ଶ୍ରୀକାନ୍ତଙ୍କ ରଙ୍ଗ ପରିବର୍ତ୍ତନ

0
184

ଭୁବନେଶ୍ୱର,(ଓଟି): ରାଜନୀତିରେ ସବୁ ସମ୍ଭବ। ଆଜି ଯିଏ ଶତ୍ରୁ ଆସନ୍ତାକାଲି ସିଏ ମିତ୍ର ହୋଇପାରିବ ବୋଲି କୁହାଯାଏ। ଏହି କଥାକୁ ଜନତା ଦଳରୁ କଂଗ୍ରେସ ଯାଇଥିବା ଶ୍ରୀକାନ୍ତ ଜେନା ଗତ ସପ୍ତାହରେ ପ୍ରମାଣିତ କରି ଦେଖାଇଛନ୍ତି। ରାଜନୈତିକ ଜୀବନକାଳ ମଧ୍ୟରେ ଶୀକାନ୍ତ ଯେଉଁ ପଟ୍ଟନାୟକ ପରିବାରକୁ ତୀବ୍ର ସମାଲୋଚନା କରି ନିଜ ମନକୁ ଶାନ୍ତି ଦେଇଥାନ୍ତି ସେହି ପଟ୍ଟନାୟକ ପରିବାରର ସଦସ୍ୟ ତଥା ବର୍ତ୍ତମାନର ପିସିସି ମୁଖିଆ ନିରଞ୍ଜନ ପଟ୍ଟନାୟକଙ୍କୁ ସାଙ୍ଗରେ ଧରି ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ବାଲେଶ୍ୱରରେ ବୁଲିବା ସହିତ ତାଙ୍କର ଢ଼େର ପ୍ରଶଂସା କରିଛନ୍ତି। କେବଳ ସେତିକି ନୁହେଁ ନିରଞ୍ଜନ କିପରି ମୁଖ୍ୟମନ୍ତ୍ରୀ ହେବେ ସେ ଦିଗରେ ଉଦ୍ୟମ କରୁଛନ୍ତି ବୋଲି କଂଗ୍ରେସ ମହଲରେ ଆଲୋଚନା ହେଉଛି।

ରାଜ୍ୟ କଂଗ୍ରେସ ରାଜନୀତିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ପୂର୍ବତନ ପିସିସି ମୁଖିଆ ଜୟଦେବ ଯେନାଙ୍କ କ୍ୟାମ୍ପର ବୋଲି ବିଚାର କରାଯାଏ। ଜୟଦେବ ଯେନାଙ୍କ ସ୍ଥାୟିତ୍ୱ ପାଇଁ ଅତୀତରେ ଶ୍ରୀକାନ୍ତ ପଟ୍ଟନାୟକ ପରିବାରର ଚଉଦପୁରୁଷ ଶ୍ରାଦ୍ଧ କରିବାକୁ ପଛାଇ ନାହାନ୍ତି। ଶ୍ରୀକାନ୍ତ ନିଜକୁ ଜଣେ ଦଳିତ ଓ ପଛୁଆ ବର୍ଗର ନେତାଭାବେ ପ୍ରତିଷ୍ଠା କରିବା ପାଇଁ ଉଦ୍ୟମ କରିଆସୁଛନ୍ତି। ଏହିକ୍ରମରେ ସେ ଚଳିତ ଥର ନିରଞ୍ଜନ ପିସିସି ମୁଖିଆ ହେବା ପରେ ଏକ ପ୍ରେସ ଇସ୍ତାହାର ମାଧ୍ୟମରେ ଦଳର ସଭାପତି ଓ କଂଗ୍ରେସ କ୍ଷମତାକୁ ଆସିଲେ ଜଣେ ପଛୁଆ ବର୍ଗର ନେତା ମୁଖ୍ୟମନ୍ତ୍ରୀ ହେବା ଆବଶ୍ୟକ ବୋଲି ଯୁକ୍ତି ବାଢ଼ିଥିଲେ। ଏହି ପ୍ରେସ ଇସ୍ତାହାର ମାଧ୍ୟମରେ ସେ ପଟ୍ଟନାୟକ ପରିବାରକୁ ତୀର ମାରିବା ସହିତ କେନ୍ଦୁଝର ଜିଲ୍ଳାର ଦଳିତ ନେତା ଜୟଦେବ ଯେନାଙ୍କୁ ଶକ୍ତିଶାଳୀ କରିବା ପାଇଁ ଉଦ୍ୟମ କରିଥିଲେ। କିନ୍ତୁ ଏହି ଚିଠି ଯୋଗୁଁ ସେ କଂଗ୍ରେସ ମହଲରେ ହଟହଟା ହୋଇଥିଲେ।

ନିରଞ୍ଜନ ଚଳିତ ଥର ପିସିସି ମୁଖିଆ ହେବା ପରେ ସମସ୍ତଙ୍କୁ ସାଙ୍ଗରେ ନେଇ ସଂଗଠନ ସମ୍ଭାଳିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ନିଜର ତଥା ନିଜ ପରିବାରର ଜଣାଶୁଣା ବିରୋଧି ଶ୍ରୀକାନ୍ତଙ୍କୁ ମନାଇବା ପାଇଁ ଗତ ଗଣେଷ ପୂଜା ଦିନ ତାଙ୍କ ବାସ ଭବନକୁ ଯାଇ ମାନଭଞ୍ଜନ କରିଛନ୍ତି ବୋଳି କଂଗ୍ରେସ ମହଲରେ ଆଲୋଚନା ହେଉଛି। ଏପରିକି କଂଗ୍ରେସର ଜାଗରଣ ଯାତ୍ରା ଶ୍ରୀକାନ୍ତଙ୍କ ଲୋକସଭା ନିର୍ବାଚନ ମଣ୍ଡଳୀ ବାଲେଶ୍ୱରରୁ ଆରମ୍ଭ କରି ନିରଞ୍ଜନ ଗୋଟିଏ ଗୁଳିରେ ଦୁଇଟି ଶୀକାର କରିଛନ୍ତି। ଏହା ଫଳରେ ଶ୍ରୀକାନ୍ତ ପିସିସିର ଜାଗରଣ ଯାତ୍ରାକୁ ସମାଲୋଚନା କିମ୍ୱା ଅସହଯୋଗର ସୁଯୋଗ ପାଇବେ ନାହିଁ। ଏପରି କି ନିରଞ୍ଜନଙ୍କ ନେତୃତ୍ୱରେ ବର୍ତ୍ତମାନ ରାଜ୍ୟ କଂଗ୍ରେସ ଠିକଣା ଦିଗରେ ଆଗେଇ ଚାଲିଛି ବୋଲି ନିଜ ନିର୍ବାଚନ ମଣ୍ଡଳୀରେ କହିବାକୁ ବାଧ୍ୟ ହେବେ। ନିରଞ୍ଜନଙ୍କ ଏହି ରଣନୀତି ସଫଳ ହୋଇଛି। ଶ୍ରୀକାନ୍ତ କଂଗ୍ରେସର ଜାଗରଣ ଯାତ୍ରାରେ ସାରଥି ସାଜି ନିରଞ୍ଜନଙ୍କୁ ପ୍ରଶଂସା କରିବା ସହିତ ନିଜର ପୁରୁଣା ସହଯୋଗୀ ଜୟଦେବଙ୍କ କ୍ୟାମ୍ପ ଛାଡ଼ିବାକୁ ବାଧ୍ୟ ହୋଇଛନ୍ତି।

ଶ୍ରୀକାନ୍ତ କେବଳ ଜୟଦେବଙ୍କ କ୍ୟାମ୍ପ ଛାଡ଼ି ନାହାନ୍ତି, ନିରଞ୍ଜନ କିପରି ଆଗାମୀ ମୁଖ୍ୟମନ୍ତ୍ରୀ ହେବେ ତାର ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଲେଣି। ଦଳିତ ଓ ପଛୁଆ ବର୍ଗର ନେତୃତ୍ୱ ପାଇଁ ସବୁବେଳେ ଯୁକ୍ତି ବାଢ଼ୁଥିବା ଶ୍ରୀକାନ୍ତ କିପରି ତାଙ୍କ ବିରୋଧି ତଥା ପଟ୍ଟନାୟକ ପରିବାରର ଜରେ ନେତାଭ୍କୁ ମୁଖ୍ୟମନ୍ତ୍ରୀ ହେବାର ପ୍ରସ୍ତାବ ଦେଇଛନ୍ତି ତାହା ରୀାଜନୀତିକ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି।

Loading...