ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକଙ୍କ ସହ ସାକ୍ଷାତକାର: “ଗଣତନ୍ତ୍ରରେ ବଂଶବାଦ ରହିବା କଥା ନୁହେ”

0
280

‘ଗାଁ ଗାଁ ବୁଲି ସ୍ୱାଧୀନତା ସଂଗ୍ରାମୀମାନେ ଗାନ୍ଧିଜୀଙ୍କ ବିଷୟରେ ଅନେକ କଥା କହୁଥାନ୍ତି । ଯେମିତି ତାଙ୍କ ଉପରେ ମାଡ଼ ହେଲା । ତାଙ୍କୁ ପୁଲିସ ଗିରଫ କରିନେଇଛି, ଆଜି ସେ ଅମୁକ ବାର୍ତ୍ତା ପଠାଇଛନ୍ତି… ଏମିତି ଅନେକ । ଏସବୁ ବାର୍ତ୍ତା ଲୋକଙ୍କ ମନରେ ରାଜନୀତିକ ଜାଗରଣ ସୃଷ୍ଟି କରୁଥାଏ । ମୁଁ ସେଥିରେ ପିଲାବେଳୁ ଅନୁପ୍ରାଣିତ ହୋଇଥିଲି । ଏହା ମୋ ଅଜାଣତରେ ହୋଇଥିଲା । ଧୀରେ ଧୀରେ ବୟସ ବଢ଼ିବା ସାଙ୍ଗକୁ ହେତୁ ବି ବଢ଼ିଲା । ଆଉ ମୁଁ ସଂଗ୍ରାମକୁ ଓହ୍ଲାଇଲି ।’ ୯୬ ବର୍ଷ ବୟସରେ ଉପନୀତ ହୋଇଥିବା ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଭବାନୀଚରଣ ପଟ୍ଟନାୟକଙ୍କ ଏହା ହେଉଛି ପିଲାଦିନର ସ୍ମୃତି । ସଂଯୋଗବଶତଃ ଆଜି ବୁଦ୍ଧ ପୂର୍ଣ୍ଣିମା, ତାଙ୍କ ଜନ୍ମଦିନ । ଉପସ୍ଥାପନ କରୁଛୁ ତାଙ୍କ ସହ କଥାବାର୍ତ୍ତାର କିୟଦଂଶ ।

 

[toggle title=”” state=”open”]ଜନ୍ମ: ୧୧ ମେ’ ୧୯୨୨ ( ବୁଦ୍ଧ ପୂର୍ଣ୍ଣିମା) ବାପା: ନାରାୟଣ ପଟ୍ଟନାୟକ ମା’: କୁମୁଦିନୀ ଦେବୀ[/toggle]

ପିଲାବେଳେ ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାର ଅନୁଭୂତି କେମିତି ଥିଲା?

ସେତେବେଳେ ମୋତେ ୭/୮ ବର୍ଷ ହୋଇଥାଏ । ମୁଁ ପ୍ରାଇମେରୀ ସ୍କୁଲ୍ରେ ପାଠ ପଢ଼ୁଥିଲି । ୧୯୩୦ ମସିହା ବୋଧ୍ହୁଏ । ତାରିଖ ଥିଲା ଡିସେମ୍ବର ୧୨ ତାରିଖ । ମୋର ମନେଅଛି ସେ ଦିନ, ଆମକୁ ଶୋଭାଯାତ୍ରାରେ ନିଆଯାଉଥିଲା- ପଞ୍ଚମ ଜର୍ଜଙ୍କ ସ୍ତୁତିଗାନ କରିବାପାଇଁ । ୧୯୧୨ ମସିହାର ଏହି ଦିନରେ ପଞ୍ଚମ ଜର୍ଜ ଭାରତ ଆସିଥିଲେ । ଏଣୁ ସେ ଦିନର ସ୍ମୃତିକୁ ତାଜା କରିବା ପାଇଁ ବିଭିନ୍ନ ଅଞ୍ଚଳରେ ସ୍କୁଲ୍ ପିଲାଙ୍କ ଶୋଭାଯାତ୍ରା ହୁଏ । ପିଲାଙ୍କୁ ମିଠେଇ ବି ଦିଆଯାଏ । ନିମାପଡ଼ା ଥାନା ପାଖାପାଖି ମୋ ପାଟିରୁ ପଞ୍ଚମ ଜର୍ଜଙ୍କ ସ୍ତୁତି ସହ ‘ମହାତ୍ମା ଗାନ୍ଧି କୀ ଜୟ’ ବୋଲି ବାହାରି ଆସିଲା । ଥରେ ନୁହେଁ ବାରମ୍ବାର । ଶିକ୍ଷକ ଜାଣିଲେ । ସ୍କୁଲ୍କୁ ଫେରିଲାପରେ କନିଆରୀ ଛାଟରେ ଦି’ଚାରି ପାହାର ଖାଇଲି । ଏହା ଥିଲା ଅବଚେତନ ମନରେ ଗାନ୍ଧିଜୀଙ୍କୁ ଭଲ ପାଇବା ଓ ତାଙ୍କ ରାସ୍ତାକୁ ଆପଣାଇବାର ଏକ ପ୍ରବୃତ୍ତି । କିନ୍ତୁ ସେ ଛାଟ ଯୋଗୁ ଗାନ୍ଧିଜୀଙ୍କ କଥା ମନରେ ରହିଗଲା । ଏହାହିଁ ଥିଲା ସେ ଛାଟର ପ୍ରତିକ୍ରିୟା ।

ଆନ୍ଦୋଳନର ମୁଖ୍ୟ ସ୍ରୋତରେ କେମିତି ସାମିଲ୍ ହେଲେ?

ଲୋକନାଥ ସେନାପତି, ଅଲେଖ ପାତ୍ର, ଉପେନ୍ଦ୍ର ମହାନ୍ତି ପ୍ରମୁଖ ସେତେବେଳେ ଛାତ୍ରନେତା ଥିଲେ । ସେମାନେ ବିଭିନ୍ନ ସ୍କୁଲ୍, କଲେଜ୍ରେ ଛାତ୍ରମାନଙ୍କୁ ଭାରତଛାଡ଼ ଆନ୍ଦୋଳନରେ ଯୋଗଦେବା ପାଇଁ ପ୍ରବର୍ତ୍ତାଉଥିଲେ । ବିଭିନ୍ନ ସରକାରୀ କୋଠାରେ ଜାତୀୟ ପତାକା ଉଡ଼ାଇବା ଥିଲା ଏ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ । ଏଥିରେ ମୁଁ ବି ସାମିଲ୍ ହୋଇଗଲି ।

ଆପଣ କେବେ ଆନ୍ଦୋଳନରେ ପ୍ରତ୍ୟକ୍ଷ ଭାବେ ସାମିଲ୍ ହେଲେ?

ଆନ୍ଦୋଳନର ଏକ ମନେ ପଡ଼ିଲାଭଳି ଦିନ ହେଉଛି ସେପ୍ଟେମ୍ବର୧୬, ୧୯୪୨ ମସିହା । ନିମାପଡ଼ା ବିଭିନ୍ନ ଅଞ୍ଚଳରୁ ଲୋକମାନେ ଯେମିତି ହଂସପଦା, ବିଷ୍ଣୁପୁର, ଚରଣପଦା ପ୍ରଭୃତି ଅଞ୍ଚଳରୁ ହାଟରେ ଏକାଠି ହେଲେ । ସେଠାରେ ଏକାଠି ହୋଇ ସ୍ଥିର କଲେ ଥାନା ଦଖଲ କରିବାକୁ ଯିବୁ । ଥାନା ପାଖରେ ପହଞ୍ଚିଲା ପରେ ଥାନାବାବୁ କହିଲେ କ’ଣ ହେଲା? ଆମେ କହିଲୁ- ଚାକିରି ଛାଡ଼ । ସେ କହିଲେ ୭ ଦିନ ସମୟ ଦିଅ । ଆମେ କହିଲୁ ନା ଦେଇ ହେବନାହିଁ । ଏମିତି ଉଚ୍ଚବାଚ ଚାଲିଲା । ଟଣାଟଣି ବି ହେଲା । ସେପଟେ ରିଜର୍ଭ ପୁଲିସ ଆସି ଠିଆ ହୋଇଥାନ୍ତି । ଏହି ସମୟରେ ସାଇକେଲ୍ରେ ବସି ଗୋପ ଆଡ଼ୁ ଥାନା ବାବୁ ପହଞ୍ଚିଲେ । ଆମେସବୁ ସାଇକେଲ୍ ଆଗରେ ପଡ଼ିଗଲୁ । ସେ କହିଲେ କ’ଣ ହେଲା? ସବୁ ବୁଝିଲା ପରେ କହିଲେ ମୋତେ ଭିତରକୁ ଛାଡ଼ିଲେ ମୁଁ ଚାକିରି ଛାଡ଼ିବି । ଏମିତି ଆଲୋଚନା ଭିତରେ ପୁଲିସ ଶୂନ୍ୟରେ ଗୁଳି ଚଳାଇଲେ । ସେତେବେଳେ ଲୋକେ ଆଡ଼େଇ ଯାଉଥିଲେ । ମୁଁ ସମସ୍ତଙ୍କୁ ବୁଝାଇବାକୁ ଚେଷ୍ଟା କଲି । ଗାନ୍ଧିଙ୍କ କଥା କହିଲି । ସେତେବେଳେ କ୍ଷେତ୍ରମୋହନ ମହାନ୍ତି ୟୁନିୟନ ସଭାପତି ଥିଲେ । ସେ ଆମ ଗାଁ ଲୋକ । ସେ ଆସି ଗାଁରେ ଅନ୍ୟମାନଙ୍କୁ କହିଲେ ଆଜି ଭବାନୀର କିଛି ଗୋଟିଏ ଘଟିବ । ସେ ଯେମିତି ଭାବେ ସଂଗ୍ରାମ କରୁଛି ତା ଉପରେ ଗୁଳି ନିଶ୍ଚିତ ବାଜିବ । ଏଣୁ ଗାଁ ଲୋକେ ଗୋଳମାଳ ଆଶଙ୍କାରେ ବ୍ରଜବିହାରୀ ପଟ୍ଟନାୟକ, ଦୀନବନ୍ଧୁ ଧଳ ପ୍ରମୁଖ ମୋତେ ଟେକିକି ନେଇ ଆସିଲେ । ଜଣେ ସେହି ଗୁଳିରେ ଟଳିପଡ଼ିଲେ । ସେ ଥିଲେ ଉଚ୍ଛବ ମଲ୍ଲିକ । ୩୦ ଆହତ ହେଲେ । ସେଠି ଏବେ ସହିଦ ଉଚ୍ଛବଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି ।

ଘରେ କିଛି କହିଲେ ନାହିଁ?

ଘରେ ମୁଁ ଛଅ ଭଉଣୀରେ ଗୋଟିଏ ପୁଅ । ଭଉଣୀମାନେ ବାହା ହୋଇସାରିଥିଲେ । ବାପା ପରକାଳ ଚାଲିଯାଇଥାନ୍ତି । ମା’ ମୋତେ ଏସବୁ ପାଇଁ ମନା କରୁଥିଲେ । କିନ୍ତୁ ଗାଁ ଓ ପଡ଼ିଶା ଘରେ ଥିବା ସଂଗ୍ରାମୀଙ୍କ ସଂସ୍ପର୍ଶରେ ଆସି ଧୀରେ ଧୀରେ ସଂଗ୍ରାମୀ ପାଲଟୁଥାଏ । ବିଭିନ୍ନ ସ୍ଥାନରେ ହେଉଥିବା ସଂଗ୍ରାମୀ ସଭାରେ ମୁଁ ଯୋଗ ଦେଉଥିଲି ।

ସେତେବେଳେ ସଂଗ୍ରାମ କାହା ବିରୋଧରେ ଥିଲା?

ସଂଗ୍ରାମ ଥିଲା କେବଳ ଇଂରେଜଙ୍କୁ ବିରୋଧ କରିବା, ଅଫିସ କଚେରି ବନ୍ଦ କରିବା । ସେଠାରେ ଜାତୀୟ ପତାକା ଉଡ଼ାଇବୁ । ଏଥିଲାଗି ଅସ୍ତ୍ର ବୋଲି କିଛି ନଥିଲା । ଶୁଣିଲେ ଏବେ ହସ ଲାଗିବ । ଆମେ ପିଚକାରୀ ଧରି ସଂଗ୍ରାମକୁ ଯାଉଥିଲୁ । ତା’ର କାରଣ ହେଲା କିରାସିନିକୁ ପିଚକାରୀରେ ଭର୍ତ୍ତି କରି ଦୂରରେ ଥିବା ଚାଳଘର ଉପରକୁ ସହଜରେ ପକାଯାଇପାରିବ । ଆଉ ପରବର୍ତ୍ତୀ ସମୟରେ ତାକୁ ଜାଳିବା ସହଜ ହେବ । ନିମାପଡ଼ା ଥାନା ଘେରାଉବେଳେ ତାହା ମଧ୍ୟ ଆମ ଉଦ୍ଦେଶ୍ୟ ଥିଲା । କିନ୍ତୁ ପୁଲିସ ଘେରିଗଲେ, ଆଉ ତାହା ସମ୍ଭବ ହୋଇପାରି ନଥିଲା ।

 

ପିଲାବେଳେ କେହି କହିନାହାନ୍ତି ସଂଗ୍ରାମରେ ଯୋଗ ଦେବାଲାଗି?

ନା, ଆମେ ବିଭିନ୍ନ ସଭାସମିତି ଯାଉଥିଲୁ । ସେମାନେ ଗାନ୍ଧିଜୀ କ’ଣ କହିଛନ୍ତି ତାହା ସେହି ସଭାସମିତିରେ ବକ୍ତୃତା ମାଧ୍ୟମରେ ଜଣାଇ ଦେଉଥିଲେ । ଗୋଟିଏ ପ୍ରକାରର ସତ୍ୟାଗ୍ରହର ବାତାବରଣ ସୃଷ୍ଟି ହୋଇଥିଲା । ଲୋକେ ମନକୁମନ ସେଥିରେ ସାମିଲ ହୋଇଯାଉଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଭାରତର ଯୋଗଦାନ ଓ ଏଠାର ଲୋକଙ୍କୁ ଯୁଦ୍ଧରେ ସାମିଲ୍ କରିବା ନେଇ ଗାନ୍ଧିଜୀ ଆପତ୍ତି ଜଣାଇଲେ । ସେଇଠୁ ଆରମ୍ଭ ହେଲା ବ୍ୟକ୍ତିଗତ ସତ୍ୟାଗ୍ରହ । ଓଡ଼ିଶାରେ ପ୍ରାଣକୃଷ୍ଣ ପଢ଼ିଆରୀ ହେଲେ ପ୍ରଥମ ବ୍ୟକ୍ତିଗତ ସତ୍ୟାଗ୍ରହୀ । ଆମ ଅଞ୍ଚଳର ମୋହନ ଦାସ, ଈଶ୍ୱର ଦାସ ପ୍ରମୁଖ ବ୍ୟକ୍ତିଗତ ସତ୍ୟାଗ୍ରହ କରୁଥିଲେ । ବ୍ୟକ୍ତିଗତ ସଂଗ୍ରାମୀମାନେ କେବଳ କହୁଥିଲେ ‘ବ୍ରିଟିଶ୍ ସରକାରଙ୍କୁ ଏ ଯୁଦ୍ଧରେ ସାହାଯ୍ୟ କରିବା ମହାପାପ’ । ଆଉ କିଛି କହୁନଥିଲେ, କି ବକ୍ତୃତା ଦେଉନଥିଲେ । କିନ୍ତୁ ଏହା କହି ଯିଏ ସତ୍ୟାଗ୍ରହରେ ବସୁଥିଲା ପୁଲିସ ତାକୁ ଗିରଫ କରୁଥିଲା । ସେତେବେଳେ ଏହି ସ୍ଲୋଗାନ୍ ଜନଆନ୍ଦୋଳନର ଏକ ମନ୍ତ୍ର ଭାବେ ପରିଚିତ ହୋଇଥିଲା ।

ଆପଣ କେବେ ସତ୍ୟାଗ୍ରହରେ ଯୋଗ ଦେଇଥିଲେ?

ନାଁ, ମୁଁ ସେତେବେଳେ ଛୋଟ ପିଲା ଥିଲି । ପାରିପାଶ୍ୱର୍ରେ ଯାହା ସବୁ ଘଟଣା ଘଟୁଥିଲା ତାହାକୁ କେବଳ ପର୍ଯ୍ୟବେକ୍ଷଣ କରୁଥିଲୁ । ଯାହାର ପ୍ରଭାବ ମୋ ଉପରେ ପଡ଼ିଥିଲା । ସେଇଥିପାଇଁ ତ’ କେହି କିଛି କହିବା ପୂର୍ବରୁ ମୁଁ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇଥିଲି ।

ଜେଲ୍ ଭିତରେ ପରିବେଶ କେମିତି ଥିଲା?

ଆମେସବୁ ରାଜନୀତିକ ବନ୍ଦୀ ଥିଲୁ । ସେତେବେଳେ ଦୁର୍ଭିକ୍ଷ ଆରମ୍ଭ ହୋଇଥାଏ । ଜେଲ୍ରେ ସଂଗ୍ରାମୀମାନେ ବିଭିନ୍ନ ବିଷୟରେ ବନ୍ଦୀମାନଙ୍କ ସହ ଆଲୋଚନା କରୁଥାନ୍ତି । ବିଶେଷକରି ଗାନ୍ଧିଜୀଙ୍କ ବିଷୟ, ଜେଲ୍ରେ ସୁବିଧା ସୁଯୋଗ ଆଲୋଚନା ହେଉଥିଲା । । ନବକୃଷ୍ଣ ଚୌଧୁରୀ ମଧ୍ୟ ଆମ ସଙ୍ଗେ ଜେଲ୍ରେ ଥିଲେ । ସେ ଯୁବକମାନଙ୍କ ଭିତରେ ରାଜନୀତିକ ସଚେତନତା ସୃଷ୍ଟି କରୁଥିଲେ । ପିଲାମାନଙ୍କୁ ଜେଲ କାନ୍ଥ ଡେଇଁ ପଳାଇବାରେ ସାହାଯ୍ୟ କରୁଥିଲେ । ଏମିତିରେ ସେ ସଫଳ ବି ହେଉଥିଲେ । ଅଲେଖ ପାତ୍ର, ଲୋକନାଥ ସେନାପତିଙ୍କୁ ଜେଲ୍ କାନ୍ଥ ଡେଇର୍ଁ ସେ ପାର କରାଇ ଦେଇଥିଲେ । ଏହା ତିନିଦିନ ଯାଏ ଜେଲ୍ କର୍ତ୍ତୃପକ୍ଷଙ୍କୁ ଜଣାପଡ଼ି ନଥିଲା । ଦିନେ ଜେଲ୍ ୱାର୍ଡର୍ଠାରୁ ଖଇନି ଖାଉଖାଉ ଆଉ ଜଣେ ସଂଗ୍ରାମୀ ନବ ମହାନ୍ତି ତାଙ୍କୁ ଏ ବିଷୟରେ ସୂଚନା ଦେବାକୁ ସେ ଜାଣିଲେ ।

ଆପଣ କେବେ ଚାହିଁନଥିଲେ ଜେଲ୍ରୁ ଖସିଯିବା ଲାଗି?

ହଁ, ଚାହିଁଥିଲି । ଯେଉଁ ଭଲିବଲ୍ ଖେଳ ହୁଏ ତା’ରି ନେଟ୍ ସାହାଯ୍ୟରେ ଆମେ କାନ୍ଥ ପାର ହେଉଥିଲୁ । ଆମେ ତିନିଜଣ ଦିନେ ଚାହିଁଥିଲୁ କାନ୍ଥ ପାର୍ ହେବାକୁ କିନ୍ତୁ ସମ୍ଭବ ହୋଇପାରି ନଥିଲା । ଜେଲ୍ ଭିତରେ ଏମିତି ଗୋଳମାଳିଆ ପରିସ୍ଥିତିକୁ ଦେଖି ନବବାବୁଙ୍କୁ ସ୍ଥାନାନ୍ତରଣ କଲେ । ତାଙ୍କୁ ପୁଲିସ ବେଶ୍ ଡରୁଥିଲା । କାରଣ ସେ ଯୁବକମାନଙ୍କୁ ରାଜନୀତିକ ସଚେତନତା ହାସଲ୍ କରିବାରେ ସହାୟକ ହେଉଥିଲେ । କଟକ, ବ୍ରହ୍ମପୁର ପ୍ରଭୃତି ବିଭନ୍ନ ଜେଲ୍ରେ ସେ ବନ୍ଦୀ ଜୀବନ ବିତାଇଛନ୍ତି । ଆମକୁ ମଧ୍ୟ ୧୯୪୫ ମସିହା ବେଳକୁ କଟକ ଚୌଦ୍ୱାର ଜେଲ୍କୁ ସ୍ଥାନାନ୍ତରଣ କରାଯାଇଥିଲା । ସେଠାରେ ଦୋଷ ସାବ୍ୟସ୍ତ ହୋଇଥିବା କଏଦୀମାନେ ରହୁଥିଲେ । ପରେ ବିଜୁ ପଟ୍ଟନାୟକ ମଧ୍ୟ ଆମ ସହ ଯୋଗ ଦେଇଥିଲେ ।

  ଜେଲ୍ ଭିତରେ ଏମିତି ଏକ ମନେ ପକାଇଲା ଭଳି ମୁହୂର୍ତ୍ତ?

ପୁରୀ ଜେଲରେ ଆମେ ଥାଉ । ଥରେ ଜେଲ୍ ଅଥରିଟି ଚେଷ୍ଟା କରୁଥିଲେ ଆମ ସଙ୍ଗେ ଦୋଷୀ ସାବ୍ୟସ୍ତ ବନ୍ଦୀମାନଙ୍କ ଭିତରେ ଗଣ୍ଡଗୋଳ ସୃଷ୍ଟି କରିବାକୁ ଚାହିଁଲେ । ନବ ବାବୁ ସେତେବେଳେ ଥାଆନ୍ତି । ସେତେବେଳେ ପୁରୀ ଜେଲରେ ପାଇଖାନା ହୋଇନଥିଲା । ପ୍ରତି କୋଠରିରେ ଟୁକୁରୀ ଥାଏ। ପାଣି ରଖିବାକୁ ଏକ ଲମ୍ବା କୁଣ୍ଡ ଥିଲା । ସେଠି ପ୍ରଥା ଥିଲା ସେଇ ଟୁକୁରୀଗୁଡ଼ିକୁ ପ୍ରତିଦିନ ସକାଳେ ଦୋଷୀ ସାବ୍ୟସ୍ତ କଏଦୀମାନେ ସଫା କରିବେ । ରୋଷେଇ ବି ସେମାନେ କରୁଥିଲେ । ଏହାକୁ ନେଇ ଅଥରିଟି ଆମ ଭିତରେ ବିବାଦ ସୃଷ୍ଟି କରିବାକୁ ଚାହୁଁଥିବା ଆମେ ଜାଣିପାରିଲୁ । ଆଉ ଆମେ ରାଜନୀତିକ ବନ୍ଦୀମାନେ ଚାହିଁଲୁ ନିଜ କାମ ନିଜେ କରିବୁ । ଭଗବାନଙ୍କ କୃପାରୁ ମୁଁ ପସନ୍ଦ କଲି ଟୁକୁରି ସଫା ଦାୟିତ୍ୱ ନେବାକୁ ଅନେକ ଦିନ ମୁଁ ସେଇ ଦାୟିତ୍ୱ ନିଭାଇଛି । ଏହା ମୋର ସୌଭାଗ୍ୟ ଥିଲା । ଆଜି ପର୍ଯ୍ୟନ୍ତ ମୁଁ ସଫେଇ କାର୍ଯ୍ୟକ୍ରମକୁ ଆଗଭରା ହୋଇ ତା’ର ନେତୃତ୍ୱ ନେଉଥିଲି ।

ସେଇ ଭାବନାଟି ଏବେ କାହିଁକି ନାହିଁ? ଜାତୀୟତାବାଦର ଅବକ୍ଷୟ ହୋଇଛି ବୋଲି ଆପଣ ଭାବୁଛନ୍ତି କି?

କହିବା ଏବଂ କରିବାର ଅବକ୍ଷୟ ହୋଇଛି । ଆମେ ଯାହା କହୁଛୁ ତାହା କରୁନାହୁଁ କି ଯାହା କରୁଛୁ ତାହା କହୁନାହୁଁ । କିନ୍ତୁ ଶିକ୍ଷାର ଢେର ପ୍ରଗତି ହୋଇଛି । ତ୍ୟାଗ ନାହିଁ । ଏବେ ଆମେ ସମସ୍ତେ ଭୋଗ କରିବାକୁ ପସନ୍ଦ କରୁଛୁ ।

କାହିଁକି ସେ ତ୍ୟାଗ ମନୋଭାବ ରହୁନାହିଁ? ଏହାର ଆବଶ୍ୟକତା ଏବେ କାହିଁକି?

କିଏ କହିଲା ଆବଶ୍ୟକତା ନାହିଁ । ଦେଶ ସ୍ୱାଧୀନ ହୋଇଗଲା ବୋଲି କ’ଣ ତ୍ୟାଗର ଆବଶ୍ୟକତା ନାହିଁ । ତ୍ୟାଗ ନକଲେ ସମାଜର ପ୍ରଗତି ଅସମ୍ଭବ । ସ୍ୱାର୍ଥପରତା ଯୋଗୁଁ ଏହା ହେଉଛି । ଏହାର ଅର୍ଥ ନୁହେଁ ଯେ, ଦେଶର ପ୍ରଗତି ହେଉନାହିଁ । ଦେଶ ଆଗକୁ ବଢ଼ୁଛି । ଆମେ ବେଶ୍ ଆଗରେ ରହିଛୁ ।

 ଅସହିଷ୍ଣୁତା ପ୍ରସଙ୍ଗ ଏବେ ବେଶ୍ ଚର୍ଚ୍ଚିତ । କେମିତି ଦେଖୁଛନ୍ତି ଏ ପ୍ରସଙ୍ଗକୁ?

ଅସହିଷ୍ଣୁତା ଦିନକୁ ଦିନ ବଢ଼ି ଚାଲିଛି । ଦେଖୁନାହାନ୍ତି ବିଧାନସଭାକୁ । ସଂସଦକୁ ଦେଖୁନାହାନ୍ତି । ସେଇଠୁ ବୁଝନ୍ତୁ ଯେଉଁମାନଙ୍କୁ ଦେଶର ଲୋକେ ନିର୍ବାଚିତ କରିଛନ୍ତି ସେମାନେ ସେଠାରେ କରୁଛନ୍ତି କ’ଣ? ଅସହିଷ୍ଣୁତା ବଢ଼ିବା ଆଜିର କାରଣ ନୁହେଁ । ହଠାତ୍ ଏହା ବଢ଼ିନାହିଁ । ଏହା ଏକ କ୍ରମବର୍ଦ୍ଧିଷ୍ଣୁ ବ୍ୟାପାର । ସ୍ୱାର୍ଥପରତା ଓ ହୀନ ରାଜନୀତି ଯୋଗୁଁ ଏହା ବଢ଼ିଛି । ଏହାକୁ ରୋକିବା ଲାଗି ଆମେ ମନର ଭାବନାକୁ ପରିବର୍ତ୍ତନ କରିବା ଦରକାର ଏଥିଲାଗି ଶିକ୍ଷା କ୍ଷେତ୍ରରେ ସଂସ୍କାର ଆସିବା ଦରକାର । କିନ୍ତୁ ଭୋଟ୍ ପାଇଁ ଆମେ ସବୁ ନୀତି ଆଦର୍ଶକୁ ଜଳାଞ୍ଜଳି ଦେଉଛୁ । ଖାଲି ସବୁ ମାଗଣା କେମିତି ହେବ ସେ କଥା ଚିନ୍ତା କରୁଛୁ । ଏହି ମାଗଣା ପରମ୍ପରା ନା ଦେଶକୁ ହିତକର ନା ଏହାର ଜନସାଧାରଣଙ୍କୁ ।

ବିଭିନ୍ନ ଯୋଜନାରେ ଦିଆଯାଉଥିବା ସବସି କୁ କେମିତି ଦେଖୁଛନ୍ତି ।

ଏହାକୁ ସମାଲୋଚନା କରାଯିବା ଦରକାର କାରଣ ଲୋକ ଆଉ ପରିଶ୍ରମ କରୁନାହାନ୍ତି । ଆମେ ତାକୁ ପରିଶ୍ରମ କରିବାକୁ ଦେଉନାହୁଁ । ଚୀନରେ ଏହା ହୁଏ ନାହିଁ । ତେଣୁ ସେମାନେ ଆମଠୁ ଆଗରେ । ଏହାର ଅର୍ଥ ନୁହେଁ ଯେ, ଆମେ ଗଣତନ୍ତ୍ରକୁ ଅପସାରିତ କରିବା । ଗଣତନ୍ତ୍ରରେ ସଂସ୍କାର ଆଣିବାକୁ ପଡ଼ିବ । ଏବେ ଗଣତନ୍ତ୍ରରେ ରାଜତନ୍ତ୍ର ପ୍ରବେଶ କରିଛି । ବଂଶବାଦରେ ଆମେ ବିଶ୍ୱାସ କରୁଛୁ । ଏହାକୁ ଅପସାରଣ କରିବା ଦରକାର । ଏଥିଲାଗି ଜନସଚେତନତା ସୃଷ୍ଟି ଆବଶ୍ୟକ ।

 

ସାକ୍ଷାତ: ହରିହର ପଣ୍ଡା