‘ତିତ୍‌ଲି’ ପ୍ରଭାବ : ରେଳ ଓ ବିମାନ ଚଳାଚଳ ବାତିଲ

0
80

ଭୁବନେଶ୍ୱର,(ଓଟି): ରାଜ୍ୟରେ ଭୟଙ୍କର ବାତ୍ୟା ଆଶଙ୍କା ଥିବାରୁ ଭୁବନେଶ୍ୱରରୁ ବିଭିନ୍ନ ସ୍ଥାନକୁ ଯାଉଥିବା ରେଳ ଓ ବିମାନ ଚଳାଚଳକୁ ବାତିଲ କରାଯାଇଛି। ପୁର୍ବତଟ ରେଳବାଇ ପକ୍ଷରୁ ଏହାର ମୁଖ୍ୟ ଲୋକ ସମ୍ପର୍କ ଅଧିକାରୀ ଗତକାଲି ଜ୍ୟୋତି ପ୍ରକାଶ ମିଶ୍ର ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆଜି ରାତି ୧୦ ପରଠାରୁ ପୁର୍ବତଟ ରେଳବାଇ ର ସମସ୍ତ ରେଳ ଚଳାଚଳ ବାତିଲ କରାଯାଇଛି। ଆସନ୍ତା ୧୧ ଓ ୧୨ ତାରିଖରେ ରେଳବାଇ ପକ୍ଷରୁ ହେବାକୁ ଥିବା ଗ୍ରୁପ ଡି ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ବାତ୍ୟାପାଇଁ ପୁର୍ବତଟ ପକ୍ଷରୁ ହେଲ୍ପଲାଇନ ମଧ୍ୟ ଜାରୀ କରାଯାଇଛି। ଆଜିଠାରୁ ଭୁବନେଶ୍ୱର ରୁ ଉଡାଣ ହେବାକୁ ଥିବା ସମସ୍ତ ବିମାନ ଚଳାଚଳ ମଧ୍ୟ ବାତିଲ କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ବିମାନକୁ ପାର୍କିଂ କରିବାକୁ ବାରଣ କରାଯାଇଛି।

ବିମାନକମ୍ପାନୀ ମାନେ ଟିକଟ ଦର ଆକାଶଛୁଆଁ

ବଙ୍ଗୋପସାଗରରେ ସୃଷ୍ଟ ଲଗୁଚାପ ଓଡିଶା ମୁହାଁ ହେବା ଜଣାପଡିବାପରେ ରାଜ୍ୟ ବାହାରେ ଥିବା ଲୋକେ ତର ତର ହୋଇ ଓଡିଶା ଫେରୁଛନ୍ତି। ଦଶହରା ପାଇଁ ଯେଉଁମାନେ ୧୧ କିମ୍ବା ୧୨ ତାରିଖରେ ଫେରିବାପାଇଁ ଟିକଟ କାଟିଥିଲେ କାଳେ ବାତ୍ୟା ଯୋଗୁଁ ବିମାନ ବାତିଲ ହୋଇଯିବ ସେଥିପାଇଁ ପୂର୍ବ ଟିକଟ ବାତିଲ କରି ଆଗତୁରା ଫେରୁଛନ୍ତି। ସେହିଭଳି ଯେଉଁମାନଙ୍କର ରାଜ୍ୟ ବାହାରକୁ ଜରୁରୀ କାର୍ଯ୍ୟରେ ଆସନ୍ତା କାଲି କିମ୍ବା ପରଦିନ ଯିବାର ଥିଲା ସେମାନେ ବି ଆଜି ଆଗତୁରା ଯାଉଛନ୍ତି।

ଯାତ୍ରୀଙ୍କର ଏଭଳି ବିକଳିଆ ଅବସ୍ଥା ଦେଖି ବିମାନକମ୍ପାନୀମାନେ ଟିକଟ ଦର ବଢାଇ ଚାଲିଛନ୍ତି। ଆଜି ନୂଆଦିଲ୍ଲୀରୁ ଭୁବନେଶ୍ୱର ଆସିବାପାଇଁ ଗୋଟିଏ ଟିକଟର ଦର ୨୫ହଜାର ଟଙ୍କା ଉପରେ ରହିଛି। ସେହିଭଳି ଏଠାରୁ ଯିବାପାଇଁ ମଧ୍ୟ ଟିକଟ ଦର ଅହେତୁକ ଭାବେ ବଢିଯାଇଛି। କେବଳ ନୂଆଦିଲ୍ଲୀ-ଭୁବନେଶ୍ୱର ନୁହେଁ ଅଧିକାଂଶ ରୁଟ୍‍ରେ ଟିକଟର ଏଭଳି ଆଖିବୁଜା ଦରବୃଦ୍ଧି ହୋଇଛି। ପାର୍ବଣ ଋତୁ ଯୋଗୁଁ ଚଳିତ ସପ୍ତାହରେ ବିମାନ ଟିକଟ ଦର ସାମାନ୍ୟ ଅଧିକ ରହୁଥିଲେ ବି ପୂର୍ବରୁ ଏହା ୧୦ହଜାର ଟଙ୍କା ମଧ୍ୟରେ ସୀମିତ ରହିଥିଲା। ହେଲେ ବାତ୍ୟା ସୂଚନା ପାଇବାମାତ୍ରେ ବିମାନ କମ୍ପାନୀ ମାନେ ଆଖିବୁଜା ଦର ବୃଦ୍ଧି କରିଛନ୍ତି।

ସେହିଭଳି ଆସନ୍ତା କାଲି ଅର୍ଥାତ୍‍ ୧୧ ତାରିଖରେ ବାତ୍ୟା ସ୍ଥଳଭାଗ ଛୁଇଁବାର ପୂର୍ବାନୁମାନ ହୋଇଥିବାବେଳେ ଏଥିଯୋଗୁଁ ବିମାନ ଚଳାଚଳ ବନ୍ଦ ଆଶଙ୍କାରେ ଭୁବନେଶ୍ୱରକୁ ଚଳାଚଳ କରୁଥିବା ପ୍ରାୟ ସମସ୍ତ ବିମାନ କମ୍ପାନୀ ସେମାନଙ୍କ ଟିକଟ ମୂଲ୍ୟ ହ୍ରାସ କରିଦେଇଛନ୍ତି। ଦର କମିଲେ ବି ବିମାନ ଉଡାଣରେ ଅନିଶ୍ଚିତତା ଥିବାରୁ ଅଧିକାଂଶ ଯାତ୍ରୀ ଟିକଟ ଖରିଦ କରୁନଥିବା ଲକ୍ଷ୍ୟ କରାଯାଉଛି।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଭୁବନେଶ୍ୱର ଆର୍ନ୍ତଜାତୀୟ ବିମାନ ବନ୍ଦରରୁ ସଂଖ୍ୟାଧିକ ବିମାନ ଭୁବନେଶ୍ୱର-ନୂଆଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବାବେଳେ ଏହି ରୁଟ୍‍ରେ ମଧ୍ୟ ଅଧିକ ଯାତ୍ରୀ ଯା ଆସ କରିଥାନ୍ତି। ଦଶହରା ଓ ଅନ୍ୟାନ୍ୟ ପର୍ବ ପର୍ବାଣି ସମୟରେ ବିମାନ କମ୍ପାନୀମାନେ ଯାତ୍ରୀ ଭିଡକୁ ଦେଖି ସାଧାରଣ ଭାବେ ଟିକଟ ଦର ଅଧିକ ରଖୁଥିବାବେଳେ ଏବେ କିନ୍ତୁ ବାତ୍ୟାକୁ ଦେଖି ଯେଭଳି ଭାବେ ଦର ବୃଦ୍ଧି କରିଛନ୍ତି ତାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି।

Loading...