ଦାମବାବୁଙ୍କ ରାଜନୀତିକ ଜୀବନ ଦୁର୍ନୀତିରୁ ଆରମ୍ଭ: ବିଷ୍ଣୁ

0
138

ଭୁବନେଶ୍ୱର,(ଓଟି):ବିଜେଡିରୁ ବହିଷ୍କାର ହେବା ପରେ ଡାକ୍ତର ଦାମୋଦର ରାଉତ ତାଙ୍କ ସ୍ୱରକୁ ଶାଣିତ କରି ସିଧାସଳଖ ବିଜେଡି ମୁଖିଆଙ୍କୁ ଆକ୍ରମଣ କରିଛନ୍ତି। ଦାମଙ୍କ ଏଭଳି ଆକ୍ରମଣର ଜବାବ ଦେବା ପାଇଁ ବିଜେଡିର କୌଣସି ନେତା ଆଗକୁ ଆସୁନଥିବା ବେଳେ ତାଙ୍କର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ବିଷ୍ଣୁ ଦାସ ସାମ୍ନାକୁ ଆସିଛନ୍ତି। ସେ କହିଛନ୍ତି,ଦାମଙ୍କ ରାଜନୀତିକ ଜୀବନ ଦୁର୍ନୀତିରୁ ଆରମ୍ଭ ହୋଇଛି।

ଦାମଙ୍କ ବହିଷ୍କାରର ୨ ଦିନ ପରେ ଦାମଙ୍କ ବିରୋଧରେ କଟୁ ପ୍ରତିକ୍ରିୟା ଦେଇଛନ୍ତି ବିଷ୍ଣୁ ଦାସ । ଦୁର୍ନୀତି ବିରୋଧରେ ଦାମ, ଆନ୍ନା ହଜାରେଙ୍କ ଭଳି ସଂଗ୍ରାମ କରିବେ ବୋଲି କହିଥିବାବେଳେ ବିଷ୍ଣୁ ଦାସ ଏହି କଥାକୁ ହସରେ ଉଡ଼ାଇ ଦେଇଛନ୍ତି ।  ଶ୍ରୀବିଷ୍ଣୁ କହିଛନ୍ତି ଯେ, ଦାମୋଦର  ଆନ୍ନା କାହିଁକି, ଜୟପ୍ରକାଶଙ୍କ ନାମ ନେଉନାହାନ୍ତି । ଆନ୍ନା ହଜାରେ କେଉଁଠି, ଇଏ କେଉଁଠି ବୋଲି କହି ଦାମଙ୍କୁ ତାଚ୍ଛଲ୍ୟ କରିଛନ୍ତି । ଆନ୍ନା ହଜାରେ କ’ଣ ଦୁର୍ନୀତି କରୁଥିଲେ ବୋଲି ବିଷ୍ଣୁ ପ୍ରଶ୍ନ କରିଛନ୍ତି । ଦାମଙ୍କ ପଛରେ କ’ଣ କମ ବାଟିଆ ବୋଲି କହି ବିଷ୍ଣୁ ଦାସ କହିଛନ୍ତି ଯେ, ଦାମଙ୍କ କ୍ୟାରିୟର ଦୁର୍ନୀତିରୁ ଆରମ୍ଭ ହୋଇଛି ।

ବିଷ୍ଣୁ କହିଛନ୍ତି, ଦାମବାବୁ ୧୯୭୪ ମସିହାରେ ଖପୁରିଆରେ ଭେଟେରିନାରୀ ଷ୍ଟୋର୍ ଇନ୍‌ଚାର୍ଜ ଥିଲେ। ସେହି ସମୟରେ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିଲା। ତଦନ୍ତ ବେଳେ ସେ ଧରା ମଧ୍ୟ ପଡ଼ିଥିଲେ। ତାଙ୍କର ପ୍ରାୟତଃ ଚାକିରି ଯାଇଥିଲା। ତେବେ ପ୍ରତାପ ବାବୁଙ୍କ ଶରଣ ନେଇ ବିଜୁବାବୁଙ୍କ ପାଖରେ ପହଞ୍ଚିଥିଲେ ଦାମବାବୁ।   ଆଉ ପ୍ରତାପ ବାବୁଙ୍କ ପରାମର୍ଶରେ ଦାମବାବୁଙ୍କୁ ଏରସମା ନିର୍ବାଚନୀମଣ୍ଡଳୀରେ ଛିଡ଼ା ହେବା ପାଇଁ ଟିକେଟ୍‌ ଦିଆଯାଇଥିଲା। ହେଲେ ସେ ନିର୍ବାଚନ ଲଢ଼ି ହାରିଲେ। ଏମରଜେନ୍ସି ସମୟରେ ଗିରଫ ଭୟରେ କେଉଁଆଡେ ଚାଲିଗଲେ। ପୁଣି ଦେଖାଦେଇଥିଲେ ୧୯୭୭ ମସିହାରେ। ଟିକେଟ୍‌ ପାଇଲେ ଓ ଜିତିଲେ। ସେହି ସମୟରେ ନୀଳମଣି ରାଉତରାୟ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ଦାମବାବୁ ମନ୍ତ୍ରୀ ହୋଇପାରିଲେ ନାହିଁ। ଏଥିପାଇଁ ତାଙ୍କୁ ସାଢ଼େ ତିନି ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ପରେ ଦିଲୀପ ରାୟ, ଶ୍ରୀକାନ୍ତ ଜେନା ଓ ଦାମବାବୁ ଦେଢ଼ ବର୍ଷ ଲେଖାଏଁ ମନ୍ତ୍ରୀ ହୋଇଥିଲେ।

ବିଷ୍ଣୁ ଦାସ କହିଛନ୍ତି, ମୁଁ ଛାତ୍ର ଅବସ୍ଥାରୁ ରାଜନୀତି କରୁଛି। ୧୯୯୬ ମସିହାରେ ଛାତ୍ର ଜନତା ଦଳରେ ପ୍ରତାପ ଜେନା ସଭାପତି ଥିଲେ। ତାଙ୍କ ଅଧ୍ୟକ୍ଷତାରେ ସେହିବର୍ଷ ମାର୍ଚ୍ଚ ୨୮ ତାରିଖରେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସରେ ଛାତ୍ର ଜନତା ଦଳର ଏକ ସଭା ହୋଇଥିଲା। ଏଥିରେ ବିଜୁ ପଟ୍ଟନାୟକ ଯୋଗଦେଇଥିଲେ। ଏହି ସଭାରେ ମୋ ସହିତ ପ୍ରସନ୍ନ ଆଚାର୍ଯ୍ୟ ମଧ୍ୟ ଯୋଗଦେଇଥିଲେ। ସେହି ଦିନ ସଭା ସରିବା ପରେ ବିଜୁବାବୁ ଦିଲ୍ଲୀ ଯାଇଥିଲେ। ଏପ୍ରିଲ୍‌ ୧୭ ତାରିଖରେ ଫେରିଲା ତାଙ୍କର ମରଶରୀର। ଇଏ ହେଉଛି ମୋର ରାଜନୈତିକ ଜୀବନ। ସିଏ କେମିତି ବିଜୁପ୍ରେମୀ  ହେଲେ?