ତିତଲି ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି

0
42

ବ୍ରହ୍ମପୁର-ରାୟଗଡ଼ା ଯୋଗାଯୋଗ ବିଚ୍ଛିନ୍ନ

ଅଠରନଳା ପୋଲ ଉପରେ ୫ ଫୁଟ‌୍‍ ଉଚ୍ଚରେ ବର୍ଷା ଜଳ ପ୍ରବାହିତ

ଭୁବନେଶ୍ୱର,(ଓଟି): ଘୂର୍ଣ୍ଣିଝଡ଼ ତିତଲି ପ୍ରଭାବରେ ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ କ୍ଷୟକ୍ଷତି ହୋଇଛି। ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି, ଛତ୍ରପୁର ଆଦି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଜିଲ୍ଲାରେ ବ୍ୟାପକ ଫସଲ ହାନୀ ଘଟିଛି। ଋଷିକୂଲ୍ୟା, ବଡନଦୀ, ବାହୁଦା, ଘୋଡ଼ାହାଡ, ବଂଶଧାରା ନଦୀର ଜଳପତନ ବୃଦ୍ଧି ପାଇଛି। ପାରଳାଖେମୁଣ୍ଡି ଓ ମୋହନାରେ ଗତ ରାତିରୁ ପବନ ସାଙ୍ଗକୁ ବର୍ଷା ଲାଗି ରହିଛି।

ଆଜି ଭୋର‌୍‍ ସାଢ଼େ ୪ଟାରୁ ୬ଟା ମଧ୍ୟରେ ଜୋରଦାର‌୍‍ ପବନ ହୋଇଥିଲା। ପୁଣି ସକାଳ ୮ଟାରୁ ୧୦ଟା ମଧ୍ୟରେ ବଢିଥିଲା ପବନର ବେଗ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ଶହେରୁ ଉର୍ଦ୍ଧ୍ୱ ଥିବା କୁହାଯାଉଛି। ପ୍ରବଳ ବର୍ଷା ଯୋଗୁଁ ଲେଡ଼ବନ୍ଧ ନଦୀର ଜଳ ପତନ ବୃଦ୍ଧି ପାଇଛି। କେତେକ ସ୍ଥାନରେ ରାସ୍ତା ଉପରେ ବର୍ଷାଜଳ ପ୍ରବାହିତ ହେଉଛି। ବଡ ବଡ ଗଛସବୁ ଭାଙ୍ଗି ରାସ୍ତା ଉପରେ ପଡିଛି। ଏଥିପାଇଁ ବ୍ରହ୍ମପୁର-ରାୟଗଡ଼ା ମଧ୍ୟରେ ଯାନବାହନ ଚଳାଚଳ ବ୍ୟାହତ ହୋଇଛି। ସେହିପରି ଅଠରନଳା ପୋଲ ଉପରେ ୫ ଫୁଟ‌୍‍ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ମୋହନା ଠାରୁ ଅନ୍ତରବା ଓ ଗୁମିଗୁଡା ସମେତ ୮ଟି ପଞ୍ଚାୟତକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଅନେକ ସ୍ଥାନରେ ବିଦ୍ୟୁତ ତାର ଛିଣ୍ଡି ରାସ୍ତା ଉପରେ ପଡିଛି। ଶତାଧିକ ସଂଖ୍ୟାରେ ଘରର ଛପର ଉଡି ଯାଇଛି ଝାଟିମାଟି ଘର ଭାଙ୍ଗି ଯାଇଛି। ପାରଳାଖେମୁଣ୍ଡିରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବିଦ୍ୟୁତ ଖଣ୍ଟ ଓ ଟେଲିଫୋନ‌୍‍ ଖୁଣ୍ଟ ଭାଙ୍ଗି ପଡିଥିବାରୁ ବିଦ୍ୟୁତ ସେବା ଓ ଟେଲି ଯୋଗାଯୋଗ ପ୍ରଭାବିତ ହୋଇଛି। ଗତକାଲି ବସ୍ତି ଅଞ୍ଚଳରୁ ଶତାଧିକ ଲୋକଙ୍କୁ ଉଦ୍ଧାର କରାଯାଇ ପ୍ରଶାସନ ପକ୍ଷରୁ ୭ଟି ଆଶ୍ରୟସ୍ଥଳିରେ ରଖାଯାଇଛି। ଆବଶ୍ୟକ ସ୍ଥଳେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ଏନଡିଆରଏଫ ଓ ଓଡ୍ରାଫ‌୍‍ ଟିମ‌୍‍ ଉଦ୍ଧାର କାର୍ଯ୍ୟକୁ ଜୋରଦାର‌୍‍ କରିଛନ୍ତି। ରାସ୍ତାରୁ ଭାଙ୍ଗି ପଡିଥିବା ଗଛ ଓ ଡାଳ ଗୁଡିକୁ ହଟାଯାଉଛି ।

ଘୂର୍ଣ୍ଣିଝଡ଼ ତିତଲି ପ୍ରଭାବରେ ବ୍ରହ୍ମପୁର-ରାୟଗଡ଼ା ଯୋଗାଯୋଗ ବିଚ୍ଛିନ୍ନ

ଘୂର୍ଣ୍ଣିଝଡ଼ ତିତଲି ପ୍ରଭାବରେ ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରାୟଗଡ଼ା ଜିଲ୍ଲାର ଗୁଣୁପୁର, ରାୟଗଡ଼ା ଟାଉନ ଏବଂ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗତ ରାତିରୁ ପ୍ରବଳ ବର୍ଷା ଓ ପବନ ଫଳରେ ବିଭିନ୍ନ ସ୍ଥାନରେ ବଡ ବଡ ଗଛସବୁ ଭାଙ୍ଗି ରାସ୍ତା ଉପରେ ପଡିଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗି ପଡିଛି। ତାର ଛିଣ୍ଡି ରାସ୍ତା ଉପରେ ପଡିଛି। ଫଳରେ ବିଦ୍ୟୁତ ସେବା ବ୍ୟାହତ ହୋଇଛି। ଗୁଣୁପୁରର ୨ଟି ସାହିର ୧୫ ଟି ପରିବାରର ଘରର ଛପର ଉଡିଯାଇଛି। ୧୭ ନଂ ରାଜ୍ୟ ରାଜପଥର କେନ୍ଦୁଗୁଡା ଠାରେ ରାସ୍ତା ଉପରେ ଗଛ ପଡି ରହିଛି। ଫଳରେ ବ୍ରହ୍ମପୁର-ରାୟଗଡ଼ା ରାସ୍ତାରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ସଂନ୍ଧ୍ୟା ସୁଦ୍ଧା ପବନର ବେଗ କମିଥିଲେ ମଧ୍ୟ ବର୍ଷା ଜାରୀ ରହିଛି।

ଘର ସହିତ ୬ ଭାସିଗଲେ

ଘୂର୍ଣ୍ଣିଝଡ଼ ତିତଲି ପ୍ରଭାବରେ ଲାଗି ରହିଥିବା ବର୍ଷା ପବନ ଫଳରେ ଗଞ୍ଜାମ ଜିଲ୍ଲା ଦେଇ ପ୍ରବାହିତ ବିଭିନ୍ନ ନଦୀର ଜଳ ପତନ ବୃଦ୍ଧି ପାଇଛି। ଅଡ଼ାଙ୍ଗି ନଦୀର ଭୀଷଣ ବନ୍ୟାଜଳ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ସମେତ ୬ ଜଣଙ୍କୁ ଭସାଇ ନେଇଛି। ସୋରଡ଼ା ବ୍ଲକ ଗାଜଲବାଡି ପଞ୍ଚାୟତ ଅନ୍ତର୍ଗତ ଭୂତପଙ୍କାଳ ଗ୍ରାମରେ ଘଟିଯାଇଛି ଏମିତି ଏକ ଅଭାବନୀୟ ଘଟଣା

ଗ୍ରାମର ବିଜୟ ମଳିକଙ୍କ ଘର ନିକଟ ଦେଇ ପ୍ରବାହିତ ଅଡ଼ାଙ୍ଗି ନଦୀର ଜଳ ପତନ ବୃଦ୍ଧି ପାଇବାରୁ ବିଜୟ ନିଜ ପତ୍ନୀ, ପୁଅ ବୋହୂ ଏବଂ ଅନ୍ୟ ଦୁଇ ପଡ଼ୋଶୀଙ୍କ ସହିତ ନିଜ ଇନ୍ଦିରା ଆବାସ ଗୃହର ଛାତ ଉପରେ ଆଶ୍ରୟ ନେଇଥିଲେ। ତେବେ ଏହି ସମୟରେ ପ୍ରବଳ ବେଗରେ ବନ୍ୟାଜଳ ମାଡି ଆସିଥିଲା। ଘର ସହିତ ସମସ୍ତ ୬ ଜଣଙ୍କୁ ଭସାଇ ନେଇଥିଲା। ମଧ୍ୟାହ୍ନ ଠାରୁ ଖୋଜାଖୋଜି ଜାରୀ ରହିଛି। ପ୍ରବଳ ବର୍ଷା ଯୋଗୁଁ ବିଳମ୍ୱରେ ହେଲେ ସୁଦ୍ଧା ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ଓ ଓଡ଼୍ରାଫ ଟିମ‌୍‍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରୀ ରଖିଛନ୍ତି। ସଂନ୍ଧ୍ୟା ସୁଦ୍ଧା ନିଖୋଜଙ୍କ ସମ୍ପର୍କରେ କୌଣସି ସୂଚନା ମିଳିପାରିନଥିବା ନେଇ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ନିଖୋଜ ମାନେ ହେଲେ ବିଜୟ ମଳିକ, ରଞ୍ଜନ ମଳିକ ଏବଂ ତାଙ୍କ ପତ୍ନୀ ମଧୁ ମଳିକ। ଅନ୍ୟମାନଙ୍କ ପରିଚୟ ମିଳିପାରିନାହିଁ।

ବିପଦ ସଂକେତ ଉପରେ ଋଷିକୂଲ୍ୟା ପ୍ରବାହିତ

ଗଞ୍ଜାମ ଜିଲ୍ଲା ଦେଇ ପ୍ରବାହିତ ଋଷିକୂଲ୍ୟା ନଦୀ ଆସିକା ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ଫଳରେ ରାସ୍ତାର କେତେକ ସ୍ଥାନରେ ପାଣି ଚାଲୁଥିବାରୁ ଆସିକା-ଭଞ୍ଜନଗର ସଡ଼କ ପଥରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ସୋରଡ଼ା, ପାତ୍ରପୁର, ସାନଖେମୁଣ୍ଡି, ଧରାକୋଟ, ହିଞ୍ଜିଳିକାଟୁ ବ୍ଲକର କେତେକ ଅଂଚଳ ପାଣିଘେରରେ ରହିଛି। ଅନେକ ସ୍ଥାନରେ ତାର ଛିଡିଥିବାରୁ, ବିଦ୍ୟୁତ ଖୁଂଟ ଉପୁଡି ପଡିଥିବାରୁ ଜିଲ୍ଲାରେ ବିଦ୍ୟୁତ ସେବା ଦୀର୍ଘ ସମୟ ଧରି ପ୍ରଭାବିତ ହୋଇଛି।

ବଂଶଧାରା ଓ ଜଳକା ବିପଦ ସଂକେତ ଉପରେ ପ୍ରବାହିତ

ପ୍ରବଳ ବର୍ଷା ଯୋଗୁଁ ବସ୍ତା ଅଞ୍ଚଳରେ ଜଳକା ନଦୀର ଜଳସ୍ତର ମଥାନୀ ଠାରେ ବିପଦ ସଂକେତ ଉପରେ ପ୍ରବାହିତ ହେଉଛିା ଏହାର ବିପଦ ସଂକେତ ୫.୫ ମିଟର ରହିଥିଲା ବେଳେ ଏହାର ଜଳସ୍ତର ୫.୭୨ମିଟରରେ ପ୍ରବାହିତ ହେଉଛିା ମୋହନାରେ ରାମନଦୀ ପୋଲ ଉପରେ ୧୨ ଫୁଟର ପାଣି ପ୍ରବାହିତ ହେଉଥିଲା ବେଳେ ଗୁଣୁପୁରଠାରେ ବଂଶଧାରା ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ ଜଣାପଡ଼ିଛିା

Loading...