ଏବେ ବିଜେଡିକୁ ବିପଦ ଦାମ

0
2878

ଭୁବନେଶ୍ୱର,(ଓଟି): ସରକାରରେ ଦୁର୍ନୀତି ଅଭିଯୋଗ ଆଣିଥିବା ବିଜେଡିର ପୁରୁଖା ତଥା ଅଭିଜ୍ଞ ବିଧାୟକ ଡ଼ା. ଦାମୋଦର (ଦାମ) ରାଉତଙ୍କୁ ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳରୁ ବହିଷ୍କାର କରିସାରିଛନ୍ତି। ଦାମଙ୍କ ବହିଷ୍କାର ପରେ କାହାର କ୍ଷତି କାହାର ଲାଭ ହେବ ତାହା ଏବେ ରାଜନୀତିକ ମହଲରେ ଆଲୋଚନାର ବିଷୟବସ୍ତୁ ପାଲଟିଛି। ଦାମ ତାଙ୍କ ଜୀବନର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ରାଜନୀତିରେ ରହିଲେ ବର ନ ରହିଲେ ତାଙ୍କର ବିଶେଷ କ୍ଷତି ହେବ ନାହିଁ। କିନ୍ତୁ ସରକାରରେ ଚାଲିଥିବା ଯେଉଁ ଦୁର୍ନୀତି ପ୍ରସଙ୍ଗ ଦାମ ଉଠାଇଛନ୍ତି ତାର ଉତ୍ତର ନ ଦେଇ ମୁଖ୍ୟମନ୍ତ୍ରୀ ତାଙ୍କ ଦଳରୁ ବହିଷ୍କାର କରିଛନ୍ତି। ଏଥିରୁ ଜଣାପଡୁଛି ଯେ ବର୍ତ୍ତମାନ ସରକାରରେ ଦୁର୍ନୀତି ତାର କାୟା ବିସ୍ତାର କରି ଅଭିଯୋଗକାରୀଙ୍କୁ ବିନା କରିବାରେ ସଫଳ ହୋଇଛି। ଯାହାକି ଆଗାମୀ ଦିନରେ ଶାସକ ବିଜେଡ଼ିକୁ ଏଥିପାଇଁ ବହୁମୂଲ୍ୟ ଦେବାକୁ ପଡିବ।

ଦୁର୍ନୀତିମୁକ୍ତ ଚେହେରା ପାଇଁ ପ୍ରୟାସ

 

ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହେବା ପରେ ନବୀନ ପଟ୍ଟନାୟକ କତେଜଣ ଆଇଏଏସ ଅଫିସରଙ୍କୁ ଦୁର୍ନୀତି ଅଭିଯୋଗରେ ଜେଲ ପୁରେଇ ଦେଇଥିଲେ। ଲୋକଙ୍କ ଆଖିରେ ନିଜର ଏକ ନୂତନ ଚେହେରା ନିଜ ପାଇଁ ସୃଷ୍ଟି କରିବାକୁ ନବୀନ କଂଗ୍ରେସ ଅମଳର ନାମୀଦାମୀ ଠିକାଦାରଙ୍କୁ ଜେଲ ଭର୍ତ୍ତି କରି କରିଦେଇଥିଲେ। ଲୋକେ ଗ୍ରହଣ କରିନେଇଥିଲେ ଯେ, ନବୀନ କଦାପି ଦୁର୍ନୀତିକୁ ବରଦାସ୍ତ କରନ୍ତି ନାହିଁ। ସେ କାହାକୁ ଛାଡ଼ନ୍ତି ନାହିଁ। ନବୀନଙ୍କ ଏହି ପଦକ୍ଷେପ ଗତ ୧୯ବର୍ଷ ଧରି ବିଜୁ ଜନତା ଦଳକୁ ବିପୁଳ ରାଜନୈତିକ ଫାଇଦା ଦେଇଚାଲିଛି। ସେଥିପାଇଁ ବିଜୟ ମହାପାତ୍ର, ରାମକୃଷ୍ଣ ପଟ୍ଟନାୟକ, ନଳିନୀ ମହାନ୍ତି, କମଳା ଦାସଙ୍କ ଭଳି ବରିଷ୍ଠ ନେତା ବା ନେତ୍ରୀ ଦଳରୁ ବହିଷ୍କୃତ ହେଲା ପରେ ନବୀନଙ୍କ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିପାରି ନାହାନ୍ତି। କେବଳ ଏକମାତ୍ର ବ୍ୟତିକ୍ରମ ହେଲେ ଦିଲୀପ ରାୟ। ନବୀନଙ୍କୁ ଚ୍ୟାଲେଞ୍ଜ କରି ସେ ରାଜ୍ୟସଭା ଆସନ ଜିଣିଛନ୍ତି। ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଦୁର୍ନୀତିରେ ଉବୁଟୁବୁ ରାଜ୍ୟ ସରକାର

ମାତ୍ର ଏବେ ରାଜ୍ୟର ରାଜନୈତିକ ସ୍ଥିତିରେ ବଡ଼ଧରଣର ପରିବର୍ତ୍ତନ ଘଟିସାରିଛି। ରାଜ୍ୟର ଅଫିସରମାନେ ଦୁର୍ନୀତିଗ୍ରସ୍ତ। ପିଅନ, କିରାଣିଙ୍କଠାରୁ କୋଟିକୋଟି ଟଙ୍କା ମିଳୁଛି। ରାଜ୍ୟ ବାହାରର ଠିକାଦାରମାନେ କୋଟିକୋଟି ଟଙ୍କା ଲୁଟି ଚାଲିଛନ୍ତି। କୌଣସି ପ୍ରକଳ୍ପ ନିର୍ଦ୍ଧାରିତ ସମୟରେ ସରିବାର ନାଁ ଧରୁନାହିଁ। ଅଧିକାଂଶ ନେତା ବେପାର ବଟାରେ ଜଡ଼ିତ। ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ ସହ ସେମାନଙ୍କର ରହିଛି ସିଧା ସମ୍ପର୍କ। ନବୀନ ପଟନାୟକ ସେମାନଙ୍କ ବିରୋଧରେ ନିଜଆଡ଼ୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସାମର୍ଥ୍ୟ ହରାଇ ବସିଛନ୍ତି ବୋଲି ବାର୍ତ୍ତା ଏବେ ଜନସାଧାରଣଙ୍କ ନିକଟରେ ପହଞ୍ଚି ସାରିଲାଣି।

ଦାମଙ୍କ ଅଭିଯୋଗ ସରକାରଙ୍କ ପାଇଁ ସତର୍କ ଘଣ୍ଟି

ସରକାରରେ ଚାଲିଥିବା ଦୁର୍ନୀତି କଥା ହିଁ ଉଠାଇବାରୁ ଏହି ଅଭିଯୋଗର ତଦନ୍ତ ନ କରି ଦାମଙ୍କୁ ଦଳରୁ ବିଦା କରିଦିଆଯାଇଛି। ଦୁର୍ନୀତିରେ ଅଫିସରମାନଙ୍କର ସଂପୃକ୍ତି ନେଇ ଦାମ ଅଭିଯୋଗ କରିଥିଲେ। ଦାମ ଦଳରୁ ବିଦା ହେବା ପରେ ସେ ଉଠାଇଥିବା ଦୁର୍ନୀତି ପ୍ରସଙ୍ଗରେ ଅତୀତରେ ଅନ୍ୟମାନଙ୍କୁ ଦୁର୍ନୀତିଗ୍ରସ୍ତ କହି ନବୀନ ବିଦା କରୁଛନ୍ତି। କିନ୍ତୁ ବିଡମ୍ୱନାର ବିଷୟ ଦାମ ଅଫିସରଙ୍କୁ ଦୁର୍ନୀତିଗ୍ରସ୍ତ କହି ବିଦା ହେଲେ।

ଏହି ଫରକ ହିଁ ଲୋକମାନଙ୍କ ମନରେ ସୃଷ୍ଟି କରିଦେବ। ଦାମ ଉଠାଇଥିବା ଅଭିଯୋଗକୁ ଏପର୍ଯ୍ୟନ୍ତ ନବୀନ ପଟ୍ଟନାୟକ ଖଣ୍ଡନ କରିପାରି ନାହାନ୍ତି। ଚାରା ଦୁର୍ନୀତି, କୃଷିଋଣ ଜାଲିଆତି ଓ ସମବାୟ ଦୁର୍ନୀତି ହୋଇନାହିଁ ବୋଲି ନବୀନ ଦୃଢତାର ସହିତ କହିପାରୁନାହାନ୍ତି। ଅପରପକ୍ଷରେ ଦାମବାବୁଙ୍କୁ କହିବାର ସୁଯୋଗ ନଦେଇ କେବଳ ଜଣେ ଅଫିସରଙ୍କ ସମ୍ମାନ ରଖିବା ପାଇଁ ନବୀନ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ, ତାହା ଲୋକଙ୍କୁ ଆଦୌ ସନ୍ତୁଷ୍ଟ କରିବ ନାହିଁ। ଦାମ ଏବେ ସାରା ରାଜ୍ୟ ବୁଲିବେ ଓ ସରକାରଙ୍କ ଦୁର୍ନୀତି ବିଷୟରେ କହିବେ। ଏହାହିଁ ଦୁର୍ବଳ ନବୀନଙ୍କ ପାଇଁ ଆଗକୁ ଅଧିକ ସମସ୍ୟା ସୃଷ୍ଟି କରିବ।

ସମୟ ବଦଳିଛି। ଏବେ ରାଜ୍ୟର ରାଜନୈତିକ ଚିତ୍ର ବଦଳୁଛି। ନବୀନ ସରକାର ଦୁର୍ନୀତିଗ୍ରସ୍ତ ବୋଲି ଧାରଣା କ୍ରମଶଃ ତଳକୁ ତଳକୁ ଯାଉଛି। ନବୀନଙ୍କଠାରୁ ତାଙ୍କ ଅଧିକାରୀ ଅଧିକ ଶକ୍ତିଶାଳୀ ଓ ତାଙ୍କ ହାତକୁ ଦଳ ଓ ସରକାର ଚାଲିଗଲାଣି ବୋଲି ଯେଉଁ ଧାରଣା ଦାମଙ୍କ ବହିଷ୍କାର ପରେ ସୃଷ୍ଟି ହୋଇଛି, ତାହା ନବୀନ ଓ ତାଙ୍କ ସରକାର ପାଇଁ ଯଥେଷ୍ଟ ମହଙ୍ଗା ପଡ଼ିବ, ଏଥିରେ ସନ୍ଦେହ ନାହିଁ।

ଅଭିଯୋଗ ବିଦା ହୋଇଗଲା କି?

ନବୀନ କହିଛନ୍ତି, ଦାମଙ୍କ ଅଭିଯୋଗ ହାସ୍ୟାସ୍ପଦ। ଚାରା ଦୁର୍ନୀତି ବାବଦରେ ଦାମଙ୍କ ଅଭିଯୋଗ ଅମୂଳକ ବୋଲି ନବୀନ କେମିତି କହୁଛନ୍ତି? କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ ଚାରା ଦୁର୍ନୀତିକୁ ବିଧାନସଭାରେ ସ୍ୱୀକାର କରିସାରିଛନ୍ତି। ଓମଫେଡ ଦୁର୍ନୀତିବାବଦରେ ଅଭିଯୋଗ ଉଠାଇଥିବା ଆଇଏଏସ ଅଧିକାରୀଙ୍କୁ ବଦଳି କରାଗଲା କାହିଁକି? କୃଷିଋଣ ଜାଲିଆତି ହୋଇଥିବା କଥା ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ବିଧାନସଭାରେ ସ୍ୱୀକାର କରିଛନ୍ତି। ତେବେ ଦାମ ଅଭିଯୋଗ କରି କି ଅପରାଧ କଲେ ? ତାଙ୍କର ଭୁଲ ରହିଲା କେଉଁଠି?

ଦୁର୍ନୀତି ଅଭିଯୋଗ ଆଣିବା କାରଣରୁ ତାଙ୍କୁ ବିଦା କରିଦିଆଯାଇଛି ବୋଲି ଏହି ସଂକେତ ତଳସ୍ତରକୁ ଚାଲିଗଲାଣି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦୁର୍ନୀତିଗ୍ରସ୍ତଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି ବୋଲି ଦାମଙ୍କ ବହିଷ୍କାରୁ ପ୍ରମାଣିତ ହୋଇଛି। ଦଳ ବିରୋଧୀ କାର୍ଯ୍ୟର ସଂଜ୍ଞା କ’ଣ? ଦାମ ଯଦି ଚାରା, ଓମଫେଡ ଓ କୃଷିଋଣ ଦୁର୍ନୀତି କଥା ଉଠାଇ ନଥାନ୍ତେ, ତେବେ ସେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ବୋଲି କିଛି କର୍ମୀ ଗାଡ଼ିରେ ବୁହାହୋଇ ଆସି ମୁଖ୍ୟମନ୍ତ୍ରୀଙ୍କୁ କହିଥାନ୍ତେ କି?

ଦାମଙ୍କ ଆଙ୍ଗୁଳି ତୃତୀୟ ମହଲାର ଅଫିସରଙ୍କ ଆଡ଼କୁ ଉଠି ନଥିଲେ, ନବୀନ ତୁରନ୍ତ ଫଇସଲା ନେଇଥାନ୍ତେ କି? ଦ୍ୱିତୀୟରେ କେଉଁ ଆଧାରରେ ଦାମ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ବୋଲି ମୁଖ୍ୟମନ୍ତ୍ରୀ ଜାଣିଲେ?

ସବୁଠୁ ବଡ଼ ପ୍ରଶ୍ନ ହେଲା, ଦାମ ବହିଷ୍କୃତ ହେବା ପରେ ଦଳକୁ ଅଡ଼ୁଆରେ ପକାଇ ପାରିବେ କି?

ଗୋଟିଏ ମହଲର ଯୁକ୍ତି ହେଲା, ବିଜୟ, ନଳିନୀ, ରାମକୃଷ୍ଣ ପାରି ନଥିଲେ। ଦାମ ବି ପାରିବେ ନାହିଁ। କିନ୍ତୁ ସେମାନେ ଭୁଲି ଯାଉଛନ୍ତି ଯେ, ୨୦୧୪ ପରେ ରାଜନୈତିକ ପାଣିପାଗ ବଦଳିଛି। ନବୀନଙ୍କ ଧଳା କୁର୍ତ୍ତାର ଅନେକ ସ୍ଥାନରେ କଳା ଛିଟା ଲାଗି ସାରିଲାଣି। ତାଙ୍କ ଦଳର ବହୁ ବିଧାୟକ, ମନ୍ତ୍ରୀ ଚିଟଫଣ୍ଡ ଦୁର୍ନୀତି ସହ ସମ୍ପୃୃକ୍ତ। ଏବେ ରାଜ୍ୟର ଚାରିଆଡେ଼ ଦୁର୍ନୀତି ହିଁ ଦୂର୍ନୀତି।

ଦ୍ୱିତୀୟରେ ନବୀନଙ୍କର ଦୁର୍ନୀତିମୁକ୍ତ ଚେହେରା ଖରାପ ହୋଇସାରିଛି। ଯେଉଁ ଯୁବ ନେତୃତ୍ୱକୁ ଲୋକେ ଦେଖୁଛନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ ବେପାରୀ ଓ ଦୁର୍ନୀତିଗ୍ରସ୍ତ।

ତୃତୀୟରେ ନବୀନ ଦୁର୍ବଳ ହୋଇପଡ଼ୁଛନ୍ତି। ପୂର୍ବରୁ କେନ୍ଦ୍ର ସରକାରମାନଙ୍କୁ ଆଖି ଦେଖାଇ ପାରୁଥିଲେ ନବୀନ। ଏବେ ମୋଦି ସରକାରଙ୍କ ପାଖରେ ସେ ଆତ୍ମସମର୍ପଣ କରିସାରିଛନ୍ତି।

ଚତୁର୍ଥରେ ବିଜେପି ସଂଗଠନରେ ଆଖିଦୃଶିଆ ଅଭିବୃଦ୍ଧି ଘଟିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣଟି ହେଲା, ପ୍ରତି ଜିଲାରେ, ପ୍ରତି ନିର୍ବାଚନମଣ୍ଡଳୀରେ ବିଜୁ ଜନତା ଦଳ ଭିତରେ ଭୟଙ୍କର ଗୋଷ୍ଠୀକନ୍ଦଳ ବ୍ୟାପିସାରିଛି। କର୍ମୀ ମହଲରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି। ଦାମ ଯଦି ବେଶ କିଛିଦିନ ସେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ବଜାୟ ରଖିପାରନ୍ତି ତେବେ ଏହା ଆଗାମୀ ନିର୍ବାଚନ ବେଳକୁ ନିଆଁ ଭଳି କାମ କରିପାରିବ।

ଏବେ ବିଜେଡି ପାଇଁ ଦାମ ଅଡୁଆ

ଯେଉଁ କାରଣ ପାଇଁ ଦାମ ବିଦା ହେଲେ, ତାହାହିଁ ନବୀନ ସରକାରଙ୍କୁ ଅଡ଼ୁଆରେ ପକାଇବ। ଅନ୍ୟମାନଙ୍କୁ ଦୁର୍ନୀତିଗ୍ରସ୍ତ କହି ନବୀନ ବିଦା କରୁଥିଲେ। କିନ୍ତୁ ଦାମ ଅଫିସରଙ୍କୁ ଦୁର୍ନୀତିଗ୍ରସ୍ତ କହି ବିଦା ହେଲେ। ଏହାହିଁ ଫରକ ସୃଷ୍ଟି କରିଦେବ ଲୋକମାନଙ୍କ ମନରେ। ଦାମ ଉଠାଇଥିବା ଅଭିଯୋଗକୁ ଏପର୍ଯ୍ୟନ୍ତ ଖଣ୍ଡନ କରିପାରି ନାହାନ୍ତି ନବୀନ ସରକାର ତାହା ଲୋକଙ୍କୁ ଆଦୌ ସନ୍ତୁଷ୍ଟ କରିବ ନାହିଁ।

ଦାମ ଏବେ ସାରା ବୁଲିବେ ଓ ସରକାରଙ୍କ ଦୁର୍ନୀତି ବିଷୟରେ କହିବେ ବୋଲି ଘୋଷଣା କରିସାରିଛନ୍ତି। ଏହାହିଁ ଦୁର୍ବଳ ନବୀନଙ୍କ ପାଇଁ ଆଗକୁ ଅଧିକ ସମସ୍ୟା ସୃଷ୍ଟି କରିବ। ସମୟ ବଦଳିଛି। ରାଜନୈତିକ ଚିତ୍ର ବଦଳୁଛି। ନବୀନ ସରକାର ଦୁର୍ନୀତିଗ୍ରସ୍ତ ବୋଲି ଧାରଣା କ୍ରମଶଃ ତଳକୁ ତଳକୁ ଯାଉଛି। ନବୀନଙ୍କଠାରୁ ତାଙ୍କ ଅଧିକାରୀ ଅଧିକ ଶକ୍ତିଶାଳୀ ଓ ତାଙ୍କ ହାତକୁ ଦଳ ଓ ସରକାର ଚାଲିଗଲାଣି ବୋଲି ଯେଉଁ ଧାରଣା ଦାମଙ୍କ ବହିଷ୍କାର ପରେ ସୃଷ୍ଟି ହୋଇଛି, ତାହା ନବୀନ ଓ ତାଙ୍କ ସରକାର ପାଇଁ ଯଥେଷ୍ଟ ମହଙ୍ଗା ପଡ଼ିବ, ଏଥିରେ ସନ୍ଦେହ ନାହିଁ।