ଆଇନ ପ୍ରତି ଭୟ ରହିବା ଜରୁରୀ: ପୁଲିସ କମିଶନର

0
204

ସତ୍ୟଜିତ ମହାନ୍ତି, ପୁଲିସ କମିଶନର

ସଂକ୍ଷେପରେ
ଜନ୍ମ:୩ଅଗଷ୍ଟ ୧୯୬୧

ବାପା:କୁଞ୍ଜ ବିହାରି ମହାନ୍ତି

ମା’: ବିଚକ୍ଷଣ ମହାନ୍ତି

ପରିବାର: ଡା. କୃଷ୍ଣା କୁମାରୀ ପଟ୍ଟନାୟକ(ପତ୍ନୀ), ଅନୀଶ ଓ ଅଧିଶ ( ୨ପୁଅ)

ପଦପଦବୀ: ଅତିରିକ୍ତ ଏସ‍୍‌ପି ( ୧୯୯୦), ଏସ‍୍‌ପି ( କୋରାପୁଟ, ରାଉରକେଲା, କଟକ, ବାଲେଶ୍ୱର, ଭିଜିଲାନ୍ସ) ଅତିରିକ୍ତ ପରିବହନ କମିଶନର, ଡିଆଇଜି (ଉତ୍ତରାଞ୍ଚଳ, ସମ୍ୱଲପୁର, କେନ୍ଦ୍ରାଞ୍ଚଳ, ପଶ୍ଚିମାଞ୍ଚଳ) ଆଇଜି (ପଶ୍ଚିମାଞ୍ଚଳ, ଅଗ୍ନିଶମ ଓ ଗୃହରକ୍ଷୀ) ନିର୍ର୍େଦ୍ଦଶକ- ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀ, ସିଏମ‍୍‌ଡି- ପୁଲିସ ଆଉହିସିଂ କର୍ପୋରେସନ‍୍‌), ଅତିରିକ୍ତ ପୁଲିସ ଡିଜି ( ମୁଖ୍ୟାଳୟ, ଆଇନ ଶୃଙ୍ଖଳା ଓ ପ୍ରଭିଜନିଂ)।

ପ୍ରତିବଦ୍ଧତା: ବାରବାଟି ସାଇକେଲ‍୍‌ ଆସୋସିସନ‍୍‌, ଶିଶୁ ଟେନିସ ଟେନିଂ ପ୍ରତିଷ୍ଠାନ

ପ୍ରକାଶନ:ପୁଲିସ ଇନ‍୍‌ ଇଣ୍ଡିଆ: ରୋଲ‍୍‌, ରେସ୍ପନ୍ସିବିଲିଟି ଆଣ୍ଡ ଆକାଉଣ୍ଟେବିଲିଟି, ହ୍ୟୁମ୍ୟାନ‍୍‌ ବିହେବିୟର ଆଣ୍ଡ ପୁଲିସ ଏଥିକ୍ସ, ହ୍ୟୁମ୍ୟାନ‍୍‌ ରାଇଟ୍ସ ଆଣ୍ଡ କ୍ରିମିନୋଲୋଜି, କମ୍ୟୁନିଟି ପୁଲିସି ଆଜ୍‌ ଏ ପବ୍ଲିକ୍ ପଲିସି।

ପୁରସ୍କାର ଓ ସମ୍ମାନ: ପୁଲିସ ମେଡାଲ‍୍‌ (୨୦୦୪), ରାଷ୍ଟ୍ରପତି ପଦକ (୨୦୧୨), ଆନ୍ତରିକ ସୁରକ୍ଷା ସେବ ମେଡାଲ‍୍‌ ( ୨୦୧୬),

ହବି: ଟେନିସ‍୍‌ ଖେଳିବା, ଗୀଟାର ବଜାଇବା, ବହି ପଢ଼ିବା ଓ ସାଇକ୍ଲିଂ କରିବା

 

ଭୁବନେଶ୍ୱର- କଟକ ପୁଲିସ କମିନରେଟ‍୍‌ର ନୂଆ କମିଶନର ଭାବେ ଯୋଗ ଦେଇଛନ୍ତି ୧୯୮୮ ବ୍ୟାଚ‍୍‌ ଆଇପିଏସ‍୍‌ ସତ୍ୟଜିତ ମହାନ୍ତି। ନିଜକୁ ପରିବର୍ତ୍ତନର ଏକ ସୂତ୍ରଧର ଭାବେ ପରିଚିତ କରିଥିବା ଶ୍ରୀ ମହାନ୍ତିଙ୍କଠାରୁ ଭୁବନେଶ୍ୱର-କଟକ ପୁଲିସ ବ୍ୟବସ୍ଥାରେ ଏକ ପରିବର୍ତ୍ତନ ଆଶା କରିବା ନିହାତି ଆବଶ୍ୟକ। ପୁଣି ତାଙ୍କ ଭାଷାରେ ପୁଲିସ ବ୍ୟବସ୍ଥାରେ ସାଧାରଣ ଲୋକଙ୍କୁ ଯଦି ସାମିଲ‍୍‌ କରାଯାଇ ପାରିବ ତେବେ ପୁଲିସର ଦକ୍ଷତା ଯଥେଷ୍ଟ ବୃଦ୍ଧି ଘଟିବ। ଆଗକୁ ଶ୍ରୀ ମହାନ୍ତିଙ୍କ ପାଇଁ ଅନେକ ଆହ୍ୱାନ ଠିଆ ହୋଇଛି; ସେ ଭିତରେ ବିଶ୍ୱକପ‍୍‌ ହକି ଟୁର୍ଣ୍ଣାମେଣ୍ଟର ସୁବିଧାଜନକ ଟ୍ରାଫିକ ପରିଚାଳନା, ଆଇନ ଶୃଙ୍ଖଳା ରକ୍ଷା, ସ୍ମାର୍ଟ ପୁଲିସିଂର ଉପଯୋଗ ଏମିତି ଅନେକ। ଉପସ୍ଥାପନ କରୁଛି ତାଙ୍କ ସହ କଥାବାର୍ତ୍ତାର କିୟଦଂଶ।

ଯଦି ଆପଣ ୩୬୫ ଦିନ ଓ ୨୪ ଘଣ୍ଟିଆ ଚାକିରି ବା ଦାୟିତ୍ୱ କଥା ଚିନ୍ତା କରୁଛନ୍ତି ତେବେ ତାହା ହେଉଛି ପୁଲିସ। ଏହା ଏକ ଭାରାକ୍ରାନ୍ତ ଚାକିରି। ଯଦି ଆପଣ ଏହି ଭାରା ବା ଚାପକୁ ବାହାର କରିପାରୁ ନାହାଁନ୍ତି ତେବେ ତାହା ଆପଣଙ୍କ ବ୍ୟକ୍ତିଗତ, ପାରିବାରିକ ତଥା ପେସାଦାର ଜୀବନ ଉପରେ ପ୍ରଭାବ ପକାଇବ। କିଛି ଅଫିସର ପୁଲିସରେ କର୍କସ ହେବାର ଏହା ଏକ ମୁଖ୍ୟ କାରଣ । ଆମେ ତାଙ୍କୁ ଆବଶ୍ୟକ ଅନୁସାରେ ସମୟ ଦେଇପାରୁ ନାହୁଁ। ସେ କହୁଛି ଯେ, ମୋତେ କିଏ ଦେଖୁଛି? ଏହି କ୍ରମରେ ମୁଁ ଦେଖିଲି ଯେ ମୁଁ ଯଦି ଦିନକୁ ଘଣ୍ଟାଏ ବା ଦେଢ଼ ଘଣ୍ଟା ଖେଳିପାରୁଛି ତେବେ ମୁଁ ଚାପ ମୁକ୍ତ ହୋଇପାରୁଛି। ପୁଲିସରେ ଯୋଗଦେବା ପୂର୍ବରୁ ଏପରି କିଛି ଅଭ୍ୟାସ ନଥିଲା। କିନ୍ତୁ ଚାପକୁ ଦୂରେଇବା ତଥା ମାନସିକ ସନ୍ତୁଳନତା ପାଇଁ ମୁଁ ଖେଳିବା ଆରମ୍ଭ କଲି ଆଉ ତାହା ଅଭ୍ୟାସ ହୋଇଗଲା।

୨୦୦୮ରୁ ୨୦୧୮ ଏ ଭିତରେ ୧୮ ବର୍ଷ ପୂରିଛି ଭୁବନେଶ୍ୱର-କଟକ ପୁଲିସ କମିଶନରେଟ‍୍‌କୁ। ଆପଣ ଜଣେ ବରିଷ୍ଠ ଅଧିକାରୀ ଭାବେ ଏହାର ଗଠନ ପ୍ରକ୍ରିୟା ତଥା କାର୍ଯ୍ୟକାରୀତାକୁ ନେଇ ସଂଶ୍ଳିଷ୍ଟ ଅଛନ୍ତି ବା ଅନୁଶୀଳନ କରିଛନ୍ତି। କେବେ କିଛି ଅନୁଭବ ହୋଇଛି କି, ଏହି ଅନୁଷ୍ଠାନର ସର୍ବୋଚ୍ଚ ପଦବୀ ତଥା କମିଶନରଙ୍କ ପଦବୀରେ ସ୍ଥାୟୀତ୍ୱ ବା କିଛି ନିର୍ଦ୍ଦିଷ୍ଟ ସମୟକାଳ ରହିବା ଆବଶ୍ୟକ?

ନିଶ୍ଚିତ ଭାବେ ଦରକାର। ଜଣେ ପୁଲିସ କମିଶନର ଯିଏ ଯୋଗ ଦିଅନ୍ତି, ସେ ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିବା, ଅପରାଧିକୁ ଧରିବା ବ୍ୟତିରେକ କିଛି ନିର୍ଦ୍ଦିଷ୍ଟ ଦୃଷ୍ଟିଭଙ୍ଗୀ ଧାରଣ କରିଥାଆନ୍ତି। ଅର୍ଥାତ୍ ଏଗୁଡ଼ିକୁ ରୂପାନ୍ତରିତ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ସମୟକାଳ ଦରକାର। ନହେଲେ ଅନେକ ସ୍ୱପ୍ନ ଅଧୁରା ରହିଯିବ। ବରିଷ୍ଠ ସ୍ତରରେ ଦୃଷ୍ଟିଭଙ୍ଗୀ କହିଲେ, ଲୋକଙ୍କୁ କିଛି ଅଧିକ ସେବା ଯୋଗାଇଦେବା, ବ୍ୟବସ୍ଥାକୁ ଲୋକଙ୍କ ନିକଟତର କରିବା ଆଦି ଅନ୍ୟତମ। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଆପଣ କି ପନ୍ଥା ନେବେ ତାହା ହୁଏତ ବିଭିନ୍ନ କମିଶନରଙ୍କ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଇପାରେ। କିନ୍ତୁ ସେହି ଦୃଷ୍ଟିଭଙ୍ଗୀ ଜନମଙ୍ଗଳ ପାଇଁ ହିଁ ଉଦ୍ଦିଷ୍ଟ। ଏଥିପାଇଁ ନିର୍ଦ୍ଦିଷ୍ଟ ସମୟକାଳ ରହିବା ଦରକାର।

କେତେ ହେବା ଦରକାର?

କେତେ ହେବା ଦରକାର ତାହା ତ ମୁଁ କହିପାରିବି ନାହିଁ। କିନ୍ତୁ ସୁପ୍ରିମ‍୍‌କୋର୍ଟ ଯେଉଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ସେହି ଅନୁସାରେ ପ୍ରତ୍ୟେକ କ୍ଷେତ୍ର ଅଧିକାରୀ ଯେମିତି ଡିଜି ପୁଲିସ ହୁଅନ୍ତୁ, ଇନ୍ସପେକ୍ଟର ଇନ‍୍‌ଚାର୍ଜ, ଏସ‍୍‌ଡିପିଓ ଏମାନଙ୍କ କାର୍ଯ୍ୟକାଳ ଅତି କମ‍୍‌ରେ ଦୁଇବର୍ଷ ହେବା ଦରକାର। କିଛି ପୁଲିସ ଆଇନରେ ମଧ୍ୟ ସେହି ବ୍ୟବସ୍ଥା ରହିଛି। ଯଦି ଦୁଇବର୍ଷ ପୂର୍ବରୁ ବଦଳି କରାଯିବ କେଉଁ କାରଣ ଯୋଗୁ ହେବ ତାହା କୁହାଯାଇଛି। ମୁଁ ଭାବୁଛି ଏହା ଏକ ସର୍ବନିମ୍ନ କାଳ, ଯାହା ଭିତରେ ସମ୍ପୃକ୍ତ ଅଧିକାରୀ ଜଣକ ଯିଏ ପୁଲିସ କମିଶନର ଭାବରେ ନିଯୁକ୍ତ ହୋଇଛନ୍ତି ସେ ନିଜର ଦୃଷ୍ଟି ଭଙ୍ଗୀକୁ ରୂପାନ୍ତରିତ କରିପାରିବେ।

ଭୁବନେଶ୍ୱର ଓ କଟକ ସହର ପାଇଁ ଜଣେ ପୁଲିସ କମିଶନର ଭାବେ ଆପଣଙ୍କର ଦୃଷ୍ଟିଭଙ୍ଗୀ କ’ଣ ରହିଛି, ଯାହାକୁ ଆପଣ ରୂପାନ୍ତରିତ କରିବାକୁ ଚାହୁଁଛନ୍ତି?

କଟକ ଓ ଭୁବନେଶ୍ୱର ଦୁଇଟି ସହର ପରସ୍ପରଠାରୁ ଭିନ୍ନ। କଟକ ସହର ଅନେକ ପୁରୁଣା। ଏହାକୁ କିଏ ବିବେକି ସହର କହନ୍ତି, କିଏ ଭାଇଚାରା ସହର କହେ। ଏଠାରେ ଲୋକମାନେ ପରସ୍ପରକୁ ଜାଣନ୍ତି ଓ ପୁଲିସ ବ୍ୟବସ୍ଥାରେ ସାମିଲ‍୍‌ ହୁଅନ୍ତି। ଯାହାଫଳରେ କିଛି ଗୋଟିଏ ଘଟଣା ଘଟିବା ପୂର୍ବରୁ ସେମାନେ ପ୍ରତିଶେଧକମୂଳକ ବ୍ୟବସ୍ଥା ନେଇଯାଆନ୍ତି। ଅପରପକ୍ଷେ ଭୁବନେଶ୍ୱର ଏକ ନୂଆ ସହର। ମାତ୍ର ୬୦/୭୦ ବର୍ଷ ପୁରୁଣା। ହଜାରେ ବର୍ଷର ସହର କଟକ ପରି ଭୁବନେଶ୍ୱର ସହରରେ ନିବିଡ଼ତା ନାହିଁ କି ହୋଇପାରିବ ନାହିଁ। କିନ୍ତୁ ଏହା ବେଶ‍୍‌ ଉନ୍ନତ ମାନର ସହର, ସ୍ମାର୍ଟସିଟି ର୍ୟାଙ୍କିଂରେ ବିଶ୍ୱରେ ସୁନାମ ଅର୍ଜନ କରିଛନ୍ତି। ଭୁବନେଶ୍ୱର ଜୀବନଧାରଣ ମାନ ବେଶ‍୍‌ ଉନ୍ନତ, ଯେମିତି ମେଟ୍ରୋଗୁଡ଼ିକରେ। ତେଣୁ ଭୁବନେଶ୍ୱର ପାଇଁ ପୁଲିସକୁ କମ୍ୟୁନିଟି ଭିତ୍ତିକ କରିବୁ ତେବେ ଅଧିକ ପରିଶ୍ରମ କରିବାକୁ ହେବ। କାରଣ ସେ ପ୍ରକାର ସାମାଜିକ ଚିନ୍ତାଧାରା ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ନାହିଁ ଯାହା କଟକରେ ଅଛି। ଅର୍ଥାତ୍ କଟକ ଓ ଭୁବନେଶ୍ୱରରେ ପୁଲିସର କାର୍ଯ୍ୟଧାରା ଟିକେ ଅଲଗା ହେବାକୁ ହେବ। ଏହା ସତ ଯେ, ସମାଜର ୯୫ ପ୍ରତିଶତ ଲୋକ ଆଇନକୁ ମାନିକରି ଚଳିବାକୁ ଚାହାନ୍ତି। ବାକି ଯେଉଁମାନେ ରହିଲେ ସେମାନେ ସମାଜରେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି; ସେମାନଙ୍କ ସଂଖ୍ୟା ୫ ପ୍ରତିଶତରେ ସିୀମିତ। ଅର୍ଥାତ୍ ଏହି ୯୫ ପ୍ରତିଶତ ଯେଉଁମାନେ ଆଇନକୁ ମାନି ଚଳିବାକୁ ଚାହାନ୍ତି ଯଦି ଆମେ ତାଙ୍କ ସମ୍ୱଳକୁ ଆୟୁଧ କରିପାରିବା- ତାହା ହେଲେ ଲାଗୁ ନାହିଁ କି ସବୁ ଜିନିଷ ସୁବିଧାରେ ହୋଇପାରିବ! ମୋର ସେହି ପ୍ରକାର କିଛି ଦୃଷ୍ଟିଭଙ୍ଗୀ ରହିଛି। ଲୋଙ୍କ ପାଇଁ, ଲୋକଙ୍କୁ ନେଇକରି ଲୋକଙ୍କୁ ଭାଗିଦାରୀ କରି ପୁଲିସ ବ୍ୟବସ୍ଥାକୁ ଆଗକୁ ବଢ଼ାଇବା ।

ଆପଣଙ୍କ ପୂର୍ବରୁ ଯେଉଁମାନେ କମିଶନର ପଦବୀରେ ଥିଲେ, ସେମାନେ ମଧ୍ୟ କମ୍ୟୁନିଟି ପୁଲିସ ବ୍ୟବସ୍ଥାକୁ ଆପଣାଇବାକୁ ଚାହିଁଥିଲେ। ଅନେକ ସମୟରେ ଭୁବନେଶ୍ୱରରେ ଆମେ ଦେଖିଛୁ ଯେ, ପୁଲିସ-ସାଧାରଣ ଜନତାଙ୍କ ଭିତରେ ବୈଠକ ହୋଇଛି କିନ୍ତୁ ଅପରାଧ ନିୟନ୍ତ୍ରଣ ବା ଆଇନ ଶୃଙ୍ଖଳାରେ କିଛି ଆଖି ଦୃଶିଆ ପରିବର୍ତ୍ତନ ହୋଇ ନାହିଁ, କାହିଁକି?

ଏହା ଏକ ଧୀର ପ୍ରକ୍ରିୟା, ରାତାରାତି ଫଳ ଦିଏ ନାହିଁ। ଏଣୁ ଆମକୁ ଧୈର୍ଯ୍ୟ ରଖିବାକୁ ପଡ଼ିବ। ପୁଲିସ ବ୍ୟବସ୍ଥାରେ ଏପରି ଚିନ୍ତା କରିବା ଉଚିତ ନୁହେଁ, ଯେ ଆମେ ଦୁଇବର୍ଷ କାମ କଲୁ କାହିଁ କିଛି ଫଳ ମିଳିଲାନି ଆମେ ଏହାକୁ ଛାଡ଼ିଦେବା! ବରଂ ମୁଁ କହିବି ଏହାକୁ ଏକ ମନୋବୃତିରେ ପରିଣତ କରିବାକୁ ହେବ। ଅର୍ଥାତ୍ ପୁଲିସର ସମସ୍ତ ଅଙ୍ଗ ତଳସ୍ତରରୁ ଆରମ୍ଭ କରି ଉପର ଯାଏ ସମସ୍ତେ ସେହି ଭାବଧାରା, ସେହି ମନୋବୃତ୍ତି ଓ ଚିନ୍ତାଧାରରେ ନିଜକୁ ସାମିଲ‍୍‌ କରିବା ଦରକାର। ଖାଲି ନେତୃତ୍ୱ ନେଉଥିବା ବ୍ୟକ୍ତି ନୁହେଁ। ତା’ଛଡ଼ା ବ୍ରିଟିଶ‍୍‌ ଶାସନ ସମୟରୁ ଯେଉଁ ବ୍ୟବସ୍ଥାଟି ପ୍ରଚଳିତ ସେଥିରେ ପରିବର୍ତ୍ତନ ଟିଏ ରୂପାୟନ କରିବା ଏକ କଠିନ ପ୍ରକ୍ରିୟା। ଆମେ ନିର୍ଦ୍ଦେଶ ଦେଇଦେଲେ ତାହା ହୋଇଯିବନି। ଏଥିଲାଗି ସମୟ ଦରକାର, ନିରନ୍ତର ଚେଷ୍ଟା ଓ ନେତୃତ୍ୱର ସମୟକାଳ ଆବଶ୍ୟକ। ଏ ବାବଦରେ ମୁଁ ଗବେଷଣା କରିଛି। ଯେଉଁଥିରୁ ମୁଁ ପାଇଛି ଯେ, ଗୋଟିଏ ଧାରା ଯାହା ଜଣେ କତୃର୍ର୍ତ୍ତୃପକ୍ଷଙ୍କ ଦ୍ୱାରା ରୂପାୟନ ହୋଇଛି ତାହା ସେ ନଥିଲାବେଳେ ମଧ୍ୟ ଆଗକୁ ବଢ଼ିବା ଲାଗି ଏକ ସରକାରୀ ନୀତିର ଆବଶ୍ୟକତା ରହିଛି। ଏହାଦ୍ୱାରା ସେ ଜାଗାରେ ଯିଏ ବସିଲେ ବି ସେହିଧାରାଟି ପରିଚାଳିତ ହେବ।

ମୁଁ ଯଦି ପଚାରିବି, ଦାୟିତ୍ୱ ନେବା ପରେ କ’ଣ ଗୋଟିଏ ନୂଆ ଜିନିଷ ଆପଣ ରୂପାୟନ କରିବାକୁ ଚାହୁଁଛନ୍ତି ଯାହା ପୁଲିସ ବ୍ୟବସ୍ଥାକୁ ଲୋକଙ୍କ ଅତି ନିକଟତର କରିବ ଏବଂ ଆଗକୁ ତାହା ଏକ ନୀତିରେ ପରିଣତ ହେବାର ସମ୍ଭାବନା ରଖିବ?

ମୁଁ କହିପାରିବିନି ଯେ, ପୁଲିସ ବ୍ୟବସ୍ଥାରେ ଆପଣ ଏମିତି କିଛି ଚାହିଁବେ ଯାହା ସଙ୍ଗେ ସଙ୍ଗେ ରୂପାୟନ ହୋଇପରିବ। ଏଥିଲାଗି ବ୍ୟବସ୍ଥାରେ ସମ୍ପୃକ୍ତ ଥିବା ଅଧିକାରୀମାନଙ୍କ ମନସ୍ତତ୍ତ୍ୱରେ ପରିବର୍ତ୍ତନ ଦରକାର ଏହା ମୁଁ ଆପଣଙ୍କୁ ଆଗରୁ କହିଛି। ଏଥିପାଇଁ ତାଲିମ ଅବାଶ୍ୟକତା ରହିଛି। ମୁଁ ପ୍ରଥମେ ପ୍ରଚଳିତ ବ୍ୟବସ୍ଥା ବାବଦରେ ପ୍ରଥମେ ଅନୁଧ୍ୟାନ କରିବି। ଆମର ବ୍ୟବସ୍ଥାରେ ସବୁଥାନାକୁ ନିର୍ଦ୍ଦେଶ ରହିଛି ଯେ, ଏକ ରିସେପ୍ସନ‍୍‌ ଡେସ୍କ ରହିବ ଏହା ହେଲେ ଯେ କୌଣସି ଲୋକ ତା’ର ଅଭିଯୋଗ ଥାନା ବାବୁ ନଥିଲେ ମଧ୍ୟ ସେଠାରେ ଦାଖଲ କରିପାରିବେ, ତାଙ୍କୁ ଆଉ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଆମେ କେତେଦୂର ଏହି ନୀତିକୁ କାର୍ଯ୍ୟକାରୀ କରିପାରିଛୁ ବିଶେଷକରି ଟ୍ୱିନ‍୍‌ସିଟିରେ ତାହା ମୁଁ ଅନୁଧ୍ୟାନ କରିବି।

ଏବେ ଡେସ୍କ ରହିଛି କିନ୍ତୁ ଲୋକ ନାହାନ୍ତି?

ଅନେକ ସମୟରେ ଆମେ ଲୋକ ଅଭାବ ବୋଲି ଆମେ କହୁଛୁ। ମୋ କହିବା କଥା ଯେ, ଏଠାରେ ଜଣେ ଅଫିସର ବସିବା କିଛି ଅବାଶ୍ୟକ ନାହିଁ। ଆମ କନଷ୍ଟେବଳମାନେ ଯଥେଷ୍ଟ ପାଠ ପଢ଼ି ଏବେ ଯୋଗ ଦେଉଛନ୍ତି, ଏଣୁ ସେମାନଙ୍କୁ ଏଥିପାଇଁ ସିଫ୍ଟ ଅନୁସାରେ ନିୟୋଜିତ କରାଯାଇପାରନ୍ତା। ଲୋକ ନାହାନ୍ତି ଦ୍ୱାହି ଦେଇ ଆମେ ବ୍ୟବସ୍ଥାକୁ ଲାଗୁ ନକରିବା ଠିକ୍ ନୁହେଁ।

ପୁଲିସ କ’ଣ ଲୋକଙ୍କ ନିକଟତର ହୋଇପାରିବ?

କାହିଁକି ନୁହେଁ, ନିଶ୍ଚୟ ହୋଇପାରିବ। ମୁଁ ଏବାବଦରେ ଗବେଷଣା କରିଛି। ଏହା ସତ ଯେ, ପୁଲିସର ନିଜସ୍ୱ ଏକ ସଂସ୍କୃତି ରହିଛି। ପୁଲିସରେ ଥିବା ଲୋକେ ଟିକେ ଅଲଗା ଆବଦ୍ଧ ରହିବାକୁ ଚାହାନ୍ତି। କିନ୍ତୁ ପରିବର୍ତ୍ତନ ନେଇ ମୁଁ ଆଶାବାଦୀ। କାରଣ ଗଲା ୩୦ ବର୍ଷ ଭିତରେ ମୁଁ ଦେଖିଛି, ଖାଲି ପୁଲିସ ନୁହେଁ ସରକାରୀ କଳରେ ଥିବା ଲୋକଙ୍କ ମନରେ ଯେଉଁ ମୁରବୀ ଭାବନା ବା “ମୁଁ ବଡ଼’ “ମୁ ଦେଉଛି’ ଅଥବା ଇଂରାଜୀରେ ଯାହାକୁ “ପ୍ୟାଟ୍ରିଆର୍କାଲ‍୍‌’ ଭାବନା ବୋଲି କହନ୍ତି; ସେଥିରେ କିଛି ପରିବର୍ତ୍ତନ ଆସିଛି। ବ୍ୟୁରୋକ୍ରାଟିକ୍ ପ୍ରଶାସନଟି ଗୁଡ୍ ଗଭର୍ଣ୍ଣାନ୍ସରେ ପରିଣତ ହୋଇଛି। ଭଲ ପ୍ରଶାସନର ମୂଳ ଅଂଶ ହେଉଛି ଉତ୍ତର ଦାୟିତ୍ୱ, ସ୍ୱଚ୍ଛତା। ଆଜି ଜଣେ ପୁଲିସ ଅଫିସର ମଧ୍ୟ ଯଦି କୌଣସି ସୂଚନାକୁ ଲୁଚାଉଛନ୍ତି ବା ରେକର୍ଡକୁ ଆଣୁଛନ୍ତି ସେ ଦୁଇଥର ଭାବୁଛନ୍ତି। ଏବେ ଲୋକ ସେବା ଆଇନ ଲାଗୁ ଫଳରେ ଲୋକ କହୁଛନ୍ତି ମୁଁ ବସ‍୍‌, ପୁଲିସ ବା ବ୍ୟରୋକ୍ରାଟ‍୍‌ ନୁହେଁ। ଯଦି ପୁଲିସ ୩୦ ଦିନ ଭିତରେ ପାସ‍୍‌ପୋର୍ଟ ପାଇଁ ଅବାଶ୍ୟକ ଯାଞ୍ଚ ରିପୋର୍ଟ ଦେଉ ନାହିଁ ତେବେ ତା’ ଉପରେ ଜରିମାନା ମଧ୍ୟ ଲାଗୁ କରାଯାଉଛି। ଭାବୁନାହାନ୍ତି କି ଏହା ଏକ ଉଲ୍ଲେଖନୀୟ ପରିବର୍ତ୍ତନ! ଲୋକ ଯେ ଏବେ ବସ‍୍‌ ତାହାକୁ ମାନିବାକୁ ହେବ।

କିନ୍ତୁ ଏ ଯେଉଁ ଭାବନାଟି କେବଳ କିଛି ବରିଷ୍ଠ ଅଧିକାରୀଙ୍କ ଭିତରେ ବା ନିୟମ, ଆଇନ, ଭାଷଣ ଭିତରେ ସୀମିତ ଆଉ ତାହା ତଳକୁ ଆସିପାରୁ ନାହିଁ, ଯେଉଁଠି ଲୋକେ ସେବା ଚାହାନ୍ତି, ଯେଉଁଠି ସେବା ପାଇବାର ହକ୍ ରଖନ୍ତି ସେଠାରେ ନିରାଶ ହୁଅନ୍ତି। ଏ ବିଷୟକୁ କ’ଣ ଅନୁଧ୍ୟାନ କରିନାହାନ୍ତି?

ମୁଁ ମାନୁଛି ଯେ, ଅନେକ ସ୍ଥାନରେ ଏହା ତଳସ୍ତରକୁ ଯାଇନାହିଁ। କିନ୍ତୁ ମୁଁ ଆଶାବାଦୀ ଯେ ଭବିଷ୍ୟତରେ ଏପରି ଭାବନା ପୁଲିସର ସମସ୍ତ ସ୍ତରରେ ପହଞ୍ଚିବ।

ଆଜି ବି ଥାନାକୁ କିଏ ଯାଉଛି, ନିଜ ଗାଡ଼ି ଚୋରି ହୋଇଗଲା, ମୋବାଇଲ‍୍‌ ସିମ‍୍‌ ହଜିଗଲା ରିପୋର୍ଟଟିଏ ଦାଖଲ କରିବାକୁ କିନ୍ତୁ ସେ ସେଠାରେ ଦିନ ଦିନ ବିତାଉଛି, ତା ଦାଖଲ କରାଯାଇଥିବା ସୂଚନା ବା ରିପୋର୍ଟର ପ୍ରାପ୍ତି ସେ ପାଇପାରୁ ନାହିଁ। ଏହାର କ’ଣ ସମାଧାନ ନାହିଁ, ବିଶେଷକରି ଯେତେବେଳେ ଆମେ ସୂଚନା ପ୍ରଯୁକ୍ତି ବିଦ୍ୟାର ଉପଯୋଗ କଥା କହୁଛୁ, ହାତରେ ସ୍ମାର୍ଟ ଫୋନ‍୍‌ଧରି ବୁଲୁଛୁ ସେତେବେଳେ ଆମେ ଏହା ଆଶା କରିପାରିବା ନାହିଁ କି?

ମୋର ବହୁତ ଇଚ୍ଛା ସେମିତି ଏକ ମୋବାଇଲ‍୍‌ ଆପ‍୍‌ ତିଆରି ଓ ପ୍ରଣୟନ ପାଇଁ। ଦିଲ୍ଲୀ ପୁଲିସରେ ଏହା ଯଥେଷ୍ଟ ଲୋକପ୍ରିୟ ହୋଇଛି। ଏହାକୁ “ଲସ‍୍‌ ରିପୋର୍ଟ ଆପ‍୍‌’ ବୋଲି ଆପଣ କହିପାରନ୍ତି। ଦିନକୁ ଦୁଇ ତିନି ହଜାର ଲୋକ ଏହାର ଫାଇଦା ନେଉଛନ୍ତି। ଏହା ସତ ଯେ, ଅଭିଯୋଗ ଦାଖଲ ପରେ ପୁଲିସ ତାହାକୁ ଯାଞ୍ଚ କରୁଛି। କିନ୍ତୁ ଲୋକଙ୍କୁ ଆଉ ଥାନାକୁ ଯିବାକୁ ପଡ଼ୁ ନାହିଁ। ମୁଁ ଭାବୁଛି ସେହି ପ୍ରକାର ଆବଶ୍ୟକତା ରହିଛି ବିଶେଷ କରି ସହରାଞ୍ଚଳରେ। ତାହାକୁ ମଧ୍ୟ ଅନୁଧ୍ୟାନ କରିବା।

ଭୁବନେଶ୍ୱରରେ ଅନେକ ସମୟରେ ଆମେ ପୁଲିସକୁ ଭିଆଇପି ସୁରକ୍ଷାରେ ଅଧିକ ନିୟୋଜିତ ହେଉଥିବା ଦେଖୁଛୁ। ଯେଉଁ ପରିମାଣରେ ପୁଲିସର ପାଇଲଟ‍୍‌ ଗାଡ଼ିଗୁଡ଼ିକ ଚଳାଚଳ କରୁଛି ଲାଗୁଛି ଯେମିତି ସେଠାରେ ସାଧାରଣ ଲୋକ ମୂଲ୍ୟହୀନ, ନୁହେଁ କି?

ନା। ଲୋକଙ୍କ ଟିକସ ପଇସାରେ ପୁଲିସ ଚାଲୁଛି, ସବୁ ନାଗରିକ ଏହାକୁ ନେଇ ପ୍ରଶ୍ନ ପଚାରିବା କଥା। ତା’ଛଡ଼ା ଭିଆଇପିଙ୍କ ସୁରକ୍ଷା ନିର୍ଦ୍ଦିଷ୍ଟ କୋଡ୍ରେ କରାଯାଉଛି। ଯାହା ନୀତି ରହିଛି ସେହି ଅନୁସାରେ ଗୁରୁତ୍ୱପୂର୍ଣ୍ଣ ତଥା ସୁରକ୍ଷା ଜରୁରୀ ଥିବା ଲୋକଙ୍କୁ ପୁଲିସ ବଳ ଯୋଗାଇ ଦିଆଯାଉଛି। ପୁଣି ସୁରକ୍ଷା ଆବେଦନ କରୁଥିବା ଲୋକ ଏବଂ ସୁରକ୍ଷା ପ୍ରଦାନ କରିବା ସମୟରେ ଅନେକ ଯାଞ୍ଚ କରାଯାଉଛି।

ପୁଲିସ କମିଶନରେଟ‍୍‌ରେ ମାନବ ସମ୍ୱଳ ନିଯୁକ୍ତି ଏକ ସମସ୍ୟା ଭାବେ ଉଭା ହୋଇଛି। ଏ ବିଷୟରେ ଆଲୋଚନା ହୋଇଛି ଏବଂ ଗଣମାଧ୍ୟମରେ ଆପଣ କିଛି ବୟାନ ରଖିଛନନ୍ତି। ଗୋଟେ ଦଶନ୍ଧି ଏ ଭିତରେ ପୂରିଲାଣି; ଏଥିପାଇଁ ସମୟ ଆସି ନାହିଁ?

ଶୂନ୍ୟ ସମ୍ୱଳରୁ ଏ ଭିତରେ ପୁଲିସ କମିଶନରେଟ‍୍‌ର କଳେବର ଗଲା ୧୦ ବର୍ଷ ଭିତରେ ଯଥେଷ୍ଟ ବୃଦ୍ଧି ପାଇଛି। ଯେଉଁ ସପ୍ତମ ବ୍ୟାଟାଲିୟନ‍୍‌ଟି ସାରା ରାଜ୍ୟ ପାଇଁ ଉଦ୍ଦିଷ୍ଟ ଥିଲା ଏବେ ତାହାକୁ କେବଳ ଭୁବନେଶ୍ୱର-କଟକ ପାଇଁ ଚିହ୍ନିତ କରାଯାଇଛି। ହେଲେ ଥାନା ଫାଣ୍ଡିରେ ଲୋକସଂଖ୍ୟା ବଢ଼ିବା ଆବଶ୍ୟକତା ରହିଛି। ଏ ବିଷୟରେ ମଧ୍ୟ ରାଜ୍ୟ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏକ ସର୍ବେକ୍ଷଣ କରାଯାଇଥିଲା। ଏ ବାବଦରେ ସରକାରଙ୍କୁ ଏକ ବିସ୍ତୃତ ପ୍ରସ୍ତାବ ଦିଆଯାଇଛି। ଯେହେତୁ ବହୁତ ଲୋକଙ୍କ ଆବଶ୍ୟକତା ରହିଛି, ନିଯୁକ୍ତିକୁ ଏକକାଳୀନ କରା ନଯାଇ ପର୍ଯ୍ୟାୟକ୍ରମେ କରାଯିବା ଦରକାର। ଧରନ୍ତୁ ଏଠାରେ ୫ ହଜାର ଲୋକଙ୍କ ଆବଶ୍ୟକତା ରହିଛି, ତେବେ ହଜାରେ ହଜାର କରି ୫ ବର୍ଷରେ ଏ ପଦବୀସବୁ ପୂରଣ କରିବା ଦରକାର। କାରଣ ଆପଣ ପୁଲିସରେ ଏକା ଥରକେ ୫ ହଜାରଙ୍କୁ ନିଯୁକ୍ତ କଲେ ବି ତାଙ୍କୁ କାର୍ଯ୍ୟକ୍ଷେତ୍ରକୁ ଆଣିପାରିବେ ନାହିଁ। ଜଣେ ସାଧାରଣ ଲୋକକୁ ପୁଲିସ କରିବାକୁ ହେଲେ ଅତିକମ‍୍‌ରେ ୨ ବର୍ଷ ସମୟ ଆବଶ୍ୟକ। ମୋତେ ଲାଗୁଛି ଏ ନିଯୁକ୍ତି ପାଇଁ ସମୟ ଆସିଗଲାଣି। ଆଉ ତାହା ନିଶ୍ଚିତ ହେବ।

ଟ୍ରାଫିକ୍ ନିୟନ୍ତ୍ରଣ ଏକ ସମସ୍ୟା ଭାବରେ ଉଭୟ ଭୁବନେଶ୍ୱର ଓ କଟକରେ ଠିଆ ହୋଇଛି। କିନ୍ତୁ ପୁଲିସ ଟ୍ରାଫିକ୍ ନିୟନ୍ତ୍ରଣ ବଦଳରେ ଜୋରିମାନା ଆଦାୟକୁ ଅଧିକ ଧ୍ୟାନ ଦେଉଛି। ଯେଉଁଠି ପାରିଲି ସେଇଠି ଫାଇନ‍୍‌ ଆଦାୟ ହେଉଛି। ଫଳରେ ଏକ କୋକୁଆ ସୃଷ୍ଟି ହେଉଛି। ଏହା ଆବଶ୍ୟକ ନା କିଛି ସମସ୍ୟା ରହିଛି?

କଟକ-ଭୁବନେଶ୍ୱରରେ ଲୋକଙ୍କ ସହ କଥା ହେବା ବେଳେ ଏହି ମନ୍ତବ୍ୟ ଆସୁଛି ଯେ, ଟ୍ରାଫିକ୍ ଭୁଶୁଡ଼ି ପଡ଼ିଲାଣି। ଅର୍ଥାତ୍ ଲୋକେ ନିରାପଦରେ ଯିବାକୁ ଚାହୁଁଛନ୍ତି। କିନ୍ତୁ କିଛି ଲୋକଙ୍କ ପାଇଁ ସାରା ସହରର ଲୋକେ ହଇରାଣ ହେଉଛନ୍ତି। ଯେଉଁ ଲୋକଟି ଏପରି ବେପରୁଆ ଆଚରଣ କରୁଛି ସେ ଜାଣିବା କଥା ଯେ, ମୁଁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କଲେ ମୋ ନାଁରେ ଚାଲାଣ ହେବ, ଯଦି ମୁଁ ଠିକଣା ଲେନ‍୍‌ ଡ୍ରାଇଭ୍ ନକଲି, ହେଲ‍୍‌ମେଟ‍୍‌ ନ ପିନ୍ଧିଲି ତେବେ ମୋ ନାଁରେ ଚାଲାଣ ହେବ। ଅର୍ଥାତ୍ ଆଇନ ପ୍ରତି ଏକ ଭୟ ଦରକାର। ଅନେକ ସମୟରେ ପୁଲିସର ଏହିଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ଆପତ୍ତି ଉଠିଛି, କିନ୍ତୁ ସେମାନେ ଜାଣିବା ଦରକାର ଯେ, ଆଇନର ରୂପାୟନ କଡ଼ାକଡ଼ି ହେବା ଆବଶ୍ୟକ। ଭୁବନେଶ୍ୱରରେ ରାସ୍ତା ଚଉଡ଼ା ଥିଲେ ମଧ୍ୟ ଲୋକେ ଲେନ‍୍‌ ଡ୍ରାଇଭ୍ କରୁ ନାହାନ୍ତି। ଏଭଳି ଲୋକଙ୍କୁ ଯଦି ମୁଁ ନ ଧରିବି, ଫାଇନ‍୍‌ ନ କରିବି-ତାହା ହେଲେ ସୁଧାର ଆସିବ ନାହିଁ । ଲୋକେ ଜାଣନ୍ତୁ ଯେ କେବଳ ହେଲ‍୍‌ମେଟ‍୍‌ ନ ପିନ୍ଧିଲେ ନୁହେଁ, ଏଣିକି ଯଦି ମୁଁ ଜେବ୍ରା କ୍ରସିଂକୁ ଟପିଲି, ଲେନ‍୍‌ ଡ୍ରାଇଭ୍ ନକଲି, ଦ୍ରୁତ ଗତିରେ ଗାଡ଼ି ଚଳାଇଲି ତେବେ ବି ମୋତେ ଫାଇନ ଦେବାକୁ ହେବ। ଆଇନ ପ୍ରତି ଲୋକଙ୍କର ଭୟ ରହିବା ଦରକାର।

ଅର୍ଥାତ୍ ଏ ପ୍ରକାର ଦଣ୍ଡ ବିଧାନ ଅଧିକ କଡ଼ା କଡ଼ି ହେବ?

ନିଶ୍ଚିତ ଭାବେ। ଆମେ ଏ ଦିଗକୁ ଅଧିକ ଧ୍ୟାନ ଦେବା ଉଚିତ। ଯଦି ହେଲ‍୍‌ମେଟ‍୍‌ ଚେକିଂକୁ ନେଇ ଲୋକଙ୍କ ମନରେ ଅସନ୍ତୋଷ ବଢ଼ୁଛି, ସେମାନଙ୍କ ମନେ ହେଉଛି ଯେ, ଟ୍ରାଫିକ୍ ନିୟମ କଡ଼ା କଡ଼ି ହେଉ ନାହିଁ ତେବେ ଏହି ଦିଗକୁ ମଧ୍ୟ ଦୃଷ୍ଟି ଦେବା ଆବଶ୍ୟକ।

ବିଶ୍ୱକପ‍୍‌ ହକି ପରିଚାଳନାକୁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ଭାବେ ଗ୍ରହଣ କରାଯାଉଛି। ବିଶେଷ କରି ଆପଣଙ୍କ ଯୋଗଦାନ ଏବଂ ପୁରୁଣା କମିଶନଙ୍କ ବଦଳି ପରେ ଏମିତି ଏକ ଧାରଣା ସୃଷ୍ଟି ହୋଇଛି। ଆପଣ ଭାବୁଛନ୍ତି କି ଏହା ଏକ ଚ୍ୟାଲେଞ୍ଜ।

ବିଶ୍ୱକପ‍୍‌ ହକି ଏକ ବହୁତ ବଡ଼ ଇଭେଣ୍ଟ। ଯେଉଁଠାରେ ୧୬ ରାଷ୍ଟ୍ରର ଖେଳଳି, କାର୍ଯ୍ୟକର୍ତ୍ତା, ପର୍ଯ୍ୟଟକ, ସାମ୍ୱାଦିକ ଫ୍ୟାନ‍୍‌ ସମସ୍ତେ ଆସିବେ। ଅର୍ଥାତ୍ ଭୁବନେଶ୍ୱର ବିଶ୍ୱର ନଜରରେ ରହିବ। ଏଣୁ ଆମ ବ୍ୟବସ୍ଥା ଏପରି ନହେବା କଥା ଯେଉଁଥିରେ ଆମେ ନିନ୍ଦିତ ନହେବୁ। ଗହଳି ଏକ ଚ୍ୟାଲେଞ୍ଜ୍ ନୁହେଁ, ବରଂ କ୍ଷୁଦ୍ରରୁ କ୍ଷୁଦ୍ର ଜିନିଷ ଉପରେ ଆମକୁ ନଜର ରଖିବାକୁ ହେବ। ମୁଁ ଭାବୁଛି ଓଡ଼ିଶା ପୁଲିସର ଯେଉଁ ଅଭିଜ୍ଞତା ରହିଛି ତାହା ଏପରି ମେଗା ଇଭେଣ୍ଟକୁ ପରିଚାଳନା କରିବାରେ ଯଥେଷ୍ଟ ସହାୟକ ହେବ। ୨୦୧୫, ନବକଳେବର ଯାତ୍ରା ସମୟରେ ମଧ୍ୟ ଓଡ଼ିଶା ପୁଲିସ ତାହାର ଦକ୍ଷତାକୁ ପ୍ରତିପାଦନ କରିଛି।

ଏଥିପାଇଁ କ’ଣ କରାଯିବା ଦରକାର?

ଦେଖନ୍ତୁ ପୁଲିସ ଇଭେଣ୍ଟ କରିବ ନାହିଁ। ଏହା ଭୁବନେଶ୍ୱର ସହରବାସୀଙ୍କ ପାଇଁ ସମ୍ମାନର ପ୍ରଶ୍ନ। ସେମାନେ କିପରି ଏକ ଛାପ ସହରକୁ ନେଇ ଖେଳାଳି, ଅନ୍ୟ ଦେଶର ନାଗରିକଙ୍କ ମନରେ ଛାଡ଼ୁଛନ୍ତି ତାହା ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ। ସେମାନେ ଭାବିବା ଦରକାର ଯେ, ଏହା ତାଙ୍କ ଇଭେଣ୍ଟ। ସେମାନେ ବିଚାର କରିବା ଦରକାର ଯେ, ଯେଉଁ ୨୦ ହଜାର ଲୋକ ଆସୁଛନ୍ତି ସେ ସମସ୍ତେ ହେଉଛନ୍ତି ଏ ସହରର ଅତିଥି। ଏଥିପାଇଁ ଆମେ ସୋଶାଲ‍୍‌ ମିଡିଆରେ ଏମିତି ଏକ କ୍ୟାମ୍ପେନ‍୍‌ କରିବା ଦରକାର ଯେ, ଲୋକେ ସେ ମନୋବୃତ୍ତିକୁ ଜାଗ୍ରତ କରିପାରିବେ। ସେମାନେ ଯେମିତି ଆଗନ୍ତୁକଙ୍କୁ ଅତିଥି ଭାବରେ ଗ୍ରହଣ କରିବେ ସେ ବାର୍ତ୍ତା ପ୍ରସାର କରିବା ଆବଶ୍ୟକ। ଏଥିପାଇଁ ସୋଶାଲ‍୍‌ ମିଡିଆ, ମେନ‍୍‌ଷ୍ଟ୍ରିମ‍୍‌ ମିଡିଆ ଏବଂ ଏଫ୍ ଏମ‍୍‌ ରେଡିଓ ଷ୍ଟେସନ‍୍‌ଗୁଡ଼ିକର ସହାୟତା ନିଆଯିବ।

ପୁଲିସକୁ ପେସା କରିବା କେତେ ଆନନ୍ଦ ଆପଣଙ୍କୁ ଦେଇଛି ନାଁ ଆଉ କିଛି ପେସା ହୋଇଥିଲେ ଭଲ ହୋଇଥାଆନ୍ତା ବୋଲି ଭାବନ୍ତି?

ମୁଁ ତ’ ତାହା କହିବିନି କେବେ। ମୋତେ ଏହି ପେସା ବେଶ‍୍‌ ଆନନ୍ଦ ଦେଇଛି। ଏସ‍୍‌ପି, ଡିଆଇଜି ଭାବେ ଲୋକଙ୍କ ମନକୁ ଛୁଇଁଲା ଭଳି କିଛି ପରିବର୍ତ୍ତନ ମୁଁ ଆଣିପାରିଥିବା ଅନୁଭବ ହେଉଛି। ଲୋକେ ଏବେବି ସେଗୁଡ଼ିକୁ ମନ ରଖିଛନ୍ତି। ଯେତେବେଳେ ଆମେ ବରିଷ୍ଠ ସ୍ତରକୁ ଆସିଲୁ ଏହା ସତ ଯେ, ଲୋକଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ କମିଲା। ପୁଲିସ‍୍‌ ହାଉସିଂ କର୍ପୋରେସନ‍୍‌ର ଚେୟାରମ୍ୟାନ‍୍‌ ହେଉ କି ପୁଲିସ ଏକାଡେମୀର ନିର୍ଦ୍ଦେଶକ ଅଥବା ପୁଲିସ‍୍‌ ମୁଖ୍ୟାଳୟରେ ଅତିରିକ୍ତ ଡିଜିପୁଲିସ ଭାବେ କାର୍ଯ୍ୟକରିବା ସମୟରେ ଲୋକ ସମ୍ପର୍କ ପାଇଁ ସୁଯୋଗ ନଥିଲା। କିନ୍ତୁ ଏସବୁ ପଦବୀରେ ରହି ସଂସ୍ଥା ପାଇଁ ଆପଣ ଅନେକ କିଛି କରିପାରିବେ। ବିଜୁ ପଟ୍ଟନାୟକ ପୁଲିସ‍୍‌ ଏକାଡେମୀରେ କାମ କରିବା ସମୟରେ ଅନେକ କିଛି କରିବାର ସୁଯୋଗ ମିଳିଥିଲା। ଯାହାଫଳରେ ସେହି ଅନୁଷ୍ଠାନ ଜାତୀୟ ସ୍ତରର ମାନ୍ୟତା ପାଇବା ସହ ଚଳଚଞ୍ଚଳ ହୋଇ ପାରିଥିଲା। ପୁଲିସ ହାଉସିଂରେ ମଧ୍ୟ ଗୋଲ‍୍‌ଡ୍ ମାନ୍ୟତା ପାଇଁ ଆମକୁ ସମ୍ପୂର୍ଣ୍ଣ କାର୍ଯ୍ୟଧାରାରେ ପରିବର୍ତ୍ତନ ଆଣିବାକୁ ପଡ଼ିଥିଲା। ଯଦି କୌଣସି ସ୍ଥାନରେ କାମ କରିବାବେଳେ ସଂସ୍ଥାକୁ କିଛି ଅବଦାନ ଦେଇପାରୁଛନ୍ତି ତେବେ ତା’ଠୁ ବଡ଼ କାମ କ’ଣ ହୋଇପାରେ! ମୁଁ ଯଦି ସୀମିତ ଶକ୍ତି, କ୍ଷମତା ଏବଂ ମାନବ ସମ୍ୱଳ ଭିତରେ ଏକ ପରିବର୍ତ୍ତନ ଏଜେଣ୍ଟ ଭାବେ କାର୍ଯ୍ୟ କରିପାରିଛି ତେବେ ତାହା ମୋ ପାଇଁ ଏକ ଆତ୍ମ ସନ୍ତୋଷର କଥା।

ପୁଲିସ ଟ୍ରେନିଂ ପ୍ରତିଷ୍ଠାନ, ହାଉସିଂ କର୍ପୋରେସନ‍୍‌, ରାଜ୍ୟ ପରିବହନ ନିଗମ ପ୍ରଭୃତିରେ ଆଇପିଏସ‍୍‌ମାନଙ୍କ ନିଯୁକ୍ତିକୁ ଅନେକ ସମୟରେ ମୁଖ୍ୟସ୍ରୋତ ପୁଲିସଠୁ ଦୂରେଇ ରଖିବା ଭଳି ନିଯୁକ୍ତି ସହ ତୁଳନା କରାଯାଏ। ଆପଣଙ୍କ ଅନେକ ଅଭିଜ୍ଞତା ଏ ଅନୁଷ୍ଠାନଗୁଡ଼ିକରେ ରହିଛି। କେମିତି ବୟାନ କରିବେ ସେହି ଚିରାଚରିତ ମତବାଦକୁ?

ଅନେକ ଅଧିକାରୀଙ୍କ ମନରେ ବି ଏମିତି ଧାରଣା ହୋଇଛି। ମୁଁ ଯେହେତୁ ସେଗୁଡ଼ିକୁ ଅତିକ୍ରମ କରି ଆସିଛି, ଏଣୁ ମୁଁ ଏତିକି କହିପାରିବି ଯେ, ସବୁ ଖରାପ ପରିସ୍ଥିତି ପୂର୍ଣ୍ଣତା ସୃଷ୍ଟି ପାଇଁ ଏକ ବଡ଼ ସୁଯୋଗ ଦିଏ। ମୁଁ ଏଗୁଡ଼ିକୁ ଗୋଟିଏ ଗୋଟିଏ ସୁଯୋଗ ବୋଲି ବର୍ଣ୍ଣନା କରିବି। ମୋତେ ପଢ଼ାପଢ଼ି କରିବା, ପରିବର୍ତ୍ତନକୁ ପରିଚାଳନା କରିବା ତଥା ବହିରେ ଲେଖାଯାଇଥିବା ଜିନିଷର ବାସ୍ତବକୁ ପରୀକ୍ଷା କରିବା ପାଇଁ ଏସବୁ ପଦବୀ ଏକ ସୁଯୋଗ ଭଳି ଲାଗେ। ଏଣୁ ମୁଁ ମୋ ଜୁନିୟରମାନଙ୍କୁ କହିବି ଯେ, ସେମାନଙ୍କୁ ଏହିସବୁ ଜିନିଷକୁ ଏ ଭିତରେ ଖୋଜିବାକୁ ହେବ।

ଆପଣ ଏକ ସାଇକେଲ‍୍‌ ଚଢ଼ାଳିଙ୍କ କ୍ଲବ‍୍‌ ମଧ୍ୟ ଗଢ଼ିଛନ୍ତି, ପିଲାଙ୍କ ପାଇଁ ଏକ ଟେନିସ‍୍‌ କୋଚିଂ ସେଣ୍ଟର କରିଛନ୍ତି। ତାହାର କାରଣ କଣ?

ସିଟିଡିଏ ଟେନିସ‍୍‌ କୋଚିଂ ଏକାଡେମୀ ହେଉଛି ସମାଜ ପ୍ରତି ମୋର ପ୍ରତିବଦ୍ଧତା ବୋଲି ବିଚାର କରିପାରିବେ। ମୁଁ ଭାବୁଛି ଏହାଦ୍ୱାରା କଟକରୁ କିଛି ଟେନିସ‍୍‌ ଖେଳାଳି ସୃଷ୍ଟି ହେବେ। ଏବେ ବର୍ଷକୁ ପାଖାପାଖି ୩୦୦ ପିଲା ଶିଖୁଛନ୍ତି। ଜଣେ କୋଚ‍୍‌ ବି ନିଯୁକ୍ତ ଅଛନ୍ତି। କିଏ ଜାଣିଛି ଏଥିରୁ ବି କି ଦିନେ ଜାତୀୟସ୍ତରରେ ସୁନାମ ଅର୍ଜନ କରିପାରେ! ସାଇକେଲ‍୍‌ ଚଳାଇବା ମୋର ଏକ ହବି। ମୁଁ ପ୍ରତିଦିନ ସାଇକେଲ‍୍‌ ଚଲାଏ। କଟକର ରିଂ ରୋଡ୍ ଏଥିପାଇଁ ଏକ ଉତ୍ତମ ପରିସର ଯୋଗାଇଥାଏ। ମୋ ଭଳି କିଛି ସମ ମାନସିକଧାରୀ ଏକାଠି ହେବାରୁ କଟକରେ ବାରବାଟୀ ସାଇକେଲ‍୍‌ ଚଢ଼ାଳିଙ୍କ କ୍ଲବ‍୍‌ ତିଆରି ହୋଇଛି।

ପ୍ରସ୍ତୁତି: ହରିହର ପଣ୍ଡା