ଉଜ୍ଜଳା ଯୋଜନା ମହାଦୁର୍ନୀତି ଓ ରନ୍ଧନ ଗ୍ୟାସ‍୍‌ ଦର ବୃଦ୍ଧି କେନ୍ଦ୍ରର ମହିଳା ବିରୋଧୀ ପଦକ୍ଷେପ: ବିଜେଡି

0
157

ଭୁବନେଶ୍ୱର,(ଓଟି): ଉଜ୍ଜଳା ଯୋଜନା ମହାଦୁର୍ନୀତିରେ କେନ୍ଦ୍ର ସରକାର ଓଡ଼ିଶାର ଗରିବ ମହିଳାମାନଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି। ଗୋଟିଏ ପଟେ ଉଜ୍ଜଳା ଯୋଜନାରେ ମହାଦୁର୍ନୀତି ହୋଇଥିବା ସୂଚନା ତୈଳମନ୍ତ୍ରୀ ପାର୍ଲାମେଣ୍ଟରେ ଦେଇଥିବା ବେଳେ ଅନ୍ୟପଟେ ରନ୍ଧନ ଗ୍ୟାସ‍୍‌ ଦର ବଢ଼ୁଥିବାରୁ ଏ ରାଜ୍ୟର ଉଜ୍ଜଳା ହିତାଧିକାରୀଙ୍କ ମଧ୍ୟରୁ ଅନେକ ଦ୍ୱିତୀୟଥର ରନ୍ଧନ ଗ୍ୟାସ‍୍‌ ରିଫିଲିଂ କରିପାରି ନାହାନ୍ତି। ରନ୍ଧନ ଗ୍ୟାସ‍୍‌ କ୍ଷେତ୍ରରେ ଏପରି ଚଞ୍ଚକତାକୁ ବିରୋଧ କରି ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଆଇଓସିଏଲ‍୍‌ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି।

ଉଜ୍ଜ୍ୱଳା ଯୋଜନା ଆମ ରାଜ୍ୟରେ ସଫଳ ହୋଇଛି ବୋଲି ବିପଣନ କମ୍ପାନୀଗୁଡିକ ପକ୍ଷରୁ ଏହାର ରାଜ୍ୟ ସଂଯୋଜକ ଯେଉଁ ଦାବି କରିଛନ୍ତି, ତାହା କେବଳ ଧୂଆଁବାଣ ବୋଲି ବିଜେଡି କହିଛି। ରାଜ୍ୟସଭାରେ କେନ୍ଦ୍ର ତୈଳମନ୍ତ୍ରୀ ଇତିମଧ୍ୟରେ ଜଣାଇସାରିଛନ୍ତି, ରାଜ୍ୟରେ ଉଜ୍ଜଳା ଯୋଜନାରେ ୩୦ଲକ୍ଷ ୪୮ ହଜାର ହିତାଧିକାରୀ ୨୦୧୮ ଜୁଲାଇ ୩୦ ସୁଦ୍ଧା ସାମିଲ ହୋଇଥିଲେ ହେଁ ଦ୍ୱିତୀୟଥର ରିଫିଲ‍୍‌ କରୁଥିବା ହିତାଧିକାରୀଙ୍କ ସଂଖ୍ୟା କମି କମି ଯାଉଛି। ୨୦୧୬-୧୭ରେ ମାତ୍ର ୮୧୮୭୮୬ ହିତାଧିକାରୀ ରିଫିଲ‍୍‌ ଦ୍ୱିତୀୟଥର କରିଥିବା ବେଳେ ୨୦୧୭-୧୮ରେ ଏହା ଆହୁରି କମିଯିବା ସହ ୬୪୫୨୬୫ରେ ପହଞ୍ଚିଛି। ଏପରିକି ଖୋଦ‍୍‌ ତୈଳମନ୍ତ୍ରୀଙ୍କ ନିଜ ଜିଲ୍ଲା ଅନୁଗୁଳରେ ପରିସଂଖ୍ୟାନ ଅନୁଯାୟୀ ୧୫ ପ୍ରତିଶତ ହିତାଧିକାରୀ ରିଫିଲିଂ କରୁଥିବା ବେଳେ ୮୫ ପ୍ରତିଶତ ହିତାଧିକାରୀ କେବଳ ପରିସଂଖ୍ୟାନଭୁକ୍ତ ହୋଇ ରହିଯାଇଛନ୍ତି।

ଉଜ୍ଜଳା ଯୋଜନାରେ ହୋଇଥିବା ମହାଦୁର୍ନୀତି ଯୋଗୁ ମହିଳାମାନଙ୍କୁ ଲାଭ ମିଳିବା ପରିବର୍ତେ ଦଲାଲମାନଙ୍କୁ ମୁନାଫା ଦେବା ସାର ହୋଇଛି। ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନନେଇ କେନ୍ଦ୍ର ସରକାର ତାଙ୍କ ଦଳୀୟ କର୍ମୀମାନଙ୍କ ଜରିଆରେ ଉଜ୍ଜଳା ଯୋଜନାରେ ଭୂତ ହିତାଧିକାରୀମାନଙ୍କ ନାମରେ ପଞ୍ଜିକୃତ କରାଇଛନ୍ତି। ଓଡ଼ିଶାର ଓଡ଼ିଆ ଲୋକ ହୋଇ କେନ୍ଦ୍ର ପେଟ୍ରୋଲିୟମ‍୍‌ ମନ୍ତ୍ରୀ ଓଡ଼ିଶାକୁ ଅବହେଳା କରି ଆସୁଛନ୍ତି, ଯାହା କ୍ଷୋଭ ଓ ପରିତାପର ବିଷୟ। ସେହିପରି ଉଜ୍ଜଳା ଯୋଜନା ସବ‍୍‌ସିଡି ଅର୍ଥ ଠିକ୍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନଥିବା ଅଭିଯୋଗ ହେଉଛି। କେନ୍ଦ୍ର ତୈଳ ମନ୍ତ୍ରୀ ଏଥିରେ କାହିଁକି ନିରବ ରହିଛନ୍ତି? ଆନ୍ତର୍ଜାତିକ ବଜାରରେଅଶୋଧିତ ତୈଳ ଦର ହ୍ରାସ ପାଇ ଚାଲିଥିବା ବେଳେ ବିଜେପି ସରକାର ଅମଳରେ ବିଗତ ୪ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସର ମୂଲ୍ୟ ୨୨ଥର ବଢ଼ିଛି କାହିଁକି? କେନ୍ଦ୍ର ସରକାର ବିଶେଷକରି ତୈଳ ମନ୍ତ୍ରାଳୟ ଏବେ ଅପାରଗ ଓ ସ୍ଥାଣୁ ପାଲଟିଯାଇଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ବିଜେଡି ପକ୍ଷରୁ କୁହାଯାଇଛି ।

Loading...