍ଷା ଉପରେ ଗୁରୁତ୍ୱ ଦିଆଯିବା ଅପରିହାର୍ଯ୍ୟ । ତାଲିମ କାଳରେ ମଧ୍ୟ ପ୍ରତ୍ୟେକ ପୁଲିସର ଆଚରଣ ଓ ମନୋଭାବ ଇତ୍ୟାଦିର ସମୀକ୍ଷା କରାଯାଇ ପୁଲିସ ପାଇଁ ଅନୁପଯୁକ୍ତ ବ୍ୟକ୍ତିଙ୍କୁ ତାଲିମ ସ୍ତରରେ ବାଦ ଦିଆଯାଇ ପାରେ । ସିଭିଲ ସୋସାଇଟି ଫର ହ୍ୟୁମାନ ରାଇଟସ୍‍ ଫୋରମ୍‍ ପକ୍ଷରୁ କଟକ, ଭୁବନେଶ୍ୱର, କନ୍ଧମାଳ ଓ ଯାଜପୁର ଆଦି ଜିଲ୍ଲାରେ କରାଯାଇଥିବା ସର୍ଭେ ଅନୁସାରେ ଇନ୍ସିପେକ୍ଟର ସ୍ତର ପର୍ଯ୍ୟନ୍ତ ସାଧାରଣରେ ଅଧିକ ଅଭିଯୋଗ ହେଉଛି । ଏଣୁ ଏହି ସ୍ତରଗୁଡ଼ିକର ଅଧିକାରୀମାନଙ୍କ ନିଯୁକ୍ତି ପ୍ରକ୍ରିୟା ଉପରେ ଗୁରୁତ୍ୱ ଜରୁରୀ । ଅଥାତ୍‍ କନଷ୍ଟେବଳ ଓ ସବ୍‍ ଇନ୍ସିପେକ୍ଟର ପଦବୀ ପାଇଁ ଆବଶ୍ୟକୀୟ ପରୀକ୍ଷା କରାଯିବା ଆବଶ୍ୟକ ।

୫୬ଇଞ୍ଚ ଛାତି, ଏତେ ଫୁଟ ଉଚ୍ଚତା “ପାଣିରେ ବୁଡ଼ିବ ନାହିଁ, ନିଆଁରେ ପୋଡ଼ିବ ନାହିଁ, ପବନରେ ଉଡ଼ିଯିବ ନାହିଁ, ଭଳି ବଳ ଅଛି କି ନାହିଁ ଯେଉଁ ଅମାନୁଷିକ ଶାରୀରିକ ପରୀକ୍ଷା ହେଉଛି, ସେଥିରେ ବହୁ ପରୀକ୍ଷାର୍ଥୀ ମୃତାହତ ହେଉଛନ୍ତି । ସେଭଳି ପରୀକ୍ଷା କେବଳ ଗୋଟିଏ ସଂସ୍କୃତି ସୃଷ୍ଟି କରୁଛି ଯେ ପୁଲିସମାନଙ୍କ ଭିତରେ ପାଶବିକ ବଳ ଥିବ! ଏଭଳି ପଦ୍ଧତି ଆଜି ପର୍ଯ୍ୟନ୍ତ କୌଣସି ସୁଫଳ ଦେଇଛି କି? ଆଜିର ଯୁଗରେ ଏଭଳି ପରୀକ୍ଷା ପରିବର୍ତ୍ତେ ମନସ୍ତ୍ୱାତିକ, ବିଜ୍ଞତା, ସାଧୁତା, ସଚ୍ଚୋଟତା ଓ ମେଧା ଓ ସର୍ବୋପରି ନୈତିକ ଓ ନିଷ୍ଠାଗତ ସେବାପାଇଁ ଉତ୍ସର୍ଗୀକରଣ ଦିଗରୁ ପରୀକ୍ଷା ପଦ୍ଧତି ଆପଣାଇବା ଜରୁରୀ ।

ପୁଲିସ୍‍ ଅମାନୁଷିକ ବ୍ୟବହାର, ଦୁର୍ନୀତି, ନିଷ୍କ୍ର୍ୟତା ଇତ୍ୟାଦି ଜନଗଣଙ୍କୁ ପୁଲିସ ପ୍ରଶାସନରୁ ବିଚ୍ଛିନ୍ନ କରିଦେଇଛି । ଏଣୁ ପୁଲିସ ପ୍ରଶାସନର ଆଭ୍ୟନ୍ତରୀଣ ଆଚରଣ ଏବଂ ଜନଗଣଙ୍କ ପ୍ରତି ସୌଜନ୍ୟ ଆଚରଣ ଉପରେ ଗୁରୁତ୍ୱ ଆବଶ୍ୟକ । ପୁଲିସ୍‍ ପ୍ରଶାସନର ଦୂର୍ନୀତିକୁ ହ୍ରାସ ପାଇଁ । ଏଥିରେ ସ୍ୱଚ୍ଛତା ଅବଲମ୍ବନ ଏକ ପ୍ରାଥମିକ ସଂସ୍କାର କେବଳ କେତେକ ନିଦ୍ଧିଷ୍ଟ କ୍ଷେତ୍ରକୁ ବାଦ୍‍ ଦେଲେ ପୁଲିସର ସମୁଦାୟ କାର୍ଯ୍ୟ ଜନଗଣଙ୍କର ଜାଣିବାର ଅଧିକାର ପରିସରରେ ରହିବା ଉପରେ ଗୁରୁତ୍ୱ ଦିଆଯିବା ଅପରିହାର୍ଯ୍ୟ । ପୁଲିସ ପ୍ରଶାସନ ମଧ୍ୟରେ ମହିଳା ପୁଲିସ ସମେତ ଦିଳତ, ଆଦିବାସୀ, ପଛୁଆବର୍ଗ, ସଂଖ୍ୟାଲଘୁ ଇତ୍ୟାଦି ବିବିଧ ବର୍ଗରୁ ନିଯୁକ୍ତି ପାଇଁ ଯଥାଯଥ ବ୍ୟବସ୍ଥା ଆବଶ୍ୟକ । ପ୍ରତ୍ୟେକ ଆଇ.ପି.ଏସ୍‍. ଅଧିକାରୀମାନେ ଏସ୍‍.ପି./ଡ଼ି.ଆଇ.ଜି. ସ୍ତରକୁ ପ୍ରମୋଶନ ପାଇବା ପୂର୍ବରୁ କେତେ ପ୍ରି-ପ୍ରମୋଶନ ପରୀକ୍ଷା ଏବଂ ଆଭିମୁଖ୍ୟ ତଥା ମନୋନୟନ ଦିଗ ଅବଲମ୍ବନ ପାଇଁ ପୁଲିସ୍‍ କମିଶନ ତାଙ୍କର ଷଷ୍ଠ ରିପୋର୍ଟରେ ଗୁରୁତ୍ୱ ଆରୋପ କରିଛନ୍ତି ।

ସର୍ବଭାରତୀୟ ପୁଲିସ୍‍ ସେବାକୁ ଦୁଇ ଭାଗରେ ବିଭକ୍ତ କରାଯାଇ ଗୋଟିଏକୁ ଅର୍ଦ୍ଧସାମରିକ ବାହିନୀ ପାଇଁ ଏବଂ ଆଉ ଗୋଟିଏ ଗୁଇନ୍ଦା, ସି.ବି.ଆଇ., ‘ର’ ଇତ୍ୟାଦିରେ ନିଯୁକ୍ତି ଦିଆଯିବା ଆବଶ୍ୟକ । ଏହି ପୁଲିସ ସଂସ୍ଥାର ମୂଳ ଦିଗଟି ହେଉଛି ପୁଲିସର ଜନଗଣ ଓ ଆଇନ ପ୍ରତି ଉତ୍ତରଦାୟିତ୍ୱ । ଯେଉଁଥିପାଇଁ ପୁଲିସ ବିରୁଦ୍ଧରେ ମାମଲା ପାଇଁ ଥିବା ସରକାରୀ ଅନୁମତି ବ୍ୟବସ୍ଥାକୁ ଲୋପ କରବା ଉପରେ ଜାତୀୟ ପୁଲିସ କମିଶନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି ।

ଆଇନ-ଶୃଙ୍ଖଳା ଓ ଅନୁସନ୍ଧାନ ସଂସ୍ଥାକୁ ଅଲଗା କରାଯିବା ନିମନ୍ତେ ଷଷ୍ଠ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି । ପୁଲିସର ଉତ୍ତରଦାୟିତ୍ୱ ଉପରେ ଅଷ୍ଟମ ରିପୋର୍ଟରେ ଗୁରୁତ୍ୱ ଦିଆଯାଇଛି ଏଥି ପାଇଁ ରାଜ୍ୟ ସ୍ତରୀୟ ସୁରକ୍ଷା କମିଶନ ଗଠନ ଏବଂ ଏହା ପୁଲିସର କାର୍ଯ୍ୟପ୍ରଣାଳୀକୁ ମନିଟରିଙ୍ଗ କରିବା ପାଇଁ ଉଦ୍ଧିଷ୍ଟ ରହିବ ବୋଲି କୁହାଯାଇଛି । ବ୍ୟକ୍ତିଗତ ଭାବେ ଏବଂ ସାମୁହିକ ଭାବେ ପୁଲିସବାହିନୀ ଜନଗଣଙ୍କ ପାଖରେ ଉତ୍ତରଦାୟୀ ରହିବା ଅପରିହାର୍ଯ୍ୟ । ଏ ସଂପର୍କରେ ପୁଲିସମାନଙ୍କୁ ନିୟମିତ ବ୍ୟବଧାନରେ ପ୍ରଶିକ୍ଷଣ ଦିଆଯିବା ଉପରେ ଜାତୀୟ ପୁଲିସ୍‍ କମିଶନ ଗୁରୁତ୍ୱ ଦେଇଛନ୍ତି । ଜନଗଣଙ୍କ ପାଖରେ ପୁଲିସର ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦେଇ କମିଶନ ପକ୍ଷରୁ କୁହାଯାଇଛି ଯେ, ପୁଲିସର କୃତାହତ ପାଇଁ ଯେ କୌଣସି ମାମଲାରେ ତାକୁ ଫୌଜଦାରୀ ଆଇନର ଧାରା-୧୯୭ ଓ ୩୨ରେ ଯେଉଁ ଢାଲ ଦିଆଯାଇଛି, ସେ ବ୍ୟବସ୍ଥାରେ ବିଲୋପ ଜରୁରୀ । ଏହି ସୁପାରିଶ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଜାତୀୟ ପୁଲସ୍‍ କମିଶନର ରିପୋର୍ଟକୁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ଜାର୍ଯ୍ୟକାରୀ କଲେ ନାହିଁ । ଏହି ପରିସ୍ଥିତିରେ ୧୯୯୬ ମସିହାରେ ଦୁଇଜଣ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଏବଂ “କମନ କଜ୍‍” ନାମକ ଏକ ବେସରକାରୀ ସଂଗଠନ ପକ୍ଷରୁ ସମ୍ବିଧାନର ଧାରା-୩୨ ଅନୁସାରେ ସୁପ୍ରିମକୋର୍ଟରେ ତିନୋଟି ଜନସ୍ୱାର୍ଥ ମାମଲା ଦାଏର ହୋଇଥିଲା । ପୋଲିସ କାର୍ଯ୍ୟରେ ଅଯଥା ରାଜନୈତିକ ହସ୍ତକ୍ଷେପ ଫଳରେ ଆଇନର ଶାସନ ଭୁଶୁଡ଼ି ପଡ଼ୁଥିବା, ଏକଛତ୍ରବାଦ ଆଡ଼କୁ ଶାସନ ମୁହାଁଇବା ଏବଂ ଗଣତନ୍ତ୍ର ମୂଳପିଣ୍ଡ ମଧ୍ୟ ଖଣ୍ଡ, ବିଖଣ୍ଡିତ ହୋଇଯାଉଛି ବୋଲି ମୁଖ୍ୟତଃ ଏହି ଜନସ୍ୱାର୍ଥ ମାମଲାରେ ଅଭିଯୋଗ ହୋଇଥିଲା ।

ଏହି ଜନସ୍ୱାର୍ଥ ମାମଲା ବି·ରାଧିନ ଥିବାବେଳେ ଜାତୀୟ ମାନବିକ ଅଧିକାର କମିଶନ, ଆଇନ କମିଶନ ପଦ୍ମନାଭିଆ କମିଟି ଏବଂ ମାଲିମାଥ କମିଟି ଇତ୍ୟାଦି ମଧ୍ୟ ପୁଲିସ ସଂସ୍କାର ଦିଗରେ ନିଜ, ନିଜ ରିପୋର୍ଟ ଦାଖଲ କରିଥିଲେ ।

ଏସବୁ ବ୍ୟତୀତ ୨୦୦୫ ମସିହା ସେପ୍ଟେମ୍ବର ୨୦ ତାରିଖରେ କେନ୍ଦ୍ର ସରକାରଙ୍କୁ ପକ୍ଷରୁ ପୂର୍ବତନ ଆଟର୍ଣ୍ଣି ଜେନେରାଲ ସୋଲି ସୋରାବଜୀଙ୍କ ଅଧ୍ୟକ୍ଷତାରେ ଏକ ନୂଆ ମଡ଼େଲ ପୁଲିସ ବିଲ ପ୍ରସ୍ତୁତ ପାଇଁ ଗଠନ କରାଯାଇଥିଲା । ଏହି କମିଟି ନିଜର ରିପୋର୍ଟ ୨୦୦୬ ସେପ୍ଟେମ୍ବରରେ ଦାଖଲ କରିଥିଲା ।

ଏହିଭଳି ସ୍ଥିତିରେ ସେପ୍ଟେମ୍ବର ୨୨ ତାରିଖ ୨୦୦୬ ମସିହାରେ ସୁପ୍ରିମକୋର୍ଟ ପକ୍ଷରୁ ପୁଲିସ ସଂସ୍କାର ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା ।

ରାଜ୍ୟସ୍ତରରେ ରାଜ୍ୟ ସୁରକ୍ଷା କମିଶନ, ପୁଲିସ ମୁଖ୍ୟ ନିଯୁକ୍ତିରେ ସ୍ୱଚ୍ଛତା ତଥା ଏକ ନିର୍ଦ୍ଧଷ୍ଟ କାର୍ଯ୍ୟକାଳ, ଅନୁଶାସନ ଶାଖାକୁ ଆଇନଶୃଙ୍ଖଳା ଶାଖାଠାରୁ ବିଚ୍ଛିନ୍ନ କରିବା ଏବଂ ଜନଗଣଙ୍କର ଗଣତାନ୍ତ୍ରିକ ଆଶା, ଆକାଂକ୍ଷାକୁ ଦୃଷ୍ଟିରେ ରଖି ଏକ ନୂଆ ପୁଲିସ ଆଇନ ପ୍ରଣୟନ ପାଇଁ ଅଦାଲତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ୟାର ଗାମ୍ଭୀର୍ଯ୍ୟ ଏବଂ ଆଇନର ଶାସନକୁ ସଦୃଢ କରିବା ଉଦ୍ଦେଶ୍ୟରେ ଅଦାଲତଙ୍କ ପକ୍ଷରୁ ଏଭଳି ଆଦେଶ ଦେବା ଅପରିହାର୍ଯ୍ୟ ମନେ ହୋଇଥିଲା ।

ପୁଲିସ୍‍କୁ ରାଜ୍ୟ ସରକାରଙ୍କର ଅବାଂଛିତ ପ୍ରଭାବ ଓ ଚାପରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସ୍ତରରେ ରାଜ୍ୟ ସୂରକ୍ଷା କମିଶନ ଗଠନ ପାଇଁ ଅଦାଲତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହି କମିଶନରେ ମୁଖ୍ୟମନ୍ତ୍ରୀ ଅଥବା ଗୃହମନ୍ତ୍ରୀ ଅଧ୍ୟକ୍ଷ ରହିବେ ଏବଂ ଡି.ଜି.ପି. ସଭ୍ୟ-ସଚିବ ରହିବେ ବୋଲି ଅଦାଲତ ପକ୍ଷରୁ କୁହାଯିବା, ସହିତ ଜାତୀୟ ମାନବିକ ଅଧିକାର କମିଶନ, ସୋରାବଜି କମିଟି ଆଦି କୌଣସି ଗୋଟିଏ କମିଟିରେ ଥିବା ବ୍ୟବସ୍ଥାକୁ ଲାଗୁ କରିବା ପାଇଁ ଏଥିରେ କୁହାଯାଇଛି । କିନ୍ତୁ ୨୦୧୫ ମସିହାରେ ଓଡ଼ିଶା ସରକାର ସୁପ୍ରିମକୋର୍ଟ ନିର୍ଦ୍ଦେଶାବଳୀ ଅନୁଯାୟୀ ଏକ ପୁଲିସ ବିଲ ପ୍ରସ୍ତୁତ କଲେ ନାହିଁ । ବିଧାନସଭାରେ ବିରୋଧି ଦଳର ଅନୁପସ୍ଥିତିରେ ଏବଂ ବିନା ଆଲୋଚନାରେ ଏହା ଗୃହୀତ ହୋଇଥିଲା । ଅବଶ୍ୟ ଏହା ବିରୁଦ୍ଧରେ ବିଭିନ୍ନ ମାନବିକ ଅଧିକାର ସଂଗଠନ ସମେତ ବିରୋଧିଦଳଙ୍କ ପକ୍ଷରୁ ରାଜ୍ୟପାଳଙ୍କ ପାଖରେ ଅଭିଯୋଗ କରାଯାଇଥିଲା । ଏହାପରେ ରାଜ୍ୟ ବିଧାନସଭାରେ ଗୃହୀତ ପୁଲିସ ବିଲ-୨୦୧୫କୁ ରାଜ୍ୟପାଳ ପୁନଃବିଚାର ପାଇଁ ଫେରାଇ ଦେଇଛନ୍ତି ବୋଲି ଜଣାପଡ଼ିଛି ।

ଓଡ଼ିଶା ପୁଲିସ ବିଲ ୨୦୧୫ରେ ଥିବା ରାଜ୍ୟ ସୁରକ୍ଷା କମିଶନ ଗଠନ ପ୍ରଣାଳୀ, ପୁଲିସ କମ୍ପ୍ଲେଣ୍ଟ ଅଥରିଟି, ରାଜ୍ୟ ପୁଲିସ ମୁଖ୍ୟଙ୍କ ନିଯୁକ୍ତି ପ୍ରକ୍ରିୟା ଇତ୍ୟାଦି ଉପରେ ତୀବ୍ର ପ୍ରତିବାଦ ଉଠିଥିଲା, ରାଜ୍ୟ ସୁରକ୍ଷା କମିଶନରେ ବିରୋଧୀ ଦଳର ନେତାଙ୍କୁ ସଦସ୍ୟ ଭାବେ ଗ୍ରହଣର ବ୍ୟବସ୍ଥା ଏହି ବିଲ୍‍ରେ ନଥିଲା । ପୁଲିସ ମୁଖ୍ୟଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିବେ ଏବଂ ଏଦିଗରେ କେନ୍ଦ୍ରୀୟ ସେବା କମିଶନର ସୁପାରିଶ ନିମନ୍ତେ ଏହି ବିଲ୍‍ରେ ବ୍ୟବସ୍ଥା ନାହିଁ । ରାଜ୍ୟସ୍ତରରେ ଗୋଟି ପୁଲିସ କମ୍ପ୍ଲେଣ୍ଟ ଅଥରିଟି ପାଇଁ ପୁଲିସ ବିଲ-୨୦୧୫ରେ ବ୍ୟବସ୍ଥା ରହିଛି । କିନ୍ତୁ ଜିଲ୍ଲା ସ୍ତରରେ ଏଭଳି କୌଣସି ବ୍ୟବସ୍ଥା ଏଥିରେ ରଖାଯାଇନଥିଲା । ଜନସ୍ୱାର୍ଥ ଆଳରେ ଗଣସମାବେଶ ଓ ଶୋଭାଯାତ୍ରାକୁ ନିଷିଦ୍ଧ କରିବା ପାଇଁ ୨୦୧୫ ପୁଲିସରେ ବ୍ୟବସ୍ଥା ରହିଛି ଯାହା ଅଗଣତାନ୍ତ୍ରିକ ବୋଲି ବିଭିନ୍ନ ସ୍ତରରେ ଅଭିଯୋଗ ହୋଇଛି । ରାଜ୍ୟ ପୁଲିସ କମ୍ପ୍ଲେଣ୍ଟ ଅଥରିଟିର ଗଠନ ପ୍ରକ୍ରିୟା ସମ୍ପର୍କରେ ଏହି ବିଲ୍‍ ଆଇନର କୌଣସି ପ୍ରାବଧନ ନାହିଁ । ଅର୍ଥାତ ପୁଲିସର ମାତ୍ରାଧିକ କାର୍ଯ୍ୟକଳାପ ବିରୁଦ୍ଧରେ ଜନଗଣ ପକ୍ଷରୁ ଅଭିଯୋଗ ନିମନ୍ତେ ଏଥିରେ କୌଣସି ବ୍ୟବସ୍ଥା ନାହିଁ ।

ସର୍ବସାଧାରଣଙ୍କ ସହ ନିତି ପ୍ରତିଦିନ କାରବାର ହୋଇଥିବା “ପୁଲିସ ବଳ” ସମ୍ପର୍କରେ ଦୀର୍ଘ ୧୫୦ବର୍ଷ ତଳର ଏବଂ ପୁରୁଣା ଆଇନ ବଦଳରେ ଏକ ନୂଆ ଆଇନ ପ୍ରଣୟନ ପୂର୍ବରୁ ଏ ସମ୍ପର୍କରେ ଜନମତ ସଂଗ୍ରହ କରିବା, ଏପରିକି ନାଗରିକ ସମାଜ ସଂଗଠନଗୁଡ଼ିକ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବମାନଙ୍କୁ ବିଚାରକୁ ନେବା ଏବଂ ବିରୋଧୀଦଳମାନଙ୍କୁ ବିଶ୍ୱାସକୁ ନିଆନଯିବା ଏବଂ ସର୍ବୋପରି ସଂବିଧାନର ଧାରା-୧୪୨ ଅନୁସାରେ ଦେଶର ସର୍ବୋଚ୍ଚ ଅଦାଲତ ଯେଉଁ ଦିଶାବଳୀ ଦେଇଥିଲେ ସେ ସବୁକୁ ରାଜ୍ୟ ସରକାର ଅବଜ୍ଞା କରି ମନୋମୁଖୀ ଏକ ଆଇନ ନିଜର ସଂଖ୍ୟା ଗରିଷ୍ଠତା ଝୁଙ୍କ୍‍ରେ ରାଜ୍ୟ ବିଧାନ ସଭାରେ ୨୦୧୫ ମସିହାରେ ପାରିତ କରାଇନେଇଥିଲେ ।