ଦାମଙ୍କୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ

0
118

ଭୁବନେଶ୍ୱର,(ଓଟି): ବିଜେଡି ଦଳରୁ ବହିଷ୍କୃତ ହୋଇଥିବା ଡା.ଦାମୋଦର ରାଉତ ଯେଉଁସବୁ ଅଭିଯୋଗ ଆଣିଛନ୍ତି ତାହା ଉପରେ ରାଜ୍ୟ ସରକାର ସିବିଆଇ ତଦନ୍ତ କରିବା ଆବଶ୍ୟକ। ଯଦି ସିବିଆଇ ତଦନ୍ତ କରାନଯାଏ ତେବେ ବିଜେପି ରଜରାସ୍ତାକୁ ଓହ୍ଲାଇବ ବୋଲି ବିଜେପି ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ରାଜ୍ୟ ସରକାର କଥା କଥାରେ କମିଶନ୍ ବସାଉଛନ୍ତି ମାତ୍ର ସେଥିରୁ କୌଣସି ସୁଫଳ ମିଳୁନାହିଁ । ୩୦୦ କୋଟି ଟଙ୍କା ଦୁର୍ନୀତି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ବର୍ତମାନ ଜେଲରେ ଥିବା ବେଳେ ଓଡିଶାରେ ଯେତେ ସବୁ ଦୁର୍ନୀତି ହୋଇଛି ସେଥିରେ ସମ୍ପୃକ୍ତ ଥିବା ମନ୍ତ୍ରୀ ବା ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ସରକାର ଏସମ୍ପର୍କରେ ଚୁପ୍ ହୋଇ ବସି ରହିଛନ୍ତି । ଏହା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ବିଜେପିର ଏହି ଅଭିଯୋଗ ପରେ ଏହାର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ପ୍ରତାପ ଦେବ। ବିଜେପି ଯେଉଁ ସବୁ ପ୍ରସଙ୍ଗ ଉଠାଇଛି ତାହା ବିଧାନସଭାରେ ଆଲୋଚନା ହୋଇଛି। ନବୀନଙ୍କ ନିଷ୍ପତ୍ତି ଉପରେ ଯେଉଁ ସବୁ ଆଲୋଚନା ହୋଇଛି, ବିଜେପି ନିର୍ବୋଧତା ବୋଲି ସେ କହିଛନ୍ତି।

ଦାମଙ୍କ ଅଭିଯୋଗର ତଦନ୍ତ ହେଉ:ଖାରବେଳ ସ୍ୱାଇଁ


ପୂର୍ବତନ ମନ୍ତ୍ରୀ ଡ଼ାକ୍ତର ଦାମୋଦର ରାଉତଙ୍କ ଅଭିଯୋଗର ତଦନ୍ତ ହେଉ ବୋଲି ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ୱାଇଁ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଦାମ ବାବୁଙ୍କୁ ଯେଉଁ କାରଣରୁ ବିଜୁ ଜନତା ଦଳରୁ ବହିଷ୍କାର କରାଯାଇଛି କରାଯାଇଛି ସେଥିରେ ଉତ୍କଳ ଭାରତର କିଛି ମତାମତ ଦେବାର ନାହିଁ। ଏହା ବିଜେଡିର ଆଭ୍ୟନ୍ତରୀଣ ବ୍ୟାପାର। କିନ୍ତୁ ବିଜେଡି ସରକାରର ବିଭିନ୍ନ ବିଭାଗମାନଙ୍କରେ ଯେଉଁ କୋଟି କୋଟି ଟଙ୍କାର ଦୁର୍ନୀତିର ଅଭିଯୋଗ ସେ କରିଛନ୍ତି ତାହା ମିଥ୍ୟା ବୋଲି କହି କିପରି ଆଡେ଼ଇ ଦେଇହେବ? ମନ୍ତ୍ରୀ ଥିଲାବେଳେ ସେ କାହିଁକି ଏ ଅଭିଯୋଗ କରୁନଥିଲେ ବୋଲି ବିଜେଡି ପକ୍ଷରୁ ଯେଉଁ ଯୁକ୍ତି ବଢ଼ଯାଉଛି ତାହା ଗ୍ରହଣୀୟ ନୁହେଁ। ପୂର୍ବରୁ ସେ ଏହି ଅଭିଯୋଗ କରୁନଥିଲେ ବୋଲି ଆଜି କ’ଣ କରିପାରିବେ ନାହିଁ।

ସୂଚ଼ନାଯୋଗ୍ୟ ଯେ ଆମେରିକାର ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ରାଷ୍ଟ୍ରପତି ହେବାର ବହୁ ପୂର୍ବରୁ କେଉଁ କଲଗାର୍ଲ ସହ ଯୌନ ସମ୍ପର୍କ ରଖିଥିଲେ ଓ କଥାକୁ ଲୁଚାଇବା ପାଇଁ ତାଙ୍କୁ ଅର୍ଥ ଯାଚି଼ଥିଲେ ତା’ର ତଦନ୍ତ ଏବେ ହେଉଛି କିପରି? ଚି଼ଟଫଣ୍ଡ ଦୁର୍ନୀତିରେ ଯେଉଁ ଦଳର ବିଧାୟକ, ସାଂସଦ, ଆଡଭୋକେଟ ଜେନେରାଲମାନେ ଗିରଫ ହୋଇ ଜେଲରେ ଥିଲେ ସେ ଦଳର ମନ୍ତ୍ରୀମାନେ କ’ଣ ଦୁର୍ନୀତି କରିଥିବା ଅସମ୍ଭବ? ବରଂ ୧୮ ବର୍ଷର ଶାସନ ପରେ ବିଜୁ ଜନତା ଦଳ ଅତିରିକ୍ତ ଭ୍ରଷ୍ଟାଚ଼ାରୀ ଓ ଅହଂକାରୀ ପୋଇପଡ଼ିଛି। ବର୍ତମାନ ତାଙ୍କରି ଦଳର ଜଣେ ବରିଷ୍ଠ ନେତା ସେହି ଦୁର୍ଗଣଗୁଡି଼କୁ ପଦାରେ ପକେବାରେ ଲାଗିଛନ୍ତି। ଓଡ଼ିଶାର ଜନସାଧାରଣ ଏ ସମ୍ପର୍କରେ ଗଭୀର ବିଶ୍ଳେଷଣ କରିବା ଉଚି଼ତ ଓ ୨୦୧୯ରେ ଏହାକୁ କ୍ଷମତାଚ୍ୟୁତ କରିବା ଉଚି଼ତ।

ବିଜେପିର ମତିଭ୍ରମ ହୋଇଛି: ପ୍ରତାପ ଦେବ

ବିଜେଡିକୁ ବିଜେପିର ପରାମର୍ଶ ଲୋଡ଼ା ନାହିଁ। ଆମ ସଭାପତି ଯାହା କାର୍ଯ୍ୟାନୁଷ୍ଠାନ ନେଲେ ବିଜେପି କାହିଁକି ଉଦବେଗ ପ୍ରକାଶ କରୁଛି। ବର୍ତ୍ତମାନ ବିଜେପିର ମତିଭ୍ରମ ହୋଇଛି ବୋଲି କହିଛନ୍ତି ବିଜେଡି ସାଂସଦ ପ୍ରତାପ ଦେବ। ବିଭିନ୍ନ ଦୁର୍ନୀତି ପ୍ରସଙ୍ଗକୁ ନେଇ ବିଜେପିର ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ସରକାରଙ୍କୁ ଟାର୍ଗେଟ କରିବା ପରେ ପ୍ରତାପ ଦେବ ଏହା କହିଛନ୍ତି।

ପୀତାମ୍ବର ଅଚାର୍ଯ୍ୟଙ୍କୁ କଡ଼ା ଜବାବ ଦେଇ ପ୍ରତାପ ଦେବ କହିଛନ୍ତି ଯେ, ଉଭୟ ବିଜେପି ଓ ପୀତାମ୍ବରଙ୍କ ମତିଭ୍ରମ ହୋଇଯାଇଛି। ଆମ ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସେନେଇ ବିଜେପି କାହିଁକି ଉଦବେଗ ପ୍ରକାଶ କରୁଛି।  ଦୁର୍ନୀତି ଅଭିଯୋଗ କଥା ବିଧାନସଭାରେ ଆଲୋଚନା ହୋଇଛି।  ଦୁର୍ନୀତି ଅଭିଯୋଗ ଉପରେ ସରକାର ପଦକ୍ଷେପ ନେବେ। ଏନେଇ ବିଜେପିର କୌଣସି  ପରାମର୍ଶ ଦରକାର ନାହିଁ ବୋଲି ପ୍ରତାପ ଦେବ କହିଛନ୍ତି। ଏହାଛଡ଼ା  ବିଜେପି,ବିଜେଡି ଦ୍ୱାରା ପ୍ରଭାବିତ ଏବଂ ୧୨୦ ଦମ୍ଭୋକ୍ତି ଏବେ ଜଣାପଡ଼ୁନି ବୋଲି ପ୍ରତାବ ଦେବ କହିଛନ୍ତି।