ମହାରାଷ୍ଟ୍ର, ପଶ୍ଚିମବଙ୍ଗ ବି ଲାଗୁ କରିନାହାନ୍ତି ନୂଆ ଟ୍ରାଫିକ୍‌ ଜୋରିମାନା ନିୟମ, ଓଡ଼ିଶା ଏତେ ତରବର କାହିଁକି

0
205
advertisement

ଭୁବନେଶ୍ଵର, (ଓଟି): ଭାରତବର୍ଷର ୨୯ ରାଜ୍ୟ ଓ ୭ କେନ୍ଦ୍ରଶାସିତ ଅଞ୍ଚଳ ଭିତରୁ ମାତ୍ର ୯ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ନୂଆ ମୋଟରଯାନ ସଂଶୋଧନ ଆଇନ ଲାଗୁ କରିଛନ୍ତି। ସବୁଠାରୁ ଗୁରୁତ୍ଵପୂଣ୍ଣ କଥା ହେଉଛି, ଚାରି ମହାନଗରୀ ଭିତରୁ ଚେନ୍ନାଇକୁ ଛାଡ଼ିଦେଲେ, ରାଜଧାନୀ ସହର ଦିଲ୍ଲୀ କି ମାୟା ନଗରୀ ମୁମ୍ବାଇ ଅଥବା କୋଲକତାରେ ଏହି ନୂଆ ନିୟମ ଲାଗୁ କରାଯାଇ ନାହିଁ। କିନ୍ତୁ ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ହରିୟାଣା, କେରଳ, କଣ୍ଣାଟକ, ତାମିଲ୍‌ନାଡ଼ୁ ଭଳି ରାଜ୍ୟ ଏହି ନିୟମକୁ ତୁରନ୍ତ ଲାଗୁ କରିଛନ୍ତି। ନିଜ ପାଖରେ ଭିତ୍ତିଭୂମି ଠିକ୍‌ ନଥାଇ ଏପରି ନିୟମ ଜୋରିମାନାକୁ ପ୍ରଶ୍ରୟ ଦେଉଥିବା ନିୟମକୁ କାର୍ଯ୍ୟକାରୀ କରାଯାଇଥିବାରୁ ବିଭିନ୍ନ ସ୍ଥାନରେ ପୁଲିସ ଉପରେ ଅସନ୍ତୋଷ ଦେଖିବାକୁ ମିଳିଛି। ଏପରିକି ରାଜ୍ୟ ରାଜଧାନୀରେ ପୁଲିସ-ଜନତା ଭିତରେ ଖଣ୍ଡଯୁଦ୍ଧ ବି ହେଉଛି। 

ସୋଶାଲ୍‌ ମିଡିଆଠାରୁ ଆରମ୍ଭ କରି ରାସ୍ତାଘାଟ ସବୁଠି ପୁଲିସକୁ ସାଧାରଣ ଲୋକେ ଘେରୁଛନ୍ତି। ଆଇନକୁ ରୂପାୟନ କରୁଥିବା ପୁଲିସ କନଷ୍ଟେବଳଠାରୁ ଆରମ୍ଭ କରି ଅଧିକାରୀଙ୍କ ଯାଏ ବିଭିନ୍ନ ସ୍ତରରେ ପୁଲିସ ବାବୁଙ୍କ ଫଟୋ ଭାଇରାଲ୍‌ ହୋଇ ଘୁରି ବୁଲୁଛି। ସେମାନେ ଆଇନକୁ ପାଳନ କରୁ ନଥିବା ବେଳେ କାହିଁକି ଏ ମୋଟା ଅଙ୍କର ଆଇନ ଲୋକଙ୍କ ଉପରେ ଲଦାଯାଉଛି ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ଫଳରେ ପୁଲିସ-ଜନତା ଯୁଦ୍ଧ ହେଉଛି। 

ପରିସ୍ଥିତି ଅଣାୟତ୍ତ ହେବାରୁ ଓଡ଼ିଶା ସରକାର ଏ ବାବଦରେ ହସ୍ତକ୍ଷେପ କରି ନୀତି କୋହଳ କରିଛନ୍ତି। କିନ୍ତୁ ଏଯାଏ ଲୋକଙ୍କ ଭମନରେ କୋକୁଆ ଭୟ ଥମୁ ନାହିଁ। ଏତେଦିନ ଯାଏ ଆଇନ ଥାଇ ମଧ୍ୟ ପୁଲିସ କାହିଁକି ତାହାକୁ କାର୍ଯ୍ୟକାରୀ କରୁନଥିଲା ଏବେ ଜୋରିମାନା ବଢ଼ାଗଲାରୁ ତତ୍ପର କାହିଁକି ବୋଲି ପ୍ରଶ୍ଵ କରାଯାଉଛି। 

ଆଇନଗତ ଅତ୍ୟାଚାର 

ଏହି ଆଇନ ବଳରେ ପୁଲିସ ବା ପରିବହନ କର୍ମଚାରୀ ଚାହିଁଲେ ଜଣେ ଆଇନ ଉଲ୍ଲଙ୍ଘନକାରୀଙ୍କଠାରୁ ଅନେକ ଜୋରିମାନା ଆଦା୍ର କରିପାରିବେ। ପୂର୍ବରୁ ଗୋଟିଏ ଅପରାଧ ପାଇଁ ଜୋରିମାନା ଆଦାୟ କରି ଗାଡ଼ି ମାଲିକଙ୍କୁ ଛାଡ଼ି ଦିଆଯାଉଥିଲା। ଏବେ ପ୍ରତିଟି ଅପରାଧ ପାଇଁ ଜୋରିମାନା ଆଦାୟ କରାଯାଉଛି। ଏହାଫଳରେ ଗାଡ଼ିର ଦାମ୍‌ଠୁ ଜୋରିମାନା ମୂଲ୍ୟ ବହୁଗୁଣିତ ହେଉଛି। ଖାଲି ସେତିକି ନୁହେଁ ଲୋକଙ୍କୁ ଗାଡ଼ି ମୁକୁଳାଇବା ଲାଗି ହାତଉଦ୍ଧାରୀ ଋଣ କରିବାକୁ ପଡ଼ୁଛି।  ଯେଉଁ ଠି ଅର୍ଥନୀତିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି, ବିଭିନ୍ନ ସ୍ଥାନରେ ଲୋକଙ୍କ ରୋଜଗାର କମୁଛି ଓ ଛଟେଇ ଆରମ୍ଭ ହୋଇଛି ସେଠାରେ ସରକାର ବେଡ଼ି ଉପରେ କୋରଡ଼ା ମାଡ଼ ଦେଉଛନ୍ତି ବୋଲି ଅଭିଯୋଗ ହୋଇଛି। ଏହି ପ୍ରକାର ଆଇନ କେବଳ ଅତ୍ୟାଚାର ଛଡ଼ା ଆଉ କିଛି ନହୋଇପାରେ।

ଗୋଆରେ ରାସ୍ତା ମରାମତି ହେଲେ ଆଇନ ଲାଗୁ ହେବ

ଗୋଆ ସରକାର ଡିସେମ୍ବର ଯାଏ ଏହି ନିୟମ ଲାଗୁ ନହେବାର ସମ୍ଭାବନା ବ୍ୟକ୍ତ କରିଛନ୍ତି। ମୌସୁମୀ ବର୍ଷ ହେତୁ ଅନେକ ରାସ୍ତା ଧୋଇ ହୋଇଯାଇଥିବା କହିଛନ୍ତି ସରକାର। ପ୍ରଥମେ ଲୋକଙ୍କୁ ଭଲ ରାସ୍ତା ଦିଆଯାଇପାରିଲେ ସରକାର ନୂଆ ମୋଟରଯାନ ଆଇନ ଲାଗୁ କଥା ଚିନ୍ତା କରିବେ ବୋଲି ଗୋଆ ସରକାର କହିଛନ୍ତି। 

ପଡ଼ୋଶୀଙ୍କଠୁ ଶିଖୁଛନ୍ତି ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗ

ମଧ୍ୟପ୍ରଦେଶ ସରକାର ପ୍ରଥମେ ପଡ଼ୋଶୀଙ୍କଠୁ ଏହି ଆଇନ ଲାଗୁପରର ପ୍ରତିକ୍ରିୟା ଅନୁଧ୍ୟାନ କରୁଛନ୍ତି। ଆମ ୖାତରେ ୬ ମାସ ସମୟ ଅଛି, ତରବର କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପଶ୍ଚିମବଙ୍ଗ। ଉତ୍ତର ପ୍ରଦେଶରେ ମଧ୍ୟ ସମାନ ଅବସ୍ଥା। ଏହାଙ୍କ ପରିବହ ସଚିବ କହିଛନ୍ତି କ୍ୟାବିନେଟ୍‌ ଆଗ ପ୍ରସ୍ତାବକୁ ଅନୁମୋଦନ କରନ୍ତୁ। ମହାରାଷ୍ଟ୍ର ସରକାରଙ୍କୁ ଏହି ଜୋରିମାନା ଅତ୍ୟଧିକ ଲାଗୁଛି। ଏଣୁ ସରକାରଙ୍କ ଆଇନ ବିଭାଗକୁ ଜୋରିମାନା ରାଶି କମାଇବା ସମ୍ଭବ କି ବୋଲି ପ୍ରଶ୍ନ କରିଛନ୍ତି ପରିବହନ ବିଭାଗ। 

ପରିସ୍ଥିତି ବେଶ୍‌ ଗମ୍ଭୀର ଥିବାବେଳେ ଆମ ରାଜ୍ୟରେ ସରକାର କାହିଁକି ଏତେ ତରବର? ଏ ରାଜ୍ୟରେ ନା ରାସ୍ତା ଅବସ୍ଥା ଭଲ ରହିଛି ନା ରାଜ୍ୟବାସୀଙ୍କ ମୁଣ୍ଡପିଛା ଆୟ। ଏଭଳି ଅବସ୍ଥାରେ ଲୋକେ ହାତ ଉଦ୍ଧାରୀ ଋଣ କରିବା ଯଦି ଆରମ୍ଭ କରିବେ ତେବେ ସରକାର ତାହାକୁ ପରବର୍ତ୍ତୀ ସମୟରେ ମୁକାବିଲା କରିପାରିବେ ତ?